Unknown

 

 

 

 

 

 

 

 

 

 

 

ପାଲଟା ଢେଉ

ବସନ୍ତ କୁମାରୀ ପଟ୍ଟନାୟକ

 

 

 

 

 

 

 

 

 

 

 

ଅମଡ଼ା ବାଟ, ଜୀବନ ଚିହ୍ନ, ଜୁଆର ଭଟ୍ଟା,

ସଭ୍ୟତାର ସାଜ ଓ ଚିତାନଳ ପ୍ରଭୃତିର

 

ଶ୍ରୀଯୁକ୍ତ କାଳିନ୍ଦୀଚରଣ ପାଣିଗ୍ରାହୀ

 

 

ମାନନୀୟେଷୁ ।

 

ଦେବା ପାଇଁ ନାହିଁ ଆଉ କିଛି

କବି ଆଜି ! କରତଳେ ତବ

ଭକତିରେ ଟେକିଦିଏ ତେଣୁ

ପାଲଟା ଏ ତେଉର କୈରବ ।

ଢେଉ ତଳେ ଖୋଜି ଖୋଜି କେତେ

ଆହରିଛି ଯେ ମୋତିମାଣିକ–

ଜୀବନର ଅନୁଭୂତିବୋଳୀ,

ନିଅ ତାରେ ହେ କବି ସାଧକ !

 

ବସନ୍ତ

ତା ୫ । ୧୨ । ୫୬

★★★

 

ସୂଚୀପତ୍ର

 

୧.

ଭୋଜୀ

୨.

ମୂଲ୍ୟହୀନ

୩.

ଚୋରାବାଲି

୪.

ଦାଗ

୫.

ସ୍ୱପ୍ନଭଙ୍ଗ

୬.

ଛୋଟଲୋକ

୭.

ଅନ୍ଧ

୮.

ଶଙ୍କର ହୋଟେଲ

୯.

ବିଚ୍ଛେଦ

୧୦.

ଅଚିହ୍ନା

୧୧.

ନୂଆ ପୁରୁଣା

୧୨.

ଚୋରଣୀ

୧୩.

ଅଚଳନ୍ତି

୧୪.

ପିତଳ

୧୫.

ଅଡ଼ୁଆ ସୂତା

★★★

 

ଭୋଜୀ

 

ନାନୀ କହିଛି କାଲି ଗାଧୁଆବେଳେ ଭୋଜି–ସେ ନାନୀ ସାଙ୍ଗରେ ଇସ୍କୁଲକୁ ଯିବ ।

 

ରାତିଯାକ ବିନ ଆଖିରେ ନିଦ ନାହିଁ । ଥରକୁ ଥର ମା’କୁ ନିଦରୁ ଉଠେଇ ପଚାରୁଛି ସକାଳ ହେଲାଣି କି ନାହିଁ । ନାନୀ କହିଛି ଆଜି ତାକୁ ଇସ୍କୁଲକୁ ନେଇଯିବ । କେତେ ପିଲାଙ୍କ ସାଥିରେ ଚିହ୍ନା କରେଇଦବ । ବିଛଣାରେ ପଡ଼ି ପଡ଼ି ବିନ ଭାବୁଛି ସେଇ କଥା । ହଠାତ୍ ଧଡ଼ପଡ଼ ହୋଇ ଉଠିବସି ମା’ କୁ ହଲାଇଦେଲା “ମା... ମା, ଉଠ୍......ସକାଳ ହେଲାଣି, କାଉ ରାବିଲାଣି ପରା !”

 

ନିଦ ମଳ ମଳ ଆଖିରେ ଖିଡ଼ିକିଆଡ଼େ ଚାହିଁ ମା ଜବାବ ଦେଲା, “ଓଃ, ଏ ଛୁଆଟା ମଣିଷକୁ ଟିକେ ଶୋଇଦେବ ନାହିଁ......ଏଡ଼େ ଅନ୍ଧାର ଅଛି, ସକାଳ କୋଉଠି ହେଲା...ହଇରେ ?”

 

–ହଁ ଗୋଟାଏ କାଉ ବୋବେଇଚି–ମୁଁ ସଫା ଶୁଣିଛି । ମା ଅଳସ ଭାଙ୍ଗୁଭାଙ୍ଗୁ ବିନ ରମାକୁ ଡାକିଲା “ନାନୀ, ନାନୀ, ସକାଳ ହେଲାଣି... ଉଠିବୁ ନାଇଁ କିଲୋ ? ଏ ନାନୀ–”

 

କବାଟ ଖୋଲି ତିନିହେଁ ଯାକ ପଦାକୁ ଆସିଲେ । ମା’କୁ ବିନର ବାରବାର ତାଗିଦା–ଆଗେ ତା କାମ ସାରି, ତା ପରେ ଯାଇଁ ଯୋଉ କଥା ହବ ।

 

ପୋଖରୀର ପଥର ଉପରେ ବସି ହାତରେ ଖଣ୍ଡେ ଝାମା ଧରି, ବିନ ନିଜ ଦେହକୁ ରଗଡ଼ୁଛି ଆଉ ମଝିରେ ମଝିରେ ପ୍ରଶ୍ନ କରୁଛି–ମା ଏଥର ମୁଁ ଗୋରା ଦୁଶିଲି ? ମା ଯେତେ କହିଲେ ବି ବିନର ମନ ମାନୁ ନାହିଁ । ସେ ଆଉରି ବେଶି ରଗଡ଼ି ହେଉଛି । ଶେଷରେ ବିନ ଜିଦିଧରି ବସିଲା ପାଖକୁ ଆସି ଦେଖିଯିବାକୁ । ବାସନମଜା ଛାଡ଼ି ମା ଆସି ଦେଖିଲା ଝାମା ଇଟାରେ ଦେହର ନରମ ଚମ ଆଞ୍ଚୁଡ଼ି ହେଇ ଲାଲ ପଡ଼ି ଗଲାଣି । ପୁଅ ହାତରୁ ଝାମା ଖଣ୍ଡକ ଟାଣିନେଇ ମା କହିଲା, “ହଇରେ ଝାମାରେ କିଏ ଘସିହୁଏ ?”

 

–ଅଳତା ନାଇଲା ବେଳେ ଝାମା ଘଷି ତୁ କେମିତି ଗୋଡ଼ର ମଳି ବାହାର କରିଦଉ ?

 

ଗାଧୁଆ ସେତିକିରେ ବନ୍ଦ । ଦେହ ସାରା ପୋଡ଼ିଲାଣି । ପୋଛିପାଛି ହେଇ ବିନ ଫେରିଆସିଲା । ଘରର ମାଟି କାନ୍ଥରେ ଖଣ୍ଡେ ଦର୍ପଣ ପୋତା ହେଇଛି । ସେଇଠି ଆସି ଠିଆ ହେଲା ବିନ–ହାତରେ ପାନିଆ । ପାନିଆର ମଝି ଦାନ୍ତଗୁଡ଼ାକ ଭଙ୍ଗା । ଦୁଇ ମୁଣ୍ଡରେ ଯାହା ଦି’ଚାରିଗଣ୍ଡା ଦାନ୍ତ ଅଛି, ସେତିକି । ସେଇ ପାନିଆରେ ବିନ ନିଜର ତେଲ ଜର ଜର ଟାଆଁସା ବାଳ ଗୁଡ଼ାକ ଚିକଣ କରି ପାରିବାକୁ ଚେଷ୍ଟାରେ ଲାଗିଗଲା । ମନରେ ଆନନ୍ଦ–ସବୁ ଆଜି ତାର ସଫା, ସୁତୁରା, ଚିକକଣ ।

 

ସ୍କୁଲ ଫାଟକ ପାଖେ ପହଞ୍ଚି ବିନ କହିଲା “ନାନୀ, ମତେ ସବୁ ଜିନିଷ ଦେଖେଇ ଦବୁଟି-? ଆଉ ସବୁ ପିଲାଙ୍କ ସାଙ୍ଗରେ ଚିହ୍ନା କରେଇଦବୁ...ଏଁ... ?”

 

–ହଉ । ହେଇ ଦେଖ, ଏଠି କେମିତି ଦୁବଘାସ ହେଇଛି, ଆଉ ଏଠି ମୁଥା ଘାସ ।”

 

“ଆରେ ହଁ’ତ” କହି ଜୀବନରେ କେବେ ଘାସ ନ ଦେଖିଲା ପରି ବିନ ନଇଁପଡ଼ି ନିଜ ହାତରେ ଥରେ ଘାସ ଗୁଡ଼ାକ ପରଖିନେଲା । ତାପରେ ସେମାନେ ଆଗକୁ ଚାଲିଲେ ।

 

ଗୋଟିକ ପରେ ଗୋଟିଏ ଗଛ ରମା ଦେଖେଇ ଚାଲିଛି... ମନ୍ଦାର, ପଲାଶ, କୃଷ୍ଣଚୂଡ଼ା, ରଜନୀଗନ୍ଧା, ଆମ୍ବ, ବେଲ–କିଏ ଫୁଲ ଫଳରେ ଲଦି ହେଇଚି, ଆଉ କିଏ ବା ସେମିତି ଥୁଣ୍ଟା ଛିଡ଼ା ହେଇଚି । କିନ୍ତୁ ବିନ ଆଖିରେ ସବୁ ସୁନ୍ଦର । ଆଖିରେ ଇନ୍ଦ୍ରଧନୁର ରଙ୍ଗ ବୋଳି ସେ ଚାରିଆଡ଼କୁ ଚାହୁଁଛି, ପୁଣି ଆଗକୁ ମାଡ଼ି ଚାଲୁଛି ।

 

ଗଛ ପତ୍ର ଦେଖା ସରିଛି । ବାକି ରହିଛି ସ୍କୁଲଘର–ଯେଉଁଠି ପିଲାମାନେ ଆରାମରେ ବସି ପାଠ ପଢ଼ନ୍ତି । ରମା ଦେଖିଲା ତାଙ୍କ କ୍ଲାସ ଖୋଲା ହେଇ ନାହିଁ । ଭଙ୍ଗା ଖିଡ଼ିକିବାଟେ ଉପରକୁ ଉଠି, ଭାଇର ହାତଧରି ଭିତରକୁ ଟାଣି ନେଲା । କବାଟ ଖିଡ଼ିକି ବନ୍ଦ । ସବୁଆଡ଼େ ଅନ୍ଧାର ଦିଶୁଛି । ଚାଲିଲାବେଳେ ବେଞ୍ଚ ଦେହରେ ଧକ୍କା ଲାଗିଯାଉଛି ଆଉ ତାଆରି ସାଙ୍ଗେ ସାଙ୍ଗେ ବିନ ପାଟିରୁ ନିଜର ଅଜାଣତରେ ବାହାରି ଆସୁଚି ‘ବାପଲୋ’ ‘ମାଆଲୋ’ ଚିତ୍କାର । ଶେଷକୁ ରମାର ଜାମା ଟାଣି ଧରି କହିଲା, ‘ନାଇଁ ଲୋ ନାନୀ, ଭୂତ ଥିବ... ଚାଲ ଫେରିଯିବା’ । ତୁଣ୍ଡରୁ କଥା ସରି ନାହିଁ ବିଜୁଳିବତୀ ଜଳିଉଠିଲା ଆଉ ସେଇ ଆଲୁଅ ତଳେ ଦେଖାଗଲା ରମା ମୁହଁରେ ସର୍ବଜ୍ଞର ଛପିଲା ହସ । ବିନ କବା ହେଇ ଚାହିଁଛି–ନାନୀ ତାର କେତେ କଥା ଜାଣିଲାଗି । ସେ କହିଲେ ବିଜୁଳିବତୀ ବି ଜଳୁଛି !

 

ଆନନ୍ଦରେ ଗୋଡ଼ ତଳେ ଲାଗୁ ନାହିଁ–ଏ ଜାଗାରୁ ସେ ଜାଗାକୁ ଯାଉଛନ୍ତି ପୁଣି ଆସୁଛନ୍ତି । ଉପରେ ନେଳିଆ ଆକାଶ ନାହିଁ କି ତଳେ ଶାଗୁଆ ଘାସର ଗାଲିଚା ନାହିଁ, ତଥାପି ସେଇ ରୁନ୍ଧିଲାଘରେ ଦିଓଟି ମଣିଷଛୁଆ ବସନ୍ତ କାଳର କୀଟ ପତଙ୍ଗ ପରି ଆନନ୍ଦରେ ନିଜକୁ ଭୁଲି ଯାଇଛନ୍ତି ।

 

ପଡ଼ିଆରେ ଦଳ ହୋଇ ପିଲା ବୁଲୁଛନ୍ତି । ଚିହ୍ନା ପିଲାଙ୍କୁ ଦେଖି ଭାଇର ହାତଧରି ରମା ତାଙ୍କ ପାଖକୁ ଗଲା । ଦଳକଯାକ ବିନକୁ ଚାହିଁଛନ୍ତି–ସମସ୍ତଙ୍କ ଓଠରେ ମୁରୁକି ହସ ।

 

–ଏ କିଏ ରମା ?

 

–ମୋ ଭାଇ ।

 

–‘ଠିକ୍ ଅନାର୍ଯ୍ୟମାନଙ୍କ ଭଳି ଦିଶୁଚି ।’ ଜଣେ ଟିପଣୀ କାଟିଲା ।

 

ରମାର ମୁହଁ ଶୁଖିଗଲା । ସନ୍ଦେହଭରା ଆଖିରେ ଭାଇକି ଆଉଥରେ ଭଲକରି ଦେଖିନେଲା । ବିନର ଚେପଟା ନାକ, ମୋଟା ଓଠ, ପୁଚୁକା ଗାଲ ଓ ପାଚିଲା ତାଳ ପରି ଦେହର ରଙ୍ଗ–କୌଣସିଟିରେ ରମା ଦୋଷ ଖୋଜି ପାଇଲା ନାହିଁ । ଭାଇର କାନ୍ଧ ଉପରେ ହାତ ରଖି କହିଲା, ‘ତତେ ମିଛରେ କହୁଛନ୍ତି ରେ, ତୁ ଡର ନା’ । ବିନ ଯେ ଡରି ନାହିଁ ଏକଥା ଦେଖେଇବାକୁ ହସିଦେଲା–ମୋଟା ଓଠ ଦିଫାଳ ଭିତରୁ ସରୁ ଜିଭଟିଏ ପଦାକୁ ବାହାରି ଆସି ଲହ ଲହ ହେଇ ପୁଣି ପଶିଗଲା–ଠିକ୍ ସାପ ପରି ।

 

–ହେ ପିଲା, ଆଉ ଟିକେ ହସିଲୁ ହସିଲୁ.....

 

–‘ନାଇଁ ।’ ବିନ ମୁହଁ ଶୁଖେଇ ଛିଡ଼ା ହେଲା ।

 

–ଆରେ ! ନିହାତି ଅବାଧ୍ୟ ଛୁଆଟାଏ ତ !! ହସ୍ ।

 

–ନାନୀ, ଚାଲ ଖେଳିବା ।

 

ବିନ ନାନୀର ହାତ ଧରି ଖେଳିବାକୁ ଚାଲିଗଲା ।

 

ଖେଳି ଖେଳି ଦେହରୁ ଝାଳ ନିଗିଡ଼ି ପଡ଼ୁଛି । ସୂର୍ଯ୍ୟ ମୁଣ୍ଡ ଉପରୁ ତଳକୁ ଖସିଲେଣି । ତଥାପି ରନ୍ଧା ସରୁ ନାହିଁ ।

 

ଧାଡ଼ି ଧାଡ଼ି ପିଲା ଚାଲିଛନ୍ତି–ଗୋଟାଏ ହାତରେ ଚଟେଇ, ଆର ହାତରେ ଖଲିପତ୍ର । ଗୋଟିଏ ଧାଡ଼ିର ଶେଷ ମୁଣ୍ଡରେ ବସିଛନ୍ତି ବିନ ଆଉ ରମା । ବିନର ଲୋଭିଲା ଆଖି ଦୁଇଟା ରହିଚି ପତ୍ର ଉପରେ । ମଝିରେ ମଝିରେ ନାନୀକୁ ଚୁମୁଟି ଦେଉଚି–ନାନୀ ଆରମ୍ଭ କଲେ ସେ ଆରମ୍ଭ କରିବ । ଖେଳିଲାବେଳେ ନାନୀ ତାକୁ ବାର ବାର କରି କହିଚି ନାନୀ ଆରମ୍ଭ ନ କରିବାଯାଏ ସେ ଯେମିତି ଆରମ୍ଭ ନ କରେ ।

 

ସ୍କୁଲର ବଡ଼ମୁଣ୍ଡିଆମାନେ ଘୂରି ଘୂରି ଦେଖୁଛନ୍ତି ସମସ୍ତଙ୍କୁ ଠିକ୍ ଦିଆ ହୋଇଚି କି ନାହିଁ-। ହଠାତ୍ ଜଣକର ଆଖି ପଡ଼ିଗଲା ରମାର ଗୋଡ଼ ଉପରେ–ମନ୍ଦା ମନ୍ଦା କାଛୁ । ରମାକୁ ଚାହିଁ ସେ ଚିତ୍କାର କରି ଉଠିଲେ ‘ତମର କାଛୁ ହେଇଚି–ଅନ୍ୟମାନଙ୍କୁ ଡେଇଁବ । ତମେ ଯାଅ ଖେଳୁଥିବ-। ଏମାନେ ଖାଇସାରିଲେ ତୁମକୁ ଡାକି ଆଣିବା ।’ ରମା ଉଠିପଡ଼ିଲା ।

 

ବିନ ବିକଳହୋଇ ଚାହିଁଛି ନାନୀ ମୁଁହକୁ ।

 

–ଏ ପିଲା କିଏ ?

 

–ମୋ ଭାଇ ।

 

–ଆଚ୍ଛା, ତାକୁ ବି ତମେ ସାଥୀରେ ନେଇଯାଅ । ତମେ ଖାଇଲାବେଳେ ସେ ଖାଇବ ।

 

ଭାଇ ଭଉଣୀ ଦିହେଁ ଉଠି ଚାଲିଗଲେ ଖାଇବା ଜିନିଷକୁ ଲୋଭିଲା ଆଖିରେ ଚାହିଁ ଚାହିଁ ।

 

–ବୁଝିଲୁ ବିନ, ଖାଇ ସାରନ୍ତୁ ଆମେ ଖାଇବା ।

 

–ନାଇଁ ନାନୀ, ମତେ ଭାରି ଭୋକ କଲାଣି......ବାନ୍ତି ମାଡ଼ୁଚି । ସକାଳେ ମା ଖାଇବାକୁ ଦେଲାବେଳେ ତୁ ମନାକଲୁ ।

 

–ହଉ ରଇଥା, ଆଉ ଟିକିଏ ବେଳ ତ । ଦେଖିଲୁ ତ କେଡ଼େ ବଢ଼ିଆ ଜିନିଷ ସବୁ ରନ୍ଧା ହେଇଚି... ସକାଳେ ତ ମା’ ପଖାଳ ଖାଇବାକୁ ଦେଉଥିଲା...ତାକୁ ଖାଇଥିଲେ ତୁ କଣ ଭଲ ଜିନିଷରୁ ବେଶି ଖାଇ ପାରିଥାନ୍ତୁ ?

 

–ମତେ ବାନ୍ତି ମାଡ଼ୁଚି ।

 

–ଆଉ ତେବେ ଚାଲ, ଦିଟା ବେଲପତ୍ର ଶୁଙ୍ଘିଦେଲେ ବାନ୍ତି ଭଲ ହେଇଯିବ ।

 

ବେଲପତ୍ର ଶୁଙ୍ଘିବା ବଦଳରେ, ଦୁଇ ଚାରିମୁଠା ବେଲପତ୍ର ଚୋବେଇ ଖାଇଦେଇ ବିନ କହିଲା ‘ନାନୀ, ଭାରି ଭୋକ...’

 

‘ହଉ ଦେଖ, କଣ ସବୁ ରନ୍ଧା ହେଇଚି ତତେ ମୁଁ ଏଇଠି ଦେଖେଇ ଦଉଚି’ କହ ରମା କାଠି କୁଟା ସାଉଁଟି ଆଣି ମାଛ ମାଂସର ଠା’ ସୁମାରି କଲା, ଇଟା ଗୋଡ଼ି ମିଠେଇ ଭାବରେ ଓ ଘାସପତ୍ର ତରକାରୀ ଭାବରେ ଗଣାଗଲା । ବିନର ଭୋକିଲା ଆଖିକି ଚାହିଁ ରମା ଭୂତ ଗପ ଆରମ୍ଭ କଲା, ‘ଏଇଠି ଏଇ ପାଚେରି ଆରପଟେ ଯେଉଁ ଅନ୍ଧାରିଆ ଘରଟା ଦେଖୁଚୁ–ସେଇଠି ଭୂତ ଥିଲା...’

 

ଭୂତ ଗପରେ କେତେବେଳ ଯାଇଛି ଜଣା ନାହିଁ । ବୁଡ଼ନ୍ତା ସୂର୍ଯ୍ୟର ଲାଲଚିଆ କିରଣ ବିଞ୍ଚିହେଇ ପଡ଼ିଚି । ପିଲା ଦିହେଁ ଆଲିଜା ଦେଇ ବସିଛନ୍ତି ସେଇ ଘାସ ଉପରେ । ହଠାତ୍ କାହାର ପାଟିରେ ଚମକି ପଛକୁ ଚାହିଁ ଦେଖିଲେ ଚପରାଶି ଡାକୁଚି । ଖୁସିହେଇ ରମା ଭାଇର ହାତଧରି ଉଠିଲା ‘ଚାଲ ଏଥର ଖାଇବା ଦେଖୁନୁ ଚପରାଶି ଡାକି ଆଇଚି ?’ ଶୁଖିଲା ମୁହଁରେ ହସ ଫୁଟେଇ ଚପରାଶିକୁ ଚାହିଁ ରମା ପଚାରିଲା–ସେମାନେ ଖାଇ ସାରିଲେଣି ?

 

–ହଁ, ସଭିଏଁ ଖାଇସାରି ଘରକୁ ଗଲେଣି...ତେମେ ଆସି ଏଇଠି ବଇଚ, ଘରକୁ ଯିବ ନାଇଁକି ?

 

ନିଜର ଅଜାଣତରେ ମୁଠାଭିତରୁ ଭାଇର ହାତ ଖସି ପଡ଼ିଲା । ରମା ଆଖିରେ ପାଣି ।

 

ଦୟା ଦେଖେଇ ଚପରାଶି କହିଲା “ଚାଲ, ମୁଁ ଘରେ ଛାଡ଼ି ଦେଇଯିବି ।”

 

–ନା ଥାଉ । ଆମେ ଏକା ଚାଲିଯିବା ଯେ–

 

ଭୋଜୀ ଜାଗା । ଅଇଁଠା ପତ୍ର ଉପରେ କାଉ କୁକୁରଙ୍କର ଯୁଦ୍ଧ । ସେଇଠି ଚାରୋଟି ଧୂଳି ଧୂସରିଆ ଛୋଟଛୋଟ ପାଦ ମୁହୂର୍ତ୍ତକ ପାଇଁ ଅଟକି ପୁଣି ଆଗକୁ ଚାଲିଗଲା ।

 

ସକାଳେ ଯେଉଁ ପାଦ ଚାରୋଟି ହାଲୁକାରେ ତଳେ ଲାଗୁ ନଥିଲା–ସଞ୍ଜବେଳକୁ ତାର ଯେମିତି ମାଟି ଉପରୁ ଉଠିବାକୁ ଆଉ ବଳ ନାହିଁ !!!

★★★

 

ମୂଲ୍ୟହୀନ

 

ଗୋଠବାହୁଡ଼ା ଗୋରୁପଲ । ଠେଲା ଠେଲି ପେଲା ପେଲି ହୋଇ ଗାଈ ବାଛୁରୀ ଫେରିଛନ୍ତି । କେତେ ରଙ୍ଗର ଓ କେତେ ପ୍ରକୃତିର । ରଖୁଆଳ ପାଞ୍ଚଣ ହଲେଇ ଗୋରୁ ଅଡ଼ାଉଛି ।

 

ଗୋଟିଏ ଗାଈ ଅଟକିଲା । କଳାହୋଇ ଦେଖିବାକୁ ଛୋଟ । ମୁଣ୍ଡରେ ଗୋଟିଏ ଚାନ୍ଦ । ଆଉ ଗାଈମାନେ ତାକୁ ଠେଲି ପେଲି ବାଟ କଟାଇ ମାଡ଼ିଗଲେ । ଟିକକ ପରେ ଆଉ ଗୋଟିଏ ସୁନ୍ଦର ଧଳାଗାଈ ଆସି ସେଠି ଠିଆହେଲା । ବେକତଳେ ଚିକକଣ କମ୍ବଳ ଦେଢ଼ଚାଖଣ୍ଡ ଲମ୍ବା । ଚିକକଣ ଦେହରେ ମାଛିଟାଏ ବସିଲେ ବି ଖସିପଡ଼ିବ ।

 

ରଖୁଆଳ ଦେଖିଲା ପଛରେ ଧବଳୀ ଆଉ ଚାନ୍ଦ ଠିଆ ହୋଇଛନ୍ତି । ପାଟିକରି ଆଗେଇ ଆସି ଦେଖିଲା ଚାନ୍ଦର ଖୁରାରୁ ରକ୍ତ ଝରୁଛି ଆଉ ଧବଳୀ ସେଇ ଖୁରାକୁ ଚାଟୁଛି ।

 

ସେ ଆଶ୍ଚର୍ଯ୍ୟ ହେଲା–ଗୋଟାଏ ଗାଈପାଇଁ ଆଉ ଗୋଟାଏ ଗାଈର ଏତେ ଦରଦ ! ଗୋଟାଏ ଗାଈର ଦୁଃଖରେ ଆଉ ଗୋଟାଏ ଗାଈ ସହାନୁଭୂତି ଦେଖେଇପାରେ, ଏଟା ତାର ଜୀବନର ପ୍ରଥମ ଅନୁଭୂତି । ସେ ଜାଣିଥିଲା ମା’ ତାର ପିଲାଙ୍କୁ ଆଦର କରେ । ତେବେ ଗାଈ ବି ସେଥିରୁ ବାହାର ନୁହେଁ ! ସେ ଗାଈ ବାଛୁରୀ ଦୁଇଟି ଅବଦୁଲ ମିଆଁର ।

 

ଧବଳୀର ଝିଅ ଚାନ୍ଦ । କିନ୍ତୁ ମା ପରି ସେ ଏତେ ସୁନ୍ଦର ନୁହେଁ । ଅବଦୁଲ ମିଆଁ ଧବଳୀକୁ ନିଜ ଜୀବନରୁ ଅଧିକ କରି ଦେଖେ । ନିତି ସକାଳୁ ଉଠି ତା ଦେହରେ ଅଧଘଣ୍ଟା ହାତ ବୁଲାଏ, ଧବଳୀ ମଧ୍ୟ ଖାଉନ୍ଦକୁ ଦେଖିଲେ ଖୁସିରେ କାନ ହଲାଏ, ଦେହ ଥରାଏ–ହମ୍ବାଳେ ।

 

ଅବଦୁଲ ମିଆଁ ନିଜ ହାତରେ ଦାନା ଆଣି ଧବଳୀ ପାଖରେ ରାଖେ । ଧବଳୀ ନଖାଇଲେ ବେକ ଆଉଁଷି, କମ୍ବଳ ଆଉଁଷି, ଦେହରେ ହାତ ବୁଲାଇ ସେତକ ଖୁଆଇ ଦିଏ ।

 

ଧବଳୀର ଦୁଧ କମିଲେ, ଅବଦୁଲ ମିଆଁ ଗଉଡ଼କୁ ଗାଳିଦିଏ–ନିଶ୍ଚେଁ ଭଲ ଚରା ପାଉ ନାହିଁ । ନହେଲେ ଦୁଧ କାହିଁକି କମିବ ?

 

ଧବଳୀର ସବୁ ଛୁଆଙ୍କୁ ମିଆଁ ବିକି ଦେଇଛି । ଖାଲି ରହିଯାଇଛି ଚାନ୍ଦ ।

 

ପ୍ରତି ସଞ୍ଜ ସକାଳେ ଅବଦୁଲ ମିଆଁ ଦୁଇଟି କୁଣ୍ଡରେ ଦାନା ସଜାଡ଼ି ରଖିଥାଏ–ଗୋଟିଏ ବଡ଼ ଓ ଗୋଟିଏ ଛୋଟ । ମିଆଁ ନିଜ ହାତରେ ବଡ଼ କୁଣ୍ଡଟି ଆଣି ଧବଳୀ ପାଖରେ ଆଉ ସାନଟିକୁ ଚାନ୍ଦ ଆଗରେ ଥୋଇଦିଏ । ଧବଳୀ ଥରେ ଖାଇଦେଇ ଚାନ୍ଦକୁ ଚାହିଁ ରହିଯାଏ–ସତେ ଯେପରି ତାକୁ ଖାଇବାକୁ ମା’ର ଓଜର ଜଣାଉଛି ।

 

ଦିନକୁ ଦିନ ଚାନ୍ଦ ବଡ଼ ହେଲେ ଧବଳୀ ବୁଢ଼ୀ ହେଉଛି । ଧବଳୀର ଦୁଧ ରହି ଆସିଲାଣି-। ଚାନ୍ଦ ପହିଲି ଫଳ ଗଲାଣି । ସେଥିପାଇଁ ଧବଳୀର ଆଦର କମୁଛି ଓ ଚାନ୍ଦର ଆଦର ଠିକ୍ ସେହି ପରିମାଣରେ ବଢ଼ି ଚାଲିଛି । ଅବଦୁଲ ମିଆଁ ଏବେ ଆଗପରି ଧବଳୀ ପାଖରେ ନ ବସି ଚାନ୍ଦ ପାଖରେ ବସି ଆଉଁଷି ଦିଏ । ସେତେବେଳେ ଧବଳୀ ନିଜ ବେକ ଲମ୍ବାଇ ଦିଏ; କିନ୍ତୁ ଅବଦୁଲ ତା ଆଡ଼କୁ ଆଉ ଚାହେଁ ନାହିଁ ।

 

ଧବଳୀର ପଞ୍ଜରା ଦିଶିଲାଣି । ଗାଧୁଆ ନ ଥିବାରୁ ଉକୁଣିଆ ପୋକମାଡ଼ି ଗଲେଣି । ଅବଦୁଲ ମିଆଁର ଆଦର ନାହିଁ, ତେବେ ବି ଅବଦୁଲକୁ ଦେଖିଲେ ଧବଳୀ ହମ୍ବାଳେ, ନାକରେ ଫଁ ଫଁ ଶବ୍ଦ କରି ତା’ ଆଡ଼କୁ ବେକ ଲମ୍ବାଇଦିଏ । ଅବଦୁଲ ଚାଲିଯାଏ । ଧବଳୀ କିଛିବେଳ ଚାହିଁରହେ-। ସେ ଚାହାଣିରେ ଥାଏ ବ୍ୟର୍ଥତା ।

 

ଧବଳୀ ଚରାରୁ ଫେରି ଠିକ୍ ଆଗ ପରି ତାହାର ଖୁଣ୍ଟ ପାଖରେ ଛିଡ଼ା ହୁଏ । ଅବଦୁଲ ବଡ଼ କୁଣ୍ଡଟି ନେଇ ଚାନ୍ଦ ପାଖରେ ଓ ସାନ କୁଣ୍ଡରେ ଆହୁରି କମ ଦାନା ଆଣି ଧବଳୀ ପାଖରେ ଥୁଏ । ଧବଳୀର କୁଣ୍ଡରେ ପାଣି ବେଶି । କୁଣ୍ଡରେ ମୁହଁ ବୁଡ଼େଇ ଦେଇ, ନାକରେ ପାଣି ଛାଟି, ପୁଳାଏ ଦାନା ପାଟିରେ ନେଇ ଧବଳୀ ମୁହଁଟା ଉଠେଇ ଆଣେ, କିଛି ତ ନ ଥାଏ । ଖିଆ ସରିଯାଏ-। ତା’ପରେ ଆଶାଭରା ଆଖିରେ ଚାନ୍ଦର କୁଣ୍ଡକୁ ଚାହେଁ–ସତେ ଅବା ଖାଉନ୍ଦ ଭୁଲ୍ କରି କୁଣ୍ଡ ଥୋଇଛି ! ପାଣି ଭିତରେ ଥରକୁ ଥର ମୁହଁ ବୁଡ଼ାଇ ଦାନା ଖୋଜେ ଆଉ ଖାଉନ୍ଦ ମୁହଁକୁ ଚାହେଁ ଓ ହମ୍ବାଳେ ।

 

ଧବଳୀ ବୁଢ଼ୀ ହୋଇ ଗଲାଣି–ସେ ଆଉ ଦୁଧ ଦେବ ନାହିଁ । ସଂସାରରେ ମଣିଷ ତ ନିଜର ବୁଢ଼ାମାନଙ୍କୁ ଖୋଜେ ନାହିଁ, ଆଉ ବୁଢ଼ା ଗୋରୁଙ୍କୁ କିଏ ବା ଆଦର କରିବ ? ଅବଦୁଲ ସେଥିପାଇଁ ବିକିବାକୁ ଗରାଖ ଖୋଜୁଥାଏ । ଦୁଧ ପାଇଁ ତ ନେବେ ନାହିଁ । ବଞ୍ଚିଥିଲେ ତ ମୁଲ୍ୟ ହେବ ନାହିଁ‚ ମଲେ ଯେତିକି ହେବ ହେଉ ।

 

ଖବର ପାଇ ଫଜଲ ମିଆଁ କଂସେଇ ଆସି ଧବଳୀକୁ ଦେଖି ମୂଲ କଲା । ଧବଳୀ ଦେହରେ ଥରେ ହାତ ବୁଲାଇଲା ବେଳେ‚ ଧବଳୀ ଫଜଲର ଗୋଡ଼କୁ ଫଥମ ଶୁଙ୍ଘିବାରେ ଲାଗିଲା-। ତା ପରେ ଦଉଡ଼ି ଛିଣ୍ଡାଇ ପଳାଇବାକୁ ବସିଲା । ଚିଡ଼ିଯାଇ ଅବଦୁଲ ତଳୁ ଗୋଟାଏ ଛାଟ ଗୋଟାଇ ଆଣି ତା ପିଠିରେ ପାହାରେ ଦେଲା । ନିଜ ଖାଉଦ ଠାରୁ ଧବଳୀ ଏଇଠି ପହିଲେ ମାଡ଼ ଖାଇଲା । ସେ ନିଜର କି ଭୁଲ ବୁଝି ପାରିଲା ନାହି ।

 

ଫଜଲ ମିଆଁ ଧବଳୀକୁ ଅଡ଼େଇ ନେଲାବେଳେ ଅବଦୁଲ ଆଡ଼କୁ ଚାହିଁ ଧବଳୀ ଫଁ ଫଁ ହେଲା–ଆଖିରେ ତା’ର ଲୁହ । ହାତରେ କିଛି ଟଙ୍କା ପଡ଼ିଥିବାରୁ ଅବଦୁଲ ମନରେ ଦୟା ଆସିଲା । ଧବଳୀ ବେକକୁ ଆଦରରେ ଟିକିଏ ଆଉସି ଦେଇ ଅବଦୁଲ କହିଲା–ଯା‚ ଯା । ମୋ ପାଖରେ ତୋର ଆଉ ଦାନା ନାହିଁ । ଆଲ୍ଲାଙ୍କ ବରାଦ ଯେତିକି । ଯା–ତୋ ନୂଆ ଖାଉଦ ଘରକୁ ଯା ।

 

କଂସେଇ ଧବଳୀକୁ ନେଇ ତା ଖୁଆଡ଼ରେ ରଖିଲା । ପ୍ରତିଥର ଗାଈଙ୍କୁ କିଲଖାନାକୁ ନେଲାବେଳେ ଧବଳୀ ବୋବାଇ ଉଠେ–ଆଉ ଗାଈଙ୍କର ବୋବାଳିଠାରୁ ସେ ବୋବାଳି ଯଥେଷ୍ଟ ଭିନ୍ନ । ସତେ ଯେପରି ସେଇ ଏକା ବୁଝିପାରେ ସେ ଏମାନେ ମରିବାକୁ ଯାଉଛନ୍ତି ।

 

ଦିନେ ଧବଳୀର ପାଳି ପଡ଼ିଲା । ଫଜଲ ମିଆଁ ଧବଳୀକୁ ଖୁଣ୍ଟିରେ ବାନ୍ଧିବାବେଳେ, ଧବଳୀ ଫଜଲ ମିଆଁର ଦେହକୁ ଟିକିଏ ଶୁଙ୍ଘିଦେଇ ଚାଟିବାରେ ଲାଗିଲା । କିନ୍ତୁ ସେହି ପଥର ହୃଦୟରେ ଧବଳୀର ସ୍ପର୍ଶ ସ୍ପନ୍ଦନ ଆଣିଲା ନାହିଁ ।

 

ହାଣ ଖୁଣ୍ଟିରେ ଧବଳୀ ବନ୍ଧା ହେଲା । ଫଜଲ ଅଣ୍ଟାରେ ଛୁରୀ । ଧବଳୀ ଖୁଣ୍ଟିକୁ ଶୁଙ୍ଘିଲା, କିନ୍ତୁ ଅନ୍ୟ ଗୋରୁଙ୍କ ପରି ଡିଆଁ ଡେଇଁ କଲା ନାହିଁ । କେବଳ ଫଜଲର ହାତ ଗୋଡ଼ ଚାଟିବାରେ ଲାଗିଲା । ଧବଳୀ ତା ବେକର କମ୍ବଳ ଫଜଲ ହାତ ଉପରେ ଲମ୍ବାଇ ଦେଲା । ଫଜଲର ଦୟା ହେଲା–ଏଡ଼େ ସୁନ୍ଦର କମ୍ବଳ ।

 

ଗରୀବର ବଞ୍ଚିବା ବଡ଼କଥା । ସେଠି ଦୟାମୟା କାହିଁ ? ଫଜଲ ଛୁରୀ ଉଠାଇଲା । ଧବଳୀ ଆଖିରେ ସେଇ କରୁଣ ଚାହାଣି–ସେ ଚାହାଣିରେ ଫଜଲ ଯେପରି ଦେଖି ପାରିଲା ଅସହାୟର ଜୀବନ ଭିକ୍ଷା । ଧବଳୀର କରୁଣ ସଜଳ ଆଖି ସତେ ଯେପରି ଫଜଲ କାନ ପାଖରେ କହିଦେଲା–ଏ ଜୀବନକୁ ତ ତମେ କିଣି ଆଣିଛ...ତେବେ ମୋର ଆଉ ଟିକିଏ ବଞ୍ଚିବାକୁ ଇଛା ହେଉଛି.......ମତେ ଦୟାକର ।

 

ଫଜଲ ଛୁରୀ ଧରି ଧବଳୀ ମୁହଁକୁ ଆଉ ଥରେ ଚାହିଁଲା–ଧବଳୀ ଆଖିର ଲୁହ । ସେଇ ଲୁହ ଭିତରେ ସେ ସତେ ଯେପରି କୃତଜ୍ଞତା ଜଣାଇ କହୁଥିଲା–ଏ ଲୁହ ଦି’ ଟୋପା ଛଡ଼ା ଆଉ ମୋର କଣ ଅଛି ?

 

ଥର ଥର ହୋଇ ତିନି ପାଳି ହେଲା । ପ୍ରତିଥର ଫଜଲର ହାତ ଥରି ଉଠେ । ଧବଳୀ ତାର ପଥର ମନକୁ ତରଳାଇ ପାରିଛି । ଅନ୍ୟ କୌଣସି ଗାଈ କରିପାରି ନାହାନ୍ତି କି ବଞ୍ଚି ନାହାନ୍ତି ।

 

ଶେଷ ପାଳି ଦିନ ସଞ୍ଜ ।

 

ଅବଦୁଲ ଦୁଆରେ ଧବଳୀର ବୋବାଳି । କବାଟ ଖୋଲି ଦେଖେତ ସାଙ୍ଗରେ ଫଜଲ ମିଆଁ । ଫଜଲ କହିଲା–ବଡ଼ ନିମକହାରାମ ତୋର ଏଇ ଗାଈ–ମରାଇ ଦେଉ ନାହିଁ । ତୁ ଭାଇ ଫେରେଇ ନେ ।

 

ସେ କଥା କି ହୁଏ ? ଅବଦୁଲ ତାକୁ ନେଇ କଣ କରିବ ? ଫଜଲ ଫେରିଗଲା । ଅବଦୁଲ ଧବଳୀକୁ ଛୁଇଁଲା ବି ନାହିଁ । ଧବଳୀ ଫଜଲ ସାଥିରେ ଚାଲିଗଲା ଅଭିମାନିନୀ ପରି ।

 

ଫଜଲ ତାକୁ ଆଉ ତାହାର ଖୁଆଡ଼ରେ ପୂରାଇଲା ନାହିଁ । ଧବଳୀ କିଛି ବେଳ ଏଠି ସେଠି ଠିଆ ହୋଇ ପାହାନ୍ତି ପହରକୁ ଫେରି ଆସିଲା ତାର ପୁରୁଣା ଖାଉନ୍ଦ ଘରକୁ । ସେଇଠି ତାହାର ଦାନା ପାଣି ଆଉ ମୁଣ୍ଡକୁ ଛପର ରହିଛି ଯେମିତି !

 

ଅବଦୁଲ ସକାଳେ କବାଟ ଫିଟେଇଲା । ଧବଳୀ ପାହାଚ ସାମନା ମୁହଁ କରି ଶୋଇଛି-। ପୁରୁଣା ଖାଉନ୍ଦ କୁ ଦେଖି ସେ ବୋବେଇ ଉଠିଲା । ଅବଦୁଲ ରାଗିଯାଇ ପାଟିକଲା–ଚୋରଣୀ ଖସି ପଳେଇ ଆସିଛି । ଧବଳୀକୁ ଭିତରକୁ ନ ନେଇ ଅବଦୁଲ କବାଟ କିଳି ଦେଲା । ସେ ଯାଇଛି–ଯାଉ ।

 

ଚାନ୍ଦ ଗୋଠକୁ ଗଲାବେଳେ, ସେଇ ଗୋରୁ–ପଲ ଭିତରେ ଧବଳୀ ବି ଚାଲିଲା । ଅଳ୍ପ କିଛିବାଟ ଯିବା ପରେ ପଛରୁ ସିଟି ମାରି ମାରି ରଖୁଆଳ ତାକୁ ଗୋଠରୁ ଅଲଗା କରିଦେଲା ।

 

ଧବଳୀ ଛିଡ଼ା ହୋଇ ରହିଲା । ଆଗରେ ଚାନ୍ଦ, ପଛରେ ତାର ଖାଉନ୍ଦ ଘର–କୋଉଠି ହେଲେ ତା ପାଇଁ ଜାଗା ନାହିଁ ।

★★★

 

ଚୋରାବାଲି

 

ଭାରତର ମାନଚିତ୍ରରେ ଚାହିଁ ଗଲେ ପୂର୍ବ ଦିଗରେ ଶେଷ ଆଡ଼କୁ ଆସାମର ପାହାଡ଼ମାଳା ବାଟ ଆଗୁଳେଇ ଠିଆ ହୁଏ ଆଉ ଯାଅନା । ସେହି ସୀମାରେଖା ଆଡ଼ୁ ନଈ ଝରଣା ବାଟ କାଟି ପଶ୍ଚିମକୁ ଗଡ଼ି ଆସେ । ସୋନାଇ ନଈ ସେହି ପାହାଡ଼ରୁ ଗଡ଼ି ଆସିଛି ଦୂରର ସମୁଦ୍ର ଆଡ଼କୁ । ଠାଏ ଠାଏ ଚୋରାବାଲି, ଦୁର୍ଦ୍ଦାନ୍ତ ଭଉଁରୀ ମଣିଷକୁ ଖାଇଯିବାପାଇଁ ଯେମିତି ମେଣ୍ଟ ବାନ୍ଧି ଠିଆ ହେଇଚି !

 

ଦୁଇଟି ଆସାମୀ ଝିଅ–ସୀତା ଓ ସୁଭଦ୍ରା । ସୋନାଇ ନଈ କୂଳରେ ଗାଁରେ ଜନ୍ମ । ନଈ ପରି ସୁନ୍ଦର ଚେହେରା–ଅଣ ଓସାରିଆ ନଈ କିନ୍ତୁ ସୁଅର ତୋଡ଼ । ଦେହ ସାଢ଼େ ଚାରିଫୁଟ ଲମ୍ବା, ବଳିଲା ବଳିଲା ପରି ଦେହ ହାତ । ମୁହଁ ସଫା, ଆଖି ନାଲି ସୋନାଇର ଧଳା ବାଲି ଉପରେ ଗଡ଼ି ଯାଉଥିବା ଗୋଳିଆ ପାଣି ପରି । ସ୍ୱପ୍ନରେ ବିଭୋର ଥିଲାପରି ଅଧାମେଲା ଆଖି ଓ ଚଉଡ଼ା କପାଳ ।

 

ଗରୀବ ଘରର ପିଲା । ସୀତାର ବାପ ନାହିଁ କି ସୁଭଦ୍ରାର ଜନ୍ମକଲା ମା ନାହିଁ । ସୋନାଇ ନଈ କୂଳରେ ମଣିଷ ହୋଇଛନ୍ତି । ପଢ଼ି ନାହାନ୍ତି, ମାନଚିତ୍ର ଦେଖି ନାହାନ୍ତି । ସଂସାର କହିଲେ ବୁଝନ୍ତି, ତାଙ୍କର ଗାଁ, ପରିବାର ଓ ସୋନାଇ ନଈକୁ ।

 

ପୁଣି ଏକାଠି ହେଲେ ଆସାନସୋଲରେ । ଉଏଟିଂ ରୁମ୍ ଭିତରକୁ ଝଡ଼ପରି ପଶି ଆସିଥିଲେ । ସତେ ଅବା ବାହାରେ ଶତ୍ରୁ ତାଙ୍କ ପିଛା ଧରିଛି । ଗାଁର ନିରୀହ ଚଢ଼େଇ ଯେମିତି ତାର କୁଡ଼ିଆ ଭିତରକୁ ଉଡ଼ି ଆସୁଥିଲା ଛଞ୍ଚାଣ ମୁହଁରୁ । ଆଶ୍ରୟ ଦେବାକୁ ଉଏଟିଂ ରୁମ ସମର୍ଥ ହେବ କି ନାହିଁ ଜଣା ନାହିଁ । ଷ୍ଟେସନର କାନ୍ଥ ଫଉଜର ଗୁଳି ଆଗରେ କେତେ ଭରସା ଭଗବାନ ଜାଣନ୍ତି । ଭିତରେ ଆଖି ପଡ଼ିଲା ଆଉ ଗୋଟିଏ ସ୍ତ୍ରୀ ଲୋକ ଉପରେ–ଗାଡ଼ିକୁ ଅପେକ୍ଷାକରି ବସି ଖବର କାଗଜ ପଢ଼ୁଛନ୍ତି ।

 

–ଓଃ, ଶାନ୍ତି ମିଳିଲା । ମଣିଷଟିଏ ଅଛି ।

 

ଏଇ ମଣିଷର ଆଶ୍ରୟ ବାଘ ସାପ, ବିଜୁଳି ଘଡ଼ଘଡ଼ି ଆଗରେ କବଚପରି କାମଦିଏ । ଆସିଥିବା ଝିଅ ଦୁଇଟିଙ୍କ ଭିତରୁ ଜଣେ ଯାଇଁ କବାଟ ବନ୍ଦ କରିବାକୁ ବସିଲା । ଅପରିଚିତାଟି ପ୍ରତିବାଦ କଲା । ଅଳ୍ପ ହସି ନିଃଶଙ୍କ ଓ ଶଙ୍କାଗ୍ରସ୍ଥ ଭାବ ଦେଖାଇ ସେ ପୁଣି ଫେରି ଆସିଲା ବନ୍ଧୁ ପାଖକୁ । ବାହାରେ କେହି ନାହିଁ । ବୋଧହୁଏ ସୋନାଇ ନଈ ରକ୍ଷା କରିବ । ଦିହେଁ ମିଶି ହସିଲେ ପାଗଳ ପରି । ପାଖ ସୁଟକେସ ଦୁଇଟି ସେମିତି ପଡ଼ିଥାଏ । ଅପରିଚିତାଟି ସେମିତି ଖବରକାଗଜ ପଢ଼ୁଥାଏ । ପାଗଳ ହସ ସେହି ଉଏଟିଂ ରୁମ ଭିତରେ ମିଳାଇଗଲା–ଆସାମର ମେଘ ବିଜୁଳି କୋଠରୀ ବାହାରେ ଲିଭିଲାପରି ।

 

ଗାଡ଼ି ଡେରି ଅଛି । ମାଲଗାଡ଼ି ତାର ଡବା ଖଞ୍ଜୁଛି । ଉଏଟିଂ ରୁମର ତାଈ ପଦାକୁ ଯାଇଛି । କେତେବେଳେ ଫେରିବ ଜଣା ନାହିଁ । ଖଣ୍ଡେ ଖଣ୍ଡେ ତଉଲିଆ ଓ ସାବୁନ ଧରି ଝିଅ ଦିହେଁ ଗାଧୁଆ ଘର ଭିତରକୁ ପଶିଲେ । କଳରୁ ପାଣିର ସୁଅ ଚାଲିଛି; କିନ୍ତୁ କେହି ଗାଧୋଇବାର ଶବ୍ଦ ଶୁଭୁନାହିଁ । ବୋଧହୁଏ ଏକାନ୍ତରେ କଣ ପରାମର୍ଶ କରୁଛନ୍ତି ।

 

କିଛି ସମୟ ପରେ ଦର୍ପଣ ଆଗରେ ଦିହେଁଯାକ ସଜବାଜ ହେଲେ–କୌଣସି ଭବିଷ୍ୟତ ଆଶଙ୍କା ନାହିଁ । କଳା, ସିନ୍ଦୁର, ପାଉଡ଼ର, ସ୍ନୋ, ରୁଜ, ଲିପଷ୍ଟିକ ସବୁ ଠିକ ପ୍ରସାଧନ କ୍ରମରେ ଗୋଟିଏ ପରେ ଗୋଟିଏ ଲାଗିଲା । ଦର୍ପଣର ଛବି ହସି ଉଠିଲା ସତ, କିନ୍ତୁ ଉଭୟଙ୍କ ମୁହଁରେ ଏମିତି ଗୋଟାଏ ରୁକ୍ଷତା ଥିଲା ଯାହା ପାଖରେ ତାଙ୍କର ସବୁ ସୌନ୍ଦର୍ଯ୍ୟ ହାର ମାନୁଥିଲା । ଆସାମ ପାହାଡ଼ର ହିଂସ୍ର ରଙ୍ଗ ସତେ ଅବା ଫୁଟି ବାହାରୁଥିଲା ସେହି ରୂପର ସାଜ ଭିତରୁ । କାହିଁ ଆସାମ ପାହାଡ଼, କାହିଁ ଆସାନସୋଲ; କାହିଁ ପିଲାଦିନର ବେଶଭୂଷା ଆଉ ନୂଆ ବୋଳୁଥିବା ଆଧୁନିକ ରଙ୍ଗ ।

 

ବିଭା ହୋଇଛନ୍ତି । ତଥାପି ହାତ ଧରାଧରି ହୋଇ, ଡରିଲା ଡରିଲା ପରି ଦୁଆରକୁ ଆସି ଚାହିଁଲେ । କେହି ନାହିଁ । ପ୍ଳାଟଫର୍ମରେ ଗୋଳମାଳ ନାହିଁ । ତାଙ୍କର ସ୍ଵାଧୀନତା ଉପରେ କହାରି ଅଧିକାର ଲମ୍ୱେଇ ହୋଇ ଘୋଷାରି ନେବାକୁ ଆସୁ ନାହିଁ ।

 

ଚାଲି ଚାଲି ଆସିଲେ ଅପରିଚିତା ନିକଟକୁ । ଜଣେ ହିନ୍ଦିରେ ପଚାରିଲା,–ସେ କିଏ ? କେଉଁ ଆଡ଼େ ଯିବେ ? ଗାଡ଼ି ତାଙ୍କର କେତେ ଡେରି ? ଯଦି ସେ ନିଜ ବେଞ୍ଚ ଟିକିଏ ଏ ଦିହିଙ୍କୁ ଛାଡ଼ି ଦେଇ ପଦାକୁ ଦିଶୁଥିବା ଚୌକିରେ ବସନ୍ତେ, ତାହା ହେଲେ ଜଣେ ବିପଦଗ୍ରସ୍ତ ଲୋକର ବଡ଼ ଉପକାର ହୁଅନ୍ତା ।

 

କୌତୁହଳ ଯୋଗୁଁ ଅପରିଚିତାଟି ସ୍ଥାନ ବଦଳାଇ ପଚାରିଲେ–ବିପଦ କଣ ?

 

–ମୋର ଏହି ସାଥି ସୀତାର ବିପଦ । ମୋ ନାଁ ସୁଭଦ୍ରା । ଆମ ଦିହିଙ୍କ ଘର ଆସାମ । ମୁଁ ଯାଉଛି ମା ପାଖକୁ ତାକୁ ଆଣିବାକୁ ଆସାନସୋଲ । ମୋର ସ୍ଵାମୀ ଫଉଜରେ କାମ କଲାବେଳେ ପଡ଼ିଯାଇ ଗୋଡ଼ ଭାଙ୍ଗି ଯାଇଛି । ଅଢ଼େଇ ମାସ ହେଲା ଡାକ୍ତରଖାନାରେ । ମା ଆସିବ । ସୀତାର ସ୍ଵାମୀ ସେଇ ଏକା ଫଉଜରେ ଅଛନ୍ତି । ସୀତା ପଳାଉଛି ତା ମା ପାଖକୁ । କିନ୍ତୁ ଅନେକ ଥର ଚେଷ୍ଟା କରି ସେ ବିଫଳ ହେଲାଣି ।

 

ସୁଭଦ୍ରା କହି ଚାଲିଲା–ଆମେ ଏକା ଗାଁର ଲୋକ । ଏକାଠି ଖେଳିବୁଲି ମଣିଷ ହୋଇଛୁ-

 

ସୀତା ମୌନ ରହି ଖାଲି ଦୁଆରକୁ ଚାହୁଁଥାଏ ଚମକିଲା ପରି । ମିଲଟାରି ବୁଟ୍ ଦି’ଥର ଏପାଖ ସେପାଖ ହୋଇ ଦୁଆର ଆଗରେ ରହିଗଲା । ଦିହେଁ ଚମକି ପଡ଼ିଲେ । ତ୍ରସ୍ତ ଗଳାରେ ପଦେ କଣ ସୀତା ପାଟିରୁ ବାହାରି ଗଲା । ସୁଭଦ୍ରା ବିରକ୍ତିରେ ମୁହଁ ବୁଲେଇଲା । କିନ୍ତୁ ସୀତାର ମୁହଁ ଶୁଖିଗଲା ।

 

ସେହି ଲୋକଟି ଉଏଟିଂ ରୁମ ଭିତରକୁ ପଶି ଆସିବ ବୋଲି ଚେଷ୍ଟା କରୁଥାଏ । ତୃତୀୟ ସ୍ତ୍ରୀ ଲୋକଟି ବାଧା ଦେଇ କହିଲା–ଜନାନା କୋଠରୀ–ବାହାରେ ରହ ।

 

ଲୋକଟି ଠିଆ ହୋଇ ରହିଲା ଓ ବଡ଼ ପାଟିରେ ସୀତାର ନାଁ ଧରି ଡାକିବାରେ ଲାଗିଲା-। ଅପଦସ୍ତ ହେଲାପରି ସୀତା ଦୁଆରକୁ ମୁହଁ ଦେଖାଇ କହିଲା–କଣ ?

 

–ଆ, ଫେରିଯିବା, ବହୁତ ଖୋଜିଲିଣି । ଲୋକଟିର ସ୍ଵରରେ ଅନୁନୟ ।

 

–ନା ।

 

–ଖାଲି ପଦେ ଶୁଣି ଯା ।

 

ସୀତା ଗଲା ନାହିଁ । ସେ ଜାଣେ ବର୍ତ୍ତମାନ ଯିବାମାନେ ଖାଲି ବିପଦକୁ ଡାକି ଆଣିବା ।

 

ଲୋକଟି ଦୂରରେ ବୁଲିଲା ପରି ହେଉଥାଏ । ଏଣେ ଆଖି ରଖିଥାଏ ସୀତା ଉପରେ । ଉତ୍ପାତର କାରଣ ପଚାରିବାରୁ ସୁଭଦ୍ରା କହିଲା–ଅନେକ ଦିନ ତଳର ଗୋଟିଏ ଭୁଲର ଏ ହେଇଛି ଶାସ୍ତି ।

 

“ସୋନାଇ ନଈକୂଳରେ ମାଛ ମାରିବାକୁ ଦୁହେଁ ଯାଉଥିଲେ । ଏହି ଫଉଜର ଲୋକଟି ତାଙ୍କ ଗାଁର–ସେ ବି ଆସୁଥିଲା ମାଛ ମାରି । ଏମାନଙ୍କଠାରୁ ଖଣ୍ଡେ ଦୂରରେ ବସେ; ଆଉ ଏମାନେ ଆସିଲେ ସେ ବି ଚାଲିଆସେ । ଦିନେ ଦିନେ ଗୀତ ବୋଲେ । ପୁଣି ଦିନେ ଦିନେ ଚୁପ ହୋଇ ବସିରହେ । ସେ ଲୋକଟି ଗୀତ ନ ବୋଲିଲେ ସୀତା ସୁଭଦ୍ରାକୁ ଚୁମୁଟେ–ତାକୁ ଅନୁରୋଧ କରିବାକୁ ।”

 

“ବହୁତ ଦିନ ତଳର କଥା । ସୋନାଇ ନଇଁ ତା’ର ସାକ୍ଷୀ । ବନସୀରେ ପଡ଼ୁଥିବା ମାଛ କଙ୍କଡ଼ା ମରିଛନ୍ତି–ସେମାନେ କହି ପରିବେ ନାହିଁ, କିନ୍ତୁ ସୋନାଇ ନଈ ମିଛ କହିବ ନାହିଁ, ମୁଁ ମିଛ କହୁନାହିଁ ।”

 

“ଦିନେ ଖରାବେଳେ ସେହି ଲୋକଟି ଆସିଲା । ଆଖିରୁ ଲୁହ ବହୁଛି । କହିଲା, ତା ମା ମରିଗଲା । ଦୁଃଖଟା ସୀତାକୁ ଯେମିତି ବେଶି ବାଧିଥିଲା । ସେଦିନ ନଈ ତା’ର ମାଛ କଙ୍କଡ଼ା ନେଇ ଆନନ୍ଦରେ ବହିଗଲା । କିନ୍ତୁ ସୀତାର ମନ ଭାଙ୍ଗି ଯାଇଥିଲା । ଅଜଣା ଲୋକ–ଗାଁରେ ବହୁତ ତଫାତ୍ । ଗରିବଙ୍କ ଭିତରେ ବି ଜାତି ବିଭାଗ ଅଛି । ଦିନେ ରାତିରେ କାହାକୁ ନ କହି, ସୁଭଦ୍ରାକୁ ଲୁଚି, ନିଜ ବିଧବା ମା’ର ହାତପାଣ୍ଠି ଚୋରିକରି ସୀତା ନିଜେ ନିଜେ ହଜି ଯାଇଥିଲା ।”

 

ସେନାଇ ନଈ ପଶ୍ଚିମ ଦିଗ ଧରି ଚାଲି ଯାଉଥିଲା ନିଜର ପଶ୍ଚିମ ଦିଗକୁ । ସତେ ଯେପରି ସୀତାର ଭବିଷ୍ୟତ ସୁଖ ଲୁଚିବାକୁ ଧାଉଁଥିଲା ପଶ୍ଚିମ ଦିଗକୁ । ତିନିବର୍ଷ କୌଣସି ଖବର ନାହିଁ । ଗାଁଲୋକେ ମନେକଲେ ବଣର ଜନ୍ତୁ କି ସେନାଇ ନଈର କୁମ୍ଭୀର ତାକୁ ଖାଇ ଯାଇଛନ୍ତି ।

 

ତିନିବର୍ଷ ପରେ । ଆସାନସୋଲରେ ପୁଣି ଦିହିଙ୍କର ଦେଖା । ସୁଭଦ୍ରା ତାହାର ସ୍ଵାମୀ ସାଙ୍ଗରେ ଆସାନସୋଲ ଆସିଥିଲା । ସେ ପୋଲିସ ଫୌଜରେ କାମ କରେ । ସୀତାର ସ୍ଵାମୀ ମଧ୍ୟ ସେହି ଫୌଜରେ । ହଠାତ୍ ବଜାରରେ ଦେଖାହେଲା ଦିହଙ୍କର । ସୋନାଇ ନଈ ନାହିଁ ।

 

ସୁଭଦ୍ରା ସୀତାର ସବୁ ଖବର ଶୁଣିଲା । ସୀତା ଏବେ ମାଡ଼ ଖାଏ । ଯେଉଁ ଲୋକର ଗୀତ ଶୁଣି ସୋନାଇ ନଈ କୂଳରେ ସେ ନିଜକୁ ଭୁଲିଥିଲା, ଯେଉଁ ଲୋକ ତାଙ୍କଠାରୁ ଖଣ୍ଡେ ଦୂରରେ ଦୂରେଇ ହୋଇ ବସୁଥିଲା, ସେହି ଲୋକଠୁ୍ଁ ସୀତା ଏବେ ପ୍ରତିଦିନ ମାଡ଼ ଖାଉଛି । ଲୋକଟା ଡିଉଟି ସାରି କ୍ଳାନ୍ତ ହୋଇ ନିଶାଖାଇ ଘରକୁ ଫେରେ । ସୀତା ଶୋଇ ପଡ଼ିଥାଏ । ମାଡ଼ ଖାଇଲେ ତା’ର ନିଦ ଭାଙ୍ଗେ । ଅଭିମାନ, କଳି, ଭର୍ତ୍ସନା ଆଦି ସମସ୍ତ ପ୍ରତିବାଦ ଗୋଟି ଗୋଟି ହୋଇ ବିଫଳ ହେଲା । ତା ପାଇଁ କୁଆଡ଼େ ହେଲେ ପଳାଇବାର ମଧ୍ୟ ବାଟ ନାହିଁ । ନଈ ପାଣି ଉଜାଣି ଫେରେ ନାହିଁ ।

 

ଟଙ୍କା ପାଇଁ ସୀତା ମାଡ଼ଖାଏ । ସ୍ଵାମୀର ନିଶାପାଣିକି ଅଭାବ ଘଟିବାରୁ ସୀତାକୁ ଚାକିରୀ କରିବାକୁ ବାଧ୍ୟ କଲା । ଚାକିରୀ କରି ଯାହା ଆଣେ ସେତକ ସେ ମାଡ଼ ଦେଇ କାଢ଼ି ନିଏ । ପଳାଇବାର ଉପାୟ ନାହିଁ । ପୋଷା କୁକୁରପରି ସୀତା ବାନ୍ଧି ହୋଇ ରହିଥାଏ ନିଜ ତିଆରି ଶିଙ୍କୁଳିରେ । ଗାଁ’ରୁ ପଳାଇ ଆସିଲାବେଳେ ବାଟ ଦେଖାଇବାକୁ ଜଣେ ଥିଲା–ସେ ଏବର ସ୍ୱାମୀ । ବର୍ତ୍ତମାନ ଫେରିବାବେଳେ ସେହିଲୋକ ବାଟ ଜଗୁଛି ।

 

କାହିଁକି ପଳାଇ ଆସିଥିଲା ? ସୀତା ଭୁଲି ଗଲାଣି । ଗୋଟି ଗୋଟି ହୋଇ ଅତୀତର ଯେତେ ସ୍ମୃତି–ସବୁ ଅନୁତାପରେ ନିଆଁ ରେ ଜଳି ଯାଉଛି । ଏବେ ତା ମନରେ କେବଳ ଗୋଟିଏ କଥା–ସେ କେମିତି ଗାଁକୁ ଫେରିଯିବ । ସୁଭଦ୍ରା ସବୁ ଶୁଣେ । ଦୁଇ ସାଙ୍ଗ ବହୁତ ଆଲୋଚନା କରନ୍ତି । ଆସାମକୁ ଯିବା ବାଟ ସୁଭଦ୍ରା ଜାଣିଛି–ଦିନର ଆଲୁଅରେ ସମସ୍ତଙ୍କର ଆଖି ଆଗରେ ବାଟ ଚିହ୍ନି ଚିହ୍ନି ସୁଭଦ୍ରା ଆସିଥିଲା । କିନ୍ତୁ ସୀତା ଆସିଥିଲା ଅନ୍ଧାରରେ ଲୁଚିକରି । ତେଣୁ ସେ କିଛି ମନେରଖି ନାହିଁ । ଘରୁ ଆସିଲାବେଳେ ମା’ର ସଞ୍ଚିଲା ପାଣ୍ଠି ଚେରାଇ ଆଣିଥିଲା । ଆଜି ସେ ନିଃସ୍ଵ-

 

ସୁଭଦ୍ରା ଘରକୁ ଫେରୁଚି ବୋଲି ଜାଣି ସୀତା ତା ସାଙ୍ଗରେ ଲୁଚି ପଳାଇ ଆସିଛି; କିନ୍ତୁ ବର୍ତ୍ତମାନ ସ୍ଵାମୀ ବନ୍ଧୁକ ଚଳେଇ ଜାଣିଲାଣି । କଥାର କୁହୁକରେ ଆସିବା ସମ୍ଭବ ହୋଇଥିଲା–ଆଜି ବନ୍ଧୁକର ନିର୍ମମତା ବାଟ ଦେଖାଉଛି । ସ୍ଵାମୀର ଚେହେରା, ପୋଷାକ ଓ ବନ୍ଧୁକ ସମସ୍ତେ ଆସି କହୁଛନ୍ତି ଯେ ପଳାଇବାକୁ ଚାହିଁଲେ ଗୁଳି ।

 

ଯନ୍ତ୍ରର ନିଷ୍ଠୁରତା ମଣିଷର ଭିତରର କାନ୍ଦଣା ଶୁଣେ ନାହିଁ । ଦାଈ ଫେରି ଦେଖିଲା, ଜନନୀ ଉଏଟିଂ ରୁମ ଆଗରେ ଜଗୁଆଳି । ବୁଝିଗଲା ଯେ ସ୍ତ୍ରୀ ପଳାଉଛି ବୋଲି ଏହି ଉତ୍ପାତ । ଜଣେ କହୁଛି ବିଭା ହୋଇନାହିଁ–ସେ ସ୍ଵାଧିନ । ଆଉ ଜଣେ କହୁଛି–ବିଭା ହୋଇଛି, ସେ ପରାଧିନ-

 

ସୀତା କହେ ସ୍ଵାମୀର ମୁଣ୍ଡ ଖରାପ–ତାକୁ ବାହାରକରି ଦିଆଯାଉ । ସ୍ଵାମୀ କହେ ସ୍ତ୍ରୀର ମୁଣ୍ଡ ଖରାପ । ତାକୁ କୋଠରୀରୁ ବାହାର କଲେ ସେ ଘରକୁ ନେଇ ଡାକ୍ତର ଦେଖାଇବ ।

 

ଶେଷକୁ ଦାଈ ଠିକ୍ କଲା ଯେ ସୀତାକୁ ଆଣି ପଦାରେ ଛାଡ଼ିଦେଲେ ସବୁ ସମସ୍ୟାର ସମାଧାନ ହୋଇଯିବ । ସ୍ଵାଧୀନ ହୋଇଥିଲେ ତାକୁ କେହି ନେଇ ପାରିବ ନାହିଁ, ପରାଧୀନ ହୋଇଥିଲେ ସେ ପୁଣି ତା’ର ଘରକୁ ଫେରିଯିବ ।

 

ଉଏଟିଂ ରୁମ ଭିତରେ ଠେଲାପେଲା ଲାଗିଲା ସୀତାକୁ ପଦାକୁ ଆଣିବାକୁ । ସୀତାର ସ୍ଵାମୀ ପାଟି କରୁଥାଏ ଯେ ଖାଲି ପଦାକୁ ନେଇ ଆସିଲେ ସବୁ ତୁଟିଯିବ । ଦାଈ କିନ୍ତୁ ହାରିଗଲା ।

 

ଗାଡ଼ି ଆସିଲା । ସୀତା କାନ୍ଦିଲା ଯେ ସୁଭଦ୍ରା ତାକୁ ଛାଡ଼ିକରି ଚାଲିଯିବ । ପିଲା ଦିନର ସାଙ୍ଗ । ଏତିକି ସାହାଯ୍ୟ ମିଳୁ ନାହିଁ । ସଂସାରରେ ଲୋକେ ଅତ୍ୟାଚାର ବିରୁଦ୍ଧରେ ଏତେ କହି ହେଉଛନ୍ତି ।

 

ସୁଭଦ୍ରା ଚାଲିଲା ଗାଡ଼ି ଆଡ଼କୁ । ସୀତାର କାନ୍ଦଣା ତାକୁ ଅଟକାଇ ପାରିଲା ନାହିଁ ।

 

ମାଡ଼ ଖାଇ ସୀତା କାନ୍ଦିଛି । ମା’କୁ ଭୁଲି ମା’କୁ କନ୍ଦାଇଛି । ଆଉ ନିଜେ ନ କାନ୍ଦିବ କେମିତି ? ସୋନାଇର ପାଣି ପଶ୍ଚିମରୁ ପୂର୍ବ ମୁହାଁ ହୋଇ ନାହିଁ । ବନସି ଥୋପ ଖାଇଥିବା ମାଛ କଙ୍କଡ଼ା ଆଉ ଥରେ ବଞ୍ଚି ନାହାନ୍ତି । ସୋନାଇ ବହୁତ ଦୂର ।

 

ନଈଟା ବଡ଼ ଅବିଶ୍ୱାସୀ । ଚାରିଆଡ଼େ ତା’ର ଚୋରାବାଲି । ସେଇଠି ସୀତା ପ୍ରଥମେ ବାଟ ଭୁଲିଥିଲା ।

★★★

 

ଦାଗ

 

ମଣିବୋଉ ରୋଗ ବିଛଣାରେ ପଡ଼ିଛନ୍ତି । ପାଣ୍ଡୁର ମୁଖରେ ନୁଖୁରା ବାଳଗୁଡ଼ାକ ଏପଟ ସେପଟ ହେଉଛି । ମଣି ଗୋଡ଼ତଳେ ବସି ବୋଉର ପାଦ ଆଉଁଷି ଦଉଚି । ଆଠଦିନ ହେଲାଣି ବୋଉ ବିଛଣାରୁ ଉଠିପାରୁ ନାହିଁ, ବାପା ନାହାନ୍ତି–ଗସ୍ତରେ ଦୂର ଗାଁକୁ ଯାଇଛନ୍ତି । ବଡ଼ ଭାଇଟି ଛଡ଼ା ଘରେ ତାର ଆଉ କେହି ନାହିଁ । ଏଇ ଆଠଦିନ କାଳ ଦଶବର୍ଷର ଝିଅ ମଣି ଘରଟିଯାକର କାମ ତୁଲେଇ ଆସିଛି । ରୋଷେଇ କରି ଭାଇକୁ ଖାଇବାକୁ ଦିଏ, ବୋଉର କଥା ବୁଝେ, ଗାଈ ବାଛୁରୀଙ୍କ କଥା ବୁଝେ, ସବୁ ସରିଲାପରେ ଯାଇ ନିଜ କଥା । ଏମିତି କରି ଏଇ କେଇଟା ଦିନ ତାର କଟିଯାଇଛି ।

 

ସ୍କୁଲ ବେଳ ହେଲେ ମଣି ଆଉ କେଉଁଠି ସ୍ଥିର ହୋଇ ରହିପାରେ ନାହିଁ । ନିଜର ଅଜାଣତରେ କେତେବେଳେ ଆସି ଦାଣ୍ଡରେ ଠିଆ ହୋଇଯାଏ, ତା’ରି ଘର ଆଗଦେଇ ସାଥୀ ପିଲାଏ ଦଳ ଦଳ ହୋଇ ସ୍କୁଲକୁ ଚାଲି ଯାଆନ୍ତି । ସେତିକି ବେଳେ ତା’ର ମନଟା ଟିକିଏ କେମିତି ଅସ୍ଥିର ହୋଇପଡ଼େ, ତାର ସେଇ ଦଶବର୍ଷର ଜୀବନରେ ସ୍କୁଲ ଯିବାର ଆନନ୍ଦଠାରୁ ବଳି ଆନନ୍ଦ ଆଉ କିଛି ନାହିଁ । ସ୍କୁଲର ବଡ଼ ପଡ଼ିଆ, ଆମ୍ବ ଗଛର ଛାଇରେ ଡୁଡ଼ୁ ଖେଳ, ସାଙ୍ଗସାଥୀ, ପାଠପଢ଼ା–ତାକୁ ଭଲ ଲାଗେ । ଦିନେ ସ୍କୁଲ ଛୁଟିଥିଲେ, ତାର ସେଇ କଅଁଳିଆ ମନଟି ସ୍କୁଲପାଇଁ ବାହୁନି ଉଠେ । ସେଇ ମଣି ସ୍କୁଲ ଯାଇପାରୁ ନାହିଁ–ଆଜିକି ଆଠଦିନ ହେଲା । ବୋଉର ଜର ହେଇଚି ।

 

ପିଲାଏ ଗୋଟି ଗୋଟି ହେଇ ଥରେ ଲେଖାଏଁ ମଣିକୁ ପଚାରି ଦେଇଯାଆନ୍ତି–ତୁ ଯିବୁ ନାଇଁକି ?

 

ମୁହଁ ଶୁଖେଇ ମଣି ଖାଲି ମୁଣ୍ଡ ହଲାଏ–ବୋଉର ଦେହ ଭଲ ହେଇନାଇଁ ।

 

ପିଲାଏ ଚାଲିଯାଆନ୍ତି, ମଣି ସେମାନଙ୍କୁ ଆଖିର ଚାହାଣୀରେ ବଳେଇ ଦେଇ ଆସେ ରାସ୍ତାର ମୋଡ଼ ଯାଏଁ । ଯେତେବେଳେ ସେମାନେ ଆଖିର ଆଢ଼ୁଆଳକୁ ଚାଲିଯାଆନ୍ତି, ସେ ପୁଣି ଫେରିଆସେ ବୋଉ ପାଖକୁ ।

 

ସେ ଦିନ ସେମିତି ମଣି ଫେରି ଆସିବା ପରେ, ନିର୍ଜୀବ ସ୍ଵରରେ ମଣିବୋଉ କହିଲେ–ମଣି, ତୁ ଇସ୍କୁଲ ଗଲୁ ନାହିଁ ?

 

ବୋଉର ଶେତାମୁହଁକୁ ଚାହିଁ, ଟିକିଏ ଭାବିଲା ଭଲି ହେଇ ମଣି କହିଲା–ନାଇଁ, ତୋ ଦେହ ଆଗ ଭଲ ହୋଇଯାଉ... ।

 

ଟିକିଏ ରହି ମଣିବୋଉ ପୁଣି କହିଲେ–ମୋ ଲାଗି ଆଉ କେତେଦିନ ଏମିତି ପାଠ ମାରା କରିବୁ ? ...ଦିହ ମୋର ଭଲ ହୋଇଗଲାଣି ଯେ ଖାଲି ମୁଣ୍ଡଟା ବୁଲଉଛି ଯାହା...

 

–ତୁ କିଛି ଖାଉନୁ, ଏଥିରେ ମୁଣ୍ଡ ବୁଲାଇବ ନାଇଁ ? ମଣି ଅଭିଯୋଗ କଲା ।

 

–“କଣ ଖାଇବି ମା ? ......ପାଟିଟା ଏକବାରେ ପିତା ଲାଗୁଛି... କୋଉଠୁ ଟିକିଏ ଖଟା ଫଟା ହୁଅନ୍ତା କି !” କହି ମଣିବୋଉ ଓଠରେ ଜିଭ ବୁଲେଇଲେ ।

 

ମଣି ତା ବୋଉ ମୁହଁକୁ ଚାହିଁ ରହିଲା–ଆଖିରେ ନିରାଶାର ଚିହ୍ନା । ତାର ମନେ ହେଲା ସତେ ଯେପରି ବୋଉର ପାଟିଠାରୁ ତା’ ପାଟି ଆହୁରି ବେଶି ଅରୁଚି ହେଇଯାଇଛି । ଟିକିଏ ହେଲେ ଆଚାର ସେ କେଉଁଠୁ ପାଇ ପାରନ୍ତା ଯଦି !! ଘରେ ହାଣ୍ଡିରେ ଖାଲି ତେନ୍ତୁଳି ଆଉ ଅମ୍ବୁଲ ଅଛି । ସେଗୁଡ଼ାକ ବୋଉ ଖାଇବ ନାହିଁ । ...ମଣି ଅନ୍ୟମନସ୍କ ଭାବରେ ବସି ଭାବିବାରେ ଲାଗିଲା । ହଠାତ୍ ମୁହଁ ତାର ଉଜଳି ଉଠିଲା–ପାଇ ପାରିବା...ଖଟା ସେ ପାଇପାରିବ । ତାର କ୍ଲାସପିଲା ବନୀତା ଘରେ ଭଲ ଆଚାର ଅଛି । ଥରେ ଆଣିଥିଲା । ମଣି ନିଜେ ଚାଖିଛି–ଭାରି ସୁଆଦ ଲାଗୁଥିଲା । ସାଙ୍ଗେ ସାଙ୍ଗେ ବୋଉ ଉପରେ ଝୁଙ୍କି ପଡ଼ି, ବଡ଼ ବଡ଼ ଆଖିକରି କହିଲା, “ବୋଉ ! ଖଟା ଖାଇବୁ ? ଇଚ୍ଛା ହଉଚି ? ଆଚ୍ଛା, ମୁଁ ଇସ୍କୁଲରୁ ଆଣିଦେବି.....”

 

ଝିଅର କଥା ନ ଶୁଣିଲା ପରି ମଣିବୋଉ କୁନ୍ଥେଇ ହେଲେ । ଏଇ ଆଠଦିନର ଜର ତାଙ୍କ ଦେହର ଆଠ ବର୍ଷର ବଳ କାଢ଼ି ନେଇଛି । ସେ ମୁହଁକୁ ଚାହିଁଲେ ମଣି ଆଖିରେ ଲୁହ ଆସେ... ‘‘ଆହା ! ବୋଉଟି କେଡ଼େ ହିନିମାନୀ ହଉଚି...ନିଆନଗା ରୋଗଟା ବୋଉଠଉଁ ଖସି ଆସି ମତେ ହୁଅନ୍ତା କି !’’ ମଣି ମନେ ମନେ ବୋଉର ଦେହପାଇଁ ଅସୁମାରି ଠାକୁରକୁ ଡାକେ । ବୋଉ ମୁହଁରେ ହସ ଦେଖିଲେ ତା’ପେଟ ପୁରିଗଲା ପରି ଲାଗେ, ଆଉ ବୋଉର ଟିକିଏ କଷ୍ଟ ଦେଖିଲେ ତାର କଅଁଳ ମନଟି କାନ୍ଦିଉଠେ । କାହିଁକି ତା ବୋଉକୁ ସେ ଏତେ ଭଲପାଏ ? ...ବୋଧହୁଏ ବୋଉ ତାକୁ ଖୁବ୍ ଭଲପାଏ ବୋଲି । ମଣି ନିଜେ ଦେଖିଛି, ଅକାଳେ ସକାଳେ ଘରକୁ ଭଲ ଜିନିଷ ଟିକିଏ ଆସିଲେ, ବୋଉ ସେମାନଙ୍କୁ ଦେଇ ଦିଏ–ନିଜେ ଖାଏ ନାହିଁ । କହିଲେ ଓଲଟି କହେ “ମୁଁ କଣ ପିଲା ହେଇଚି ? ତମେ ଖାଅ...ଭାବୁ ଭାବୁ ମଣିର ଆଖିରେ ଲୁହ ଆସିଲା–ଏଇ ବୋଉ ନ ଖାଇ ନ ପିଇ ଏମିତି ଖାଲି ରୋଗରେ ପଡ଼ୁଛି ସିନା !

 

ଦି’ଦିନରେ ମଣିବୋଉ ଏକରକମ ଚଲାବୁଲା କରିପାରିଲେ । ମଣି ସ୍କୁଲକୁ ଗଲା । ସ୍କୁଲ ଯିବାପାଇଁ ମନଟା ତାର ଯେତେ ଖୁସି ନୁହେଁ, ବୋଉ ଦେହ ଭଲ ହୋଇଯାଇଛି ବୋଲି ତାର ବେଶି ଆନନ୍ଦ ।

 

ଖେଳଛୁଟି ହେଲା । ମଣି ଖୁସିରେ କୁଦାମାରି ପଡ଼ିଆକୁ ଡେଇଁପଡ଼ିଲା । ଯାଉ ଯାଉ ହଠାତ୍ ନାକରେ କଣ ଗୋଟାଏ ବାସିଲା । ନାକ ସୁଁ ସୁଁ କରି ମଣି ଚାରିଆଡ଼କୁ ଚାହିଁଲା । ଇଏତ କାନ୍ଧିଆ...ଆଃ, କିଏ ଖାଉଚି ? ଖଣ୍ଡେ ଦୂରରେ ଚାରୋଟି ପିଲାଙ୍କ ଉପରେ ଆଖି ପଡ଼ିଗଲା–ଗୁଡ଼ାଏ କାନ୍ଧିଆ ମଝିରେ ରଖି ଛଡ଼ା ଲଗେଇଛନ୍ତି । ଆଖିପିଛୁଳାକେ ସେମାନଙ୍କ ପାଖରେ ପହଞ୍ଚିଯାଇ ମଣି ଅଳିକଲା–ମତେ ଦିଅ, ମତେ ଦିଅ... ।

 

ପାଟିରୁ କଥା ନ ସରୁଣୁ ଚାରୋଟିଯାକ ପିଲା ନିଜନିଜର କାନ୍ଧିଆକୁ ଅଣ୍ଟିରେ ଲୁଚେଇ ଦେଇ, ମୁହଁ ଗାରୁ ଗାରୁ କରି କହିଲେ “ନାଇଁ ବାବା, କ୍ଷମାକର...ଆମେ ଏତେ କଷ୍ଟରେ ଆଣିଛୁ ।”

 

“ମତେ ଗୋ–ଟି–ଏ” କହି ଅନୁନୟଭରା ଆଖିରେ ମଣି ମଝିରେ ହାତ ପତେଇଲା ।

 

“ତତେ ବିଦ୍ୟାରାଣ, ମୋଠୁ ଛଡ଼େଇବୁ ନାହିଁ ।” ଚେଁ ଚେଁ ସ୍ୱରରେ କହି ମୀନା ନିଜ ଲେମ୍ବୁତକ ଅଣ୍ଟିରୁ ବାହାର କଲା ।

 

–ତତେ ବିଦ୍ୟାରାଣ ।

 

–ତତେ ସାତକୋଟି ବିଦ୍ୟାରାଣ ।

 

–ତତେ ବାର୍ଷିକ ପରୀକ୍ଷା ରାଣ ।

 

ସମସ୍ତେ ଜଣଜଣ କରି ‘ବିଦ୍ୟାରାଣ’ର ବାଡ଼ଦେଇ ନିଜନିଜର ଲେମ୍ବୁ ବାହାରକରି ପୁଣି ଛଡ଼େଇବାରେ ଲାଗିଲେ । ମଣିର ମୁହଁଟି ଶୁଖିଗଲା । ବୋଉର ସେଇ ହାଡ଼ୁଆ ମୁହଁଟି ତାର ଆଖିଆଗରେ ଭାସିଉଠିଲା–ଯେମିତି କି ସେଇଠି ବସି, ସେଇ କାନ୍ଧିଆକୁ ସେ ଏକ ଦୃଷ୍ଟିରେ ଚାହିଁ ରହିଛି !! ଓଃ, କେଡ଼େ ବାସୁଚି ସତରେ...ଆହା ! ଏଥିରୁ ଗୋଟିଏ ପାଇଲେ ବୋଉ ମୋର କେଡ଼େ ଖୁସିରେ ଗଣ୍ଡାଏ ଭାତ ଖାଆନ୍ତା...ବିଚାରି କିଛି ଖାଇ ପାରୁନାଇଁ । ମଣି ଏକ ଦୃଷ୍ଟିରେ ସେଇ ଲେମ୍ବୁକୁ ଚାହିଁ ରହିଲା ।

 

‘ମଲା, ଏମିତି ଲୋଭୀଙ୍କ ପରି କଣ ଅନେଇଛୁମ ?’ କହି ସରଜୁ ଖାଇବାରେ ଲାଗିଲା-। କିନ୍ତୁ ମଣି ଆଖିର ସେଇ ଚାହାଣି କାନ୍ତି ମନକୁ ତରଳାଇଦେଲା । କ’ଣ ଭାବି ସେ ନିଜ ଭାଗରୁ ଗୋଟିଏ ଲେମ୍ବୁ ମଣିକୁ ଦେଲା ।

 

ଲେମ୍ବୁଟି ହାତରେ ଧରି କରୁଣ ହସ ହସି ମଣି କହିଲା–ୟାକୁ କଣ ମୁଁ ଖାଇବି କି ?

 

‘ଆଉ ?’ ବଡ଼ ବଡ଼ ଆଖିରେ କାନ୍ତି ମଣିକୁ ଚାହିଁଲା ।

 

“ମୋ ବୋଉ କହିଥିଲା ନା ! ...ଦଶଦିନ ହେଲାଣି, ସେ ଜମା ଭାତ ଖାଇନାଇଁ...ଜରରେ ପାଟି ପିତା ଲାଗୁଚି...ସିଏ କହୁଥିଲା ଖାଇବ ବୋଲି...ବାପା ଘରେ ନାହାନ୍ତି...କିଏ ଆଣିଦେବ ?” ମଣିର ଆଖି ପୁଣି ଛଳ ଛଳ ହେଲା ।

 

ଲଙ୍କାମରିଚ ରାଗରେ ପାଟି ସୁ ସୁ କରି ମୀନା କହିଲା–ବାବା, ମଣି ! କେଡ଼େ ମିଥ୍ୟା କଥା ! ସାମାନ୍ୟ ଗୋଟାଏ ଲେମ୍ବୁ ପାଇଁ କେତେ ଫିକର କାଢ଼ୁଚୁ !

 

–ତୋ’ ଦେହ ଛୁଉଁଚି ଲୋ, ବୋଉ ପାଇଁ ନଉଚି । କହି ମଣି ଦେହ ଛୁଇଁବାକୁ ହାତ ବଢ଼ାଇଲା ।

 

ମୀନା ସାମାନ୍ୟ ପଛକୁ ଘୁଞ୍ଚିଗଲା–ଏଇ, ମୋ’ ଦେହ ଛୁଉଁନା, ମୁଁ ମରିଯିବି...ତୋ ନିଜ ଦେହ ଛୁଉଁନୁ ?

 

କାନ୍ତି ନିଜ ଲେମ୍ବୁକୁ ଚାହିଁ ମନ ଭିତରେ କଣ ଭାବିଲା । ତା’ ପରେ ନିଜର ଅଛଡ଼ା ଲେମ୍ବୁଟିକୁ ତା’ ହାତରେ ଦେଇ କହିଲା–ହଉତେବେ, ଆଉ ଗୋଟାଏ ନେ ।

 

ମଣି ନିଜ ଆଖିକୁ ବିଶ୍ଵାସ କରି ପାରିଲା ନାହିଁ । ଆଶ୍ଚର୍ଯ୍ୟ ହୋଇ କାନ୍ତି ମୁହଁକୁ ଚାହିଁଲା–ଥଟ୍ଟା କରୁନାଇଁ ତ ?

 

ଅନ୍ୟ ତିନିଜଣ ଆପଣା ଭିତରେ ମୁରୁକିହସା ଦେଲେ–ଘରେ ପଛକେ ଖାଇବାକୁ ନାହିଁ...ଆଉ ଏଠି ଅନ୍ୟର ଲେମ୍ବୁରେ କାନ୍ତି ବସି ଦାନୀପଣ ଦେଖେଇ ହଉଚି ! ଖାଲି ଟିକିଏ ଭଲ ପଢ଼େ ବୋଲି ତାକୁ ସାଙ୍ଗରେ ମିଶେଇବା । କଥା.......କେତେବେଳେ ପଢ଼ାଟା ପଚାରିଲେ ବତେଇ ଦବ...ନଇଲେ ତାକୁ କିଏ ପାଖରେ ପୂରାନ୍ତା ?” ମନ କଥା ମନରେ ରଖି ମୀନା ଘୃଣାରେ ମଣିକୁ ଚାହିଁ କହିଲା–“ଲାଜ ମାଡ଼ୁନାଇଁ ତତେ ? ମା ପାଇଁ ଇସ୍କୁଲରୁ ଲେମ୍ବୁ ମାଗିକରି ନଉଛୁ...ଲେମ୍ବୁ କିଣିବାକୁ ତମ ଘରେ କଣ ପଇସା ନାହିଁ ? ଛୋଟ ଲୋକଙ୍କ ପରି ମାଗି ବୁଲୁଛୁ–ଛିଃ, ଛିଃ...

 

ମଣି କିଛି କହି ପାରିଲା ନାହିଁ । ଲେମ୍ବୁ ତାର ଦରକାର । ଯିଏ ଯାହା କହିଲେ ବି ସେ ପିଠି ପତେଇ ସହିଯିବ । କୃତଜ୍ଞ ହେଲାପରି ଥରେ କାନ୍ତିକୁ ଚାହିଁ, ନିଜର ଲେମ୍ବୁ ଧରି ସେ ଡେଇଁ ଡେଇଁ ଚାଲିଗଲା–ଆଃ, କେଡ଼େ ବଢ଼ିଆ ବାସୁଛି...ବୋଉ କେତେ ଖୁସିହବ...” ମଣି ମନରେ ଅସରନ୍ତି କଳ୍ପନା ।

 

କ୍ଲାସରେ ପଢ଼ା ଚାଲିଛି । ମଣି ଏକ ଲୟରେ ଗୁରୁମାଙ୍କ ମୁହଁକୁ ଚାହିଁଛି–ମନରେ ନାନା ପ୍ରକାରର ଭାବନା...ଲୁଣ, କଞ୍ଚା ଲଙ୍କା ସାଙ୍ଗକୁ କାନ୍ଧିଆ ଭାରି ବଢ଼ିଆ ଲାଗେ...କିନ୍ତୁ କଞ୍ଚାଲଙ୍କା କୋଉଠୁ ମିଳିବ ? ବନାମା’ର ଅଗଣା ଭିତରେ ନଦି ହୋଇଥିବା ପେନ୍ଥି ପେନ୍ଥି କଳା ସୂର୍ଯ୍ୟମୁଖୀ ଭଅଁର ପରି ଉଡ଼ିଆସି ମଣିର ବଡ଼ ବଡ଼ ଆଖି ଆଗରେ ଘୂରିବାକୁ ଲାଗିଲା...ଦିଓଟି କଞ୍ଚାଲଙ୍କା ଯଦି ସେ ଆଣି ପାରନ୍ତା, ତେବେ ବୋଉ କେଡ଼େ ଖୁସି ହୁଅନ୍ତା... I ଏତିକିବେଳେ ତା ବହିଥାକ ଖଡ଼ ଖଡ଼ ହେଲା । ମଣି ତଳକୁ ଚାହିଁ ଦେଖିଲା ପାଖ ପିଲା ତା’ ବହିଥାକ ଦରାଣ୍ଡୁଛି । ରାଗିଯାଇ ଚୁପ୍ ଚୁପ୍ କହିଲା–ଏଇ କଣ ହଉଚି ? ମୋ ବହି କାହିଁକି ଘାଣ୍ଟୁଚୁ ?

 

–ତୁ ଲେମ୍ବୁ ରଖିଚୁ କି ? ଭାରି ବାସୁଛି ।

 

–ପାଟି କରନା । ମଣି କାନ୍ଧିଆ ପୁଡ଼ାକୁ ଆଣି କୋଳ ଭିତରେ ଜାକି ରଖି, ଚୁପ ହେଇ ବସିଲା ।

 

–ମତେ ଗୋଟାଏ ଦେ ।

 

–ନା ।

 

–ବାବା, କେଡ଼େ ସ୍ୱାର୍ଥପର !

 

କୌଣସି ପ୍ରତିବାଦ ନ କରି ମଣି ମୁହଁ ବୁଲେଇ ବସିଲା । ଲେମ୍ବୁ ଖାଇବାର ଅଧିକାରରୁ ବଞ୍ଚିତ ହୋଇ, ରାଗରେ ସୁଧା ଛିଡ଼ା ହୋଇପଡ଼ି ବଡ଼ ପାଟିରେ ଆରମ୍ଭ କଲା–ଗୁରୁମା, ଦେଖନ୍ତୁ... ମଣି ଏଠି ଖଟା ଲେମ୍ବୁ ଆଣି ରଖିଛି । ସାଙ୍ଗେ ସାଙ୍ଗେ ସମସ୍ତିଙ୍କ ଆଖି ମଣି ଆଡ଼କୁ ବୁଲିଗଲା । ମଣିର ମୁହଁ ଲାଲ ପଡ଼ିଗଲା । ପାଟିରୁ ତାର କଥା ବାହାରିଲା ନାହିଁ ।

 

ଗୁରୁମା ଗମ୍ଭୀର ସ୍ଵରରେ କହିଲେ–ମଣି ! ଛିଡ଼ାହୁଅ...ସ୍କୁଲକୁ ପାଠ ପଢ଼ିବାକୁ ଆସି ଏୟା କରାହେଉଛି ନା ? ...ତାକୁ ଖାଇ କାଶ ସର୍ଦ୍ଦି ହେବ, ତାପରେ ମାସ ମାସ ଘରେ ରହିବ...ଏଣିକି ସେମିତି ଆଣିଲେ, ସିଧା କ୍ଲାସରୁ ବାହାର କରିଦେବି, ମନେ ରଖ ।

 

ମଣି ସେମିତି ଚୁପ ହୋଇ ଛିଡ଼ା ହୋଇ ରହିଲା । ଆଉ ଗୋଟାଏ ଧମକ ଖାଇ, କାନ୍ଦ କାନ୍ଦ ହେଇ କହିଲା, “ନାଇ ଗୁରୁମା, ମୁଁ ଖାଇବି ନାଇଁ । ବୋଉ ପାଇଁ ନଉଥିଲି...ତାକୁ ଜର ହୋଇଥିଲା–”

 

ବାରୁଦରେ ନିଆଁ ଲାଗିଲା ପରି ଗୁରୁମା ଜଳି ଉଠିଲେ–ତୁମକୁ ଲଜ୍ୟା ଲାଗେ ନାହିଁ ? ଏଡ଼େ ବୁଢ଼ୀ ବୁଢ଼ୀ ପିଲା ହୋଇ ମିଛ କହୁଛ !! ଆଣ ସେ ଲେମ୍ବୁ ଏଠିକି ।

 

–ଗୁରୁମା ଲେମ୍ବୁ ମାଗୁଛନ୍ତି ପରା–ଶୁଭୁ ନାହିଁ ? ସୁଧା ଭଲେଇ ହେଲା ।

 

–ନେଇ ଆସ ଏଠିକି–ମଣି !!! ଗୁରୁମାଙ୍କ ସ୍ୱର ଫାଟି ପଡ଼ିଲା ।

 

ମଣିର ମନ ମରିଗଲା । ଧୀରେ ଧୀରେ ଯାଇ କାଗଜ ପୁଡ଼ାଟିକୁ ଟେବୁଲ ଉପରେ ରଖି, ନିଜ ଜାଗାକୁ ଫେରି ଆସିଲା । ପୁଣି ପଢ଼ା ଚାଲିଲା । ମଣିର ଆଖି ଥରେ ଗୁରୁମା ଓ ଥରେ କାଗଜ ପୁଡ଼ିଆ ଉପରେ ପଡୁ଼ଥାଏ । ସୁଧା ଉପରେ ରାଗିଯାଇ ମନେ ମନେ ତାକୁ କେତେ ଅଭିଶାପ ଦେଲା । କ୍ଲାସ ଶେଷ ହେଲା । ଗୁରୁମା ଯିବାକୁ ଉଠିଲେ । ମଣି ମଧ୍ୟ ପ୍ରସ୍ତୁତ ହେଇ ରହିଲା ଗୁରୁମା ଯିବାମାତ୍ରେ ଧାଇଁ ଯାଇ ପୁଡ଼ିଆଟି ଘେନି ଆସିବ ବୋଲି । କିନ୍ତୁ ଦଣ୍ଡକରେ ସବୁ ଯେପରି ଓଲଟା ପାଲଟ ହୋଇଗଲା । ଗୁରୁମା ନିଜର ମୁଣି ଫିଟେଇ, ପୁଡ଼ିଆଟିକୁ ତା ଭିତରେ ରଖି, ଚଟି ଘୋଷାରି ଘୋଷାରି ବାହାରି ଗଲେ ।

 

ଆଖିରୁ ଲୁହ ପୋଛି ମଣି ସୁଧାକୁ ଚାହିଁଲା–ହଉ, ତମେ ଯେମିତି ଆଜି ମୋ ଆହାର ମୁହଁରେ ପାହାର ଦେଇଛ, ତୁମକୁ ଠାକୁରେ ସେମିତି ଆହାର ମୁହଁରେ ପାହାର ଦେବେ ଯେ, ଦେଖିବ ।

 

–‘ମତେ ଏମିତି ଗାଳି ଦେଉଛୁ, ଗୁରୁମାଙ୍କୁ କହିଦେବି ।’ ସୁଧା ପୁଣି ଧମକାଇ ଉଠିଲା । ମଣି ଚୁପ ହୋଇଗଲା ।

 

ସ୍କୁଲ ଛୁଟି ହେଲା । ମଣି ନିଜର ବହିପତ୍ର ଧରି ଗୁରୁମାଙ୍କର ବସିବା ଘର ପାଖକୁ ଆସିଲା । ତାକୁ ଦେଖିଲେ ହୁଏତ ଆଉଥରେ ଗାଳି ଦେଇ ଲେମ୍ବୁ ଦୁଇଟା ଫେରେଇ ଦେଇ ପାରନ୍ତି...କିନ୍ତୁ ନାକରେ ସେଇ ଲେମ୍ବୁର ବାସ୍ନା–ଓଃ, ଏଇଟା କେଡ଼େ ବାସ୍ନା କରୁଛି !

 

ଘର ଭିତରର କଥା ଶୁଣିବାକୁ ମଣି କାନ ପାରିଲା–ତା’ କଥା କଣ ଆଉ କହୁଛନ୍ତି କି ? ଗୁରୁମାମାନଙ୍କ ଭିତରେ କଥା ଚାଲିଛି “ସତରେ, ଏଇଟା ବଡ଼ ସୁଆଦିଆ ଟଭା...କାହା ଗଛର କେଜାଣି ? ...ମଣିକୁ କହିଲେ ଆଉ ଆଣିଦବ ।”

 

ମଣିର ଛାତି ଛନକି ଉଠିଲା–“ଏଁ ? ମୋ ଲେମ୍ବୁ ଦି’ଟା ଖାଇଦେଲେ କି ?” ଦରଆଉଜା କବାଟ ଦେଇ ସେ ଉଙ୍କିପଡ଼ି ଦେଖିବାକୁ ଚେଷ୍ଟାକଲା । ଏତିକିବେଳେ ଜଣେ ଗୁରୁମା ହାତରେ ଖାତାପତ୍ର ଧରି ସେ ବଖରାରୁ ବାହାରି ଆସିଲେ । ସେଠାରେ ମଣିକୁ ଠିଆ ହୋଇଥିବାର ଦେଖି ବିରକ୍ତ ହୋଇ କହିଲେ–କଣ କରୁଛ ଏଠି ?

 

–“ମୋ” ଲେମ୍ବୁ ଦି’ଟା ଲତିକା ଗୁରୁମାଙ୍କ ପାଖରେ ଅଛି ।” ଡରି ଡରି ମଣି କହିଲା ।

 

–“ଭାରି ତ କ’ଣ ଆସ୍ପର୍ଦ୍ଧା ! କ୍ଳାସକୁ ଲେମ୍ବୁ ଆଣି, ସବୁ ପିଲାଙ୍କ ପଢ଼ା ଗୋଳମାଳ କଲ, ଆଉରି ମାଗିବାକୁ ଆସିଛ !! କ’ଣ ହେଡ଼ ମିଷ୍ଟ୍ରେସଙ୍କ ପାଖକୁ ଯିବାକୁ ଇଚ୍ଛା ହେଉଛି ? ଯା–ବାହାର ଏଠୁ ।” କହି ଗୁରୁମା’ ଧପ୍ ଧପ୍ ହେଇ ଚାଲିଗଲେ ।

 

ମଣି କିନ୍ତୁ ଯାଇ ପାରିଲା ନାହିଁ । ଗୋଡ଼ ତା’ର ସତେ ଅବା ମାଟି ଭିତରକୁ ଦବିଗଲା । ଆଖି ଦିଟା ଜାଲୁଜାଲୁଆ ହୋଇଗଲା । ସେଇ ଅଧା–ମେଲା କବାଟ ଦେଇ, ବେକାଙ୍କ ପରି ସେ କେବଳ ଜଳଜଳ କରି ଚାହିଁ ରହିଲା ।

★★★

 

ସ୍ୱପ୍ନଭଙ୍ଗ

 

‘ମାଉସୀ, ଘରଟା ବିକିଦେଲି’–ଖାଉ ଖାଉ ଶୁଖିଲା ହସ ହସି ନନ୍ଦା କହିଲା ।

 

ଧୀରାବୋଉଙ୍କ ମୁହଁ ମଉଳିଗଲା । ନନ୍ଦା କଥାର ପ୍ରତିଧ୍ଵନି ପରି ତାଙ୍କ ପାଟିରୁ ବାହାରିଗଲା–ଘରଟା ବିକିଦେଲୁ !

 

‘ରଖି ଆଉ କଣ କରିଥାନ୍ତି, ମାଉସୀ ? ଯୋଉଠି ଚାକିରୀ କରିବି, ସେଠି ତ’ ରହିବାକୁ ଘର ମିଳିବ...ତା ଛଡ଼ା ଘରଟା ବିକି ନ ଥିଲେ, ବିଦେଶରେ ଦୁଇବର୍ଷ ଚଳିବା–ମାନିଆ ଟଙ୍କା ମତେ କିଏ ଦିଅନ୍ତା ?’ –ସତେ ଯେମିତି ଗୋଟାଏ ବଡ଼ ଜଞ୍ଜାଳ ତୁଟି ଯାଇଛି, ଏହିପରି ଭାବ ଦେଖେଇ ନନ୍ଦା ହସିବାକୁ ଲାଗିଲା ।

 

ନନ୍ଦା ଜାଣେ ଘରେ ରହି ସେ ପଢ଼ି ପାରିବ ନାହିଁ । ନିଜ ଘର ତାକୁ ପ୍ରେରଣା ଦେବା ବଦଳରେ ହଜି ଯାଇଥିବା ଲୋକଙ୍କର ସ୍ମୃତି ଆଣି ବାରମ୍ଵାର ଆଖି ଆଗରେ ଠିଆ କରେଇବ । ତେଣୁ ଦୂରକୁ–ବହୁ ଦୁରକୁ ସେ ଚାଲିଯିବାକୁ ଚାହେଁ–ଯେଉଁଠି ଏ ଘର ଦ୍ଵାର, ବାପ, ମା ଭାଇ–କାହାରି ସ୍ମୃତି ଆଉ ଆଖି ଆଗକୁ ଆସିବ ନାହିଁ । ବହି ଭିତରେ ସେ ଦୁନିଆକୁ ଭୁଲିଯିବ...ଏମ୍. ଏ. ପାସ୍ କରିବା ଯାଏ, ଦୁଇବର୍ଷ କାଳ ସେ ଆଉ ଫେରିବ ନାହିଁ ।

 

–ଝିଅ, ତୁ ସେଠି ଚଳିବୁ କେମିତି ? ଘରେ ତ ଲାଜକରି ଖାଉନୁ, ସେଠି ଦି’ବର୍ଷ କାଳ ଏମିତି ଖାଇଲେ ତୋ ଦେହ ଦୁର୍ବଳ ହେଇଯିବ ନାଇଁ ? ବିଦେଶ ଜାଗା...ସେଠି ତୁ ଉପାସ ରହିଗଲେ, ତତେ ‘ଖାଇଛୁ କି ନାହିଁ’ ବୋଲି ପଚାରିବ କିଏ ?

 

ଧୀରାବୋଉଙ୍କ କଥାରେ ବାଧାଦେଇ ହସି ହସି ନନ୍ଦା କହିଲା–ମାଉସୀ, ଦେଖୁନ, ଦୁନିଆ ବଦଳି ଗଲାଣି...ଏସବୁ କଥା ଭାବିଲେ ଆଉ କଣ ଚଳିବ ?

ଧୀରାବୋଉ ଖାଲି କାବା ହେଇ ନନ୍ଦା ମୁହଁକୁ ଚାହିଁ ରହିଲେ–ବାପ ମା’ ଛେଉଣ୍ଡ ଝିଅଟା–କଣ କହୁଛି ! ମନ ଭିତରୁ କଥାଟା ତଡ଼ି ଦେବାକୁ ସେ କହିଲେ–ଝିଅ, ଆଉ ଗୋଟିଏ କଦଳୀ ବରାରୁ ଦିଏଁ ?

ଖାଉ ଖାଉ ନନ୍ଦା ଜବାବ ଦେଲା–ନାଇଁ ଥାଉ । ଭଲ ଜିନିଷ ବେଶି ଖାଇଲେ ତାର ସୁଆଦ ଚାଲିଯାଏ...ମୁଁ ଏଇଟାକୁ ଚାଖି ଚାଖି ଖାଉଛି ।

ବଳେଇ କରି ଦୁଇଟା ବରା ନନ୍ଦାର ଥାଳିରେ ପକେଇ ଦେଇ ଧୀରାବୋଉ କହିଲେ–ଆଉ ଟିକିଏ ଦହି ଦିଏଁ ?

ଧୀରାବୋଉଙ୍କ ହାତ ଥାଳି ଆଡ଼କୁ ଆସୁଥିବାର ଦେଖି, ନନ୍ଦା ନିଜର ଦୁଇ ହାତ ପାପୁଲିରେ ଥାଳିଟାକୁ ଢାଙ୍କିବାକୁ ଚେଷ୍ଟାକରି ପାଟିକରି ଉଠିଲା–ନା ମାଉସୀ, ଆଉ ମୋଟେ ହବ ନାହିଁ...ପେଟରେ ପାଣି ପିଇବାକୁ ବି ଆଉ ଜାଗା ନାହିଁ...ତମେ ପରା କହ ଖାଇ ସାରିଲା ବେଳକୁ ପେଟରେ ଚଉଠେ ଜାଗା ଖାଲି ଥିବ ।

–‘ତମେ ଝିଅଗୁଡ଼ାକ ଆଜିକାଲି କେତେ ଯେ ଛୋପରା ହଉଚ ମୁଁ ସେଇଆ ଦେଖୁଛି...କାଲିକାର ଛୁଆ...ପଥର ଖାଇ ହଜମ କରନ୍ତ...ଚଢ଼େଇ ଖୁମ୍ପିଲା ପରି ଦି’ଚାରି ଖୁମ୍ପାରେ ତମ ଖିଆ ସରି ଯାଉଚି !!’ କହି ଧୀରାବୋଉ ଉଠିଗଲେ ।

ଅନ୍ୟମନସ୍କ ଭାବରେ ଥାଳି ଉପରୁ ମୁହଁ ଉଠେଇ ନନ୍ଦା ତାଙ୍କୁ ଚାହିଁ ରହିଲା । ମନ ଯେପରି ତାର କହି ଉଠିଲା–କେଡ଼େ ସ୍ନେହୀ ଏଇ ଧୀରାବୋଉ–ମାଉସୀ... ସୁନା ଖଡ଼ିକା ପରି ଦେହ... ଏତେ ଟଙ୍କା ପଇସା ଥାଇ ବି ଦିନେ ଖଣ୍ଡେ ଭଲ ଲୁଗା ପିନ୍ଧିବାର ତାଙ୍କୁ ସେ ଦେଖିନାହିଁ । ନନ୍ଦା କହିଲେ ଓଲଟି କହିବେ–‘ତମେ ତ ଝିଅଗୁଡ଼ା ହେଇ ଯାହା ପିନ୍ଧୁଛ...ଆଉ ଆମେ ବୁଢ଼ୀ ଦିନରେ ଭଲ ଲୁଗା ପିନ୍ଧିବୁ !’ ...ଏଇ ଧୀରାବୋଉଙ୍କୁ ଦେଖିଲେ ନନ୍ଦାର ନିଜ ପିଇସୀ କଥା ମନେ ପଡ଼ିଯାଏ...ଠିକ୍ ୟାଙ୍କରି ପରି ଚେହେରା...ମଖମଲି ଲାଲ ଧାଡ଼ିର ଶାଢ଼ୀ ଖଣ୍ଡେ ପିନ୍ଧି ଚାଲିଗଲାବେଳେ ସତେ ଅବା ସେ ଭୂଇଁ ଅରାକ ହସି ଉଠେ । ଏଇ ଧୀରାବୋଉଙ୍କୁ ସେମିତିକା ଖଣ୍ଡେ ଶାଢ଼ୀ କେଡ଼େ ମାନନ୍ତା...ସେ ନିଜେ ଚାକିରୀ କଲେ, ସେମିତିକା ଖଣ୍ଡେ ଧଡ଼ିର ଶାଢ଼ୀ ଧୀରାବୋଉଙ୍କୁ ପିନ୍ଧେଇବ... ।

ଭାବନାରେ ବାଧାଦେଇ ଧୀରା ପାଟିକରି ଉଠିଲା–ଏଇ, ଖାଉଛୁ ନା କଣ ବସି ଭାବୁଛୁ-? ବୋଉ କଥା ଶୁଣି ଦୁଃଖ କଲୁ କି ? ...ତା’ର ପରା ସେଇଟା ଗୋଟାଏ ଖୋଇ...ସମସ୍ତଙ୍କୁ ବଳେଇ କୁଳେଇ ଗିଳେଇବ...ମତେ ଭାରି ଚିଡ଼ି ଲାଗେ...ପେଟ ପୂରିଗଲା ପରେ କେହି ବଳେଇଲେ ମୋ ହାଡ଼ ଜଳେ ।

ଗୋଟାଏ ନିଶ୍ୱାସ ଛାଡ଼ି ନନ୍ଦା କହିଲା–ନାଇଁଲୋ ଧୀରା, ବହୁତ ଭାଗ୍ୟ ଥିଲେ ଏମିତିକା କଥା ପଦେ ଶୁଣିବାକୁ ମିଳେ ।

ଧୀରା ପୁଣି ଖାଇବାରେ ମନ ଦେଲା । ଆଉ ନନ୍ଦା ମନରେ ନିଜ ମା’ର କଥା ଗୁଡ଼ାକ ତୁହାଇ ତୁହାଇ ଫେରି ଆସିବାକୁ ଲାଗିଲା । ସେଇ ମା ତା’ର ଯଦି ଆଜି ବଞ୍ଚିଥାନ୍ତା !!

 

ଦୁଇ ବର୍ଷ ପରେ–

 

ବିଶ୍ଵବିଦ୍ୟାଳୟ ପରୀକ୍ଷା ଦେଇସାରି ଯେ ଯୁଆଡ଼େ ଘରକୁ ଚାଲିଗଲେ; କିନ୍ତୁ ନନ୍ଦା ଫେରିଲା ନାହିଁ । ସେଇଠି ଗୋଟାଏ ସ୍କୁଲରେ କିଛିଦିନ ପାଇଁ ମାଷ୍ଟର ହେଲା, ନିଜ ଘର ତ ବିକି ଦେଇ ଆସିଛି, ଆଉ ସେଠି କଣ ଅଛି ଯେ ସେ ଟାଣିହୋଇ ଯିବ ? ତଥାପି ମନ ବୁଝେ ନାହିଁ, ବେଳେବେଳେ ସେହି ପୁରୁଣା ଘର, ପୁରୁଣା ସାଙ୍ଗ ସାଥୀଙ୍କ ପାଖକୁ ଫେରି ଯିବାକୁ ମନ ତାର ଉଚ୍ଛନ୍ନ ହୋଇ ଉଠେ । କାହାରି ଖବର ସେ ରଖି ନାହିଁ...ପ୍ରଥମ ବର୍ଷ ଧୀରା ଚାରିଖଣ୍ଡ ଚିଠି ଦେଇଥିଲା, ତହିଁରୁ ଶେଷ ତିନି ଖଣ୍ଡର ଉତ୍ତର ନନ୍ଦା ଦେଇ ନାହିଁ...ଧୀରା ଅଭିମାନ କରିଥିବ...ହଉ, ଏତେ ଦିନ ଗଲାଣି, ଫଳଟା ବାହାରି ଯାଉ, ତା ପରେ ଧୀରା ପାଖକୁ ସେ ଚିଠି ଲେଖିବ ।

 

ସ୍କୁଲ ଛୁଟି ହେବାକୁ ଅଳ୍ପ ଦିନ ବାକି । ଫଳ ବାହାରିଲା । ଖବର କାଗଜରେ ନିଜ ନାଁଟା ପ୍ରଥମ ଶ୍ରେଣୀରେ ଦେଖି ନନ୍ଦାର ଆଖି ଦି’ଟା ଛଳ ଛଳ ହେଇ ଉଠିଲା–ବାପା ଦେଖି ପାରିଲେ ନାହିଁ, ମା ଦେଖି ପାରିଲା ନାହିଁ, ଭାଇ ଦେଖି ପାରିଲା ନାହିଁ । ତାର ସୌଭାଗ୍ୟ ଦେଖିବାକୁ କେହି ରହିଲେ ନାହିଁ–ସମସ୍ତେ ଜଣ ଜଣ କରି ତା’ରି ଆଖି ଆଗରେ, ତାକୁ ଫାଙ୍କି ଦେଇ ଆଗରୁ ଚାଲି ଯାଇଛନ୍ତି । ଏତେ ବଡ଼ ସଂସାର ଭିତରେ ସେ ଏକେବାରେ ଏକା ହେଇ ରହି ଯାଇଛି । ବାପାଙ୍କର ଶେଷ ବେଳର କଥାଗୁଡ଼ାକ ମନେ ପଡ଼ିଗଲା “ମୋର ବଡ଼ ଆଶା ଥିଲା ନନ୍ଦା, ତୁ କଲେଜ ପିଲାଙ୍କୁ ପାଠ ପଢ଼େଇବୁ... ତୋ ମା’କୁ କହି ଦେଇଛି, ସେ ତୋ ବାଟ ଓଗାଳିବ ନାହିଁ ।”

 

ବାପାଙ୍କ ପଛେ ପଛେ ମା’ ବି ସଂସାରରୁ ଚାଲିଗଲା ନନ୍ଦାକୁ ଛାଡ଼ି ଦେଇ । ଆଜି ସମସ୍ତଙ୍କର ଆଶା ସେ ପୂର୍ଣ୍ଣ କରିଛି; କିନ୍ତୁ ତାର ନିଜର ଆଶା ଅପୂର୍ଣ୍ଣ ରହିଗଲା । ତା ଖବର ଶୁଣିବାକୁ ଆଉ କେହି ରହିଲେ ନାହିଁ... । ମନେ ପଡ଼ିଲେ ଧୀରାବୋଉ–ମାଉସୀ । ଏକା ସେଇ ରହିଛନ୍ତି । ଖବର ଶୁଣିଲେ ଏକା ସେଇ ନିଜ ମା’ ପରି ଖୁସି ହେବେ...ଧୀରା ବି ସେଠି ପରୀକ୍ଷା ଦେଇଥିବ...କଣ କଲା କେଜାଣି ? ବୋଧହୁଏ ଭଲ କରିଥିବ । ଘରକୁ ଫେରିଯିବା ପାଇଁ ମନଟା ତା’ର ହଠାତ୍ ଛଟପଟ ହୋଇ ଉଠିଲା ।

 

ଘର !! ଘର ତ ସେ ବିକି ଦେଇ ଆସିଛି...ଅବଶ୍ୟ ଦୂର ସମ୍ପର୍କୀୟ ବନ୍ଧୁବାନ୍ଧବଙ୍କ ଘର ଅଛି । ବହୁତ ଭାବି ଚିନ୍ତି ଶେଷକୁ ନନ୍ଦା ଯିବାକୁ ଠିକ୍ କଲା ।

 

ଆଉ ଆଠ ଦିନରେ ସ୍କୁଲରୁ ଛୁଟି ପାଇବ । ବଜାରକୁ ଯାଇ ନନ୍ଦା ସମସ୍ତଙ୍କୁ ପାଇଁ କିଛି କିଛି ଜିନିଷ କିଣି ଫେରି ଆସିଲା । ମୁଣ୍ଡ ଉପରୁ ଗୋଟାଏ ବୋଝ ଉତୁରି ଗଲା । ଆଉ ରହିଲା ଗୋଟିଏ କଥା–ଧୀରାବୋଉଙ୍କ ପାଇଁ ଲାଲ ଧଡ଼ିର ଖଣ୍ଡେ ଶାଢ଼ୀ । ଦୋକାନ ଦୋକାନ ସେ ବୁଲିଛି, ଖରାରେ ମୁଣ୍ଡ ଫାଟିଗଲା ପରି, ଦେହ ଶିଝିଗଲା ପରି ମନେ ହେଉଛି, କିନ୍ତୁ ମନକୁ ପାଇଲା ଭଳି ଲୁଗା ସେ ଖୋଜି ପାଇଲା ନାହିଁ । ହାତରେ ଜିନିଷ ଭର୍ତି ଗୋଟାଏ ଥଳି ଧରି, ପ୍ରତ୍ୟେକଟି ଲୁଗା ଦୋକାନରେ ପଶି, ଗୋଟିଏ କଥା ସେ ପଚାରେ–ମଖମଲି ପଟ୍ଟା ଲାଲ୍ ଧଡ଼ିର ଧଳା ଶାଢ଼ୀ ଆପଣଙ୍କ ଦୋକାନରେ ଅଛି ?

 

–ଅଛି ।

 

ଜବାବ ଶୁଣି ହଠାତ୍ ମୁଣ୍ଡ ବିନ୍ଧାଟା ରହିଯାଏ । ଆଗ୍ରହରେ ଆଖି ଦୁଇଟା ଉଜ୍ଜଳ ହୋଇ ଉଠେ–ଦେଖେଁ ? ନନ୍ଦା ଦୋକାନରେ ବସିଯାଏ ।

 

ଦୋକାନୀ ପ୍ରଥମେ ଦାମିକା ଲୁଗାର ଥାକ ଆଣି ତଳେ ପକେଇ ଦିଏ । ନନ୍ଦା ତୀକ୍ଷଣ ଭାବରେ ପ୍ରତିବାଦ କରେ–ସେ ମୋର ଦରକାର୍ ନାହିଁ । ଲାଲ୍ ଧଡ଼ିରେ ଧଳା ଶାଢ଼ୀ କାଢ଼ନ୍ତୁ ।

 

ସେ ଥାକ ଉଠିଯାଏ । ପୁଣି ଆସେ ପତଳା ଲୁଗାର ଥାକ । ଖୋଲିବା ପୂର୍ବରୁ ଦଣ୍ଡ କରେ ଧଡ଼ି ଗୁଡ଼ାକ ଉପରେ ଆଖି ବୁଲେଇ ଆଣି ନନ୍ଦା କହେ–ଆପଣ ବୋଧ ହୁଏ ମୋ କଥା ଧରି ପାରିଲେ ନାହିଁ...ପଟ୍ଟା ଲାଲ୍ ଭେଲଭେଟ ଧଡ଼ିର ଧଳାଶାଢ଼ୀ ଅଛି ? ପାଟିରୁ ପୁଣି ବାହାର ଆସେ–ଠିକ୍ ସାଧବ ବୋହୂ ପୋକ ପାରି ଲାଲ୍ ଟକ୍ ଟକ୍; କିନ୍ତୁ ସେତକ ନନ୍ଦା ରୋକିନିଏ–ଦୋକାନୀ କଣ ସେ କଥା ବୁଝିବ ? ଆଉ ଟିକିଏ ସ୍ପଷ୍ଟ କରି କହେ ‘ଗାଢ଼ ଲାଲ୍–ସିନ୍ଦୂର ପରି ।’

 

କଥା ଶୁଣି ଦୋକାନୀ ମୁଁହ ମଉଳିଯାଏ । ଲୁଗାଥାନକୁ ସେମିତି ପକେଇ ରଖି, ଲାଲ ଧଡ଼ିର ଖଣ୍ଡେ ଦିଖଣ୍ଡ ଲୁଗା ସେ ଖୋଜି ବାହାର କରେ–ହେଇ ନିଅନ୍ତୁ ।

 

ନନ୍ଦାର ମନଟା ମରିଯାଏ–ନା, ଏମିତିକା ଲାଲ୍ ଚଳିବ ନାହିଁ । ସେ ରାସ୍ତାକୁ ଓହ୍ଲେଇ ଯାଏ ।

 

ଏମିତି କରି ଦୁଇଦିନ ଖୋଜି ନିରାଶ ହେଲାବେଳେ ହଠାତ୍ ତାର ଆଖି ପଡ଼ିଗଲା କାଚ ଆଲମାରୀ ଭିତରୁ ଦିଶୁଥିବା ଧଡ଼ି ଉପରେ । ଦୋକାନଟି ଛୋଟ ! ଆଗ୍ରହରେ ନନ୍ଦା ଦୋକାନକୁ ଉଠିଯାଇ ଲୁଗାଟି ଦେଖିବାକୁ ମାଗିଲା । ଧଡ଼ିର ରଙ୍ଗ, ମୁସୃଣତା ଥରକୁ ଥର ଚୁମ୍ବକ ପରି ଆଖିକି ଟାଣି ନେଉଥିଲା । ନନ୍ଦାର ଆଖି ହସି ଉଠିଲା । ଦୁଇଦିନ ଧରି ସେ ଠିକ୍ ଏକୁଇ ଖୋଜି ବୁଲୁଥିଲା ଯେମିତି !!

 

ଲୁଗାଟି କାଗଜରେ ବାନ୍ଧି ନନ୍ଦା ବସାକୁ ଫେରି ଆସିଲା । ସ୍କୁଲ ବନ୍ଦ ହେବାକୁ ଆହୁରି ଛଅଦିନ ବାକି ।

 

ମାମୁଙ୍କର ଛୋଟ ପୁଅକୁ ସାଥିରେ ଧରି ରାସ୍ତାରେ ନନ୍ଦା ଭାବି ଚାଲିଛି–ଧୀରା ତାକୁ କଥା କହିବ ନାହିଁ...ବର୍ଷେ ହେଲା ଧିରାର କୌଣସି ଖବର ସେ ରଖି ନାହିଁ....ସେଥିପାଇଁ ଧିରାର ରାଗ.... ସେ ନିଶ୍ଚେ ଗାଳିଦବ–ଦଉ....ମାଡ଼ ଦେଲେ ବି ନନ୍ଦା ସହିଯିବ...ଧିରା କଣ ବୁଝିବ ନାହିଁ, କେଡ଼େ ଦୁଃଖରେପଡ଼ି ନନ୍ଦା ଚିଠି ଦେବା ବନ୍ଦ କରିଥିଲା ? ...ଏ ଦୁଇଟି ବର୍ଷ ସେ ଏକ ରକମ ଦୁନିଆକୁ ଭୁଲି ଯାଇଥିଲା କହିଲେ ଚଳେ......କଣ ଖାଏ, କେତେବେଳେ ଖାଏ, ତାକୁ ନିଜକୁ ପଚାରିଲେ ବି ସେ ହୁଏତ କହି ପାରି ନ ଥାନ୍ତା । ଅତିପ୍ରିୟ ଝାଉଁ ଗଛଟା ଦୂରରୁ ତାକୁ ହାତଠାରି ଡାକୁଛି....ପରିଚିତ କୋଠାବାଡ଼ି ଗୋଟିଏ ଗୋଟିଏ ହୋଇ ପାଖକୁ ମାଡ଼ି ଆସୁଛି....ଦୁଇଟା ବର୍ଷରେ କେତେ ବଦଳି ଗଲାଣି ଜାଗାଟା.....ସେ ନିଜେ କିନ୍ତୁ ସେମିତି ରହି ଯାଇଛି–କିଛି ତାର ବଦଳି ନାହିଁ.....ଧୀରା କଣ ବଦଳି ଯାଇଥିବ ? ବୋଧହୁଏ ନୁହଁ......ଆଉ ଧୀରାବୋଉ ? ତାକୁ ଦେଖିଲେ କେଡ଼େ ଖୁସି ନ ହେବେ ? ତାଙ୍କର ସେଇ ପାତଳ ଓଠର ସରୁ ହସ ଟିକକ ନନ୍ଦା ଆଜିଯାଏ ଭୁଲି ପାରିନାହିଁ....ଧୀରାର ଗାଳି, ମାଡ଼, ରାଗ ରୋଷର ଯେତେକ ଅବସାଦ–ସବୁ ସେଇ ହସ ଟିକକ ପୋଛି ନେଇଯିବ.... ।

 

ଫାଟକ ଖୋଲି ନନ୍ଦା ଭିତରକୁ ପଶିଲା । ଧୀରାକୁ ଦେଖିବାକୁ ମନଟା ଉଚ୍ଚାଟ ହୋଇ ଉଠୁଛି । ଚାରିଆଡ଼କୁ ଚାହିଁଲା–କେଉଁଠି ହେଲେ ଧୀରାକୁ ଦେଖି ପାରିଲା ନାହିଁ । ଧୀରାର ଗାଲିପାଇଁ ପ୍ରସ୍ତୁତ ହୋଇ, ମୁହଁରେ ହସ ଟାଣି, ଛପି ଛପି ସେ ଭିତରକୁ ପଶିଲା । ଧୀରା ବସି ବହି ପଢ଼ୁଛି । ନନ୍ଦାକୁ ଦେଖି ଅଚିହ୍ନା ଆଖିରେ ଧୀରା ଚାହିଁ ରହିଲା । ନନ୍ଦା ଦୁଃଖ କଲା ନାହିଁ, ସେଥିପାଇଁ ସେ ଆଗରୁ ପ୍ରସ୍ତୁତ ହୋଇ ଆସିଥିଲା–ମୁଁ ଜାଣେ ଧୀରା, ତୁ ମୋ ଉପରେ ରାଗିଚୁ....ତୋର ରାଗିବା ଉଚିତ୍.....କିନ୍ତୁ ମୋ କଥା ଟିକିଏ ଭାବ....ତୋ ଛଡ଼ା ମୋର ଆଉ କିଏ ଅଛି ?

 

ଧୀରା ଅନ୍ୟ ଆଡ଼କୁ ମୁଁହ କଲା । ତାକୁ କଥା ନ କହିବାର ଦେଖି ନନ୍ଦା ପୁଣି କହିଲା–‘ତତେ ଗୋଟାଏ କଥା କହିବି.....ଏ ଶାଢ଼ୀଟା ମାଉସୀଙ୍କ ପାଇଁ ଆଣିଚି....କେମିତି ହୋଇଛି ଦେଖିଲୁ......’ । ଆଗ୍ରହରେ ଶାଢ଼ୀଟା ଖୋଲୁ ଖୋଲୁ, ସେ ପୁଣି ହସି ହସି କହି ଚାଲିଲା–ତୁ ହସିବୁ ବୋଲି ତତେ ଆଗରୁ କହି ନଥିଲି; କିନ୍ତୁ ମୋର ବହୁତ ଦିନରୁ ଗୋଟାଏ ଇଚ୍ଛା ଥିଲା, ମୁଁ ନିଜେ ରୋଜଗାର କଲେ ମାଉସୀଙ୍କୁ ଖଣ୍ଡେ ମଖମଲ୍ ଲାଲ ଧଡ଼ିର ଶାଢ଼ୀ ପିନ୍ଧେଇବି.....ତୁ ବଡ଼ ଘରର ଝିଅ, ତୋ କଥା ଅଲଗା....କିନ୍ତୁ ମୋ ପରି ନିଃସ୍ଵ ପାଖରେ ୟାଠୁ ଅଧିକ ମୂଲ୍ୟବାନ ଆଉ କିଛି ନାହିଁ ।

 

ଶାଢ଼ୀଟା ଖୋଲି ଧରି, ମୁଗ୍ଧ ଆଖିରେ ତାକୁ ଚାହିଁ, ଚମକିଲା ପରି ନନ୍ଦା ଉଠିଲା–ଆଚ୍ଛା, ମାଉସୀ କଣ ଏ ଶାଢ଼ୀ ଦେଖି ହସିବେ.... ?

 

କଣ କାମରେ ଝିଅ ପାଖକୁ ଆସୁ ଆସୁ ହଠାତ୍ ପରିଚିତ ସ୍ୱର ଶୁଣି ଧୀରାବୋଉ ଅଟକିଗଲେ । ନନ୍ଦା ଚାହିଁଲା–ଦୁଆର ମୁହଁରେ ଗୋଟାଏ ବିଧବାର ମୂର୍ତ୍ତି । ଆଖି ଦି’ଟା ତାର ସେମିତି ଡବ ଡବ କରି ଚାହିଁ ରହିଲା ସେ ମୂର୍ତ୍ତିଟିକୁ ଆଡ଼େ–ପାଟି ମେଲା ହୋଇଗଲା.... ଶାଢ଼ୀର ଲାଲ ଧଡ଼ିଟା ହାତରୁ ଖସି ପଡ଼ି ମେଜିଆ ଉପରେ ଯେମିତି ବିଦ୍ରୂପ କରି ଉଠିଲା ନନ୍ଦାକୁ !!

 

ନନ୍ଦା ପାଟିରୁ କଥା ବାହାରିଲା ନାହିଁ । ସେ ସେମିତି ଆଁ କରି ଚାହିଁ ରହିଲା । ସେତେବେଳ ତା ଛାତି ଭିତରେ ଝଡ଼ ବହି ଯାଉଥିଲା–ପୁରୁଣା ସ୍ମୃତିର ଝଡ଼ । ଦୁଇଟା ବର୍ଷରେ ନନ୍ଦା ଦୁନିଆକୁ ଭୁଲି ନ ଥିଲା–ଖାଲି ଯାହା ନିଜକୁ ଲୁଚେଇ ରଖିଥିଲା ତାର ଚିହ୍ନା ପରିଚିତ ସଂସାରଠାରୁ-। ଆସିଥିଲା ଦେଖିବାକୁ, ଆସିଥିଲା ବୁଝିବାକୁ ଯେ ସେ ବଦଳିଛି କି ନାହିଁ...କିନ୍ତୁ ତା ପାଇଁ ଦୁନିଆ ସେଇ ଦି’ଟା ବର୍ଷରେ ଅନେକ ବଦଳି ଯାଇଥିଲା । ତାକୁ ଯେମିତି ହାତ ଦେଖାଇ କହି ଯାଉଥିଲା–ଚିହ୍ନା ସଂସାରକୁ ପ୍ରତିଦିନ ନ ଦେଖୁଥିଲେ, ପ୍ରତିଦିନ ଚିହ୍ନୁ ନ ଥିଲେ ସେ ସଂସାର ଏମିତି ବଦଳି ଯାଏ ।

 

ତା’ ପାଟିରୁ ସ୍ଵର ବି ବାହାରିଲା ନାହିଁ, କିନ୍ତୁ କଥା କହିଲେ ଯେମିତି ମଣିଷ ଅଣନିଶ୍ୱାସୀ ହୋଇଯାଏ, ନନ୍ଦା ସେହିପରି ଅଣନିଶ୍ୱାସୀ ହୋଇ ପବନ ଖୋଜୁଥିଲା । ଦୁନିଆ ସିନା ବଦଳିଛି । ଦୁନିଆ ବଦଳି ଯାଇ ମନର ସବୁ ସରାଗକୁ ସିନା ପୋଡ଼ି ଜାଳି ଦେଇଛି, କିନ୍ତୁ ତା ସାଥିରେ ପବନ ବି କଣ ବଦଳି ଯାଇଛି ?

★★★

 

ଛୋଟଲୋକ

 

‘ଏଇ ରଙ୍ଗୀ । ତୁ କାହାକୁ ବାହାହବୁ ? ରିକସାବାଲାକୁ ବାହାହବୁ ?’ ମିତା ଝରକା ପାଖରେ ଠିଆ ହୋଇ ନିରିମାଖିର ପାଞ୍ଚବର୍ଷର ଝିଅ ରଙ୍ଗୀକୁ ଚାହିଁ ପଚାରିଲା ।

 

ମିହିରବାବୁଙ୍କ କୋଠାପାଖରେ ନିରିମାଖିର ଚାଳଘର । ବାବୁଙ୍କ ଜମିରୁ ଚେନାକରେ ନିରିମାଖି ଓ ତା’ ବର ଶୁକୁଟା ଚାଳତାଟି କରି ବଖରାଏ ଘର କରିଥାନ୍ତି । ସେଥିପାଇଁ ମିହିରବାବୁଙ୍କ ଘରଣୀ ବେଳ ଅବେଳରେ ନିରିମାଖି ହାତରେ ଦି’ଟା କାମ ଉଠେଇ ନିଅନ୍ତି । ତୁଣ୍ଡ ବୁଜି ନିରିମାଖି କାମ କରିଯାଏ । ତା ବଦଳରେ ସାଆନ୍ତାଣୀ ତାକୁ କେବେହେଲେ ଟଙ୍କାଏ ମସାଏ ଦେଇ ନାହାନ୍ତି-

 

ମିହିରବାବୁଙ୍କ ଝିଅ ମିତା । ପୁରସ୍କାର ବିତରଣୀ ସଭା ପାଇଁ ସ୍କୁଲରେ ଖେଳ ହେଉଛି । ରୂପା ଗହଣା ଦରକାର । ମିତାର ଆଖି ପଡ଼ିଲା ନିରିମାଖିଙ୍କ ଦେହ ଉପରେ । ତା’ ହାତର ବାଜୁ, ତା ଅଣ୍ଟାସୂତା କେଡ଼େ ସୁନ୍ଦର ! କିନ୍ତୁ ମାରିଲେ ନିରିମାଖି କଣ ସତରେ ଦେବ ? ଯଦି ନାହିଁ କରିଦିଏ ? ଏଣେ ଗହଣାତକ ଯେ ମିତାର ଦରକାର...କଣ କରିବ ? ମିତା ଛିଡ଼ା ହୋଇ ଉପାୟ ପାଞ୍ଚିଲା ।

 

–ଆଲୋ ହେ ନଖି, ଏଠିକି ଟିକେ ଶୁଣିଗଲୁ–

 

ଶାଗକେରାକ ବାଛୁ ବାଛୁ ନିରିମାଖି ମୁହଁ ଟେକି ଚାହିଁଲା–ମତେ ତାକୁଚ ଦେଈ ?

 

–ହଁ ଶୁଣିଯା...ହେଇତି, ଚାରଣା ପଇସା ନେ, ପାନ ଖାଇବୁ...ଆଉ ତୋ ବାଜୁ, ଅଣ୍ଟାସୂତାଙ୍କୁ ମତେ ଆଜିକ ପାଇଁ ଦେଇଥା । ମୂଁ ରାତିକି ଫେରେଇ ଦେବି–ବୁଝିଲୁ ?

 

ହଠାତ କିଛି ଜବାବ ନ ଦେଇ ନିରିମାଖି ବୋକାଙ୍କ ପରି ଚାହିଁ ଟିକିଏ ପରେ କହିଲା–ତେମେ ଏ ରୂପା ଗହଣା ନେଇ କଣ କରିବ ଦେଈ ?

 

ଜୋରରେ ହସିଉଠି ମିତା ଜବାବ ଦେଲା–ଆଲୋ, ତୋ ଗହଣା ମୁଁ ଖାଇଯିବି ନାହିଁ ବା...

 

ଜିଭ କାମୁଡ଼ି ନିରିମାଖି କହିଲା–ନାଇଁ ଦେଈ, ମୁଁ କଣ ସେ କଥା କହିଲି ? ତେମେ ଏଇନାଗେ ଚାହିଲେ ତମନାଗି ସୁନାର ଗଢ଼ା ହେଇ ଚାଲି ଆସିବ ।

 

–ହଁ ଜାଣିଚୁ ତ ? ...ତୋ ଗହଣା ମୁଁ ନେଇଯିବି ନାହିଁ...ଆମ ସ୍କୁଲରେ ଆଜି ଖେଳ ହେଉଛି...ଆମେ ସବୁ ତମରି ପରି ବେଶ ହବୁ...ଆମ ଘରେ ତ ରୂପା ଗହଣା ନାହିଁ, ସେଥିପାଇଁ ତୋଠୁ ନଉଛି... ବୁଝିଲୁ ? ମୁଁ ଇସ୍କୁଲରେ କହିଲି–ଆମ ଘର ପାଖରେ ନିରିମାଖି ବୋଲି ଜଣେ ଅଛି ଯେ ତାକୁଇ ମାଗିଲେ ସେ ଦବ...ତାର ବହୁତ ସୁନ୍ଦର ସୁନ୍ଦର ଗହଣାସବୁ ଅଛି ।

 

ସେତେବେଳକୁ ନିରିମାଖି ବାଜୁ, ଅଣ୍ଟାସୂତା ଖୋଲି ସାରିଥିଲା । ମିତା ହାତକୁ ବଢ଼େଇ ଦଉ ଦଉ କହିଲା–ନାଇଁ ଦେଈ, ଆମେ ତ ଗରୀବ ମୁଣ୍ଡ । ଦିହରେ ଯେତିକି ଦେଖୁଛି, ସେତିକି । ପେଟେରାରେ ଖାଲି ଝୁଣ୍ଟିଆ କୋଇଟା ପଡ଼ିଛି–ଆଉ କିଛି ନାହିଁ...

 

–ଆଲୋ ହୁଣ୍ଡୀ, ମୁଁ କଣ ସେ କଥା ଜାଣି ନାହିଁ ?ହେଲେ ଆମେ କାହିଁକି ଆମର ବଡ଼ପଣ ନ ଦେଖାଇବା ? ସେମାନେ ଜାଣନ୍ତୁ ଆମର ଅନେକ ଅଛି । ମୁରୁକି ହସି ମିତା ଗର୍ବରେ ନିରିମାଖି ମୁହଁକୁ ଚାହିଁଲା ।

 

ଗୋଟିଏ ନିଶ୍ୱାସ ଛାଡ଼ି ନିରିମାଖି କହିଲା–ଗହଣା କଣ ମୋର ନ ଥିଲା ଦେଈ ? ଏଇ ରଙ୍ଗୀବାପା ବାଧିକିରେ ପଡ଼ିଲା ବେଳେ ପରା ସବୁ ବନ୍ଧାଛନ୍ଦା ଦେଇ, ତାଙ୍କୁ ଯମ ଦୁଆରୁ ଫେରେଇ ଆଣିଥିଲି । ହେଲେ କଣ ହବ... ଗହଣା ଆଉ ମୁକୁଳେଇ ପାରିଲି ନାହିଁ...ସାହୁକାର ପାଖରେ ସୁଧରେ ସୁଧରେ ବୁଡ଼ିଗଲା । ଖାଲି ଏଇ ବାଜୁ, ଅଣ୍ଟାସୂତା ବାହାକାଳରୁ ମୋ ଦିହରେ ରହିଛି...ବୋଉ ମଲାବେଳେ ଏ ଅଣ୍ଟାସୂତାକୁ ମତେ ଦେଇ ଯାଇଥିଲା...ତହିଁରୁ ମୋର ଏଯାଏଁ ନୋଭ ଛାଡ଼ିଲାଣି କି ? ପଛେ ଉପାସ ରହିବି, ହେଲେ ତାକୁ କେଭେଁ ବନ୍ଧାଦେବି ନାଇଁ...ନଇଲେ ତିରିଶ ଭରିର ବିଛାଟି ସେ... !

 

ପ୍ରଶଂସା କଲାପରି ଆଖିରେ ବିଛାକୁ ଚାହିଁ ମିତା ମୁଣ୍ଡ ହଲେଇ ସମ୍ମତି ଜଣେଇଲା...ହଁ ତତେ ଏଇଟା ଭାରି ମାନେ...ହଉ ତୁ ଯା, ମୋର ବେଳ ହେଲାଣି...ତତେ ରାତିକି ମୁଁ ଫେରେଇ ଦେବି, ବୁଝିଲୁ ?

 

ଖେଳ ସରିଲା ପରେ ଗହଣା ଆଣିବାକୁ ଯାଇ ମିତା ଦେଖିଲା ଡାଲା ଭିତରୁ କିଏ କେତେ ପିଲା ନିଜ ନିଜର ଗହଣା ବାଛିନେଇ ଚାଲିଗଲେଣି । ମିତା ଖୋଜିଲା ବେଳକୁ ପଟେ ବାଜୁ ଛଡ଼ା ନିଜ ଗହଣା ଆଉ କିଛି ନାହିଁ । ସେ ରାଗିଲା, ପାଟିକଲା; କିନ୍ତୁ କେହି ମାନିଲେ ନାହିଁ । ମନରେ ଦୁଃଖ, ମନରେ ଭୟ–ନିରୀମାଖିକୁ ସେ କଣ କହି ବୁଝେଇବ ? ମିତା ମନରେ ଅନୁତାପ ଆସିଲା–ତା’ଠୁ ଗହଣା ନ ଆଣିଥିଲେ ଭଲ ହେଇଥାନ୍ତା...କାହିଁକି ଆଣିଲା ଭଲା ?

 

ନିରୀମାଖି ଶୋଇବାକୁ ନ ଯାଇ, ଦୁଆର ମୁହିଁରେ ବସି ରହିଥିଲା । ମିତାକୁ ଗାଡ଼ିରୁ ଓହ୍ଲେଇବାର ଦେଖି ଖୁସି ହେଲାପରି କହିଲା–’ଦେଈ,ଖେଳ କଲ ?’ ଆଖି ଦୁଇଟି ମିତା ଧରିଥିବା କାଗଜ ପୁଡ଼ିଆ ଉପରେ ।

 

–ତୋ ଗହଣାଗୁଡ଼ା, ନଖି, ଆଜି ଆଣି ନାଇଁଲୋ...

 

–ହଉ ଦେଈ, ତମ ଇଚ୍ଛା...କଣ କୁଆଡ଼େ ପଳେଇବ ?

 

–ସେମିତି କହୁଛୁ ? ଯଦି ହଜିଯିବ ?

 

–‘ହ ହଜିଗଲେ କଣଟା ହେଇଯିବ ?...ଦେଈ ମତେ ତା ହାଳିକି ଆହୁରି ସୁନ୍ଦରିଆ ଗହଣା ଗଢ଼େଇ ଦେବେ’–କହି ନିରୀମାଖି ଦେଈଙ୍କ ମୁହଁକୁ ଚାହିଁଲା ।

 

ମିତା ସେ ଆଖିକୁ ଚାହିଁ ପାରିଲା ନାହିଁ । ଫେରିପଡ଼ି ଘର ଭିତରକୁ ଚାଲିଗଲା ।

 

ଘରେ ମା ଆଗରେ ସବୁକଥା ଖୋଲି କହିଲା ବେଳେ ଡରରେ ମିତା ଆଖିକି ଲୁହ ଆସିଗଲା । ଗେହ୍ଲା ଝିଅର ଆଖିଲୁହ ପାଖରେ ମିତବୋଉକୁ ନିରୀମାଖିର ରୂପା ଗହଣା ଗୁଡ଼ିକ ଅତି ତୁଚ୍ଛ ମନେ ହେଲା । ଝିଅକୁ ବୁଝେଇ ସୁଝେଇ ଶୋଇବାକୁ ପଠେଇ ଦେଲେ ।

 

ପରଦିନ ସକାଳେ ଝରକାବାଟେ ମୁହଁ ଦେଖେଇ ମିତା ବୋଉ ନିରିମାଖିକୁ ଡାକ ଛାଡ଼ିଲେ । କଳା ସାଲୁବାଲୁ ହାତରେ ନିରିମାଖି ଘରେ ଭିତରୁ ବାହାରି ଆସିଲା । ହସିଲା ମୁହଁରେ ମିତା ବୋଉ କହିଲେ–‘ଆଲୁ ନଖୀ, ତୋ ଗହଣା ଗୁଡ଼ାକ ମିତା କୁଆଡେ଼ ଇସ୍କୁଲରେ ହଜେଇ ଦେଇଛି...ରାଟିଯାକ ନ ଶୋଇ ବସି କାନ୍ଦୁଛି...ମୁଁ ତାକୁ ଯେତେ ବୁଝାଇଲେ ‘ରହ ତୁ କାନ୍ଦନା, ମୁଁ ନଖିକି କହିଦେବି !’ ସେ କାହିଁକି ଶୁଣିବାକୁ ଯିବ ?’...

 

ଗହଣା ହଜିବା କଥା ଶୁଣି ନିରିମାଖି ମୁହଁରୁ ଆଲୁଅ ଯେମିତି ଫତ୍‍ କରି ଲିଭିଗଲା । ତାପରେ ମିତାବୋଉ କଣ କହିଛନ୍ତି ସେ ଆଉ କିଛି ଶୁଣି ନାହିଁ । ସେ ସେମିତି ଆଁ କରି ଛିଡ଼ା ହେଇଛି । କାନରେ ତାର ଭାଁ’ ଭାଁ’ କରୁଛି ସେହି କେଇଟି ପଦ ‘ଇସ୍କୁଲରେ ହଜେଇ ଦେଇଛି....’ !

 

–ଆଲୋ, ସେମିତି କାହିଁକି ଛାନିଆ ହଉଚ ବା ? ମୁଁ ତୋ ପାଇଁ ସେମିତି ଗଢ଼େଇ ଦେବି । ଛାର ରୂପା ଗହଣା ତ ! କୋଉ ଏବେ ସୁନା ହେଇଚି ? କହି ମିତା ବୋଉ କାଗଜରେ ଗୁଡ଼ା ହୋଇଥିବା ବାଜୁପଟକ ଝରକାବାଟେ ନିରମାଖି ଆଡ଼କୁ ଫିଙ୍ଗି ଦେଲେ–ଏଇ ପଟକ ଖାଲି ମିଲିଲା ।

 

ଅତି ଯତ୍ନରେ ନିରିମାଖି ବାଜୁ ପଟକ ଗୋଟେଇ ନେଲା । ମିତାବୋଉ ଚାଲିଗଲେ, ଏକା ମିତା ଛିଡ଼ାହୋଇ ନିରିମାଖି ମୁହଁକୁ ଚାହିଁଥିଲା, କହିଲା–ତୁ ଦୁଃଖ କରନା ନଖି...ବୋଉ ପୁଣି ତୋ ପାଇଁ ସେମିତିକା ଗଢ଼ିଦବ ଯେ....

 

ପିତା ମୁହଁରେ ଜୋର କରି ହସ ଟାଣି ନଖି କହିଲା–ହଉ ଦେଈ ତମ ଇଛା ।

 

ମାସ ମାସ ହେଇ ବର୍ଷ ହେଲା । ବର୍ଷ ବର୍ଷ ହେଇ ଦଶବର୍ଷ ବିତିଗଲା । ୟାରି ଭିତରେ ଇସ୍କୁଲ ପାଠ ସାରି ମିତା କେବେଠୁ ବାହା ହୋଇଗଲାଣି । ତାର ସ୍ଵାମୀ ଏଇ ସହରରେ ବଡ଼ ଚାକିରୀ କରନ୍ତି । ମିତା ବାହାଘରର ଅଳ୍ପଦିନ ପରେ ମିହିର ବାବୁଙ୍କର ଅନ୍ୟଜାଗାକୁ ବଦଳି ହୋଇଯାଇଛି । ଏକା ନିରିମାଖି ତାର ସେଇ କୁଡ଼ିଆଟିରେ ସେମିତି ଦୋମହଲା କୋଠାର ଛାଇରେ ପଡ଼ି ରହିଛି । ତାକୁ ବାତୁଆ କରିଦେଇ–ସ୍ଵାମୀ ତାର ଶ୍ୱାସ ରୋଗରେ ଚାଲିଗଲା । ରଙ୍ଗୀ ପନ୍ଦର ବର୍ଷରେ ଗୋଡ଼ ଦେଲାଣି । ତାକୁଇ ନେଇ ନିରିମାଖିର ଚିନ୍ତା...ହାତରେ ପଇସାଟିଏ ନାହିଁ । ଝିଅକୁ କେମିତି ବାହାଦବ ଭାବିଲେ ମୁଣ୍ଡ ଘୂରେଇଯାଏ । ଚାରିଆଡ଼କୁ ଆଖି ପକାଏ–ସାହାଯ୍ୟ ଦେଲାପରି ଚିହ୍ନା ମୁହଁ ଆଖି ଆଗରେ ପଡ଼େ ନାହିଁ । ହେଲେ ସାଆନ୍ତାଣି ଥାଆନ୍ତେ । ତାଙ୍କଠୁ ମାଗି ଯାଚି ଝିଅଟିକୁ ଉଠେଇ ଦିଅନ୍ତା ।

 

ରଙ୍ଗୀକୁ ବାହା କରିବା ପାଇଁ ସେ କୂଳ କିନାରା ପାଏ ନାହିଁ । ବହୁତ କଷ୍ଟରେ ସେ ପାତ୍ରଟିଏ ଯୋଗାଡ଼ କରିଛି, କିନ୍ତୁ ନିରିମାଖିର ହାତ ଖାଲି । କିଏ ତାକୁ ଏ ବିପଦବେଳେ ସାହା ହେବ ? ଅନ୍ଧାର ରାତିରେ ବିଜୁଳିଗାର ପରି ଆଖି ଆଗରେ ମିତାଦେଈଙ୍କ ମୁହଁ ଝଟକି ଉଠିଲା–କେହି ନ ଥାନ୍ତୁ, ଦେଈ ଅଛନ୍ତି ତ ! ତାଙ୍କୁ ଖାଲି ଜଣେଇ ପାରିଲେ ହେଲା ।

 

–ଦେଈ... । ନିରିମାଖି କବାଟରେ ହାତମାରି ଡାକିଲା ।

 

–କିଏ ? କାହାକୁ ଖୋଜୁଚୁ ଏଠି ?

 

ଡରି ଡରି ନିରିମାଖି କହିଲା–ମିତା ଦେଈ ଘରେ ଅଛନ୍ତି ?

 

ଗମ୍ଭୀର ଭାବରେ ମୁଣ୍ଡ ହଲେଇ ଚାକର କହିଲା–ହଁ ଅଛନ୍ତି । ତୁ କିଏ ?

 

–ମୁଁ ତାଙ୍କ ଘର ପାଖର ଲୋକ, ବାବୁ...ତାଙ୍କୁ ଟିକିଏ କହିଦିଅ କିଏ ନିରିମାଖି ତାଙ୍କୁ ଦେଖିବ ବୋଲି କହୁଚି ।

 

‘ବାବୁ’ ଡାକରେ ଖୁସିହୋଇ ଚାକର କହିଲା–ହଉ ଯା...ସେ ସେଇ ଭିତରେ ଅଛନ୍ତି......କୁକୁର ଭୁକିଲେ ଡରିବୁ ନାହିଁ, ସେଇଟା କାମୁଡ଼ା କୁକୁର ନୁହେଁ ।

 

ଚମକିଲା ପରି ଚାରିଆଡ଼କୁ ଚାହିଁ ନିରିମାଖି ଧୀରେ ଧୀରେ ଭିତରକୁ ଗଲା ।

 

–ଦେଈ–ପର୍ଦ୍ଦା ଆଡ଼େଇ ଘରଭିତରକୁ ମୁଣ୍ଡ ବଢ଼େଇ ନିରିମାଖି ଡାକିଲା ।

 

–ଆଲୋ, ନଖି କିଲୋ ? କୁଆଡ଼େ ଆସିଚୁ ?

 

–ଭଲ ଅଛ ଦେଈ ? ମୁଁ କେତେ ଦିନଠୁ ମନରେ କରେ ଟିକେ ଆସିବି ବୋଲି.....ଆସି ପାରେ ନାହିଁ...ସେଇ ସାଲେ ଯାଇଁ ଆସିଥିଲି...ତିନି ବରଷ ହେଇଗଲାଣି ।

 

–ହୁଁ ।

 

–ଦେଈ, ତେମେ କେଡ଼େ ଘାଏଁ ଝଡ଼ି ଯାଇଚ !

 

–ହୁଁ...ତୁ ଭଲ ଅଛୁ ?

 

–ହ ଦେଈ, ମୋର ଆଉ ଭଲ କଣ ?

 

–ତୋର ବର ପରା ମରିଗଲା ଲୋ ? କେମିତି ଚଳୁଛୁ ?

 

–ଆଉ କାହିଁକି ସେ କଥା କହୁଚ ଦେଈ...ଏ ପେଟ ଚାଖଣ୍ଡକ ନାଗି କେତେ ହନ୍ତସନ୍ତ ହଉଚି । ନିରିମାଖି ଲୁଗା କାନିରେ ଲୁହ ପୋଛିଲା ।

 

–ତୋ ରଙ୍ଗୀ କଣ କରୁଛି ? ତାକୁ ବାହା କଲୁଣି ?

 

–କଣ ଆଉ କରିବି ଦେଈ ? ତା’ରି ନାଗି ତ ଆଇଚି...ତାକୁ ଏଇ ମଗୁଶୀରରେ ଉଠେଇ ଦେବି...ମୋର ଆଉ କିଏ ଅଛି ପୋଷିବ ? ଏଇ ବାତମରା ଏବେ ଆରମ୍ଭ ହେଇଚି ଯେ ବେଳାଏ କାମକୁ ଗଲେ ବେଳାଏ ନାଇଁ...ମା ନାଗି ସିଏ କେତେ ହିନସ୍ତା ହେଲାଣି...ଘର ଦୁଆର କଲେ ସେ ତାର ଭଲରେ ରହନ୍ତା...

 

–ହଁ ଭଲ କଥା...ଆଉ ଡେରି କାହିଁକି କରୁଛୁ ? ଉଠେଇ ଦଉନୁ ?

 

–ହାତରେ, ଦେଈ, ପଇସାଟିଏ ନାହିଁ...ମନରେ କଲି ମୋ ଦେଈ ତ ରାଜାରାଜୁଡ଼ାଙ୍କ ପରି ନୋକର ହାତ ଧରିଛନ୍ତି...ନିଆଶ୍ରୀଟାକୁ ପୋଷେ ଦେଲେ କୋଉ ତାଙ୍କ କୁବେର ଭଣ୍ଡାର ସରିଯିବ ?

 

ଗମ୍ଭୀର ହୋଇ ମିତା ଉଠିଯାଇ ପାଞ୍ଚଟଙ୍କାର ଖଣ୍ଡେ ନୋଟ ଆଣି ନିରିମାଖି ଆଡ଼କୁ ଫିଙ୍ଗିଦେଲା–ନେଇ ଯା ।

 

ନୋଟ ଖଣ୍ଡିକ ହାତରେ ଧରି ଟିକେ ଲାଜ କଲା ପରି ନିରିମାଖି କହିଲା–ଏତିକିରେ ଆଉ କଣ କରିବି ଦେଈ ? ଭଉତୁ କରି ଦେଲେ କଣ ଗହଣା ଗାଣ୍ଠି ଦିଖଣ୍ଡ କରି ହେଲେ ଦିଅନ୍ତି ତାକୁ...ମୋର ଆଉ କୋଉଠି କଣ ଅଛି ଯେ ତାକୁ ଦେବି ? ମୋ ଗହଣାଯାକ ତ ସବୁ ଦେଈ ନେଇ ହଜେଇ ଦେଲେ...ମା ବି ଗଢ଼େଇ ଦେବେ କହିଥିଲେ, ଦେଲେ ନାଇଁ...

 

–ଓ ! ତୁ ସେଇ ଗହଣା ନବାକୁ ଆସିଚୁକି ?

 

–ନାଇଁ ଦେଈ–

 

–ତେବେ ଯା–ଯା...ଆଉ ଗୁଡ଼ାଏ ପାଟି କରନା...ଆମରି ଜମିରେ ଆଜିଯାଏ ମାଗଣା ରହି ଆସିଲୁ–କେତେ ପଇସା ଦେଇ ପକେଇଥିଲୁ ?

 

–ନାଇଁ ଦେଈ, ଗରୀବ ନୋକ...

 

ତମେ ଛୋଟଲୋକଗୁଡ଼ାକ, ବେଶି କଥା କହିଲେ ମୁଣ୍ଡରେ ବସ...

 

ନିରିମାଖିର ଆଖି ଦି’ଟା ଧୂଆଁଳିଆ ହୋଇଗଲା । ଉଠି ପଡ଼ି କହିଲା ‘ହଉ ଯାଉଚି ଦେଈ, ଥା...ଗାଳିଦବ ନାଇଁ ।’ ଧୀରେ ଧୀରେ ସେଠୁ ବାହାରିଗଲା । ପଛରେ ମିତା ଦେଈଙ୍କ ପାଟି ଶୁଭିଲା, ‘ଏ ଚେମା, ଯିବୁଟି ତା ପଛରେ...କଣ କୋଉଠି ହାତ ଉଠେଇ ନେଇ ଯିବ...ତମକୁ ସବୁ କିଏ କହେ ଦୁନିଆଯାକର ଲୋକଙ୍କୁ ଆଣି ଭିତରେ ପୂରେଇବାକୁ ? ...ଯା–ସେ ଗଲାପରେ କବାଟ ଦେଇଦବୁ ।’

★★★

 

Unknown

ଅନ୍ଧ

 

ଯାଆଁଳା ଭଉଣୀ–ନୀରା ଆଉ ଜିନି । ଦିହେଁ ଡାକ୍ତରଖାନାରେ ନର୍ସ । ବାହା ହେଇ ନାହାନ୍ତି । ମାଉସୀ ପୁଅ ଭାଇର ପୁଅକୁ ପୁଅ କରି ଆଣିଛନ୍ତି । ନୀରା ଆଉ ଜିନି–ଗୋଟିଏ ଡେମ୍ପରେ ଦୁଇଟି ଫୁଲ । ଜୀବନ ପ୍ରାୟ ଏକାପରି ବିତି ଆସିଛି–ଦିହେଁ ଦୁହିଁଙ୍କୁ ଖୁବ୍ ଭଲ ପାଆନ୍ତି । ଦିହେଁ ନିଜର ଜୀବନକୁ ରୋଗୀର ସେବାରେ ଭସେଇ ଦେଇଛନ୍ତି । ସେତିକିରେ ତାଙ୍କ ମନରେ ଶାନ୍ତି । ଜୀବନରେ ଯାହା ସବୁଠାରୁ ମହତ କାମ–ରୋଗୀର ସେବା–ସେ ହେଉଛି ସେମାନଙ୍କ ଜୀବନର ଆଦର୍ଶ ।

 

ଭବିଷ୍ୟତ ଠାରୁ ଆହୁରି ଦୂରକୁ ଭାସିଗଲେ, ବେଳେ ବେଳେ ଜୀବନର ଶେଷ ଭାଗର କଥା ମନେ ପଡ଼େ । ମନରେ ଅବସାଦ ଆସେ । ଜଣେ ଆଉ ଜଣକୁ ପଚାରେ ସେହି ପ୍ରଶ୍ନ–‘ବୁଢ଼ୀ ହେଇଗଲେ, ଆଖିକୁ ନ ଦିଶିଲେ ପୁଣି କେମିତି ଚଳିବା ?’

 

ଆଉ ଆର ଜଣକ ସାନ୍ତ୍ଵନା ଦିଏ–“ଧେତ୍, ସେତେଦିନ ଯାଏ ବଞ୍ଚିଥିବା ଯେ ଏତେ କଥା-! ଆମ ଦେଶର ଆୟୁଷରେଖା ପରା ତିରିଶ...ସେତକ ଟପିଗଲା ପରେ ଯେ କୌଣସି ମୁହୂର୍ତ୍ତରେ ଆର ପାରିରୁ ଡକରା ଆସିପାରେ....ଆଉ ତୁ କାହିଁକି ସତୁରୀ ଅଶି ବର୍ଷ ଯାଏ ଭାବିବାକୁ ଯାଉଛୁ-?”

 

ଅବସାଦ ଭିତର ଦେଇ ମୁହଁରେ ହସ ଖେଳେ–ଯେତିକି ଦିନ ବଞ୍ଚିଛୁ, ସେଇ କେଇଟା ଦିନ କାହିଁକି ଦୁଃଖ କଥା ଭାବି ମନରେ କଷ୍ଟଦେବା ?

 

ବୟସ କାହାରିକୁ ଅପେକ୍ଷା କରେ ନାହିଁ । ଡେଣା–ଲଗା ଉଇ ପରି ହୁ’ ହୁ’ ହେଇ ବଢ଼ିଯାଏ । ତାଙ୍କରି ଆଖି ଆଗରେ ଦୁଇ ବର୍ଷର ଟୁଟୁ ଆସି ତିରିଶିରେ ପଶିଲାଣି । ତାଙ୍କର ବୟସ ଷାଠିଏ ପାଖାପାଖି ହେଲା । ବସିଲା ବେଳେ ଗଲା କଥା ମନେ ପଡ଼େ । ଏଇ କେତେବର୍ଷ ଭିତରେ କେତେ ଘଟଣା ଘଟି ଯାଇଛି । କେତେ ରୋଗୀଙ୍କୁ ସେବାକରି ଭଲ କରି ଦେଇଛନ୍ତି । ପୁଣି ତାଙ୍କର ଆଖି ଆଗରେ କେତେ ରୋଗୀଙ୍କର ଶେଷ ନିଶ୍ୱାସ ବି ଯାଇଛି । କେତେବେଳେ ଆଖିରୁ ଲୁହ ଗଡ଼ିଛି, କେତେବେଳେ କେବଳ ଦୀର୍ଘଶ୍ୱାସ ଛାଡ଼ିଛନ୍ତି ।

 

ଏବେ ବିଶ୍ରାମର ସମୟ ଆସିଛି । ଆଖିରେ ପରଳ ପଡ଼ିଗଲାଣି । ଦିହେଁ କାମରୁ ପେନସନ ନେଲେଣି । ଚଷମାର କାଚ ଦିନକୁ ଦିନ ମୋଟା ହେଇ ହେଇ ଚାଲିଛି । ଘରେ କାମ ସରିଗଲେ ବାରଣ୍ଡାରେ ପଡ଼ିଥିବା ଦୁଇଟି ଚୌକିରେ ଦିହେଁ ଆସି ବସନ୍ତି । ଦିହିଙ୍କ ଭିତରେ କେତେ କଥା ପଡ଼େ... ଗଡ଼ି ଯାଇଥିବା ଜୀବନର ସୁଅରେ ପହଁରି ପହଁରି ଦିହେଁଯାକ କେତେ କେତେ ସ୍ମୃତି ସାଉଁଟି ଆଣନ୍ତି । କେତେ ଶୀଘ୍ର ଏତେଗୁଡ଼ାଏ ବର୍ଷ ବିତିଗଲା ! ଟୁଟୁ ବାହାହବ... ତାର ଦାୟିତ୍ଵ ତାଙ୍କରି ଉପରେ... ଟୋକାଟା ବିଗିଡ଼ିଗଲା । ଏକବାରେ ବାଳୁଙ୍ଗା ହେଇଗଲା–ସେଇଟା ତାଙ୍କର ବଡ଼ ଦୁଃଖ । ତାକୁ ବାହା କରିବାର ଦାୟିତ୍ଵ ବି ତାଙ୍କର ଉପରେ । ଏଇ ଟୁଟୁ ଯେତେବେଳେ ନୂଆକରି ତାଙ୍କ ଘରକୁ ଆସିଥିଲା ଦିହେଁଯାକ କେତେ ଆଶା କରିଥିଲେ । ଟୁଟୁ ଦିନେ ମଣିଷ ହେବ–ବଡ଼ ଚାକିରି କରିବ । କିନ୍ତୁ ମୂଳରୁ ସେ ବିଗିଡ଼ିଗଲା, ପଢ଼ା ନା ଶୁଣିଲେ ଲୁଚିଲା–ପଢ଼ିଲା ନାହିଁ । ସେଇ ଟୁଟୁ ଯେତେ ବଡ଼ ହେଲେ ବି ତାଙ୍କ ଆଖିରେ କାଲିର ପିଲାପରି ରହିଯାଇଛି । ରାଗିଯାଇ ଗାଳିଦେବାକୁ ଗଲାବେଳେ ମନ ଯେମିତି ନିଜକୁ ଦୋଷ ଦିଏ–ଆହା ବିଚରା ! ବାପ ମାଙ୍କୁ ଛାଡ଼ିଦେଇ ଆସିଥିଲା । ସେମାନେ ବି ଚାଲିଗଲେଣି–ମନକୁ ବାଧିବ ।

 

ଟୁଟୁ ବାଳୁଙ୍ଗା–ତଥାପି ସେ ବାହାହେବ । ଭାବିଲେ ଦି’ ଭଉଣୀଙ୍କ ମନ ଆନନ୍ଦରେ ପୂରିଯାଏ । ଘରକୁ ବୋହୂଟିଏ ଆସିବ ସେମାନଙ୍କୁ ଘର ଦାୟିତ୍ୱରୁ ମୁକ୍ତି ଦେବ । ବୋହୂ ସବୁ କଥା ବୁଝିବ–ସେମାନେ ବୁଢ଼ୀ ହେଲେଣି, ବସିକରି ଗଣ୍ଡାଏ ଖାଲି ଖାଇବେ ।

ଏମିତି କରି ଦିନ ଗଡ଼ି ଚାଲିଲା । ଦୁଇଟା ଚୌକି ପ୍ରାୟ ସବୁବେଳେ ଦୁଇ ଭଉଣୀଙ୍କୁ ନେଇ ସେଇଠି ପଡ଼ି ରହିଲା । ଦାଣ୍ଡକୁ ଆଖି–କେତେ ଲୋକ ଯାଉଛନ୍ତି ।

ଦିନେ ନୀରା ଜିନିକୁ କହିଲା–ମନେ ହେଉଛି, ଆଉ ବୋଧହୁଏ ମୋର ବେଶିଦିନ ନାହିଁ-

‘କିଏ ଜାଣେ !’ –ଦୀର୍ଘନିଶ୍ଵାସ ଛାଡ଼ି କିନି ଉତ୍ତର ଦେଲା–ଏଇତ ବଳ ଭାଙ୍ଗି ଭାଙ୍ଗି ଯାଉଛି...ଏଇକ୍ଷଣି ଚାଲିଗଲେ ଛୁଟି...ଆଉ ବେଶୀଦିନ ରହିବାଟା ଭଲ ନୁହେଁ ।

–ସତରେ, ଏବେ ଦିନକୁ ଦିନ ବଡ଼ ଦୁର୍ବଳ ଲାଗୁଛି–ମୁଣ୍ଡ ବୁଲଉଚି... ।

–ତୁ ଜାଣୁ ମତେ ଏବେ ଭଲ କରି ଦିଶୁନାହିଁ ?

–ହୁଁ । ମୀରା ଚୁପଚାପ୍ ବସି ରହିଲା ।

–ଦିହିଙ୍କ ଦୃଷ୍ଟିଶକ୍ତି ଧୀରେ ଧୀରେ କ୍ଷୟ ହେବାରେ ଲାଗିଛି । ପାନ ଭାଙ୍ଗିବାକୁ ଗଲାବେଳେ ଦୁହେଁ ଅଣ୍ଡାଳି ହୁଅନ୍ତି–ହାତରେ ହାତ ଆସି ବାଜେ । ଦିହେଁ ବୁଝନ୍ତି ଦିଁହିଙ୍କ ଆଖିର ଅବସ୍ଥା । ଦିହିଁଙ୍କ ଦୃଷ୍ଟିଶକ୍ତି ଗଲାଣି । ଦିନକୁ ଦିନ ଯେମିତି ସାହା ଭାଙ୍ଗି ପଡ଼ୁଛି ।

–ହଇରେ ଟୁଟୁ ତୁ ସିଗାରେଟ ଖାଉଛୁ ? ଏମିତି କରି ପଇସା ଉଡ଼ଉଛୁ ? ...ତୁ କେବେ ବହାହବୁ କହିଲୁ ? ...ଆମର ତ ବଳ ଗଲା, ବୋହୂର ପରଷା ହେଲେ ଦିନେ ଖାଇଥିବା...ଆଉ କେତେ ଦିନ ଚାକର ହାତମୁଠାରୁ ଏମିତି ଖାଉଥିବା ? ଟୁଟୁକୁ ଚାହିଁ ନୀରା କହିଲା ।

–କାହିଁକି ତତେ କଣ ଚାକର–ରନ୍ଧା ଗନ୍ଧଉଛି କି ?

ସେଇ ଲିଭିଲା ଆଖିରେ ଟୁଟୁକୁ ଚାହିଁ ଦି ଭଉଣୀ ହସି ଉଠିଲେ ।

–ଆରେ ହେ, ପଳଉଛୁ କୁଆଡ଼େ ?

–କଣ କହୁନୁ ? ସିଗାରେଟ ଫୁଙ୍କୁ ଫୁଙ୍କୁ ଟୁଟୁ ପୁଣି ଛିଡ଼ା ହେଲା ।

–ଆଜି ତୋ ସାନ ମାଉସୀ ଅଣ୍ଡାଳି ଅଣ୍ଡାଳି ଦି’ କଚଡ଼ା ଖାଇଛି ।

–କଣ ପିଠିରେ ତେଲ ମାଲିସ କରିଦବାକୁ କହୁଛି ?

–ନାଇଁରେ, ତତେ ତ ସବୁ ଗେଲ ଲାଗୁଛି ।

–ହଉ ହଉ । ଟୁଟୁ ଚାଲିଗଲା ।

ଦି ଭଉଣୀ ଦିହିଁଙ୍କ ଆଡ଼କୁ ମୁହଁ ବୁଲେଇ ଚାହିଁଲେ । ସେଇ ସାମାନ୍ୟ ଦୃଷ୍ଟିଶକ୍ତି ଭିତରେ ଯେମିତି ଦିହେଁ ଦିହିଁଙ୍କ ମନରେ ବେଦନା ମୁହଁରୁ ଜାଣି ପାରିଲେ ।

 

ପ୍ରଥମେ ଜିନି ମୁହଁ ଖୋଲିଲା–ଆଚ୍ଛା ତୁ ଶୁଣ ଗୋଟାଏ କଥା । ସେଇଟା ତ ବାଳୁଙ୍ଗା ହେଲା... ପଇସାଟିଏ ରୋଜଗାର କରିବାର କ୍ଷମତା ନାହିଁ...ତାକୁ ବାହା କରି କଣ ହବ ?

 

କଥାରେ ବାଧା ଦେଇ ନୀରା କହିଲା–ଆଲୋ କାନ୍ଧରେ ପଡ଼ିଲେ ରୋଜଗାର ନ କରି ଯିବ କୁଆଡ଼େ ?

 

–ଆମ ଘରେ କିଏ ଝିଅ ଦବ ? କଣ ଅଛି ଆମର ? ପୁଅ ହେଲେ ଯୋଗ୍ୟ ହୋଇଥାନ୍ତା !!

 

ନୀରା ଗୋଟାଏ ଗହିରିଆ ନିଶ୍ଵାସ ପକେଇଲା–କିନ୍ତୁ ଜିନି, ଆମର ସାହା ହବ କିଏ ? ଆଖି ଯେ ଏକେବାରେ ଯିବା ଉପରେ ରହିଲାଣି...ହେଲେ ବାହା ହୋଇଥାନ୍ତେ ! ପିଲାଛୁଆ ଥାନ୍ତେ... କିନ୍ତୁ... ଆମେ ଯେ ଏକା । ସେତେକ ତୁ ଭୁଲି ଯାଉଛୁ କେମିତି ? ନୀରାର ସ୍ୱର ଥରି ଉଠିଲା ।

 

ନୀରାର କଥା ଶୁଣି ଜିନି ହସି ଉଠିଲା–ତୁ କେଡ଼େ ବୋକା ନୀରା ! ତୁ ବାହା ହୋଇଥିଲେ ପୁଅ ଝିଅ କଣ ତୋର ଦୃଷ୍ଟିଶକ୍ତି ଫେରେଇ ଆଣି ପାରିଥାନ୍ତେ ? ଜୀବନରେ କେତେ ଲୋକଙ୍କୁ ତ ଦେଖିଲୁ... ବାହା ହୋଇଛନ୍ତି, ପିଲାଝିଲା ଅଛନ୍ତି...କିନ୍ତୁ ଜଣକର ନାଁ ମତେ କହି ପାରିବୁ ଯିଏ ତାର ବୁଢ଼ା ବାପା, ମା’ଙ୍କର ଆଖି ଫେରେଇ ଆଣି ପାରିଛି ?

 

ଅନ୍ୟମନସ୍କ ଭାବରେ ନୀରା ଉତ୍ତର ଦେଲା–ତା କେମିତି ହେବ ? ଯାହା ଅସମ୍ଭବ, ତାକୁ କରିବେ କେମିତି ? ତଥାପି ସେଇ ବାପ ମା କଣ ଆମଠୁ ବେଶୀ ସୁଖୀ ନୁହନ୍ତି ବୋଲି ତୁ କହୁଛୁ ? ବୁଢ଼ା କାଳରେ ପାଖରେ ପିଲାଥିଲେ, ସେଇଟା ଗୋଟାଏ କେଡ଼େ ବଡ଼ ସାହା, ସେ କଥା ତୁ ମନା କରି ପାରିବୁ ନାହିଁ... ସେମାନେ ଆମଠୁ ବହୁତ ବେଶୀ ସୁଖୀ...ବୁଝିଲୁ ?

 

–ଜୀବନରେ ସୁଖ କାହିଁ ନୀରା ? ଜନ୍ମ ହେଲାବେଳେ ଆଖିରେ ଲୁହ ଘେନି ପରା ମଣିଷ ଆସିଥାଏ ସଂସାରକୁ ? ପୁଣି ଗଲାବେଳେ ବି ଆଖିରେ ଲୁହ ଘେନି ଫେରିଯାଏ ! ଦୁଃଖ ଭିତରେ ତାର ଜନ୍ମ, ପୁଣି ଦୁଃଖରେହିଁ ତାର ଶେଷ...ମଣିଷ ଜୀବନଟା ତ ଦୁଃଖପୂର୍ଣ୍ଣ... ଆଉ ଏଠି ପାଗଳଙ୍କ ପରି ତୁ ସୁଖ ଖୋଜି ବୁଲୁଛୁ ?

 

କରୁଣ ହସ ହସି ନାରୀ କହିଲା–ତୁ ଭୁଲ କହୁଛୁ ଜିନି... ଜୀବନରେ ମୁଁ ଅନେକ ସୁଖୀ ଲୋକଙ୍କୁ ଦେଖିଛି...ଆଉ ମୋର ବିଶ୍ୱାସ, ତୁ ବି ନିଜେ ଦେଖିଥିବୁ–

 

ବାଧାଦେଇ ଜିନି କହିଲା–ହଁ, ଯଦି ହସିଲେ ମଣିଷକୁ ସୁଖୀ ବୋଲି ଜଣାଯାଏ, ତେବେ ମୁଁ କହିବି ଜୀବନରେ ମୁଁ ଅନେକ ସୁଖୀଲୋକ ଦେଖିଛି...କିନ୍ତୁ ତୁ କଣ ଜାଣିନୁ ବିଜୁଳିରେ ବି ବଜ୍ର ଲୁଚିଥାଏ ? ମନ ମତାଣିଆ ମଳୟପବନରେ ବସନ୍ତ ରୋଗର ଜୀବାଣୁ ଭାସିବୁଲେ...ତୁ କଣ ଜାଣିନୁ ଏ ସବୁ କଥା ? ଉତ୍ତର ପାଇବା ଆଶାରେ ଜିନି ଭଉଣୀ ମୁହଁକୁ ଚାହିଁଲା ? କିନ୍ତୁ ନୀରାକୁ ସେମିତି କାଠପରି ବସିଥିବାର ଦେଖି ସାନ୍ତ୍ୱନାର ଭଙ୍ଗୀରେ ଜିନି ପୁଣି କହିଲା–ମୁନି ଋଷିଙ୍କ କଥା ଛାଡ଼ିଦେ... ସାଧାରଣ ମଣିଷଙ୍କ ଭିତରେ ଟିକେ ଚେଷ୍ଟା କଲେ ତୁ ଦେଖି ପାରିବୁ–ଜଣ ଜଣ ହୋଇ ସମସ୍ତେ ଅସୁଖୀ–କିଏ ନିଜର ଘରସଂସାର ନେଇ, କିଏ ଟଙ୍କାପଇସା ନେଇ, କିଏ ଜମିବାଡ଼ି ନେଇ ଆଉ କିଏ ବା ନିଜର ବର୍ତ୍ତମାନ, ଭବିଷ୍ୟତ ନେଇ... ଯେଉଁମାନେ ଅତିରିକ୍ତ ବୋକା–ସେଇମାନେ କେବଳ ସାଧାରଣ ଅବସ୍ଥାରେ ସୁଖୀ ହୋଇପାରନ୍ତି...ଦୁଃଖ ଯେ ତାଙ୍କୁ ନ ଛୁଏଁ ତା’ନୁହେଁ, କିନ୍ତୁ ଟିକିଏ ପରେ ସେମାନେ ତାକୁ ପାସୋରିଯାନ୍ତି...ଏମିତି ଯେତେବେଳେ ଦୁନିଆର ଅବସ୍ଥା ତୁ କାହିଁକି ନିଜ ମନକୁ ଦୁର୍ବଳ କରି ଭାଙ୍ଗି ପଡ଼ୁଛୁ ? ଏଇ ଟୁଟୁ କଥାକୁ ଦେଖ୍...ସେ ବାଳୁଙ୍ଗା ହେଲା, ତା ପାଇଁ ଆମେ ଦୁଃଖ କରୁଥାଇଁ.. କିନ୍ତୁ ତୋ ନିଜର ପୁଅ ଯଦି ଟୁଟୁ ପରି ଏମିତି ବାଳୁଙ୍ଗା ହୋଇଥାନ୍ତା, ତେବେ ତତେ କଣ ସେଇଟା ଆହୁରି ବେଶି ବାଧି ନଥାନ୍ତା ? ତୁ କଣ ୟାଠୁ ବେଶୀ ଦୁଃଖ ପାଇ ନ ଥାନ୍ତୁ ?

 

ଜିନିର କଥାରୁ ନୀରା ହୁଏତ କିଛି ସାନ୍ତ୍ୱନା ପାଇଲା, କିନ୍ତୁ ତାହା ସାମାନ୍ୟ–ଠିକ୍ ଯେମିତି ବିପଦ ସୁଅରେ ଭାସି ଯାଉଥିବା ଲୋକ ତାର ସାଥିକୁ ଦମ୍ଭ ଦିଏ ।

 

ନୀରା ଉଠି ଠିଆ ହେଲା–’ପ୍ରାର୍ଥନା କରିବାର ସମୟ ହେଲାଣି । ଚାଲ ଯିବା ।’ ଜିନି ଉଠିଲା । ଦିହେଁ ଆସ୍ତେ ଆସ୍ତେ ଘର ଭିତରକୁ ଚାଲିଗଲେ ।

 

ଆଉ ଦିନେ–

 

ଦି’ପହର । ଟୁଟୁ ଘରେ ନାହିଁ । ଦି ଭଉଣୀ ନିଜ ନିଜର ସଞ୍ଚିଲା ପାଣ୍ଠି ଗଣିବାକୁ ବାହାରିଲେ । ସେମାନେ ମରିବା ପରେ ସେଇ ଟଙ୍କାତକ ଟୁଟୁର କାମରେ ଆସିବ । ଟୁଟୁର ଅଜାଣତରେ ସେତିକି ସେମାନେ ତା ପାଇଁ ରଖି ଯାଉଛନ୍ତି ।

 

ଧୂଆଁଳିଆ ଚଶମା କାଢ଼ି ପିନ୍ଧିଲେ । ଚଷମା ଆଖିକୁ ଭଲ ଧରୁନାହିଁ । ଲୁଗାବାକ୍ସ ଭିତରୁ ଦିଓଟି ଛୋଟ ବାକ୍ସ ଆଣି ବାହାରେ ରଖିଲେ । ଟୁଟୁ ନାହିଁ । ଦିନର ଆଲୁଅରେ କେବଳ ଭଲ କରି ଗଣି ପାରିବେ । ବାକ୍ସରେ ଚାବି ଲଗେଇଲାବେଳେ ହାତ ଥରୁଥାଏ । ବାକ୍ସ ଖୋଲା ହେଲା । ଭିତର ଖାଲି । ଦିହିଙ୍କ ବାକ୍ସ ଭିତରେ ଛିଣ୍ଡା କାଗଜ ଛଡ଼ା ଆଉ କିଛି ନାହିଁ । ଦି ଭଉଣୀ ହାଉଳି ଖାଇ ଉଠିଲେ–କିଏ ନେଲା ? କିଏ ନେଲା ଟଙ୍କା ? ବାକ୍ସ ବନ୍ଦ–କିଏ ନେଲା ଭିତରୁ ତାଙ୍କର ଟଙ୍କାତକ ? ସନ୍ଦେହ ପଡ଼ିଲା ଟୁଟୁ ଉପରେ–ସେଇ ଚୋରୀ କରିଛି ।

 

ଟୁଟୁକୁ ପଚରା ଗଲା । ସେ ମାନିଲା ନାହିଁ । ଜିନି ପ୍ରବୋଧ ଦେଲା ନୀରାକୁ–ତାରି ପାଇଁ ସଞ୍ଚିଥିଲେଁ, ସେଇ ଚୋରୀ କରି ନେଲା...ଭାଗ୍ୟରେ ତାର ଭିକ ମାଗିବାକୁ ଅଛି, ଆମେ ଅଟକାଇବା କେମିତି ?

 

ସନ୍ଧ୍ୟା ନଇଁ ଆସୁଛି । ଦୁଇଟି ଚୌକିରେ ଦିହେଁ ବସି କଣ ମନେ ମନେ ଭାବୁଛନ୍ତି । ଚାରିଆଡ଼େ କୋଳାହଳ, କିନ୍ତୁ ଦିହିଁଙ୍କ ମନ ଭିତରେ ଘୋର ନିସ୍ତବ୍ଧତା ।

 

–ଜିନି ମୋ ଦେହ କଣ ଲାଗୁଛି...

 

–କଣ ଲାଗୁଚି ? ଦୃଷ୍ଟିହୀନ ଆଖି ଟେକି ଜିନି ଉଦବେଗରେ ନୀରାକୁ ଚାହିଁଲା ।

 

–କଣ ଯେମିତି ମୋ ଛାତିରୁ ଉଠୁଛି । କହୁ କହୁ ନୀରାର ସ୍ୱର ଧଇଁ ସଇଁ ହେଇ ଉଠିଲା-

 

ଜିନି ବ୍ୟସ୍ତ ହୋଇ ଡାକ ଛାଡ଼ିଲା ଚାକରକୁ । ଅଣ୍ଡାଳି ଅଣ୍ଡାଳି ନୀରା ପାଖକୁ ଆସି ନାଡ଼ିରେ ହାତ ରଖିଲା–ଆରେ !

 

ଚାକର ଡାକରେ ସାଇ ପଡ଼ିଶାରୁ ଲୋକ ଆସିଲେ । ମୁଣ୍ଡରେ ପାଣି ଛାଟିଲେ, ଡାକ୍ତର ଡକେଇଲେ । ଜିନି ମନର ବ୍ୟାକୁଳତା ଧୀରେ ଧୀରେ ବଢ଼ି ଚାଲିଲା । ଭଉଣୀର ମୁହଁ ସେ ଦେଖିପାରୁ ନାହିଁ–ସତରେ କଣ ସେ ଆଗ ଚାଲିଯିବ ?

 

ନୀରା ଆଉ ଆଖି ଖୋଲିଲା ନାହିଁ । ତାର ପ୍ରାଣହୀନ ଦେହ ବିଛଣାରେ ଲମ୍ବା ହେଇ ପଡ଼ି ରହିଲା ।

 

ଜିନି ଆଖିରେ ଆଉ ଯେପରି ଦମ୍ଭ ନ ଥିଲା । ବାରମ୍ବାର ସେ ନୀରାକୁ ଦମ୍ଭ ଦେଇ ଆସିଥିଲା–ନୀରା ଚାଲିଗଲା ପରେ ସେ ଯେପରି ତାର ମନରୁ ଦମ୍ଭତକ କାଢ଼ି ନେଇଛି !

 

ଆଖିର ଶକ୍ତି କ୍ଷୀଣ । ମନ ଆହୁରି ଦୁର୍ବଳ । ନୀରାପାଇଁ କାନ୍ଦିବାକୁ ସତେ ଯେପରି ମନର ଆଉ କ୍ଷମତା ନାହିଁ ! ନୀରା ଯେମିତି ତାକୁ ଅଜଣା ଜାଗାରେ ବସେଇ ଦେଇ ନିରାଶ୍ରୟ କରି ଚାଲି ଯାଇଛି !

 

ଗୋଟିଏ ଆଶ୍ରା ରହି ଯାଇଛି–ସେ ହେଉଛି ବାଳୁଙ୍ଗା ଟୁଟୁ । ଜିନି ମନେ ମନେ ଟୁଟୁକୁ ଖୋଜୁଥିଲା–ସେଇ ସବୁ ଅନର୍ଥର ମୂଳ ।

 

ସିଗାରେଟ ଧୂଆଁ କହି ଦେଉଥିଲା ଯେ ଟୁଟୁ ସେଇଠି ଅଛି ; କିନ୍ତୁ ଟୁଟୁକୁ ପଦେ ଭର୍ତ୍ସନା କରିବାକୁ ଜିନି ଆଉ ମନ କଲା ନାହିଁ ।

 

ସେଇ ତାର ଆଶ୍ରୟ । ବହୁତ ଦିନ ତଳେ ତାକୁ ଦିହେଁ ପାଳି ଆଣିଥିଲେ–ସେଇ ତାଙ୍କୁ ଅସମୟରେ ସାହା ହବ ବୋଲି । ଟୁଟୁ ଅଛି ତ !

★★★

 

ଶଙ୍କର ହୋଟେଲ

 

ସେଇ ସହରର ବଡ଼ ରାସ୍ତା ଉପରେ ଢାଉଆ ରଙ୍ଗର ଯେଉଁ କୋଠାଟା ବାଟୋଇର ଆଖିରେ ବାରି ହୋଇପଡ଼େ, ସେଇଟା ଖାଲି ଯେ ‘ଶଙ୍କର ହୋଟେଲ’ ତାହା ନୁହଁ, ସେଇଟା ସେହି ରାସ୍ତାର ଗୋଟିଏ ଚିହ୍ନଦିଆ ଘର ମଧ୍ୟ । ଜଣେ ଧନୀଲୋକ ମଉଜରେ ରହିବେ ବୋଲି ବହୁତ ଦିନ ତଳେ ଖୁବ ନିଦାକରି ସେହି ଘରଟିକୁ ତୋଳେଇ ଥିଲେ । ଚୋରଙ୍କ ସିନ୍ଦିକାଠି ଗଳିଯିବ ବୋଲି କାନ୍ଥରେ ଚାରି ପରସ୍ତ କରି ଇଟା ଦିଆ ହୋଇଥିଲା । ଝରକା ତଳକୁ ହେଲେ ରାସ୍ତା ଲୋକଙ୍କୁ ଘର ଭିତରଟା ଦିଶିଯିବ ବୋଲି, ତାହା ଉଞ୍ଚାରେ ଖଞ୍ଜା ହୋଇଥିଲା । ଘରେ ଚୋର ପଶିଲେ କଳାକନା ବୁଲେଇ ଦେବେ ବୋଲି ଗୋଟିଏ ଘରୁ ଆଉ ଗୋଟିଏ ଘରକୁ ବାଟ ରଖା ହୋଇ ନଥିଲା । କୋଠରୀଗୁଡ଼ିକ ଥିଲା ବଡ଼, ବାରଣ୍ଡା ସରୁ ଓ ଅଗଣା ଛୋଟ । ଖାଲି ସେତିକି ନୁହେଁ, ଘରର କବାଟ ଖିଡ଼ିକି ମଧ୍ୟ ସାମନାସାମନି ନଥିଲା । ବଡ଼ଲୋକ ପରି, ବଡ଼ଲୋକର ମନ ପରି ସେହି ଘରଟା ଏତେ ଖୁଣ ଥିଲେ ବି, ଏଡ଼େ ଅସଜ ଅଗଠନ ଦିଶିଲେ ବି ନିଦା ହୋଇ ତିଆରି କରାଯାଇଥିଲା ।

 

ବଡ଼ଲୋକର ଘର । ବଡ଼ଲୋକ ବେଶିଦିନ ରହି ନାହାନ୍ତି । ଯେତିକି ଦିନ ଥିଲେ ଚୋର ଡକେଇତଙ୍କ ଡରରେ ଡରି ଡରି ରହିଛନ୍ତି । ମରିବାର ଅଳ୍ପ ଦିନରେ ତାଙ୍କର ବଡ଼ପୁଅ ସେଇ ଘରଟିକୁ ଆଉ ଜଣେ ମହାଜନକୁ ବିକିଦେଇ ଅଲଗା ଜାଗାରେ ସୁନ୍ଦର ଘରଟିଏ ତୋଳେଇ ଥିଲେ-। ବାପର ଟଙ୍କା ଥିଲା; କିନ୍ତୁ ଖର୍ଚ୍ଚ କରିବାକୁ ମନ ନ ଥିଲା । ପୁଅ ପାଇଥିଲା ଖର୍ଚ୍ଚ କରିବା ମନ-। ସେଥିପାଇଁ ଟଙ୍କା ଥଳିପରି ବେଢ଼ଙ୍ଗିଆ ନ କରି, ତାକୁ ସୁନ୍ଦର ଓ ସୌଖୀନି କରି ସେ ଟଙ୍କାକୁ ଊଣା କରୁଥିଲା–ବହୁତପାଣି ସୁନ୍ଦର ଦିଶେ ନାହିଁ ବୋଲି ମଣିଷ ଯେମିତି ଯତ୍ନ କରି ପୋଖରୀ, ଝରଣା, ନାଳ ତିଆରି କରେ ।

 

ଏଇଟା ହେଉଛି ସେହି ବଡ଼ ରାସ୍ତାର ବଡ଼ ଘରର ଇତିହାସ । ସେଇଟା ବଦଳିଗଲା ମହାଜନ ହାତରେ । ମହାଜନର ବି ସେଠି ରହିବାକୁ ମନ ନ ଥିଲା–ଏଡ଼େ ବଡ଼ ଘରେ ରହିଲେ କଣ ଲୋକେ ଧନୀ ବୋଲି କହିବେ ? …ନା । …ଛୋଟିଆ ଘରେ ରହିଲେ ବି ପାଖରେ ଯଦି ଟଙ୍କା ଥଳି ଦିନକୁ ଦିନ ଉଚ୍ଚ ହେଉଥିବ ତେବେ ମଣିଷମାନେ ଅଧିକରୁ ଅଧିକ ମାନିବେ । ସେଥିପାଇଁ ମହାଜନ ଘରଟାକୁ ଭଡ଼ା ଦେଇଦେଲା ।

 

ଭଡ଼ାବାଲା ଚତୁର ହେଇଥିଲେ ଏମିତିକା ଘର ନେବେ ନାହିଁ । ମଣିଷ ରହିବାକୁ ଅସୁବିଧା ହେବ ବୋଲି, ମଣିଷର ଚଳାଚଳ ପାଇଁ ଅସୁବିଧା ହେବ ବୋଲି, ପ୍ରଥମ ମାଲିକ ଘରକୁ ସେମିତି ତିଆରି କରି ଚୋର ବିରୁଦ୍ଧରେ ପାଚେରୀ ପରିଖା କରି ରହିଥିଲା । ଦୁଇ ନମ୍ବର ଘରବାଲା ସେତିକି ବି ରଖିଲା ନାହିଁ । ଘର ଭଡ଼ା ନେବାକୁ ଖୋଜିବା ଲୋକ, ଘାଟ ଭିତରକୁ ଚାହିଁଦେଇ ଆଡ଼େଇ ହେଇଯାଏ । ସରକାରୀ ଅଫିସ ସେ କାନ୍ଥ କବାଟକୁ ଦେଖି ଆଡ଼େଇ ହେଇଯାଏ । ସେମିତି “ଭଡ଼ା ଦିଆଯିବ” ନାମାବଳୀ ଝୁଲେଇ ଘରଟି ଶେଷରେ ହେଇଗଲା “ଶଙ୍କର ହୋଟେଲ”-

 

ଶଙ୍କର ହୋଟେଲର ମାଲିକ–ବାବୁ ଶଙ୍କର ମହାପାତ୍ର ମହାଦେବଙ୍କ ସାଙ୍ଗରେ ଗୋଟିଏ ବିଷୟରେ ସମାନ–ଶଙ୍କର ବାବୁ ଭୋଳା ଲୋକ । ପ୍ରକୃତରେ ଦେଖିବାକୁ ଗଲେ ସେ ବୋକା, କିନ୍ତୁ ନିଜକୁ ଚତୁର ଭାବୁଥିବାରୁ ସେ ‘ବୋକା’କୁ ବଦଳାଇ ‘ଭୋଳା’ ବୋଲି କହନ୍ତି-

 

ଶଙ୍କରବାବୁ ହୋଟେଲ ଖୋଲିଲାବେଳେ ବହୁତ ଶସ୍ତା ଜିନିଷସବୁ ଯୋଗାଡ଼ କରିଥିଲେ-। ଦୋକାନର ଗୋଟିକିଆ ପ୍ଲେଟ, ପୁରୁଣା ଚିନା ବାସନ, ପୁରୁଣା ପଙ୍ଖା, ଖରାପ କାଠର ଟେବୁଲ, ଚୌକି, ଖଟ ଆଦି ଆଣି ସେଥିରେ ହୋଟେଲକୁ ମାନିଲା ପରି ଅନେକ କାରୁକାର୍ଯ୍ୟ କରାଇଥିଲେ ।

 

ଟେବୁଲରେ ଦସ୍ତା ପତର ବାଡ଼ିଆ ହେଇଥିଲା–ତଳର ଖରାପ କାଠ ଦିଶିବ ନାହିଁ, ଆଉ ପାଣି ପଡ଼ି ଓଦା ହେବ ନାହିଁ । ପୁଣି ମଇଳା ହେବ ନାହିଁ ବୋଲି କେତେଟି ଟେବୁଲରେ ମାର୍ବଲ୍ ନ ଦେଇ ପତଳା ସିମେଣ୍ଟ ବୋଳିଥିଲେ–ନିଦା ଟେବୁଲ ହେବ, ଠିକ୍‍ ଚଟାଣ ପରି । କିନ୍ତୁ ଟେବୁଲ ଉପର ଚଟାଣ, ଚୌକି, ବେଞ୍ଚରେ ନେଳି ନାଲି ରଙ୍ଗ ବୋଳିଥିଲେ–ଖରାପ କାଠକୁ ଲୁଚାଇବାକୁ ଆଉ ଧୂଳି ମଇଳାରୁ ସେଇ କାଠକୁ ବଞ୍ଚାଇବାକୁ ।

 

ଭଲ ହୋଟେଲ ହେବ । ପଙ୍ଖା ଖଞ୍ଜା ହୋଇଥିଲା, କିନ୍ତୁ ନିକମା ପଙ୍ଖା–କିଏ ଚାଲେ ନାହିଁ ତ କିଏ ମାଲଗାଡ଼ି ପରି କରେ । ଖଟ ଗୁଡ଼ିକ ଏମିତି ବଛା ହୋଇଥିଲା ଯେ ମଣିଷ ଚଉଡ଼ାର ଡବଲରୁ ଅଧିକ ହେବ ନାହିଁ । ଭଲ କରି ଗୋଡ଼ହାତ ଲମ୍ବେଇ ଶୋଇଲେ ଯେମିତି ମୋଟେ ସୁବିଧାରେ ଶୋଇ ହେବ ନାହିଁ–ଦେହର । ଆଠଣା ଶୂନ୍ୟରେ ଝୁଲିବ ।

 

ଏଇସବୁ କଲାବେଳେ ଶଙ୍କରବାବୁ ହସି ହସି ନିଜର ବୁଦ୍ଧିକଥା ଶୁଣେଇ କହୁଥିଲେ–ଲୋକଙ୍କୁ ବେଶି ସୁବିଧା କରି ଦେଲେ ସେମାନେ ବର୍ଷିକିଆ, ମାସିକିଆ ଗରାଖ ହୋଇଯିବେ–ସେଥିରେ ହୋଟେଲର ଲୋକସାନ । ଦିନେ ଦି’ଦିନିଆ ଗରାଖ ବେଶି ପଇସା ଦିଅନ୍ତି, ଚାକରକୁ ବକସିସ୍ ଦିଅନ୍ତି, କଳି ଲଗାନ୍ତି ନାହିଁ, ଆଉ ହୋଟେଲରେ ଜାଗା ଖାଲିକରି ଦେଇ ଚାଲିଯାନ୍ତି ।

 

ଗରାଖ ଯେତେ ବେଶିଦିନ ରହେ ସେତେ କମ୍ ପଇସା ଦିଏ, ସେତେ କଳି କରେ, ଚାକରଙ୍କୁ ସେତିକି ହଇରାଣ କରେ, ଆଉ ‘ଯିବା’ ନାଁ ଧରେ ନାହଁ । ସେଥିପାଇଁ ହୋଟେଲକୁ ନୂଆ ଲୋକ ଆସି ପାରନ୍ତି ନାହିଁ–ହୋଟେଲର ଲୋକସାନ ।

 

ପୁଣି କେତେବେଳେ ହସିକରି କହନ୍ତି–ହୋଟେଲଟା ହେଲା ଭଡ଼ାଦିଆ ଧର୍ମଶାଳା । ଘର ତ ନୁହେଁ, ଏତେ ମଉଜ ଖୋଜିଲେ ଲାଭ କଣ ? ହୋଟେଲାରେ ରହିବାର ସବୁ ସୁବିଧା ହେଲେ ଲୋକେ ପଇସା ସଞ୍ଚିବେ, ଘର ତୋଳିବେ ନାହିଁ, ମୂଲିଆ ମଜୁରିଆ କାମ ପାଇବେ ନାହିଁ, ସରକାରଙ୍କର କ୍ଷତି ହେବ–ଦୁନିଆ ଖରାପ ହୋଇଯିବ ।

 

ଏତେ କୌଶଳ କରି ସେ ହୋଟେଲ ଖୋଲିଲେ ସତ; କିନ୍ତୁ ହୋଟେଲ ଚଳେଇବାକୁ ରାଜି ହେଲେ ନାହିଁ । ସେ ନୂଆ ବେପାର ଖୋଲିବେ । ସେଥିପାଇଁ ତାଙ୍କର ବଡ଼ ଶଳାଙ୍କୁ ମେନେଜର କରି ହୋଟେଲ ଛାଡ଼ିଦେଲେ । ସେ ନିଜେ ତାର ସବୁ ନୀତି ଖାଲି ନିୟନ୍ତ୍ରଣ କରନ୍ତି ମାତ୍ର ।

 

ଟେଲିଫୋନ ଆସିଲା । ସେଥିରୁ ଭଡ଼ା ଅସୁଲ ହେବ । ଦିନକୁ ସରକାର ନେବ ବାରଅଣା–ଯେ ଟେଲିଫୋନରେ କଥାଭାଷା କରିବ, ସେ ଭଡ଼ାଦେଇ ଥରକୁ ଚାରିଅଣା । ଟେଲିଫୋନ ରହିଲା ଗୋଟାଏ କାଠ ପଟାଦିଆ ଘରେ ତାଲା ପଡ଼ି । ଯାହାର ଦରକାର ହେବ ସେ ଚାରିଅଣା ପଇସା ଦେଇ ତାଲା ଖୋଲିବ । ଚାକର ବେଶି ନ ରଖିଲେ ଚଳିବ ନାହିଁ । ଆଉ ଯେତେ ବେଶି ରହିବେ ଗରାଖ ସେତେ ଅଳସୁଆ ହେବେ । ଶଙ୍କର ବାବୁ ବୁଦ୍ଧି ପାଞ୍ଚ ପାଞ୍ଚଟି ଚାକର ରଖେଇଥିଲେ–ଗୋଟିଏ ବୁଢ଼ା, ଗୋଟିଏ କାଲ, ଗୋଟିଏ ଛୋଟା, ଗୋଟିଏ ପିଲା, ଆଉ ଗୋଟିଏ ମଜଭୁତିଆ ଭେଣ୍ଡା ।

 

ନିଦା ଘର ଭିତରେ ଏଇସବୁ ଜିନିଷ ପତ୍ର, ଚାକର ମେନେଜର ଆଉ ହୋଟେଲ ମାଲିକ ଶଙ୍କର ବାବୁ, ଘର ମାଲିକ ମହାଜନ–ସମସ୍ତେ ଗଣନୃତ୍ୟ ପରି ଗୋଟାଏ ଛାଞ୍ଚରେ, ଗୋଟାଏ ମନରେ ରହିଥିଲେ ।

 

ଘରଭଡ଼ା ସମସ୍ୟା ଏତେ ବେଶି ଯେ ଶଙ୍କର ହୋଟେଲରେ ଗରାଖ କମ୍ ମିଳନ୍ତି ନାହିଁ-। ଗରାଖ ଦେଖିଲେ ମେନେଜର ନିଜେ ଯାଇ ସେମାନଙ୍କ କଥା ବୁଝନ୍ତି । ତାଙ୍କର ଟଙ୍କା ପଇସା, ପଦମର୍ଯ୍ୟାଦା ଠଉର କଲା ପରେ ତାଙ୍କୁ ଗୋଟିଏ ବଖରା ଦେଖାଇ ଦିଅନ୍ତି । ତେଣିକି ଚାଲେ ତାଙ୍କୁ ଶୋଷିବାର ପାଲା ।

 

ଖାଇବା ଘର ନାହିଁ । ଗୋଟିଏ ଲମ୍ବା ବାରଣ୍ଡା ଖାଇବା ଜାଗା ରୂପେ ବ୍ୟବହାର ହୁଏ । ସେଠି ଦୁଇଟି ପଙ୍ଖା ଅଛି । ଯେଉଁଟି ମଝିରେ ସେଇଟା ସବୁଦିନେ ଅଚଳ ଆଉ କଡ଼ ପାଖକୁ ଥିବା ପଙ୍ଖାଟା ପ୍ରାୟ ଚାଲେ ନାହିଁ–ଖରାଦିନରେ ବହୁତଥର ସେ ଅକର୍ମଣ୍ୟ ହେଇଯାଏ; କିନ୍ତୁ ଶୀତଦିନେ କେବେହେଲେ ଖରାପ ହୁଇଁ ନାହିଁ । ଥଣ୍ଡା ଦିନରେ ମାନେଜର ପଙ୍ଖା ବୁଲାଇବାକୁ ଯେତିକି ଆଗ୍ରହ ଦେଖାନ୍ତି ଗରାଖମାନେ ସେତିକି ପ୍ରତିବାଦ କରନ୍ତି; ଆଉ ଗରମଦିନେ ଗରାଖମାନେ ପଙ୍ଖାପାଇଁ ଯେତିକି ଦାବି କରନ୍ତି ମାନେଜର ସେଥିରେ ସେତିକି ଅସାମର୍ଥ୍ୟ ପ୍ରକାଶ କରନ୍ତି । ତେଣୁ ବର୍ଷସାରା ଖାଇଲାବେଳେ ସେଇ ପଙ୍ଖା ଦୁଇଟି ପାଇଁ ଗରାଖମାନେ କେଁ–କଟର ଲଗେଇଥାନ୍ତି ଆଉ ଶଙ୍କର ବାବୁ ଓ ତାଙ୍କ ମେନେଜର ଘନ ଘନ ଏଇ ସମସ୍ୟା ଆଲୋଚନା କରି ଖୁସି ହେଉଥାନ୍ତି ।

 

ସକାଳ ହେଲେ ଛୋଟା ଚାକର ତା’ କାମ ପ୍ରଥମେ ଆରମ୍ଭ କରିଦିଏ । ଖଣ୍ଡେ କଳାକନା ଓଦାକରି ଘରର ଚଟାଣ ପୋଛେ । ସେତକ ସରିଲେ ବାଲଟି ଭିତରେ ଚିପୁଡ଼ିଦେଇ ସେହି କନାରେ ଟେବୁଲ, ଚୌକି ସବୁ ପୋଛି ଆଣେ । ଶେଷକୁ ଧିରେ କାନ୍ଥରେ ଝୁଲୁଥିବା ପୁରୁଣା ବଡ଼ ଦର୍ପଣଟାକୁ ।

 

ହୋଟେଲରେ ନୂଆଲୋକ ଥାନ୍ତି । ନ ଜାଣିବା ଲୋକେ ପାଟିକରି ଉଠନ୍ତି ଆରେ ସିଏ କଣ ? ଦେଖ ଛୋଟା କେମିତି ଠିଆହୋଇ ଦର୍ପଣକୁ ବି ପୋଛିଲାଣି । ଇସ୍–

 

–ରକ୍ଷା ହେଇଛି, ଆମ ପୋଷାକ ପତ୍ର ପୋଛୁ ନାହିଁ...ସେତକ କରି ପାରିଲେ ସେ ବୋଧହୁଏ ଆମକୁ ବି ପୋଛି ପକାନ୍ତା ।

 

–ଆରେ ଇଏ କଣ ଗୋଟାଏ ? ସେଇ ଯୋଉ କାଲ ଆମକୁ ପରଷେ, ସେ ତ ବଢ଼ିଆ କରେ...ତମେ ଡାଲି ମାଗିଲେ ସେ ପାଣି ଦିଏ, ପାଣି ମାଗିଲେ ଭାତ ଆଣି ଠିଆହୁଏ, ଆଉ ଖାଇବ କଣ ?

 

–ଇଏ ଯୋଉ ହୋଟେଲ ! ପ୍ରକୃତରେ ଶଙ୍କର ହୋଟେଲ । ମାନେଜର ପଇସା ନେଲା ବେଳକୁ ଭାବୁଛି ଆମେ ହୋଟେଲଯାକ ଖାଇଯାଉଛୁ, ଆଉ ଏମିତି ସୁନ୍ଦର ବାହନ ଖଞ୍ଜି ଦେଇଛି ଯେ ଖାଇ ବି ପାରିବ ନାହିଁ, ରହି ବି ପାରିବ ନାହିଁ....ଏଣେ ଦେଖିଲା ବେଳକୁ ଦର ଯେ କାହିଁରେ କଣ ।

 

ଏମିତି ସବୁବେଳେ ଆଲୋଚନା ଚାଲିଥାଏ–ସକାଳୁ ରାତିରେ ଶୋଇବାଯାଏ । ହୋଟେଲକୁ ଆସି ହୋଟେଲରୁ ବାହାରି ଯିବା ଯାଏ ସବୁ କାମରେ କିଛି ନା କିଛି କଥା ନ ଥିଲେ ଯେମିତି ଏ ହୋଟେଲକୁ ସାଜିବ ନାହିଁ ।

 

ଭଲ ହୋଟେଲ ବୋଲି ଚାକର ଭାରି ଦରକାରୀ–ଜିନିଷ ମାଗୁ ମାଗୁ ହାତ ପାଖରେ ଆସି ପହଞ୍ଚିଯାଏ । ବୁଢ଼ା ଓ କାଲ ମିଶି ରନ୍ଧା ପରସା କରନ୍ତି । ସାନ ଟୋକାଟା ବୋଲହାକ କରେ-। ଆଉ ରହିଲା ଭେଣ୍ଡିଆଟା । ସବୁ କାମକୁ ସେଇ । ସେଇ ଭେଣ୍ଡିଆ ଉପରେ ସମସ୍ତଙ୍କର ଆଖି-। ସବୁବେଳେ ସମସ୍ତେ ତାକୁ ଖୋଜୁଥାନ୍ତି, କିନ୍ତୁ ମେନେଜରବାବୁ ତାକୁ ଦଣ୍ଡେ ନିଜ ପାଖରୁ ଛାଡ଼ନ୍ତି ନାହିଁ । ବଜାର ସଉଦା ସେଇ କରିବ, ଚାଉଳ ବସ୍ତା ସେଇ ଉଠେଇବ; ଗରାଖଙ୍କ ଜିନିଷ କୋଠରୀ ଭିତରକୁ ସେଇ ନବ ଓ ବାହାର କରିବ, ମେନେଜରଙ୍କୁ ଘଷିଦବ–ଏମିତି ଦୁନିଆଯାକର କାମ ତା ପାଇଁ ଥୁଆହୋଇ ଥାଏ ।

 

ସେଇ ଏକା ମେନେଜରଙ୍କୁ ଜବାବ ଦିଏ । ତେବେ ବି ମେନେଜର ସବୁବେଳେ ତାକୁ ପାକଳାପାକଳି କରୁଥାନ୍ତି । ବେଶି ଗୋଳମାଳ ହୁଏ ଚାଉଳ ବସ୍ତା ଆସିଲେ ।

 

–ମୁଁ ପାରିବି ନାହିଁ–ଭେଣ୍ଡିଆ କହେ ।

 

–ଏଁ ! ଖାଇବୁ ତ ତୁଇ....ସେରେ ସେରେ ଚାଉଳ ଖାଉଛୁ..ଆଉ ବସ୍ତାଟା ଉଠେଇ ପାରିବୁ ନାହିଁ ?

 

–ଆପଣ ଉଠେଇଲେ ଦେଖିବା ? ଖାଲି ପରକୁ ଗାଳି ଦେଇ ଜାଣନ୍ତି ।

 

–ଆରେ ଓଲୁ, ତେବେ ତୁ ମୋ ପରି କମ ଖାଇ ମେନେଜର ହୁଅନ୍ତୁ, ଆଉ ମୁଁ ପେଟେ ପେଟେ ଚାଉଳ ଗିଳି ବସ୍ତା ଉଠାନ୍ତି କି ନାହିଁ ଦେଖନ୍ତୁ ।

 

–ଖାଉ ନାହାନ୍ତି ?

 

–ଆରେ ମୋର ପେଟ ତଳଟା ପରା ବିଗିଡ଼ି ଯାଇଛି....ଆଉ କଣ ସଜାଡ଼ି ହବ ?

 

ସେଇଠୁ ତାକୁ ଖୁସାମତ କରନ୍ତି–ଦେଖନୁ, କେହି କିଛି ମାଗିଲା ବେଳେ ଏଇ ବୁଢ଼ା ଆଉ କାଲା ମୋଟେ ପାରୁନାହାନ୍ତି । କଳି କରୁଛନ୍ତି ଅଧିକା ଚାକର ଆଣିବାକୁ... ମୁଁ ପରା ସେଥିପାଇଁ ନିଜକୁ ବାବୁ ବୋଲି ନ ଭାବି ପରଷା ପରଷି କାମ ଶିଖିଲି ।

 

ଏଣେ ହେଲା ହସ–ହେଇ ଦେଖ ହେ, ଆମ ହୋଟେଲରେ ଆଜି ତିନିଟା ତାରିଖ–ବାର, ଷୋହଳ, ଉଣେଇଶ...ବଢ଼ିଆ ହୋଟେଲ, ଏଠି ରହିଲେ କେଉଁ କାଲେଣ୍ଡର ଦେଖି ମାନେଜର ବାବୁ ଆମର ହିସାବ କରିବେ କେଜାଣି ?

 

ମାନେଜର ପଦାକୁ ମୁଣ୍ଡ କାଢ଼ିଲେ–ବଡ଼ ଭୁଲ ହୋଇ ଯାଇଛି କାନ୍ଥରେ ।

 

ହୋଟେଲକୁ ଯେତେ ବେପାରୀ ଆସନ୍ତି ସମସ୍ତଙ୍କର କାଲେଣ୍ଡର ଝୁଲୁଛି । ସେଥିରୁ ତିନିଟା ତିନି ଭାଷାରେ ଦିନିକିଆ କାଲେଣ୍ଡର । ସକାଳୁ ଉଠି ମାନେଜର ବାବୁ ଡାକ ଛାଡ଼ନ୍ତି–ଆରେ କାଗଜ ଚିର, କାଗଜ ଚିର ।

 

ଚାକରମାନେ ଯିଏ ପାରେ ଧାଇଁ ଆସି ସବୁଥିରୁ ଖଣ୍ଡେ ଖଣ୍ଡେ ଚିରିନେଇ ଚାଲିଯାନ୍ତି । ଚିରୁ ଚିରୁ ହାତରେ ଯେତେ ଖଣ୍ଡ ପଡ଼ିଲା । ତାରିଖ ଚିରା ହେବା କଥା–ଚିରା ହୋଇଛି । ମାସିକିଆ କାଲେଣ୍ଡର ମାନେଜରବାବୁ ନିଜେ ଚିରନ୍ତି–ସେଇଟା ଚାକରଙ୍କର କାମ ନୁହେଁ । ଦିନିକିଆରେ ଭୁଲ ହେଇଯାଇଛି ।

 

–ଦେଖୁଛନ୍ତି ମାନେଜର ବାବୁ । ଆପଣଙ୍କ ହୋଟେଲରେ କେମିତି ଦିନ ଆଗଉଛି । ଭଲ କଥା, ତେବେ ସେଥିପାଇଁ ଆମକୁ ଜୋରିମାନା ନ କଲେ ହେଲା ।

 

–ରାମ, ରାମ, .....କଣ କହୁଛନ୍ତି ! ଅପଣମାନେ ଘର ଲୋକ ପରି...ଏକାଠି ଚଳୁଛନ୍ତି । ଆପଣଙ୍କୁ ମୁଁ ନିଜ ହାତରେ ପରଷି ଖୁଆଉଛି । ଲାଭ ତ ମୋଟେ ନାହିଁ । ଖାଲି ସଉକରେ ଲାଭ କ୍ଷତି ନ ଭାବି ଚଳେଇଛି ବୋଲି ଏ ହୋଟେଲଟା ଚାଲିଛି ।

 

–‘କଣ କ୍ଷତିରେ ?’ ସମସ୍ତେ ଏକାଠି ପଚାରି ଉଠିଲେ ।

 

–ହୁଅନ୍ତା ଯେ, ଏଇ ଦିନିକିଆ ଗରାଖଙ୍କ ଘରଭଡ଼ା ପାଇଁ ଯାହା ବଞ୍ଚି ଯାଇଛି ।

 

ସେ ବି ଗୋଟାଏ ସମସ୍ୟା । ଶଙ୍କରବାବୁ ଆଉ ତାଙ୍କ ଶଳା ରାମବାବୁ ମାନେଜର ଦିହେଁ ବହୁତ ପରାମର୍ଶ କରି ଠିକ୍ କଲେ ଯେ ଲାଭ କରିବାର ଗୋଟିଏ ବାଟ ହେଉଛି ମାସିକିଆ, ବର୍ଷିକିଆ ଗରାଖଙ୍କ ଘରେ ଅସ୍ଥାୟୀ ଦିନିକିଆ ଗରାଖ ରଖିବା–ତେବେ ବିଜୁଳି ଖର୍ଚ୍ଚ କମିଯିବ ।

 

ପ୍ରତି କୋଠରୀରେ ଗୋଟିଏ ଲେଖାଏଁ ସେଇ ସରୁ ଖଟିଆ ପୂରାଗଲା । ତିନିଜଣ କଣ ରହିବେ ? ଚାରିଜଣ ଭଲ । କିଛି ସମୟ ପରେ ଗୋଟିଏ ଗୋଟିଏ ନୂଆ ଲୋକ ଆଣି ସେ ଘରେ ରଖେଇଦେଲେ । ଅଫିସରୁ ଫେରି ବାବୁମାନେ ଚମକିଲେ–ଆଚ୍ଛା–ହୋଟେଲ ! ପୁଣି ସକାଳୁ ଉଠିଲା ବେଳକୁ ସେଇଟା ଖାଲି–ଓଃ ଛୁଟି ମିଳିଲା । ପୁଣି କେଉଁଦିନ ଆଉ ଗୋଟିଏ ପଶି ତିନି ଦିନ ରହିଲାଣି ।

 

ବିରକ୍ତ ହେବାର କଥା । କାହାର ଶର୍ଦ୍ଦି କାଶ ହୋଇଛି । ସେ ରାତିରେ ଅନ୍ୟମାନଙ୍କୁ ଶୁଆଇ ଦେଇନାହିଁ । ନ ହେଲେ କେଉଁ ବଖରାରେ ଜଣେ ରାତି ଗାଡ଼ିରେ ଯିବ ବୋଲି ଜିନିଷ ପତ୍ର ସଜଡ଼ା ଗୋଳମାଳରେ ଶୁଆଇ ଦେଇ ନାହିଁ.... ।

 

ହୋଟେଲର ନିୟମ ଅନୁସାରେ ରାତିରେ ନେଳିରଙ୍ଗ ଦିଆ ବେଞ୍ଚଗୁଡ଼ିକୁ ଧୂଆ ହୋଇଥିବା ସିମେଣ୍ଟ ଟେବୁଲ ଉପରେ ଓଲଟାଇ ଦେଇ ଚାକରମାନେ ଯାଇଥାନ୍ତି । ସକାଳୁ ପୁଣି ତାକୁ ସଜାଡ଼ି ରଖନ୍ତି ।

 

ବାବୁମାନେ ବସୁ ନ ବସୁଣୁ ପାଟି କରି ଉଠନ୍ତି–ଇସ୍...ମୋ ଲୁଗାଟା ନଷ୍ଟ ହେଇଗଲା...ନେଳି ଗୁଡ଼ାଏ...

 

–କାଲି ରାତିରେ ତ ନିଦ ନଷ୍ଟ ହେଇଥିଲା...କଣ ଏଠି ନଷ୍ଟ ନ ହୁଏ ଯେ, ଲୁଗାଟା ଗଲାବୋଲି ପାଟି କରୁଛ !

 

ମାନେଜର ବାବୁ ସେ ସବୁ ନ ଶୁଣିଲା ପରି ପଚାରନ୍ତି–‘କଣ ଆଜ୍ଞା ?’ କହି ତାଙ୍କର ଅଭ୍ୟାସ ଅନୁସାରେ ନାକ ଟେକି, କପାଳ କୁଞ୍ଚେଇ ଚାହାନ୍ତି ।

 

–ଆଚ୍ଛା, ସବୁଦିନିଆ ଲୋକଙ୍କ ସାଙ୍ଗରେ ଆପଣ ଏଇ ଦିନିକିଆ ଲୋକଙ୍କୁ କାହିଁକି ପୂରାଉଛନ୍ତି କହିଲେ ?

 

–ସେଥିପାଇଁ ଆପଣମାନେ ମୋଟେ ଭାବନ୍ତୁ ନାହିଁ । ଏଠି ଚୋରୀ ହୁଏ ନାହିଁ–ଯଦି ଆପଣମାନଙ୍କ ପାଖରେ କିଛି ଟଙ୍କା କି ଗହଣା ଅଛି ତେବେ ମୋ ଜିମାରେ ରଖିଦେଇ ରସିଦ୍ ନେଇ ପାରନ୍ତି ।

 

–ସେ କଥା ନୁହେଁ । ଶୋଇ ହେଉ ନାହିଁ... ।

 

–ହେଃ, ଲୋକ ରେଲଗାଡ଼ିରେ ଶୋଇ ପାରୁଛନ୍ତି, କଳ କାରଖାନା ପାଖରେ ଶୋଇ ପାରୁଛନ୍ତି...ଆପଣଙ୍କର ଦେହ ବୋଧହୁଏ ଖରାପ ଅଛି ।

 

ଠାରାଠରି ହୋଇ ବାବୁମାନେ ଉଠିଯାନ୍ତି–ଏ ମୂର୍ଖର ହୋଟେଲକୁ ଆସି ଆପତ୍ତି କରିବା ମୂର୍ଖାମୀ ।

 

ଗଲାବେଳେ ଜଣେ ଆଉଜଣକୁ କହେ–ଆରେ ଭାଇ ଖବରଦାର୍, ତା ପାଖରେ ଭୁଲରେ କେବେ ଯଦି ଟଙ୍କା ରଖିବ, ତେବେ ତାରି ଜିମାରେ ଟଙ୍କା ରହି କେମିତି କେମିତି ମଜୁରା ହେଇଯିବ ।

 

ଆଉ ଦିଜଣ ମାସିକିଆ ଗରାଖ ଗୋଟିଏ ନୂଆ ଆପତ୍ତି ନେଇ ହାଜର–ଆଜ୍ଞା ଏ ଜଣ କରିଛନ୍ତି ? ଏକା ବଖରାରେ ଦି’ଜଣ ମାସିକିଆ ଗରଖଙ୍କୁ ଅଲଗା ଅଲଗା ଭଡ଼ା କାହିଁକି ନିଆଯାଉଛି ? ୟାଙ୍କଠୁ ଆପଣ କେତେ ନଉଛନ୍ତି ?

 

–କାହିଁକି ? ...ଆଜ୍ଞା, ଆପଣଙ୍କଠୁ ମୁଁ କେତେ ନେଉଛି ? ମାନେଜର ବାବୁ ଆଖି ଠାରିଲେ ।

 

କିଛି ଉତ୍ତର ଆସିବା ଆଗରୁ କହିଲେ–ଓ ! ସେ ତ ସବୁଦିନେ ରହିବେ...ଏ ବର୍ଷ ଗୋଟାକଯାକ, ଆର ବର୍ଷ ବି...ଆପଣ କଣ ସେତେଦିନ ଯାଏ ରହିବେ ?

 

–କେବେ ନୁହେଁ । ମୁଁ ତ’ ମାସ ପୂରିବା ଆଗରୁ ଚାଲିଯିବି ବୋଲି ଭାବୁଥିଲି...ଖାଲି ଆଗତୁରା ଭଡ଼ା ଦେଇ ଦେଇଛି ବୋଲି ରହିଛି । ହଉ ଆପଣ ସେମିତି କରୁଥାନ୍ତୁ । ପଛକୁ ଏଇ କୋଠରୀ ଶୂନ ହୋଇଯିବ ।

 

ଦିହେଁ ଚାଲିଗଲା ବେଳକୁ ମାନେଜରବାବୁ ସାଙ୍ଗବାବୁ ଜଣଙ୍କୁ ଅଟକାଇଲେ କଥା ଅଛି ବୋଲି ।

 

–ଆପଣ ଏମିତି କଲେ ନା ?

 

–ମତେ ଆଗରୁ ଟିକେ କହିଲେ ନାହିଁ ? ଦୁଃଖ କଲାପରି ବାବୁଟି କହିଲେ ।

 

–ହଉ, ଆପଣ ବୁଝିପାରିଲେ ନାହିଁ । ଏଥିରେ ଟିକିଏ ବ୍ୟବସାୟୀ ଫେର ଅଛି । କହି ମାନେଜରବାବୁ ନାକ ଟେକି କପାଳ କୁଞ୍ଚେଇ ଚିନ୍ତା କଲାପରି ବସି ରହିଲେ ।

 

ଖର୍ଚ୍ଚ କମ କରିବାକୁ ଆଉ ଲାଭ ବଢ଼ାଇବାକୁ ଏହି ଗୋଟିଏ ନୁହେଁ–ବହୁତ କୌଶଳ ହୋଟେଲରେ ଚାଲେ ।

 

ଗୋଟାଏ ହେଲା ଏଇ ବଖରାଗୁଡ଼ିକ ନେଇ । ସବୁ ବଛା ବଛା ବଖରାତକ ପରିବାରମାନଙ୍କ ପାଇଁ ବନ୍ଦ ରହିଛି । ସେମାନେ ଦେବୀ ପୂଜା, କାଳି ପୂଜା କି ଗୋଟାଏ କିଛି ବିଶେଷ ସମୟରେ ଦି’ ଚାରିଦିନ ପାଇଁ ଆସିବେ । ସେଥିପାଇଁ ଏତେଗୁଡ଼ାଏ ଘର ତାଙ୍କ ପାଇଁ ଅଟକ କରି ରଖି, ଏ ଲୋକକୁ ନେଇ ସେ ବଖରାରେ ସେ ଲୋକକୁ ନେଇ ଏ ବଖରାରେ ଗେଞ୍ଜିବାରେ ମାନେଜର ଲାଗି ପଡ଼ନ୍ତି । ଶେଷକୁ ହୋଟେଲ ଖାଲି ହୋଇଯିବ । ପଚାରେ କିଏ ? ଯେ ଆସିଲା, ତାଠୁ ପାଇସା ଅସୁଲ କରିବାରେ ସମସ୍ତେ ବ୍ୟସ୍ତ ।

 

ହୋଟେଲରେ ଜିନିଷର ଦାମ ବେଶି । ବଜାରରେ ସିଙ୍ଗଡ଼ା ଅଣାଏ, ଚା’ ଛ’ ପଇସା । ଆଉ ହୋଟେଲ ଭିତରେ ପଚା ଆଳୁର ସିଙ୍ଗଡ଼ା ପାଞ୍ଚ ପଇସା ଓ ଶସ୍ତା ଚା’ କପେକୁ ଦି’ଅଣା । ଟେଲିଫୋନ ଚାରଣା । ରନ୍ଧା ଆପୂର୍ଵ ଖାଇବାକୁ, ଆଉ ତାର ଦାମ ବି ସେମିତି ।

 

ମାନେଜରବାବୁଙ୍କୁ କେହି ‘ଖାଇବା ଜିନିଷରେ ଲାଭ କରୁଛନ୍ତି କି’ ବୋଲି ପଚାରିଲେ ସେ କହନ୍ତି ଫୋନ୍ କଥା...ହେଇ ଦେଖନ୍ତୁ...ଡାକ ଅଫିସଯାଏ ଗାଡ଼ି ମଟରକରି ଘଣ୍ଟାଏ ନଷ୍ଟ କରି ଗଲେ ଆପଣ ଶସ୍ତାରେ ଫୋନ୍ କରିବେ, କିନ୍ତୁ ଏଠି ଭଡ଼ା ଦେଇ ଏଇ ଚାରି ଆଠଜଣ ଗରାଖଙ୍କପାଇଁ ଫୋନ୍ ରଖା ହୋଇଛି । କଣ ଲାଭ କହନ୍ତୁ ?

 

–ଲାଭ ? ଲାଭ କୁଆଡ଼ୁ ହବ ? ଫୋନ୍ ଡକରା ଆସିଲେ ଚାବି ଆଣି ତାଲା ଖୋଲୁ ଖୋଲୁ ସେ ଲୋକ ଗଲାଣି । ଶୁଣେ ସେଇ ଭେଣ୍ଡିଆ ଚାକର ।

 

ବାବୁମାନେ ବାହାରୁ ଫେରିଲେ ମାନେଜର ହସି ହସି ଜଣକୁ କହନ୍ତି–ଆଜ୍ଞା, ଆପଣଙ୍କ ପାଇଁ ଆଜି ଫୋନ ଡାକରା ଆସିଥିଲା ।

 

–କିଏ ଡାକୁଥିଲା ?

 

–ମୁଁ କେମିତି ଜାଣିବି ? ...କିଏ ଆପଣଙ୍କୁ ସାଧାରଣତଃ ଡାକେ ?

 

ବାବୁଟି ବିରକ୍ତ ହୋଇ କହନ୍ତି–ଅନେକ ଲୋକ ଡାକନ୍ତି... ଓଃ ...ଏ ହୋଟେଲ ଆମକୁ ଆଛା ହଇରାଣ କରୁଛି !

 

ବାବୁଜଣକ ମେଳା ବସାନ୍ତି–ଏ ହୋଟେଲ ଗୋଟାଏ ଅନୁଷ୍ଠାନ...ଏଠି ରହିଲେ ମଣିଷ ମରିବାକୁ ବାଧ୍ୟ...ଏଠି ଖାଇଲେ କମ୍ କରି ଖାଇବ, ନଇଲେ ସିଧା ମଶାଣି...ଯେତେ ପଚା ଜିନିଷ, ଯେତେ ସଢ଼ା ଜିନିଷ–ସବୁ ଏଇଠି ରନ୍ଧା ହୁଏ ଆମରି ପାଇଁ ।

 

–ଶଙ୍କର ହୋଟେଲର ପରା ଯଷ୍ମା–ଡାକ୍ତରଙ୍କ ସାଙ୍ଗରେ ଅଧାଅଧି ଭାଗ ଅଛି ...ସେ ଏଠି ରୋଗୀ ତିଆରି କରୁଛି... ।

 

ଆଉ ଜଣେ କହେ–ଖାଲି ଏତିକି ? ଥରେ ଜଣେ ବୁଢ଼ା ଭଦ୍ର ଲୋକଙ୍କଠୁ ଦିନକୁ ଛଅଟଙ୍କା କରି ନେଇ ମାନେଜର ଦୋମହଲାରେ ରଖେଇଥିଲା । ରାତିରେ ବର୍ଷା କାଚିଲା–ବୁଢ଼ାବାବୁଟି ଘୋଡ଼ିଘାଡ଼ି ହୋଇ ଶୋଇବାକୁ ବାହାରିଲାବେଳକୁ ଛାତରୁ ଟପ୍ ଟପ୍ ପାଣି । ବାବୁ ଆଉ ଶୋଇବେ କଣ ? ସେଇ ରାତିରେ ମାନେଜର ବାବୁଙ୍କ ଦୁଆର ଖଡ଼ ଖଡ଼ କଲେ । ମାନେଜରବାବୁ ଜାଣି ପାରିଲେ–ନ ଜାଣନ୍ତେ କେମିତି ? ବର୍ଷା ତ ହଉଛି । ମୋଟେ ଉଠିଲେ ନାହିଁ-। ବାବୁଟି ରାତିଯାକ ଘର ଭିତରେ ଟହଲ ମାରିଲେ । ମାନେଜର ମନି ବ୍ୟାଗଟାକୁ ତକିଆତଳେ ଚାପିରଖି ଆରାମରେ ଶୋଇଲା । ସକାଳ ହେଉ ନ ହେଉଣୁ ବାବୁଟି ଶୋଧିବାରେ ଲାଗିଲେ–ମତେ ନିଉମୋନିଆ ହେଲେ ମାନେଜର କଣ ମତେ ଟଙ୍କା ଦେଇ ଭଲ କରିବ ?

 

ଆଉ ଜଣେ କହିଲା–କରିବ ! କରିବ, ଯଦି ତାକୁ ଆପଣ ରୋଗୀର ଚାର୍ଜ ଦେବେ...ସେ ସବୁ କଲାଣି ଖାଲି ଗୋଟିଏ ବଖରା ଡାକ୍ତରଖାନା କରି ନାହିଁ ... କଲେ ସେଠି ଗିଲାସେ ପାଣିକୁ ଚାରଣା କରି ବିକିବ, ଆଉ ରୋଗୀ ମରିବା ଯାଏ ସେ ବିଲ୍ କରୁଥିବ । ବାବୁ ବିରକ୍ତ ହୋଇ ହୋଟେଲ ଛାଡ଼ିଲେ, କିନ୍ତୁ ମାନେଜର କବାଟ ଖୋଲିଲା ନାହିଁ, କହିଲା ତାର ମୁଣ୍ଡ ବିନ୍ଧୁଛି ।

 

ଆଉ ଥରେ ମାନେଜରଙ୍କର ଜଣେ ଚିହ୍ନା ଧନୀ ଲୋକ ହୋଟେଲକୁ ଆସିଲେ । ସେ ଦି’ମାସ, ମାସକରେ ଥରେ ଦଶଟଙ୍କା ଭଡ଼ାଦେଇ କୁଆଡ଼େ ବାବୁପରି ଖାତିର ପାଇ ହୋଟେଲରେ ରହନ୍ତି । ତାଙ୍କ ଭାଗରେ ଥରେ ସେଇ ଦୋମହଲା ଘର ପଡ଼ିଲା । ବର୍ଷା ଛାଡ଼ି ଯାଇଥାଏ । ମାନେଜର ଖାଲି ଆକାଶକୁ ଚାହିଁ ଚାହିଁ କହୁଥାଏ “ଅକ୍ଟୋବର ମାସ ହେଲାଣି ଆଉ ବର୍ଷା ହବ ନାହିଁ, ଯାହା ବର୍ଷା ହବାର ହେଇଗଲା ।” ସେ ପଚାରିଲେ–କି, ଏ ଘର କାହିଁକି ଓଦା ହେଇଛି ? ମାନେଜର କହିଲା–’ଆପଣ ଆସିବେ ବୋଲି ସଫା କରୁଥିଲି ।’ କାଲି ରାତିଯାକ ପରା ବର୍ଷା ହଉଥିଲା–ଏଇ ଛାତ ଭିତର ଦେଇ ଘର ଭିତରେ ।’ ମାନେଜର ସାଙ୍ଗେ ସାଙ୍ଗେ ରାଗିଯାଇ ଏଡ଼େ ପାଟି ଆରମ୍ଭ କଲା ଯେ ସେ ଗରାଖ ଦି ଘଣ୍ଟାରେ ହୋଟେଲ ଛାଡ଼ି ଚାଲିଗଲା ।

 

ବଡ଼ ମଜାଦାର ହୋଟେଲ । ସେଠି ବଖରାର ଭଡ଼ା ଲୋକ ଉପରେ ନିର୍ଭର କରେ । ଚାକରମାନେ ଭାରି ଶିକାରୀ । ଦାମିକା ବାବୁ ଆସିଲେ ଜିନିଷ ଦାମ ବଢ଼େଇ ଦିଅନ୍ତି । ବେଳ ଅବେଳ ବୁଝି ଦାମ ବଢ଼ାନ୍ତି । ସେଥିରେ ବି ମଜା ଅଛି–କେହି ଯଦି ଖରାବେଳେ ଚା’ ମାଗିଲା ବୁଢ଼ା ସିଧା ସିଧା କହିଦିଏ–ଦି’ଘଣ୍ଟା ପରେ ହୋଟେଲର ଚୁଲୀ ଜଳିବ । ଏବେ ଚା’ କରିବାକୁ ହେଲେ ଚୁଲୀ ଲଗାଇବା ଖର୍ଚ୍ଚ ଚାରଣା ଦେବାକୁ ହେବ ।

 

ସେଥିପାଇଁ ହୋଟେଲରେ ହପ୍ତାଏ ଦି’ହପ୍ତା ରହିଲା ପରେ କଳି ହୁଏ । କଳି କରିବାର ଅନେକ ଉପାୟ ଅଛି । ହୋଟେଲର ନିୟମ ଯେ ରାତି ନଅଟା ବାଜିଲେ ଚାକରମାନଙ୍କର ଛୁଟୀ–ସେଇଟା କୁଆଡ଼େ ସରକାରୀ ଆଇନ ବୋଲି ମାନେଜରଙ୍କୁ ଜିଲ୍ଲା ମାଜିଷ୍ଟ୍ରେଟ ନିଜେ କହିଥିଲେ । ସେଥିପାଇଁ ରାତି ନଅଟା ବାଜିଲେ ଚାକରମାନେ ଆଉ ବାବୁମାନଙ୍କୁ ପରଷିବେ ନାହିଁ । ଖାଇବା ଜିନିଷ ଢାଙ୍କି ତାଙ୍କ ବଖରାରେ ଥୋଇ ଦିଅନ୍ତି । ସେଥିପାଇଁ ଯେଉଁ ଦିନ ତାଙ୍କ ମନକୁ ଆସେ ଚାକରମାନେ ଘଡ଼ି କଣ୍ଟା ମୋଡ଼ିଦେଇ ନଅଟା କରି ଦିଅନ୍ତି । ବାବୁ ଆସିଲେ କଳି ଲାଗେ । ଖାଇବା ଜିନିଷ ଥଣ୍ଡା–ତେଲର ଗନ୍ଧ, ସଢ଼ା ପରିବାର ଗନ୍ଧ ପଦାକୁ ବାହାରେ । ମାନେଜର ଚାକରଙ୍କ ପଟ ନିଏ ।

 

ବେଶି କଳି ଲାଗିଲେ ମାନେଜର କହେ–ଯିବାକୁ ଚାହିଁଲେ ଯାଇ ପାରନ୍ତି ।

 

ବାସ୍... ଜିନିଷ ପତ୍ର ସଜଡ଼ା ହୁଏ ।

 

ସେଠୁ ହୁଏ କଳି । ସେ ବର୍ଷିକିଆ ଗରାଖ । ମାନେଜର କହିବାରୁ କୋଡ଼ିଏ ଦିନରେ ଗଲେ । ସେ ବାର୍ଷିକିଆ ରେଟରେ ଟଙ୍କା ଦେବେ, ଆଉ ମାନେଜର ଦିନିକିଆ ରେଟରେ ଟଙ୍କା ଦାବି କରନ୍ତି ।

 

ଲାଗେ ଗୋଳମାଳ । ଧର୍ମ, ନ୍ୟାୟ, ନୀତି, ପୁଲିସ, ମାଜିଷ୍ଟ୍ରେଟ–ସମସ୍ତଙ୍କର କଥା ପଡ଼େ । ସବୁ ଗରାଖ ଆସି ଯୋଗ ଦିଅନ୍ତି । ସେଇଠୁ ଗରାଖ ବାଧ୍ୟ ହୋଇ କହେ–ମୁଁ ଇନକମଟାକସ୍‍କୁ ଜଣେଇ ଦେବି ଯେ ଏଠି ଦି’ଟା ଖାତା । ମାନେଜର ସେତିକିକୁ ଡରେ, ତା ପରେ ଲୁଚି ଲୁଚି ବୁଲେ ।

 

ଗୋଟିଏ ପରେ ଗୋଟିଏ ବର୍ଷିକିଆ ଗରାଖ ହେଇ କଳି ଲଗାନ୍ତି । ଆଉ ଶେଷକୁ ଇନକମଟାକସ୍‍ ନାଁ କହି, ଧମକ ଦେଇ, ସେଇ ରେଟରେ ଟଙ୍କା ଦେଇ ଆଗରୁ ଚାଲିଯାନ୍ତି ।

 

ଉପାୟ ନାହିଁ । ଏ ବର୍ଷିକିଆ ଭଡ଼ାବାଲାଙ୍କୁ ନ ତଡ଼ିଲେ ଆଉ ବାଟ ନାହିଁ । ଶଙ୍କରବାବୁ ମାନେଜର ବାବୁଙ୍କ ସାଙ୍ଗରେ ପରାମର୍ଶ କରି ବର୍ଷିକିଆ ରେଟ୍ ଉଠେଇ ଦେଲେ । ଖାଲି ରହିଲା ମାସିକିଆ ଓ ଦିନିକିଆ ରେଟ୍ । ମାନେଜର ନାକ ଟେକି, କପାଳ କୁଞ୍ଚେଇ ସବୁବେଳେ ସେଇ କଥା ଭାବୁଥାନ୍ତି ଆଉ କହୁଥାନ୍ତି ।

 

ମାସିକିଆ ଗରାଖ ବି କମ୍ ଗୋଳମାଳ କରନ୍ତି ନାହିଁ । ଚାରି ଆଠଦିନ ରହିଗଲେ କଳି ଲାଗେ–ଖାଇବା ଜିନିଷ ନଷ୍ଟ ହେବାରୁ ।

 

–ଏ ସବୁ କଣ ହେଉଛି ? ନ ଖାଇବ ତ ମାଗିବା ଦରକାର କଣ ? ନଷ୍ଟ କରିବାକୁ ମତେ ଭଲଲାଗେ ନାହିଁ ।

 

–କେମିତି ଜାଣିବୁ ଯେ ଏ ହୋଟେଲରେ ଖାଲି ବାସି ଆଉ ସଢ଼ା ଜିନିଷ ରନ୍ଧା ହଉଛି ବୋଲି ?

 

–ସେମିତି କହି ପାରିବେ ନାହିଁ ।

 

–କଣ ମ୍ୟୁନିସିପାଲିଟିକୁ ଲେଖିବା ? ତାଙ୍କ ମେହେନ୍ତର ଆସି ତମର ଭାତ ତରକାରୀ ଏଇ ନଳାରେ ନ ଢାଳିଲେ ତମେ ବାଗକୁ ଆସିବ ନାହିଁ ।

 

ମାନେଜର ନାକ ଟେକି କପାଳ କୁଞ୍ଚେଇ କହେ–ହଉ ବାବୁ, ଆପଣ ଦୟାକରି ଚାଲି ଯାଆନ୍ତୁ । ଆମ ହୋଟେଲ ଥିଲେ ବହୁତ ଗରାଖ ଆସିବେ । ସେ ଲୋକ ବି ଯାଏ–ମାସିକିଆ ରେଟରେ ଭଡ଼ା ଦେଇ ।

 

ଏମିତି କଲେ ଆଉ ହବ ନାଇଁ । ମାସିକିଆ ଗରାଖ ଆଗତୁରା ଦେବେ–ଦିନେ ରହିଲେ ଯାହା, ମାସେ ରହିଲେ ସେଇଆ । ତେଣିକି କଳି ହୁଏ ଅଗ୍ରିମ ଉପରେ । ତେଣୁ ଶଙ୍କରବାବୁ ଉପାୟ କଲେ ଯେ ଅଗ୍ରିମ ସେ ନେବେ ଆଉ ମାନେଜର ରାମବାବୁ ହୋଟେଲ ଚଳେଇବେ । ତେବେ ଯାଇ ଗରାଖ ସାଧ୍ୟ ହେବେ ।

 

ଜଣେ ବାବୁ ଆସିଲେ । ସେ ଅଗ୍ରିମ ଦେବେ ନାହିଁ । ଏଇ କଥା ଠିକ୍ ହେଉ ହେଉ ଦି’ ଦିନ ହେଇଗଲା । ସେ ଅଗ୍ରିମ ନ ଦେବାକୁ ନାଛୋଡ଼ବନ୍ଧା, ଆଉ ମାନେଜର ଦି’ଦିନର ଭଡ଼ା ଛାଡ଼ି ପାରୁ ନାହିଁ । ଦୁଇଦିନରୁ ତିନିଦିନ, ଚାରିଦିନ, ପାଞ୍ଚଦିନ–ଶେଷକୁ ହେଲା ମାସେ । ପ୍ରତିଦିନ କଳି–ଅଗ୍ରିମ କାହିଁ ? ଦିନିକିଆ ଭଡ଼ା କାହିଁ ?

 

ଦିନେ ସକାଳେ ବାବୁଟି ପଚାଶ ଟଙ୍କା ଧରି ମାନେଜରଙ୍କ ଟେବୁଲ ପାଖରେ ହାଜର–ନିଅନ୍ତୁ । ଗଲା ମାସର ପାଇଁଚାଳିଶ–ଆଉ ଅଗ୍ରିମ ପାଞ୍ଚ ।

 

–ନା, ଆଉ ଚାଳିଶି ଦେବାକୁ ହେବ ।

 

–ଦେବି । ସକାଳ ଗାଡ଼ିରେ ରଥ ଦେଖି ଯାଉଛି, ଫେରିଲେ ଦେଇଦେବି... ଏତକ ରଖନ୍ତୁ ।

 

ମାନେଜର ନାରାଜ–ଶଙ୍କରବାବୁ ଚିଡ଼ିବେ । ବାବୁ ନାରାଜ–ସେ ମାଲିକ ଫାଲିକ ଜାଣନ୍ତି ନାହିଁ–ଏକା ମାନେଜର ବାବୁଙ୍କୁ ଜାଣନ୍ତି । ତହିଁ ଆରଦିନ ସକାଳେ ସେ ସବୁ ଟଙ୍କା ଦେଇଦେବେ ।

 

ମାନେଜର ଟଙ୍କା ରଖିଲେ ନାହିଁ–ବାବୁ ଗଲେ ପୁରୀ । ଏଣେ ଶଙ୍କରବାବୁ ବହୁତ ବିରକ୍ତ ହେଲେ ରମବାବୁଙ୍କ ଉପରେ–ସେ ଟଙ୍କା ରଖିଲେ ନାହିଁ ବୋଲି । ଜିନିଷ ଥିଲେ ବି ତାର ଦାମ୍ କେତେ ହବ ?

 

ବାବୁ ହୋଟେଲରେ ପହଞ୍ଚିବା ସାଙ୍ଗେ ସାଙ୍ଗେ ରାମବାବୁ ନାକ ଟେକି କପାଳ କୁଞ୍ଚେଇ ଟଙ୍କା ମାଗିଲେ । ବାବୁଟି ପକେଟରୁ କାଢ଼ିଲେ କୋଡ଼ିଏ ଟଙ୍କା ।

 

–ଆଉ ସତୁରୀ ?

 

–କାହିଁ ? ପଚାଶ ତ ଥିଲା, ପୁରୀରେ ଖର୍ଚ୍ଚ ହୋଇଗଲା...ପରେ ଦେବି ।

 

–କାଲି ?

 

–ନା ।

 

–ତେବେ ? ମାସ ପରା ପୂରି ଗଲାଣି, ଅଗ୍ରିମ ନ ଦେଇ ବାକିଆ ରଖିବେ ?

 

–ଆଉ କଣ ? ତମ ଘର ଖାଲି ପଡ଼ିଥିଲା, ଲୋକ ପଳଉଛନ୍ତି । ମୁଁ ତ ପୁରୀରୁ ଯାଇ ଫେରି ଆସିଲି–ଇଏ କଣ ଯଥେଷ୍ଟ ନୁହେଁ ?

 

ମାନେଜର ବାବୁ କୋଡ଼ିଏ ଟଙ୍କା ହାତରେ ମୁଠେଇ କପାଳ କୁଞ୍ଚେଇ ଭାବିଲେ–ଇନକମଟାକସ୍‍ ଡରରେ ଚଳିଲାଦିନୁ ଶଙ୍କର ହୋଟେଲ ହତଶ୍ରୀ ହୋଇଗଲାଣି ।

 

–ଦେବି ମୁଁ... ଆପଣଙ୍କ ଇନକମଟାକସ୍‍ ଖାତାଭୁଲ ହେବ ନାହିଁ.... ।

 

–ହଉ ଦେବେ ତ ! ତ୍ରସ୍ତ ସ୍ୱରରେ ରାମବାବୁ କହିଲେ, କିନ୍ତୁ ମନେ ମନେ ଚିଡ଼ୁଥିଲେ ଶଙ୍କର ବାବୁଙ୍କ ଉପରେ । ଦି’ଟା ହିସାବ ନ ରଖୁଥିଲେ ଏଇ ହୋଟେଲ ଭାତଥାଳି ହୋଇଥାନ୍ତା ।

 

ବାବୁଟି ତାଙ୍କ କୋଠରୀ ଭିତରକୁ ଗଲେ, ଆଉ ମାନେଜର ଗଲେ ଶଙ୍କର ବାବୁଙ୍କ ପାଖକୁ । ଗଲାବେଳେ ସାଇନବୋର୍ଡ଼କୁ ଚାହିଁଲେ–ଢାଉଆ କୋଠାରେ ନେଳି ପଟାରେ ଲେଖା ହୋଇଛି–‘‘ଶଙ୍କର ହୋଟେଲ”

★★★

 

ବିଚ୍ଛେଦ

 

ଚିହ୍ନାଲୋକ ସେଇ ନାଲି ରାସ୍ତା ଉପରେ ଗଲା ଆଇଲା ବେଳେ ଟିକିଏ ନଇଁପଡ଼ି ନିରେଖି ଚାହାନ୍ତି–ସେଇ ନୁଆଣିଆଁ କୁଡ଼ିଆ ଭିତରକୁ–ସେଇଟା ବିଶ୍ଵନାଥର ଘର । ଦୁଆର ଭିତରେ ଝଙ୍କାଳିଆ ପିଜୁଳିଗଛଟା ଘରର ମଥାନ ଉପରକୁ ଉଠିଆସି ରାସ୍ତାରୁ ଘରର ନିଶାଣ ଦିଏ । ବିଶ୍ଵନାଥକୁ ଚିହ୍ନିଥିବା ଲୋକେ, ବିଶ୍ଵନାଥର ଗୁଣ ମନେ ପକେଇ ମଦଭାଟିକୁ ଗାଳି ଦିଅନ୍ତି । ନିଶାପାଣି ନ ଥିଲେ ଏଡ଼େ ସୁନ୍ଦର ଚିତ୍ରକରଟିଏ ମାଟି ହେଇ ନଥାନ୍ତା–ମଣିଷ ପରି ମଣିଷଟିଏ ହେଇଥାନ୍ତା ।

 

ବେଳେବେଳେ ଘର ପିଣ୍ଡାରେ ଗୋଡ଼ ଦେଇ ଘର ଭିତରକୁ ମୁହଁମାଡ଼ି ପଡ଼ିଥାଏ ବିଶ୍ଵନାଥ । ଦିନେ ସେ ମାଟିରେ ପ୍ରତିମା ଗଢ଼ି ସେଇ ମାଟିର ପ୍ରତିମାକୁ ରଙ୍ଗରଙ୍ଗିଆ ପୋଷାକ ପିନ୍ଧେଇ ଗଲା ଆଇଲା ଲୋକର ଆଖିକୁ ଟାଣି ପାରୁଥିଲା । ସେଇ ବିଶ୍ଵନାଥ ଆଉ ନାହିଁ ।

 

ଅଛି ତାର ସ୍ତ୍ରୀ କେତକୀ, ଆଉ ଅଛନ୍ତି ତାର ତିନୋଟି ପିଲା । ଗୋଟିଏ ଅଠର ବରଷର ଭେଣ୍ଡା ପୁଅ ଆଉ ଯୋଡ଼ିଏ ଝିଅ–ଟୁନୀ ଆଉ କୁନି । ଟୁନୀ କେବଳ ବାପ ପାଇଁ ପରଘରକୁ ଯାଇପାରି ନାହିଁ । ପରଘରକୁ ଯିବାର ସମ୍ବଳ ତା ବାପର ଆଉ ନାହିଁ । ସେତକ ଚାଲି ଯାଇଛି ମଦ ଦୋକାନର ପଟାଦାର ହାତକୁ ।

 

ବେଶି ଦିନର କଥା ନୁହେଁ–ଏକ ପାଞ୍ଚ ବର୍ଷର କଥା । ବିଶ୍ଵନାଥ ଏମିତି ନିଖୁଣ ପ୍ରତିମା ଗଢ଼ିପାରୁଥିଲା ଯେ ଲୋକେ କହୁଥିଲେ ବିଶ୍ଵନାଥର ମୂର୍ତ୍ତିଗୁଡ଼ିକ ମାଟିର ନୁହନ୍ତି–ରକ୍ତ ମାଂସର ଜୀବନ୍ତ ଶରୀର ନେଇ ସେମାନେ ସତେ ଯେପରି ଚାହାନ୍ତି, ଆଉ ନିଶ୍ଵାସ ମାରନ୍ତି । ଭଗବାନ ବିଶ୍ଵନାଥ ହାତରେ ସେଇ କଳା ଦେଇ ପଠେଇ ଦେଇଥିଲେ ଗୋଟିଏ ନିରକ୍ଷର ପରିବାର ଭିତରକୁ-। ତାର ବାପା ଥିଲେ ଚିତ୍ରକର । ଅଜା ପଣଅଜା ଥିଲେ ବି ଚିତ୍ରକର । ଚିତ୍ରକର ସାହିରେ ଚିତ୍ରକର ବଂଶରେ ତାର ଜନ୍ମ ।

 

କଳା ଭବନରେ ସେ ପାଠ ପଢ଼ି ନାହିଁ । ମୂଳରୁ ସେଇ କୌଳିକ ବ୍ୟବସାୟ । ସେ ବି କେବଳ ଅନୁଭବରୁ–ଅନ୍ଧର ବାଟ ଚିହ୍ନା ପରି ଶିଖିଥିଲା, ଜାଣିଥିଲା ଆଉ ପାଇଥିଲା । ମନର ଅଦ୍ଭୁତ ଶକ୍ତିରେ ସେ ସୌନ୍ଦର୍ଯ୍ୟର ପସରା ମାଟି ବାଲି ଉପରେ ଖେଳାଇ ପାରୁଥିଲା । ଚଞ୍ଚଳ ଚଞ୍ଚଳ ହାତ ଚଳାଇ ସେଇ ମାଟି ପିଣ୍ଡୁଳା ଉପରେ ଯେଉଁଠି ଟିକେ ଟିକେ ହାତ ମାରି ଦେଉଥିଲା, ସେଥିରୁ ଗୋଟିଏ ଗୋଟିଏ ଅପୂର୍ବ ପ୍ରତିମା ବାହାରି ଆସି ଛିଡ଼ା ହେଉଥିଲେ–ଶାଗୁଆ ଗଛ ଭିତରୁ ରଙ୍ଗୀନ ଫୁଲ ପରି ।

 

ସେତେବେଳେ ବିଶ୍ଵନାଥ କେତେ ଆଶା କୁସୁମ ତୋଳି କେତକୀ ଆଡ଼କୁ ଚାହୁଁଥିଲା । କେତକୀର ପିଲା ତିନୋଟିଙ୍କୁ ପାଖରେ ବସାଇ, ତାଙ୍କୁ ଖେଳାଇବାକୁ, ହସାଇବାକୁ ଯାହାକୁ କଣ୍ଢେଇ ବୋଲି କହି ଆଖି ପିଛୁଳାକେ ଗଢ଼ି ଥୋଇ ଦେଉଥିଲା–ସେଇ ଗୁଡ଼ିକ ଥିଲେ ସେହି ଚିତ୍ରକର ସାହିରେ ଅତୁଳନୀୟ ।

 

ଓଦା ମାଟି ପିଣ୍ଡୁଳାକୁ ସେ ଘୋଡ଼ାରୁ ହାତୀ, ହାତୀରୁ କୁକୁର, ବିରାଡ଼ି, ମଣିଷପରି ବଦଳାଇ ଦେଉଥିଲା । ସବୁ ଥିଲା ସତେ ଯେପରି ତାର ଆଙ୍ଗୁଠି ଅଗରେ । ପିଲାଏ ଖେଳି ହାଲିଆ ହୋଇଯାଆନ୍ତି, ଆଉ ଚାହାନ୍ତି ନାହିଁ ସେହି କଣ୍ଢେଇକୁ । ବିଶ୍ଵନାଥ କେଉଁଠି ଟିକିଏ ପାଣି, କେଉଁଠି ଟିକିଏ ହାତ ମାରି ଦେଇ ଶୁଖେଇଦିଏ । ଶେଷକୁ ସେଥିରେ ରଙ୍ଗ ଲଗାଇ ଛାଡ଼ିଦିଏ ବଜାରକୁ ।

 

ଗରାଖ ଯେତେବେଳେ ଖୋଜି ଖୋଜି ସେଇଗୁଡ଼ିକୁ ବାଛି କରି କିଣି ନିଏ, ବିଶ୍ଵନାଥ ହସି ମନକୁ ମନ କହେ–ଯାହାକୁ ମୋରି ପିଲାଏ କିଛି ନୁହେଁ ବୋଲି ଫୋପାଡ଼ି ଦେଉଛନ୍ତି, ସେଇ ହେଉଛି ଦୁନିଆ ହାଟରେ ବଡ଼ ସଉଦା ।

 

ତାର ଗୋରା ଦେହ ଯେପରି ହଠାତ୍ ଉଜ୍ୱଳ ଦିଶେ । କେତକୀର ଆଖିରେ ପଲକ ପଡ଼େ ନାହିଁ । ସେ ସେହି ଅପଲକ ଚାହାଣୀରେ ଚାହିଁରହେ ବିଶ୍ଵନାଥର ମୁହଁକୁ–ମଣିଷରେ ଗୋଟାଏ ମଣିଷ । କେତକୀର ମନରେ ଭଗବାନଙ୍କ ପ୍ରତି ଅଶେଷ କୃତଜ୍ଞତା ଝରିଆସେ ।

 

ଏଇଟା ବିଶ୍ଵନାଥର ଅହଙ୍କାର–କେତକୀର ବଡ଼ ଗର୍ବ । କେତକୀ ବି ଚିତ୍ରକର ଘରର ଝିଅ, ଚିତ୍ରକର ଘରର ବୋହୂ । ସେ ନିଜେ ବି ପ୍ରତିମା ଗଢ଼ି ଜାଣେ, ପ୍ରତିମା ଉପରେ ରଙ୍ଗ ବୋଳି ପ୍ରତିମାକୁ ପ୍ରାଣବନ୍ତ କରିପାରେ । କିନ୍ତୁ ଯେତେ ହେଲେ ବି ବିଶ୍ଵନାଥର କଳା ପରି ହୁଏ ନାହିଁ । ସଂଯତ ଛାତ୍ରପରି କେତକୀ ବିଶ୍ଵନାଥର ହାତକୁ ମାଲମସଲା ବଢ଼େଇ ଦିଏ ।

 

ସେତେବେଳେ ବିଶ୍ଵନାଥ ନିଶାପାଣି ଛୁଇଁ ନଥିଲା । ତାର କେବଳ ଗୋଟିଏ ନିଶା ଥିଲା–ସେ ହେଉଛି କେତକୀ । ସେହିଛୋଟିଆ ଘରର କେତକୀ ଥିଲା ମାଲିକ, ଚାକର, ଅଧିକାରୀ–ସବୁ । ସେଇ ବିଶ୍ଵନାଥକୁ ରାନ୍ଧିକରି ଖାଇବାକୁ ଦିଏ, ବିଶ୍ଵନାଥର ତିନୋଟି ପିଲାଙ୍କୁ ପାଳି ମଣିଷ କରେ, ବିଶ୍ଵନାଥ ହାତକୁ କାମର ଜିନିଷପାତି ବଢ଼େଇଦିଏ, ଗରାଖଙ୍କୁ ବିକିଲାବେଳେ ବିଶ୍ଵନାଥକୁ ସାହାଯ୍ୟ କରେ, ଘରର ଖର୍ଚ୍ଚ ରଖେ ଓ ବିଶ୍ଵନାଥକୁ ଉତ୍ସାହ ଦିଏ ।

 

ବାହାହେଇ ଆସିଲାବେଳେ ବିଶ୍ଵନାଥର ବାପ ମା କେହି ନ ଥିଲେ–ଘରକୁ ଏକା । ସେଇ ବିଶ୍ଵନାଥକୁ ମଣିଷ କରିଛି ।

 

କେତକୀ ନ ଖାଇଲେ ବିଶ୍ଵନାଥର ପାଟିକି ଭାତ ଯାଉ ନ ଥିଲା । କେତକୀର ମୁହଁ ଶୁଖିଲା ଦିଶିଲେ ବିଶ୍ଵନାଥର ଆଖି ଶଙ୍କାଗ୍ରସ୍ତ ଦିଶୁଥିଲା । କେତକୀ ଜରରେ ପଡ଼ିଲେ ବିଶ୍ଵନାଥର ଆଖି କଷା ପଡ଼ୁ ନ ଥିଲା । ମୂର୍ତ୍ତି ଗଢ଼ିଲାପରି ବିଶ୍ଵନାଥ କେତକୀକୁ ଗଢ଼ି ପାରେ ନାହିଁ ସତ, କିନ୍ତୁ ତାର ଆଖିରେ, ମୁହଁରେ, ଦେହରେ ଟିକିଏ ହସ ଖେଳାଇବାକୁ ବିଶ୍ଵନାଥ ତାର କଳାକାର ହୃଦୟର ପ୍ରାଣଭରା ବ୍ୟାକୁଳତା କେତକୀ ଅଜାଡ଼ିଦିଏ ।

 

ଛୁଆକୁ ଗାଧୋଇଦେଲେ କେତକୀ ଆଖିରେ ଛୁଆଟି ଯେମିତି ସୁନ୍ଦର ହୁଏ, ହସି ହସି କୋଳକୁ ଡେଇଁପଡ଼େ, ବିଶ୍ଵନାଥ ସେହିପରି ତାହାର ଯନ୍ତ୍ର ଓ ଏକାନ୍ତ ସ୍ନେହ ଭିତରେ କେତକୀକୁ କେତକୀ ପରି ଗଢ଼ିଥିଲା ।

 

ଗରିବର ସଂସାର ହେଲେ ବି ସେ ଘର ସବୁବେଳେ ହସୁଥିଲା । ବାହାରୁ ପାଠୁଆବାବୁ ମାନେ ବିଶ୍ଵନାଥକୁ ଚିତ୍ରକଥା ପଚାରନ୍ତି । ବିଶ୍ଵନାଥର କଥା ଶୁଣି ଆପଣା ଆପଣା ଭିତରେ ଇଂରାଜୀରେ କଥାଭାଷା ହୁଅନ୍ତି, ପୁଣି କେତେ କଥା ପଚାରନ୍ତି । ସେମାନେ ଚାଲିଗଲେ କେତକୀ ପୁଣି ଓଢ଼ଣା ଖୋଲି ଘରକୋଣରୁ ବାହାରି ଆସି ପଚାରେ,

 

–ବାବୁମାନେ କିଛି କିଣିଲେ ନାହିଁ ତ ?

 

–ପଢ଼ୁଆ ବାବୁମାନେ ଆମ ମୁର୍ଖଙ୍କ କଥା ବୁଝିବାକୁ ଆସିଥିଲେ.....ଆମେ ମୁର୍ଖମାନେ କେମିତି ଚିତ୍ର ଆଙ୍କୁ ସେଇକଥା ପଚାରି ଆସିଥିଲେ ।

 

–କଣ କହିଲେ ?

 

–କେଜାଣି ? ତାଙ୍କ ଭିତରେ କଣ ଇଂରିଜିରେ କଥାଭାଷା ହେଲେ । କହୁଥିବେ ମୁର୍ଖଙ୍କର ବୁଦ୍ଧି ଅଛି, ଆଉ ପାଠ ପଢ଼ା ନାହିଁ–ଏଇଆ ତ’, ଆଉ କଣ ?

 

–ତମେ କହିଦେଲ ନାହିଁ ? ମୁଁ ହେଇଥିଲେ କହିଥାନ୍ତି ଯେ ବାବୁ, ତମର ପାଠ ଅଛି, ବୁଦ୍ଧି ନାହିଁ...ଇଂରିଜି କହୁଛ ସିନା ହେଲେ ହାତରେ ମୂର୍ତ୍ତିଟିଏ ଗଢ଼ି ପାରିବ ନାହିଁ । କରି ଦେଖେଇଦେଲ ?

 

–ହଁ, ସେମାନେ କ’ଣ କରିବେ ? ସେମାନେ ମୂର୍ତ୍ତି ଗଢ଼ି ପେଟ ତ ପୋଷି ପାରିବେ ନାହିଁ, ଚାକିରୀ କରି ପେଟ ପୋଷିବେ...କଣ ଗୋଟାଏ ଖିଆଲ ହେଲା ବୋଲି ପଚାରିବାକୁ ଆସିଥିଲେ...ମତେ ନ ପଚାରି ଆଉ କାହାକୁ ପଚାରିବାକୁ ଆସିଥିଲେ, ଆମେ କଣ ତାଙ୍କୁ ନାହିଁ କରିଥାନ୍ତେ ?

 

–ନାଇଁ ମ, ଯେବେ ଆସିବେ ତାଙ୍କୁ ପଦେ ଶୁଣେଇବା କଥା ।

 

–ଛି, ଏଇଟା ପରା ଆମର କୁଳର ପେଶା... ଆମେ ତ ଏଇଆ କରି ଘର କରିଛୁ, ପେଟ ପୋଷୁଛୁ, ପିଲାଙ୍କୁ ମଣିଷ କରୁଛୁ । ସେମାନେ ଜାଣିବେ ସିନା, କରି ପାରିବେ ନାହିଁ ।

 

କେତକୀ ବିହ୍ୱଳ ଆଖିରେ ବୁକୁଭରା ଉଚ୍ଛ୍ଵାସ ନେଇ ବିଶ୍ଵନାଥ ଆଡ଼କୁ ଚାହିଁରହେ ।

 

ଏଇ ବିଶ୍ଵନାଥ ହଠାତ୍ ଦିନେ ଝାଡ଼ା ବାନ୍ତିରେ ଆକେତା ହୋଇ ପଡ଼ିଲା । କେତକୀ ଆଖିରେ ଦିନ ଆଲୁଅରେ ବି ଜୁଳୁଜୁଳିଆ ପୋକ ବାହାରିଗଲା–ସେ କି ବୁଦ୍ଧି କରିବ ? ତା ସ୍ଵାମୀ କଥା କହୁ ନାହିଁ... । ପ୍ରାଣ ବିକଳରେ ସେଦିନ ସେ ଧାଇଁ ଯାଇଥିଲା ପଡ଼ୋଶୀ ଧଡ଼ିଆ ପାଖକୁ–ଆରେ କଣ କରିବି, ମତେ ବୁଦ୍ଧି ଦେ... ସେ ତ କିଛି କହୁ ନାହାନ୍ତି ।

 

–ଆରେ ତାର ତ ପେଟ ବିଗିଡ଼ିଛି, ସେମିତି କାହିଁକି ହଉଛ ? ...କେତେ ଲୋକଙ୍କୁ ତ ଝାଡ଼ାବାନ୍ତି ହଉଚି–ଏଇ ଦି ଚାରି ଦିନରେ ବଳେ ଭଲ ହେଇଯିବ ନାଇଁ ଡାକ୍ତରଖାନା ଗଲେ ?

 

–ଏଁ ! କି ରୋଗୀ ନାଇଁ କି ରୋଗୀଙ୍କ ମେଳରେ ମୁଁ ତାଙ୍କୁ ପକେଇ ଦେବି ? ନାଇଁ...ମୁଁ ଘୁଅମୂତ କରିବି, ମୁଁ ମୋର ଗହଣା ଗାଣ୍ଠି ଦିଖଣ୍ଡ ବିକି ତାଙ୍କୁ ଓଷଦ ପାଣି କରିବି...ମତେ ସେ କଥା କହନାଇଁ......କି ଉପାୟ କରିବି କହ ଭଲା...

 

–ଆରେ ଯାଆମ, ଅବିକା ମିନିସପାଲିଟି ଡାକ୍ତର ଆସି ଏଠି ହଳ ହଳ ହେବେ...ଆଜି ସାଇରେ ଗରାଖ ପଶିବେ ନାଇଁ...ଆଉ ତୁ ବସି ଓଷଦ ପାଣି କରୁଥା । ନିକଟରେ ହୁରି ପଡ଼ିଯିବ ।

 

ଘର ଭିତରୁ ବିଶ୍ଵନାଥର ଗଁ’ ଗଁ’ ଶବ୍ଦ ଶୁଣି କେତକୀ ଧାଇଁ ଯାଇଥିଲା–ଉଃ, କ’ଣ ହେଇ ଯାଉଛନ୍ତି...କଥା କହୁ ନାହାନ୍ତି...କେଡ଼େ କଷ୍ଟ ପାଉ ନ ଥିବେ ! କହି ପାରୁ ନାହାଁନ୍ତି...ଆହା !

 

ଚାରିଆଡ଼େ ହୁରି–ଚିତ୍ରକାର ସାଇରେ ହଇଜା ପଶିଛି । ଘରକୁ ଘର ଲଗାଲଗି, ନୁଆଣିଆ ଚାଳ, ବାରିଆଡ଼ ଖାଲୁଆ, ସନ୍ତସନ୍ତିଆ–ଘର ଭିତରେ ସେମିତି ନୁଆଣିଆ, ଓଦା ସରସର ।

 

ବିଶ୍ଵନାଥର ଶିରୀ ଦେଖିପାରୁ ନ ଥିବା ଲୋକେ ଭାରି ଶୀଘ୍ର ହଲ୍ଲା କଲେ । ଯାହା ପାଖକୁ ଗରାଖ ଯିଏ ଆସିଥିଲା, ସେ ବିକାକିଣା ସାଙ୍ଗରେ ଶୁଣିଲା ସେଇ ସାଇର ବିଶ୍ଵନାଥକୁ ଝାଡ଼ାବାନ୍ତି ହେଇଛି ।

 

କିଛିବେଳ ପରେ ସରକାରୀ ଲୋକ ଆଉ ଡାକ୍ତରଖାନା ମଟର ଆସି ପହଞ୍ଚିଲା । ଗାଡ଼ିକୁ ଦେଖି କେତକୀ ଲାଜ ସରମ ଛାଡ଼ି ଘର ଏରୁଣ୍ଡିବନ୍ଧରେ ନିଜ ମୁଣ୍ଡଟାକୁ ଢୋ’କିନା ପିଟିଦେଇ ହାଉଳିଖାଇ କହିଥିଲା–ନାଇଁ ବାବୁମାନେ...ଜୁହାର ତମକୁ...ତାଙ୍କୁ କିଛି ହେଇ ନାହିଁ...ଏବେ ଭଲ ହେଇଯିବେ... ।

 

ହଉ ହଉ, ଭଲ କଣ ହୁଅନ୍ତେ ନାହିଁ ? ଟିକେ ଆଡ଼େଇ ଯା’...ଆମେ ଏ ରୋଗୀକୁ ନ ନେଲେ ଏ ମଟର କଣ ସେମିତି ଫେରିଯିବ ?

 

ପାଖ ପଡ଼ୋଶୀ ଆଉ ଧଡ଼ିଆ–ସମସ୍ତେ ଆସି ପହଞ୍ଚିଗଲେ । ସମସ୍ତେ ଘର ଭିତରକୁ ପଶି ଆସୁଛନ୍ତି । ଗୋଡ଼ରେ କେତେ ଛୋଟ ବଡ଼ ମୂର୍ତ୍ତୀ ଦଳି ହେଇଗଲାଣି । ଘୋଷାରି ଘୋଷାରି ବିଶ୍ଵନାଥକୁ ଆଣି ଗାଡ଼ିରେ ଚଢ଼େଇଲେ ।

 

ଗାଡ଼ି ଚାଲିଗଲାବେଳେ କେତକୀ ସେଇ ଗାଡ଼ି ପଛରେ ଧାଇଁ ଯିବ ବୋଲି ରାସ୍ତାକୁ ଡେଇଁ ପଡ଼ିଥିଲା, କିନ୍ତୁ ଏତେ ଚିହ୍ନା ଅଚିହ୍ନା ଲୋକ ଦେଖି, ତାର ଆଉ ଛାତି ପତେଇଲା ନାହିଁ, ସେଇଠୁ ବାହୁନି ବାହୁନି ସେ ପୁଣି ଘରକୁ ପଶିଲା । ଘର ଭିତରେ ଚାରିଆଡ଼ଯାକ ଧଳା ପାଉଡ଼ର ଛିଞ୍ଚା ହୋଇଛି–ହଇଜା ଓଷଦ । ତେଲୁଣି ପୋକ ପରି ଗନ୍ଧ, ନାକ ଫାଟି ଯାଉଛି । ପାଖ ପଡ଼ିଶାଙ୍କ ଘରେ ବି ସେଥିରୁ ପୁଳିଏ ଲେଖାଏଁ ଛାଟିଛନ୍ତି ବୋଲି ସେମାନେ ସମସ୍ତେ ବିଶ୍ଵନାଥକୁ ଶୋଧିବାରେ ଲାଗିଛନ୍ତି ।

 

କେତକୀ ଚୂପ୍ ହୋଇଗଲା–ସେ ଆଉ କାନ୍ଦିବ କଣ ? ଏଇ ସମସ୍ତଙ୍କର ଗାଳିମନ୍ଦ ବିଶ୍ଵନାଥର ଅମଙ୍ଗଳ କରିବ । ରୋଗୀ ସେ–ଘରେ ନାହାନ୍ତି–ଡାକ୍ତରଖାନା ଗଲେଣି ।

 

ଆଲୋ ନେତୀ–ବୋଉ–ମାଉସୀ, ଏଇଟା ତ ଦଇବ ଦଣ୍ଡ ... ତମକୁ ନେହୁରା ହେଉଚି ଲୋ, କେହି ତାଙ୍କୁ ଗାଳି ଦିଅ ନାଇଁ...ତାଙ୍କର କଣ ହବ ନ ହବ କେଜାଣି...ସେ କଣ ଜାଣି ଜାଣି ଏ ରୋଗରେ ପଡ଼ିଲେ ? ଦଇବକୁ ବଳ କାହାର ?

 

ଲୋକଙ୍କର ପାଟି ଗୋଳ କମି ଆସିଲା–ସତେ, ଦଇବକୁ ବଳ କଣ ? ଆହା ! ବିଚରା ବିଶ୍ଵନାଥ...ଯେତେ ହେଲେ ଖାସା ଲୋକଟାଏ ଥିଲା...ବଢ଼ିଆ କାରିଗରଟାଏ... ।

 

–ଆରେ ଦାମା’ଇ, ଏ ନୁରି ଅଜା‚ କଣ କରିବା କୁହ ମ ? ଆମ ବିଶୁନା’ଇକୁ କଣ ଏମିତି ଏକୁଟିଆ ଛାଡ଼ି ଦବା ? ଚାଲ ଯିବା ଡାକ୍ତରଖାନା ।

 

ପଞ୍ଝାଏ ଲୋକ ଖଣ୍ଡେ ଖଣ୍ଡେ ସାଇକଲ ଧରି ଡାକ୍ତରଖାନା ଚାଲିଲେ–କାମ ପଛେ ମାରା ହେଉ, ରୋଗୀର ଖବର ନବାକୁ ହବ । ଏତେ ଲୋକଙ୍କୁ ଦେଖିଲେ କେଜାଣି ଡାକ୍ତରଖାନା ଲୋକେ ଅଣହେଳା କରିବେ ନାହିଁ...ପଇସା ଦରକାର ହେଲେ ଭେଦା କରି ଦବା ।

 

ସେମାନେ ଗଲା ପରେ କେତକୀ ଛାତିରେ ବଳ ଆସିଥିଲା–ସେ ଏକା ନୁହେଁ, ସାଇଭାଇଏ ଅଛନ୍ତି । ଠାକୁରାଣୀଙ୍କୁ ଭୋଗ ଯାଚିଥିଲା–ବିଶ୍ଵନାଥକୁ ଭଲ କରି ଦେବାକୁ । ତିନି ତିନୋଟି ପିଲା ଅନାଥ ହେଇଯିବେ । ଠାକୁରାଣୀ କ’ଣ ତା କଥା ଶୁଣିବେ ନାହିଁ ?

 

ସେଇ ତିନି ଚାରିଦିନ କେତକୀ ଖାଇ ନାହିଁ କି ଶୋଇ ନାହିଁ । ଡାକ୍ତର କହି ଯାଇଛନ୍ତି ଖାଲି ପେଟରେ ହଇଜା ମାଡ଼ି ଆସେ । ସହିଯାକ ସମସ୍ତେ ପେଟ ପୂରା ଖାଉଛନ୍ତି ହଇଜାକୁ ରୋକିବା ପାଇଁ । ସାହି ମାଇପେ ଆସି କେତକୀକୁ ଖୁଆଇ ଦେଇ ଯାଆନ୍ତି–ଦେଖି ଖବରଦାର୍, ଯାହା ହେଇଗଲା ହେଇଗଲା...ଚାରି ପାଞ୍ଚ ସାଲ ହେଲାଣି ଏଠୁ କେହି ଝାଡ଼ା ବାନ୍ତିରେ ଡାକ୍ତରଖାନା ଯାଇ ନ ଥିଲେ–ଏ ସାଲ ଜଣେ ଯାଇଛି–ଖବରଦାର୍ ଆଉ ଯେମିତି କେହି ନ ଯାଏ ।

 

ଅରୁଚି ପାଟିରେ ଖାଇଲାବେଳେ କେତକୀ ବିଶ୍ଵନାଥ କଥା ଭାବେ–ସେ ଭଲ ହୋଇଗଲେଣି...ରକ୍ତ ପାଣି ଫାଟି ଯାଇ ସନ୍ନିପାତ ଘୋଟି ଆସିଥିଲା...ଏବେ ପୁଣି ଦେହରେ ରକ୍ତ ଚାଲିଲାଣି, ସେ ମନକୁ ମନ ପରିସ୍ରା କଲେଣି, ସେ ଫେରି ଆସିବେ ଏଥର ।

 

ବିଶ୍ଵନାଥ ଫେରି ଆସିଥିଲା । ଦେହ କାଠି ହେଇ ଯାଇଛି–ଉଃ, ଦିନକରେ ଦେହରୁ କେତେ ରସ ନେଇଗଲା କେଜାଣି ! ଆଖି କୋରଡ଼ରେ ପଶିଯାଇଛି । ନାକ ବାହାରି ଆସିଛି, ଓଠ ଶୁଖିଯାଇ ଦାନ୍ତଗୁଡ଼ାକ ପଦାକୁ ବାହାରି ଆସିଛି । କେତକୀ ଚାହିଁ ପାରିଲା ନାହିଁ–ଛାତି ଭିତରଟା ତାର କୋରି ହେଇଗଲା ।

 

ସେଇଦିନୁ ବିଶ୍ଵନାଥ ପୁଣି ଯମ ଦୁଆରକୁ ଆଗେଇ ଚାଲିଲା । ନିଜେ ଚାଲିଲା ନାହିଁ ଯେ ତା ସାଙ୍ଗରେ କେତକୀ ଆଉ ପିଲା ତିନୋଟିଙ୍କୁ ଟାଣିବାକୁ ଚେଷ୍ଟା କଲା । ଆସି ଘରେ ବସି ରହିଲା ପନ୍ଦରଦିନ–ମୁଣ୍ଡ ଉପରେ ଦଶହରା, ଦିଆଲି, କାର୍ତ୍ତିକ ରହିଛି । ବର୍ଷକରେ ରୋଜଗାରର, ଭଲ ମନ୍ଦର ଏଇ କେଇଟି ମାସ ।

 

ସାତ ଆଠ ଦିନ–ବିଶ୍ଵନାଥ ବସିରହେ । କିଛି କରେ ନାହିଁ । ସାଇରେ ଧୁମ୍ ଲାଗେ । କାହାକୁ ତର ନାହିଁ । ଅଳ୍ପ ଯାହା କିଛି ଥିଲା, ସେତକ ବିଶ୍ଵନାଥର ବାଧିକିରେ କେତକୀ ବିକି ଭାଙ୍ଗି ଦେଇଛି । କେତକୀ ଭାବିଲା–ଇଏ ତ କିଛି ମାଟି ହଣିବା କାମ ନୁହେଁ...ଦେହ ମେହେନତ କିଛି ନାହିଁ...ତେବେ କାମକୁ ଡରୁଛନ୍ତି କାହିଁକି ?

 

ସେ ବିଶ୍ଵନାଥ ସାଙ୍ଗରେ ଲଗାଏ–ଖାଲି ବସିଲ କଣ ମ ? ପିଲାଏ ଖଣ୍ଡେ ଖଣ୍ଡେ ଲୁଗା ପିନ୍ଧିବେ ନାହିଁ ? ଦିଅଣା ଚାରଣା ଯାତରା ଖରଚ ନେବେ ନାହିଁ ?

 

ବିଶ୍ଵନାଥ କିଛି କହେ ନାହିଁ । କେତକୀ ବେଶି ଲଗାଇଲେ ଚିଡ଼ି ଉଠି କହେ–ଯା, ପଳା ଏଠୁ । ମୁଁ କିଛି କରି ପାରିବି ନାହିଁ–ମତେ ଭଲ ଲାଗୁ ନାହିଁ ।

 

କେତକୀ ରାଗି ଉଠେ । ବିଶ୍ଵନାଥ ହଠାତ୍ ତାକୁ ବିଧା ଗୋଇଠା କସି ଦିଏ । କେତକୀ ଗର୍ଜି ଉଠି କଟା ସମ୍ପାରେ ଲାଗିଯାଏ ।

 

ପାଖ ଘରୁ ନିଶାପ କରିବାକୁ ଧଡ଼ିଆବୋଉ, ବୁଲିମା–ଆଈ, ପଦିନାନୀ ଧାଇଁ ଆସନ୍ତି । ବିଶ୍ଵନାଥ ସେମାନଙ୍କ ଉପରେ ଚିଡ଼େ । ସେମାନେ କେତକୀକୁ ଟାଣି ଟାଣି ତାଙ୍କ ଘରକୁ ନେଇଯାନ୍ତି-

 

–ଯା’ବେ ଯା...ମଣିଷ ଟିକିଏ ନିଶ୍ଵାସ ମାରିଲା । ଦାଣ୍ଡ ପିଣ୍ଡାରେ ବିଶ୍ଵନାଥ ରାସ୍ତାକୁ ଚାହିଁ ବସିରହି ବିଡ଼ିଟାଣେ । ଧଡ଼ିଆ ବୁଝାଏ–କଣ ତମେ ହାରି ଯାଉଚ ବିଶୁନା’ଇ ?

 

–କାମକୁ ପାରୁ ନାଇଁ...ମତେ ଭଲ ଲାଗୁ ନାହିଁ ।

 

ଆରେ ତମେ ଦିଲ୍ ଦବି ଯାଇଚି...ତମେ ଗୋଟାଏ କାମ କର ।

 

–କଣ ?

 

–ଟୋପେ ଟୋପେ ତାଡ଼ି ଖାଅ, ଦେଖିବ କେଡ଼େ ଚଞ୍ଚଳ ତମର ତାକତ ଚାଲି ଆସିବ ।

 

–ଆସିବ ?

 

–ଦେଖ ଆସୁଚି କି ନାହିଁ ।

 

–ମୋ ପାଖରେ କିଛି ନାହିଁ ।

 

–ଏଥେରେ ପରବାଏ ଏ କଣ ? ମୋ ସାଙ୍ଗରେ ଆସ, ଛାଇ ଲେଉଟୁ, ଯିବା ।

 

କେତକୀ ଫେରି ନାହିଁ । ବିଶ୍ୱନାଥ ର ମନ ଫିକା ଯାଇଥିଲା । ସେ ଧାଡ଼ିଆ ସାଙ୍ଗରେ ଯାଇ ଗିଲାସେ ତାଡ଼ି ପିଇଥିଲା ।

 

–ସତେ ମ, ଭାରି ଉସୁଆସ ଲାଗୁଛି ।

 

–ରୋଜିନା ପିଅ, ଦେଖିବ ତମେ ପୁଣି ଜାହିର ହୋଇଯିବ । ହଇଜା ନା ହଇଜାର ବୋପା ! ଧଡ଼ିଆ ଡୋଳା ବୁଲେଇ ବୁଲେଇ କହିଲା ।

 

ଦିଆଲି ଉଆଁସ ବେଳକୁ ବିଶ୍ଵନାଥ ଅମଳି ହୋଇଗଲାଣି । ରୋଜ ରୋଜ ନ ଖାଇଲେ ନ ଚଳେ, ତାଡ଼ି ନ ପିଇଲେ ତାକୁ ଭାରି ଅସଜ ଲାଗେ ।

 

–ଇସ୍, କି ଗନ୍ଧ ! ଆରେ ତମର କଣ ହୋଇଛି ? କେତକୀ ପାଟିକରେ ।

 

–କିଛି ହୋଇ ନାଇଁ ଲୋ, ଟିକେ ଔଷଧ ଖାଇଛି ।

 

–ନିଆଁନଗା ମଦଗୁଡ଼ାକ ଖାଇ କହୁଚ ଔଷଧ ! ଏଗୁଡ଼ିକ ଖାଇଲେ ତମର ତ କଲିଜା ଜଳିଯିବ.... ଦେଖ ଖବରଦାର୍–

 

–କଣ କହିଲୁ ?

 

–କହିବି ନାଇଁ ? ଆଉରି ବଡ଼ ପାଟିରେ କହିବି...

 

ଦୁମ୍ କରି ବିଶ୍ଵନାଥ ଗୋଟେ ଗୋଇଠା ମାରିଲା କେତକୀ ଅଣ୍ଟା ଉପରକୁ । କେତକୀ କଚାଡ଼ି ହୋଇ ପଡ଼ିଲା, ଆଉ ହୋ’ କିନା ପାଟି କରି ଉଠିଲା ।

 

ତେଣିକି ଏଇଟା ହେଲା ରୋଜିନା କାରବାର । ବିଶ୍ୱନାଥ ପୂରା ଅମଳି । ଆଖି ଲାଲ ଲାଲ କରି ଫେରିଆସେ । ଘରକୁ ଆସି ଭଲ ଜିନିଷ ଖାଇବାକୁ ଖୋଜେ । ଯାହା ରୋଜଗାର କରେ ତାହା କେତକୀ ହାତକୁ ଆସେ ନାହିଁ । କେତକୀ ଚଳେ ଚଉଦ ବର୍ଷର ବଡ଼ପୁଅର ମୂଲରେ–ସାଙ୍ଗରେ ଝିଅ ଟୁନୀ ଆଉ ଅଢ଼େଇ ବର୍ଷର ଛୋଟ ଝିଅ କୁନି ।

 

କେତକୀ ଖାଏ ମାଡ଼, ମଦଭାଟି ନିଏ ପଇସା, ଆଉ ଘରେ ହୁଏ ରାମ ରାବଣ ଯୁଦ୍ଧ ।

 

ନିଶାରେ ଅଚେତ ହୋଇ ଦିନେ ଦିନେ ବିଶ୍ୱନାଥ ପଡ଼ି ରହେ । କେଉଁଦିନ ବାନ୍ତି କରି ଘର ଉଛୁଳାଏ–ଇସ୍ କି ଆଇଁଷିଣିଆ ଗନ୍ଧ ! ଗୁଣୁ ଗୁଣିଆ ମାଛି ପଲ ପଲ ହୋଇ ମାଡ଼ି ଆସନ୍ତି ।

 

କେତକୀର ମନେ ପଡ଼ିଯାଏ–ଯେଉଁଦିନ ବିଶ୍ଵନାଥକୁ ଝାଡ଼ା ଧରିଥିଲା, ବିଶ୍ଵନାଥ ସେଇଦିନୁ ଏଇଘରୁ ଲକ୍ଷ୍ମୀଙ୍କୁ ଉଠେଇ ଦେଇଛି, ସେଇଦିନୁ କେତକୀ ମୁହଁରୁ ହସ ଲିଭେଇଦେଇଛି-

 

କେତକୀ ବସି କାନ୍ଦେ । ନିସ୍ତବଧ ରାତି । ସାଇଁ ସାଇଁ ନିଶା ଗର୍ଜୁଥାଏ । ରାସ୍ତାରେ ଲୋକ ନ ଥାନ୍ତି । ମଗୁଶୀର ମାସର କାଲୁଆ ପବନ ଅନ୍ଧାର ଚିରି କେତକୀର ନହକା ଦୁଆରକୁ ଦୋହଲେଇ ଦିଏ । ଗଛରୁ ପତ୍ରଟିଏ ବାଦୁଡ଼ି ଡେଣା ବାଜି ଖସିଲେ ବି କେତକୀ କାନରେ ପଥର ପଡ଼ିଲା ପରି ଶୁଭେ । ବାଦୁଡ଼ିର ଫଡ଼ ଫଡ଼ ଶବ୍ଦ କେତକୀର କାନରେ, କେତକୀର ଆଖି ଆଗରେ କାଳ ପେଚା ପରି ଶୁଭିଯାଏ, ଦିଶିଯାଏ । କେତକୀ ଚମକି ପଡ଼େ । କେଇଟା ମାସ ଅବା ହୋଇଛି-? ତାର ଘର ଉଜୁଡ଼ି ଯାଇଛି...ତାରି ଦୁଆରୁ ଲକ୍ଷ୍ମୀ ଠାକୁରାଣୀ ଛାଡ଼ପତ୍ର ନେଇ ପଳେଇଛନ୍ତି-

 

ମଗୁଶୀର ମାସ ଗୁରୁବାର । କେତକୀ ଘର ଲିପାପୋଛା କରିପାରେ ନାହିଁ । ଚିତା ମୁରୁଜ ଦେଇପାରେ ନାହିଁ । ଦେହରେ ଜୀଅ ନ ଥିଲା ପରି ମେଦାଟାଏ ହୋଇ ବିଶ୍ଵନାଥ ପଡ଼ିଥାଏ-। କୁଆ ରବିଲାବେଳେ ଉଠିବା ଲୋକ ଛାଇ ଲେଉଟା ବେଳକୁ ଉଠୁଛି । ଉଠି ଲଗେଇଲା କଳି–ପଇସା ଦେ, ଖାଇବାକୁ ଦେ ।

 

ଆଉ ଲକ୍ଷ୍ମୀ ଆସିବେ ! ପଇସା କାହିଁ ? ପିଲା ଚାଖଣ୍ଡତ ଘର ଚଳେଇବ, ପରଘରେ ଗୋଲାମ କାମ କରିବ । ବିଶ୍ଵନାଥର ଆଖି କେତକୀ ଉପରେ, ଟୁନୀ ଉପରେ । ସେମାନେ ମୂଲଲାଗି ପରଘରେ ଖଟି ପଇସା ଆଣୁ ନାହାନ୍ତି କାହିଁକି ? ଧାର ଉଧାର କରୁ ନାହାନ୍ତି କାହିଁକି ? ନ ପାଇଲେ ମାଗୁ ନାହାନ୍ତି କାହିଁକି ? ମାଗିଲେ ତ ନିଶ୍ଚେ ବେଶି ମିଳନ୍ତା ।

 

ଗୁରୁବାର ନାହିଁ, ଭଲ ଦିନ ନାହିଁ, ପଇସା ନ ଥିଲେ କେତକୀର ଚୁଟୀ ଝିଙ୍କା ହୁଏ–ଆବେ ବଜାରୁଣୀ, ପଇସା ଛପେଇ ରଖିଛୁ ନା ? ବିଶ୍ଵନାଥ ବିଧା ଗୋଇଠା କଷିଦିଏ । ଟୁନୀ ଆସି ଉପରେ ପଡ଼ିଲେ ବିଶ୍ୱନାଥ ହୁକୁମ କଲାପରି ପାଟିକରେ–ମା ଯେମିତି, ଝୁଅ ସେମିତି...ଏ ବଜ୍ଜାତ ମାଇକିନା ଶିଖଉଚି ଝୁଅକୁ ମତେ ପଇସା ନ ଦେବା ପାଇଁ ।

 

–ବାପା ପଇସା କାହିଁ ?

 

–ଯା, କୋଉଠୁ ମାଗି ଆଣିବୁ ।

 

–କିଏ ଦବ ?

 

–କେହି ଦେବେ ନାହିଁ ? ହଉ ନେ–କହି ତାକୁ ଦି’ଟା କୋରି ଦିଏ । ଟିକିଏ ପରେ ପୁଣି କହେ–ଆବେ ଶୁଣ, ମୁଁ ଏଇ ଘରକୁ ବନ୍ଧା ଦେଇଛି । ଆଜି ଯାଉଛି ବିକିବି ।

 

ହାଉଳି ଖାଇ କେତକୀ ଟୁନୀକୁ କହେ–ଇଲୋ କଣ କରିବି ଲୋ, ଏଇଘର ବନ୍ଧା ପଡ଼ିସାରିଲାଣି । ହେ ଠାକୁର, ତମେ କଣ କଲ....ଏ ଘର ବିକିରି ହବ !! ଆମେ ମୁଣ୍ଡ ଗୁଞ୍ଜିବୁ କୋଉଠି... ?

 

–ଆଜି ଗୁରୁବାରଟା–ଛି–

 

–ଗୁରୁବାର ନା ଛେନା...ଟଙ୍କା ଆଣ...ମୋର ତିନିଟା ଟଙ୍କା ଦରକାର ।

 

–ଠାକୁରଙ୍କ ନାଁ ଧରି କହୁଛି, ତିନିଟା ପଇସା ମୋଟେ ମୋ ପାଖରେ ଅଛି, ଆଉ କିଛି ନାହିଁ ।

 

ପୁଣି ଗୋଟାଏ ଗୋଇଠା । ଗୁରୁବାର କରି ତ ତିନିଟା ପଇସା କାଢ଼ୁଚୁ...ଆଉ ଗୁରୁବାର ଗୁରୁବାର କାହିଁକି ହଉଚୁ ? ଦେଖ୍ କେତେ ପଇସା ଆଜି ଆସିବ ।

 

ବିଶ୍ଵନାଥ ଧପ୍ ଧପ୍ ହୋଇ ବାହାରିଗଲା ।

 

–ଦେଖ ଲୋ ଟୁନୀ ଆଜି ଘରେ କଳାକନା ବୁଲିଲା । କେତେ ଅବା ଘର, ସେ କୁଆଡ଼େ ବନ୍ଧା ପଡ଼ିଲାଣି, ଆଜି ବିକିରି ହବ । ଗଲେଣି ତ ନ ବିକିବେ କାହିଁକି...ଏଇ ଚୁଲିପଶା ଧଡ଼ିଆ ତାଙ୍କୁ ଖାଇଲା ଲୋ...

 

ମା’ଝିଅ ଦିହେଁ ଧରାପରା ହେଇ କାନ୍ଦିଥିଲେ । ତାଙ୍କର ଆଉ କେହି ନାହିଁ–ସେଇ ଛୋଟିଆ ଘରଟି ଆଶ୍ରା ଦେଇଥିଲା । ସେଇ ସ୍ଵାମୀ, ସେଇ ବାପ ବିଶ୍ଵନାଥ ତାଙ୍କୁ ସେଇ ଘରେ ରଖିଥିଲା । ଦିହେଁଯାକ ତାଙ୍କୁ ଛାଡ଼ି ଯାଉଛନ୍ତି ।

 

ସେଦିନ ବିଶ୍ଵନାଥ ଫେରି ନାହିଁ । ତାର ଫେରନ୍ତା ବାଟକୁ ଚାହିଁ ଚାହିଁ କେତକୀ ସେଦିନ ଖାଇ ନାହିଁ କି ଶୋଇ ନାହିଁ । ତହିଁ ଆରଦିନ ସକାଳୁ କପିଳା ଆଉ ମହନି ବିଶ୍ଵନାଥକୁ ଧରି ଧରି ରିକ୍ସାରୁ ଓହ୍ଲାଇ ଆଣିଲେ ।

 

କେତକୀ ତାର କୋରଡ଼ିଆ ଆଖି ଭିତରୁ ଚାହୁଁଥିଲା–ବିଶ୍ଵନାଥ ଅଚେତ । ତାକୁ ଘରଭିତରେ ପୂରେଇ କାଶିଆ କହିଲା ଆଲୋ ଅପା, ବିଶୁନା’ଇ ପରା ଗୋଟାଏ ପଡ଼ିଆରେ ପଡ଼ିଥିଲା...ମଦରେ ବେହୋସ–କାଉ ଖୁମ୍ପିଥାନ୍ତେ–ଅଣ୍ଟାରେ ବାଇଶି ଟଙ୍କା...ଏତେ ପଇସା ଦେଇ ଛାଡ଼ିଲେ ଦିନେ ନା ଦିନେ ଖଣ୍ଟ ତାକୁ ଧରିବେ । ସେ ତ ନିଶାରେ ଭୋଳ । ତମର କପାଳ ଭଲ, ଟଙ୍କା ହଜି ନାଇଁ । ଆମେ ଖର୍ଚ୍ଚକରି ନେଇ ଆସିଲୁ, ହେଇ ରଖ କୋଡ଼ିଏ ଟଙ୍କା ।

 

ସେମାନେ ଚାଲିଗଲେ । ବିଶ୍ଵନାଥ ସେମିତି ପଡ଼ି ରହିଛି । ତେବେ ସେ ସତରେ ଘର ବିକି ଦେଇଛି । ଆଉ ତାଙ୍କର କେହି ନାହିଁ । ବିଶ୍ଵନାଥ ଏମିତି ଆସି ପଡ଼ି ରହିବା ନୂଆ ନୁହେଁ । ତିନିମାସ ହେଲାଣି ଏମିତି ଚାଲିଛି । ଟୁନି ଶୋଇପଡ଼ିଲା । ପୁଅ ଆସି ଖାଇଦେଇ ବଜାର ବୁଲି ଚାଲିଗଲାଣି । କୁନି ଉଠି କାନ୍ଦିଲା ହଗିବ ବୋଲି ।

 

ତାକୁ ନେଇ କେତକୀ ସେଇ ପିଜୁଳିଗଛ ମୂଳେ ବସେଇଲା ବେଳେ ସେଇ ଘରକୁ ଚାହିଁ ଭାବୁଥିଲା–କେଇଟା ଦିନରେ କଣ ନ ହେଲା ? ଘର ଭିତରେ କାଣି କଉଡ଼ିଟିଏ ନାହିଁ । ଏଇ କୁନି ବାପ କଳା କନା ବୁଲେଇ ଦେଇ ଶେଷକୁ ବସବାସ ଉଠେଇ ଦେଲେ ।

 

କୁଆଡ଼େ ସେ ଯିବ ? ବାଟ କାହିଁ ? ସେ ତ ଆଉ ନିଜ ଅକତିଆରରେ ନାହାନ୍ତି–ଡାଆଣି ପରି ମଦଭାଟି ତାଙ୍କୁ ମାଡ଼ି ବସିଛି । ଉଠିଲେ ତ ହେଲା ମାଡ଼ ।

 

ଆହା ! କୁନି କଣ କରିବ ? ଟୁନୀ କଣ ଛତରରେ ପଶିବ ? ଆସନ୍ତା ଗୁରୁବାରରେ କଣ ଏ ଘରେ ମୁରୁଜ ପଡ଼ିବ...ଏ ଘର ନିପା ପୋଛା ହବ ?

 

ଗଛରେ ବାଦୁଡ଼ି ଲାଗିଲେ କୁନି ପାଖରେ ପିଜୁଳି ଖସିଲା–ମୁଣ୍ଡରେ ପଡ଼ିଥାନ୍ତା ।

 

କେତକୀ ଚାହିଁଲା ଉପରକୁ–ଗଛରେ ଟିଣ ବନ୍ଧା ହୋଇଛି । ଦଉଡ଼ି ଝୁଲୁଛି ।

 

–ହଁ–ବାଦୁଡ଼ି କେଇଟା ଫଳ ଖାଇବେ ଖାଆନ୍ତୁ...ଏ ଗଛ ଆମର ନୁହେଁ...ଏ ଘର ଆମର ନୁହେଁ...ତିନିଟା ମାସରେ ମଦ ଦୋକାନ ଆମକୁ ତଡ଼ିଦେଲା ଏଇଘରୁ ।

 

ଚିତ୍ରକର ସାହିରେ ରେଳି ଲାଗିଛି । ଭାଗବତ ବୋଲା ହେଉଛି । ପାଖ ଘରୁ ହସ ହସ କଥା ଶୁଭି ଯାଉଛି । ତା’ରି ଭିତରେ କେତକୀର ଘର ଧ୍ଵଂସ ହେଇ ଯାଇଛି ।

 

ବିଶ୍ଵନାଥକୁ ହଇଜା ହେଲାଦିନ ଯେଉଁ ଦୀପଶିଖା ଦଇବ ଲିଭାଇ ନ ଥିଲା, ଯେଉଁ କଳା ଅନ୍ଧାର ଦଇବ ଲେପି ନ ଥିଲା, ସେଇ ଯମ–ଅଇଁଠା ବିଶ୍ଵନାଥ ହାତରେ ମଦଖଟି ତିନିଟା ମାସରେ ସେତକ କରେଇ ଦେଇଛି ।

★★★

 

ଅଚିହ୍ନା

 

ଯାତ୍ରୀବାହୀ ଗାଡ଼ି ଯେତେବେଳେ ସେଇ ବସ୍ ଷ୍ଟାଣ୍ଡ ପାଖରେ ଆସି ଛିଡ଼ା ହେଲା, ଯାତ୍ରୀମାନେ ଜଣ ଜଣ କରି ଓହ୍ଲେଇଗଲେ ତଳକୁ–କାହାର ଚା’ ଦରକାର, କାହାର ଜଳଖିଆ ଆଉ କାହାର ବା ପାନ ବିଡ଼ି । ବାବୁମାନଙ୍କୁ ଦେଖି ଅପିଆ ତାର ଅଷ୍ଟବକ୍ର ଦେହରେ ବଙ୍କା ଗୋଡ଼କୁ ବୁଲେଇ ବୁଲେଇ ଜଣେ ବାବୁଙ୍କ ସାମନାରେ ହାତ ପତେଇଲା–

 

ବା...ବୁ...ପୈ...ସା... ।

 

ବାବୁଙ୍କୁ ଅନ୍ୟଆଡ଼େ ଚାହିଁଥିବାର ଦେଖି, ତାର କଳାରୁମ ସାଲୁ ସାଲୁ ହାତଟା ବାବୁଙ୍କ ସାମନାରେ ଆଉ ଥରେ ହଲ ହଲ କରି କହିଲା–ବା...ବୁ...ପୈସା–କଥା କହିଲାବେଳେ ତା ଦାନ୍ତଠାରୁ ଗୋଡ଼ର ଆଙ୍ଗୁଠିଯାଏ ବିକୃତ ଭଙ୍ଗୀରେ ହଲିଯାଉଥାଏ ।

 

ବାବୁଟି ମୁଁହ ବୁଲେଇ ଅପିଆକୁ ଚାହିଁଲେ–ଇଏ କଣ ମଣିଷ ? କଳା କିଟି କିଟି ଦେହର ରଙ୍ଗ, ତାଳ ଗଛ ପରି ନହକା ଚେହେରା, ଲାଲ ଲାଲ ଗୋଲ ଗୋଲ ଆଖିର ଦୁଇଟା ଡୋଳା ଦୁଇଆଡ଼କୁ ଚାହିଁଛନ୍ତି, ମୁଣ୍ଡବାଳ ନୁଖୁରା ଫୁର୍ ଫୁର୍... । ବାବୁଙ୍କ ଭାବନାରେ ବାଧାଦେଇ ଅପିଆ ତାର ହଳଦିଆ ଦାନ୍ତ ଦି’ଧାଡ଼ି ଦେଖେଇ, ବିକୃତ ଅଙ୍ଗଭଙ୍ଗୀରେ ପେଟକୁ ବାଡ଼େଇ ପୁଣି କହିଲା–ବା...ବୁ... !

 

ତରବର ହେଇ ପକେଟରୁ ଅଣାଟିଏ କାଢ଼ି ଅପିଆ ବଢ଼େଇ ଥିବା ହାତରେ ପକେଇ ଦେଇ କାବୁଟି ବାଟଭାଙ୍ଗି ଚାଲିଗଲେ । କିନ୍ତୁ ଅଣାଟା ଅପିଆ ହାତରେ ବାଜି ତଳେ ପଡ଼ିଗଲା । ବ୍ୟସ୍ତ ହେଇ ଅପିଆ ଲୋଲୁପ ଦୃଷ୍ଟିରେ ଚାରିଆଡ଼କୁ ଚାହିଁ, ସେଇ ଭଙ୍ଗୀରେ ଚାରି ଘେରା ବୁଲିଗଲା । ପାଖରେ ବୁଲୁଥିବା ଭିକମଗା ପିଲା ଦୁଇଟା ଧାଇଁ ଆସିଲେ । ସେମାନଙ୍କ ଆଖି ସେହି ପଇସା ଉପରେ । କେଉଁଠି ପଡ଼ିଲାବୋଲି ସେମାନେ ଖୋଜିବାରେ ଲାଗିଲେ । ଅପିଆ ଆଉ ସମ୍ଭାଳି ହେଇ ପାରିଲା ନାହିଁ–ତା’ର ପଇସା ଅନ୍ୟମାନେ ତାରି ଆଖି ଆଗରେ ନେଇଯିବେ ! ପଇସା ନ ଖୋଜି ପିଲାଦିହିଙ୍କି ସେ ମାରିବାକୁ ଧାଇଁଲା । ଠିକ୍ ସେତିକିବେଳେ ଗୋଟିଏ ପିଲା ତାକୁ ପାଇ ଗୋଟେଇ ନବାକୁ ଗଲାବେଳେ ଅପିଆ ବିକୃତ ସ୍ଵରରେ ରଡ଼ିଟାଏ ଛାଡ଼ି । ସେଇ ପିଲା ପଛରେ ଧାଇଁଲା–ମୋ–ମୋ–ପୈସା– ।

 

ପଇସା ନେଇ ପିଲାଟି ଦୌଡ଼ି ପଳେଇଲା, କିନ୍ତୁ ଅପିଆ ଦୌଡ଼ୁ ଦୌଡ଼ୁ ତଳେ ପଡ଼ିଗଲା । ରାସ୍ତାର ମାଙ୍କଡ଼ା ପଥରରେ ମୁହଁ ତାର ପିଟି ହେଇଗଲା । ତାକୁ ଉଠେବାକୁ କେହି ଧାଇଁ ଆସିଲେ ନାହିଁ । କେବଳ ଦଶବର୍ଷର ଝିଅଟିଏ ଗୋଟିଏ ଶସ୍ତା ହୋଟେଲ ଦୁଆରେ ଠିଆ ହେଇ ସାମନା ରାସ୍ତାରେ ଅପିଆକୁ ଚାହିଁ ରହିଥିଲା–ସେଇ ପଦେ ‘ଆହା’ କହି ଫେରିଗଲା ଭିତରକୁ ।

 

ଲଗାଲଗି ହେଇ ତିନୋଟି ହୋଟେଲ । ହୋଟେଲରେ ଯେତେବେଳେ ମାଂସ ରନ୍ଧାଯାଏ, ଅପିଆ ସାମନା ରାସ୍ତାରେ ଠିଆ ହେଇ ନାକରେ ତାର ବାସନା ଶୋଷି ନିଏ । ତାର ସବୁବେଳେ ଇଚ୍ଛାହୁଏ ମାଂସ ତରକାରୀ ଖାଇବାକୁ, କିନ୍ତୁ ଗଲା ଆଇଲା ବାବୁ–ମାନେ ତାକୁ ଯେଉଁ ପଇସାଏ ଦି’ପଇସା ଦେଇଯାନ୍ତି ସେଥିରେ ମାଂସ କିଣି ହୁଏ ନାହିଁ । ତେଣୁ ସେଇ ମାଂସର ଗନ୍ଧ ଶୁଙ୍ଘି ଶୁଙ୍ଘି, ବରା ଗୁଲୁଗୁଲାରେ ସେ ମାଂସର ସୁଆଦ ଟାଣି ନିଏ ।

 

ପାଖ ହୋଟେଲରେ ନାବନ ବାସନମଜା କାମ କରେ । ସବୁଦିନେ ସେ ଦେଖେ ଅପିଆକୁ, ସେଇ ବିକୃତ ରୂପ ଭିତରେ ତାର କଣ ଲୁଚିଥାଏ । କେଜାଣି, ନାବନକୁ ଭାରି ଭଲ ଲାଗେ । ସବୁଦିନେ କାମ ସାରି ବସ୍ତା ଉପରେ ଛିଡ଼ା ହେଇ ସେ କିଛିବେଳ ଅପିଆକୁ ଚାହିଁରହେ । ତାରି ଆଖି ଆଗରେ ଅପିଆ ବିକୃତ ଅଙ୍ଗଭଙ୍ଗୀରେ ପଇସା ମାଗେ ସବୁ ବାବୁଙ୍କୁ । ନାବନ ଦେଖେ, ଅଜାଣତରେ ମନଟା ତାର ନରମିଯାଏ–ଆହା, ବିଚରା...... କେବେହେଲେ ତ’ ଭଲ ଜିନିଷ ଟିକିଏ ତାକୁ ଖାଇବାର ଦେଖି ନାହିଁ... ଏବେ ଗୋଟାଏ ଟିଣଡ଼ବା କୋଉଠୁ ଆଣିଛି... ସେଇଥିରେ ଭୁଜା ରଖିଥାଏ... ଲୋକଙ୍କ ଭିଡ଼ କମିଗଲେ ଅପିଆ ଟିଣରୁ ଭୁଜା କାଢ଼ି ଜୋରରେ ଚୋବେଇବାକୁ ଲାଗେ ।

 

ନାବନ ସବୁଦିନେ ଛିଡ଼ା ହୋଇ ଏତିକ ଲକ୍ଷ୍ୟ କରେ । ତାକୁ ଦେଖିଲେ ଅପିଆ ମୁହଁ ବୁଲେଇ ବସେ । ନାବନ ମନକୁ ମନ ହସେ–ପାଗଳଟାଏ ।

 

ଦିନେ ନାବନ ପଇସାନେଇ ଦୋକାନକୁ ଯାଉଥିଲା ଆଳୁ କିଣିବ ବୋଲି । ବାଟରେ ଆସି ଅପିଆ ଛିଡ଼ାହେଲା ।

 

–“ଏ ! ...ଦେ...” ଅପିଆ ବିକୃତ ମୁହଁରେ ନାବନକୁ ଅଟକାଇଲା ।

 

–‘କଣ’ ? ନାବନ ହସ ଚାପି ପଚାରିଲା ।

 

–‘ପୈସା... ଅଛି’ । ଅପିଆ ନାବନର ହାତ ପାପୁଲି ଖୋଲିବାକୁ ଚେଷ୍ଟାକଲା ।

 

–ନାଇଁ, ନାଇଁ... ବାବୁର ପଇସା... ଦେଲେ ମାରିବ । ନାବନ ବଡ଼ପାଟିରେ ଠାରିଠୁରି ବୁଝେଇ ଦେଲା ।

 

–‘ଦେ... I’ ଅପିଆ ଶୁଣିଲା ନାହିଁ । ପଇସା ଛଡ଼େଇବାରେ ଲାଗିଲା । ନାବନ ହାତ ଛଡ଼େଇ ନେଇ ଦୌଡ଼ି ଦୌଡ଼ି ପଳେଇଲା ।

 

ଏଇ ଘଟଣା ପରଠୁ ଅପିଆ ନାବନକୁ ଦେଖିଲେ ପାଖକୁ ଆସି କଥା କହିବାକୁ ଚେଷ୍ଟା କରେ । ଦିନେ ପାଖକୁ ଆସି କହିଲା ।

 

–ତୁ–ତୁ... ଖାଉଚୁ... ମ–ମତେ... ଦଉନୁ ?

 

–କଣ ଦେବି ?

 

–ମା–ଉଁ–ସ ।

 

–ତୁ ମାଉଁସ ଖାଇବୁ ? ନାବନ ହସିଲା ।

 

ଅପିଆର ଆଖି ଲୋଭରେ ବଡ଼ ବଡ଼ ହୋଇଗଲା । ହାତ ପତେଇ କହିଲା–ଦେ... ।

 

ମା ପିଲାକୁ ବୁଝେଇଲାପରି ନାବନ କହିଲା–ହଉ ମୁଁ ଖାଇଲେ ଦେବି ।

 

ନାବନ ସେଇ ମାସରେ ନିଜ ଦରମା ପଇସାରୁ ପାଖ ହୋଟେଲରୁ ମାଂସ ତରକାରୀ କିଣି ଆଣିଲା । ତା ହୋଟେଲରେ ଆଇଁଷ ହୁଏ ନାହିଁ ।

 

–ଏଇ ନେ, ମାଉଁସ... ଖା ।

 

ଅପିଆ ନିଜର ଚିର ପରିଚିତ ବିକୃତ ସ୍ଵରରେ ଆନନ୍ଦର ଚିହ୍ନ ପ୍ରକାଶ କରି, ଠିଆ ଠିଆ ଖାଇବାରେ ଲାଗିଲା । “ବ...ଢ଼ି...ଆ” ଅପିଆର ଆଖି ନାଚି ଉଠିଲା । ପେଟରେ କାହୁଁ କାହୁଁ ଭୋକ ମାଡ଼ି ଆସିଲା । ସେ ଖୁସିରେ ନାବନ ଚାରିପଟେ ଘେରାଏ ବୁଲିଗଲା ।

 

ଖାଇସାରିବା ପରେ ନାବନକୁ ଡାକି ସେ ତଳେ ବସିଲା । ପାଖରେ ବସି ନାବନ ପଚାରିଲା ।

 

–କଣ ?

 

–ତୋ–ତୋ... ନାଁ ?

 

–ମୋ ନାଁ ପାଚାରୁଚୁ ? ...ମୋ ନାଁ ନାବନ ।

 

–ବୁଲି । ଅପିଆ ମନକୁ ମନ ମୁଣ୍ଡ ହଲେଇ କହିଲା ।

 

–ମତେ ସମସ୍ତେ ‘ନାବନ’ ଡାକନ୍ତି ବୁଝିଲୁ ?

 

–ବୁ... ଲି... । ଅପିଆ ଏଥର ଜୋର ଦେଇ କହିଲା ।

 

–ହଁ, ହଁ, ବୁଲି ।

 

ଖୁସିରେ ଅପିଆ ତଳେ ପଡ଼ିଗଲା । ମୁହଁରେ ହଳଦିଆ ଦାନ୍ତ ଦି’ପାଟି ଦେଖେଇ, ମୁହଁ ବିକୃତ କରି ଗୋଡ଼ ବାଡ଼େଇ ବାଡ଼େଇ ଗଡ଼ୁଥାଏ । ନାବନ ବୁଝି ପାରିଲା ନାହିଁ–ପଚାରିଲା–ଏମିତି କାଇଁକି ଗଡ଼ୁଛୁ ?

 

–ମୋ... ଭ–ଉଣୀ... ବୁ... ଲି । ଅପିଆ ପୁଣି ଘେରାଏ ଗଡ଼ିଗଲା ।

 

–କଣ ତୋ ଭଉଣୀ ? ଆଶ୍ଚର୍ଯ୍ୟ ହୋଇ ନାବନ ପଚାରିଲା ।

 

–ମ... ରି... ଗ... ଲା... ଣି । ତୁ–ତୁ... ମୋ... ଭଉଣୀ ।

 

–ନାଇଁ ନାଇଁ, ମୁଁ ତୋ ଭଉଣୀ ନୁହେଁ ।

 

–ହଁ... ଅଁ... । ଅପିଆ ଜବରଦସ୍ତି କଲା ।

 

ନାବନର ପିଲାଦିନର କଥା ମନେ ପଡ଼ିଗଲା । ତାର ଗୋଟିଏ ଭାଇ ପିଲାଦିନେ କୁଆଡ଼େ ହଜି ଯାଇଥିଲା । ସେ କିନ୍ତୁ ଦେଖିବାକୁ ବଡ଼ ସୁନ୍ଦର ହୋଇଥିଲା । ଏଇ ବିକୃତ ମଣିଷଟା କେବେହେଲେ ତାର ଭାଇ ହେଇ ନପାରେ ।

 

ତା ପରଠାରୁ ଅପିଆ ସବୁଦିନେ ଆସି ବୁଲି ପାଖରେ ଦାବୀକରେ ସେ ତାର ଭଉଣୀ ବୋଲି, ଆଉ ନାବନ ମନେକରେ ଅପିଆ ଖାଇବା ଲୋଭରେ ତା ମୁଣ୍ଡରୁ ଏ ବୁଦ୍ଧିଟା କାଢ଼ିଛି ।

★★★

 

ନୂଆ ପୁରୁଣା

 

ଡାକ୍ତରି ସ୍କୁଲରୁ ବାହାରିଲାବେଳେ ନିଧିବାବୁ ଗୋଟିଏ ଲମ୍ବା ନିଶ୍ୱାସ ଛାଡ଼ିଥିଲେ–ଓଃ, ଏତେଦିନକେ ଏ ଯମ ଗଲା । ଅତି କଷ୍ଟରେ ପ୍ରତି ଶ୍ରେଣୀରେ ଥରେ ଦି’ଥର କରି ଝୁଣ୍ଟି, ସେଇ ଶ୍ରେଣୀଟିକୁ ସେ କୌଣସିମତେ ପାରି ହେଉଥିଲେ । କିନ୍ତୁ ଶେଷ ବର୍ଷଟା ତାଙ୍କୁ ନାକରେ ପାଣି ତେଣ୍ଡେଇ ଛାଡ଼ିଦେଲା । ଛୋଟ ପଣତ ପରି ଗୋଟାଏ ଆଡ଼ ଜଗିଲେ ଆଉ ଗୋଟାଏ ଆଡ଼ ମେଲା ହେଇଯାଏ–କଣ କରିବେ ?

 

ଭାରି ହଇରାଣ ହୋଇଛନ୍ତି । ସାମାନ୍ୟ ଟିକେ ଡାକ୍ତର ହେବାପାଇଁ ଏତେ ବାଧାପାଇ ଶେଷରେ ନିରାଶ ହେଇ ପଡ଼ିଥିଲେ । ଏତେ ବାଟ ଆସି ଟିକକରେ ବିଗୁଡ଼ୁଛି । ସବୁ ହେଇ ଖାଲି ଟିକକ ପାଇଁ କୋଉଥର ମୁହଁ ପରୀକ୍ଷାରେ, କୋଉଥର ବା ଲେଖା ପରୀକ୍ଷାରେ ସେ ଠୋକର ଖାଉଛନ୍ତି । ଯେତେ ସିନ୍ଦୂରକଲି ଲଗେଇଲେ, ଯେତେ ମାନସିକ କଲେ–କୋଉଥିରେ କିଛି ଫଳ ହେଲା ନାହିଁ । ତାଙ୍କର ସାତ ପଛରେ ଆସିଥିବା ପିଲାମାନେ ଖୁସିରେ ଡେଇଁ ଡେଇଁ ଡାକ୍ତର ହେଇ ବାହାରି ଯାଉଛନ୍ତି, ଆଉ ତାଙ୍କର ସେତିକି ହେଲା ନାହିଁ ।

 

ତାଙ୍କ ମନରେ କିନ୍ତୁ ଦୃଢ଼ ବିଶ୍ଵାସ ଥିଲା ଯେ ସେ ଜଣେ ଭଲ ଡାକ୍ତର । ରୋଗୀଙ୍କ ସାଙ୍ଗରେ ଖୁବ ମିଶି ପାରନ୍ତି । ଏତେ ନଟକୁଟିଆ ଚିକିତ୍ସା ନ କରି ଟିକିଏ ଟିକିଏ ଔଷଧରେ ରୋଗୀଙ୍କି ବେଶି କଥା କୁହାଇ ଭଲ କରିଦେଇ ପାରନ୍ତି । ଯେତେକ ଗାଉଁଲୀ ରୋଗୀ ଆସନ୍ତି ସମସ୍ତଙ୍କୁ ସେ ‘ବାପ’ ‘ଧନ’ କରି ବୁଝେଇ, ଶୁଝେଇ ବଡ଼ ବେମାରିକୁ ଛୋଟିଆ କରି ଦେଖେଇ, ପଥି ପାଞ୍ଚଣ କୋହଳ କରି ସେମାନଙ୍କୁ ଭଲ କରି ଦେଇଛନ୍ତି ବୋଲି ତାଙ୍କର ବିଶ୍ୱାସ । ସେ ଡାକ୍ତର ହେଲେ ରୋଗୀମାନେ ଡାକ୍ତରୀ ଚିକିତ୍ସାକୁ ଆଉ ଗାଳି ଦେବେ ନାହିଁ ।

 

ଭଗବାନ ଦୟାକଲେ । ଶେଷକୁ ସେ ଡାକ୍ତର ହେଇ ବାହାରିଲେ । ବଡ଼ଲୋକର ପିଲା-। ତାଙ୍କର ଜମିବାଡ଼ିକୁ ଚାହିଁଲେ ଆଖି ପାଏ ନାହିଁ । ଜମି ତାଙ୍କର ଯେତେ ବେଶି, ବୁଦ୍ଧି ସେତିକି କମ୍ । ଆଉ ପାନ ଖାନ୍ତି ଯେତିକି ବେଶୀ, ଶୁଅନ୍ତି ବି ସେତିକି ।

 

ଡାକ୍ତର ହେଲା ପରେ ପ୍ରଥମେ ସେ ଠିକଣା କରି ପାରିଲେ ନାହିଁ କଣ କରିବେ–ଚାକିରୀ ନା ସ୍ୱାଧୀନ ବ୍ୟବସାୟ ? ବହୁତ ପରାମର୍ଶ ହେଲା । ଗୋଲାମୀ ଭଲ କି ଖରାପ–ଏଇ ବିଷୟରେ ସେ ତାଙ୍କର ଗୁମାସ୍ତାଠୁ ଆରମ୍ଭ କରି ମେସର ଚାକର ପୁଝାରୀ, ବନ୍ଧୁ ବାନ୍ଧବ ସମସ୍ତଙ୍କର ପରାମର୍ଶ ନେଲେ । ଚାକିରୀରେ ଅଛି କଣ ?–ବୁଦ୍ଧି ତ ଖଟେଇ ପାରିବ ନାହିଁ । ପୁଣି ପରର ମନ ନ ନେଲେ ନ ଚଳେ । ନିଜର ଇଚ୍ଛା ଅନୁସାରେ ଔଷଧ ବି ଦେଇ ପାରିବ ନାହିଁ । ରୋଗୀମାନେ ତାଙ୍କୁ ନ ପଚାରି ତାଙ୍କର ଦରମାକୁ ଚାହିଁ ଖାଲି ଚିକିତ୍ସାର ବଳ କଣ୍ଟିବେ, ଆଉ ବଡ଼ ଚାକିରୀ କରୁଥିବା ଡାକ୍ତରଙ୍କୁ ବେଶୀ ପସନ୍ଦ କରିବେ–ଛିଃ, ଏ ଗୋଲାମୀକୁ ଧିକ୍ ।

 

ଛାତି ଦେଖିବା ଯନ୍ତ୍ରଣା ବେକରେ ଝୁଲେଇ ନିଧିବାବୁ ସ୍ଥିର କଲେ ଯେ ତାଙ୍କର ସ୍ୱାଧୀନ ବ୍ୟବସାୟ କରିବା ଉଚିତ । ଟଙ୍କା ଯେତେବେଳେ ଅଛି, ସ୍ୱାଧୀନ ବ୍ୟବସାୟ ସେ ନ କଲେ ଆଉ କିଏ କରିବ ?

 

ପଢ଼ିଲାବେଳେ ଦେଖିଥିଲେ ଡାକ୍ତରି ଚିକିତ୍ସାର ମୂଳ ହେଲା ଅଣୁବୀକ୍ଷଣ ଯନ୍ତ୍ରରେ ମଳ, ମୂତ୍ର ଓ ରକ୍ତ ପରୀକ୍ଷା କରିବା । ସେଥିରୁ ରୋଗର କାରଣ ଜଣାପଡ଼େ ଓ ପରୀକ୍ଷା କରିବାକୁ ପଇସା ମିଳେ । ଚିକିତ୍ସାଟା ଲୋକଙ୍କ ମନରେ ବିଶ୍ୱାସ ମଧ୍ୟ ଆଣେ । ସେମାନେ ଭାବନ୍ତି ଯେ ଡାକ୍ତର ବହୁତ କଲା ।

 

ତେଣୁ ପାଞ୍ଚମାଣ ଜମି ସେ ବିକିଦେଇ ଗୋଟିଏ ପୁରୁଣା ଅଣୁବୀକ୍ଷଣ ଯନ୍ତ୍ର କଲିକତାରୁ କିଣି ଆଣିଲେ । ଆଣିଲାବେଳେ ଭାବିଥିଲେ–ଶିକାରୀ ହାତରେ ବନ୍ଧୁକ ରହିଲା...ଏଥର ଶିକାର ଯିବ କୁଆଡ଼େ ? ଏଇ ଗୋଟିଏ ହତିଆରରେ ସେ ଯେ ରୋଗୀଙ୍କୁ ଖାଲି ଖୁସି କରିବେ ସେତିକି ନୁହେଁ, ଅନ୍ୟ ଡାକ୍ତରଙ୍କ ସାଙ୍ଗରେ ଟକ୍କର ଦେବେ ମଧ୍ୟ । ଦୂର ମଫସଲ ଗାଉଁଲୀ ଲୋକ ଜାଣିବେ–ଏତେ ଦିନକେ ଡାକ୍ତର ପରି ଡାକ୍ତରଟିଏ ଆସିଛି ।

 

ନୂଆ ହୋଇ ଡାକ୍ତର ହେଇଥିବାରୁ ମନରେ ଉତ୍ସାହ ଥିଲା ଅସରନ୍ତି । ଖୋଜି ଖୋଜି ଆଖ ପାଖରେ ଡାକ୍ତର ନ ଥିବା ଗୋଟିଏ ଜାଗା ସେ ବାଛି ନେଲେ । ଅଳ୍ପ ଦୂରରେ ସମୁଦ୍ରର ଅପନ୍ତରା । ମାଛ ବେପାର ବି ଭଲ ହୁଏ ନାହିଁ, ଲୁଣମରା କାମ ବି ହୁଏ ନାହିଁ । ଡଙ୍ଗା ହୁଲି ସେଠି କୂଳରେ ଲାଗେ ନାହିଁ । ଖାଲି ଲୁଣ ପାଣି ଜୁଆରରେ ମାଡ଼ିଯାଇ ମଶାଙ୍କର ବଂଶ ବଢ଼େଇବାରେ ଲାଗିଥାଏ ।

 

ମଶାଙ୍କ ଦୟାରୁ ସେଠି ମାଲେରିଆ, ପିଳେହି ପ୍ରଭୃତି ବେମାରି ଘର କରି ରହିଥାନ୍ତି । ଯେତେ ଉପାସ କଲେ ସେ ଜର ଛାଡ଼େ ନାହିଁ, ଯେତେ ଖୋଜିଲେ ବି ଚିକିତ୍ସା ମିଳେ ନାହିଁ । ତୁଳସୀ ପତ୍ର ଗୋଲମରିଚଠାରୁ ଆରମ୍ଭ କରି କେତେ ଚେର ମୂଳ ଚିକିତ୍ସାରେ ଲାଗେ । ଯେତେ ଲାଗିଲେ ବି ଖଇଫୁଟା ତାତି କାହାର ଓହ୍ଲେଇ ଯାଏ ତ, କାହାର ବଢ଼ିବାରେ ଲାଗେ ।

 

ସମସ୍ତେ ଉପରକୁ ଚାହିଁ ରହନ୍ତି–ଆଖିରେ ଆତୁର ଚାହାଣୀ । ଭଗବାନ କେବେ ସେମାନଙ୍କର ଡାକ ଶୁଣିବେ ? ନଳି ଗୋଡ଼, ଥନ୍ତଲ ପେଟ ଆଉ କଳା ମୁଣ୍ଡର ସମୁଦ୍ର ଲହଡ଼ି ପରି ଚାରିଆଡ଼େ ଭାଙ୍ଗି ପଡ଼େ । ଲୋକଙ୍କର ସବୁ ଅଛି–ଖାଲି ଗୋଟିଏ ଡାକ୍ତର ନାହିଁ ।

 

ନିଧିବାବୁ ଆସିଲାବେଳେ ଗାଁରେ ତିନିଦିନ ଧରି ସଂକୀର୍ତ୍ତନ ହୋଇଥିଲା । ସେହି ଅଞ୍ଚଳରେ ଲୋକେ ଖୁବ୍ କମ୍ ଡାକ୍ତର ଦେଖିଥିଲେ । ସେଥିପାଇଁ ବହୁତ ଲୋକଙ୍କ ପାଖରେ ନିଧିବାବୁ ବି ଗୋଟିଏ ଦେଖିବାର ଜିନିଷ ହୋଇଗଲେ । ଲୋକମାନଙ୍କ ଭିତରେ ତାଙ୍କର ଅଣୁବୀକ୍ଷଣ ଯନ୍ତ୍ରର ଯଥେଷ୍ଟ ପ୍ରଚାର ମଧ୍ୟ ହେଲା ।

 

ନିଜେ ଡାକ୍ତରବାବୁ ବହୁତ ଘରୋଇ କଥାଭାଷା କରନ୍ତି । ସେ କେଇ ଜଣ ଲୋକଙ୍କୁ ଡାକି ଆଣି ସେଇ ଯନ୍ତ୍ରକୁ ଦେଖେଇଲେ–ସବୁ ଏଥିରେ ଜଣା ପଡ଼ିଯିବ...ପେଟରେ କଣ ଅଛି, ରକ୍ତରେ କଣ ଅଛି, ଝାଡ଼ା ପରିସ୍ରା, ଛେପ ଖଙ୍କାର–ଏମିତି କି ମନରେ କଣ ଅଛି, ତାବି ବୁଝା ପଡ଼ିଯିବ...ଦିଶୁ ନ ଥିବା ରୋଗ ଦିଶିଯିବ, ଦିଶୁଥିବା ଜିନିଷ କେଜାଣି କେତେ ବଡ଼ ହେଇଯିବ, ତାର ଠିକଣା ନାହିଁ ।

 

ଗୋଟିଏ ଛୋଟ ସିନ୍ଦୁକରେ ଅଣୁବୀକ୍ଷଣ ଯନ୍ତ୍ରଟି ରଖା ହୋଇଥାଏ । ପଇସା ଦେଲେ ଉପରକୁ ବାହାରିବ । କିଛି ପାଖ ଆଖର ଜିନିଷ ନୁହେଁ–କଲିକତା ସହରରୁ ଆସିଛି । ସେଇ ଗାଁର କଲିକତି–ଫେରନ୍ତା ମୂଲିଆମାନେ ବି କହି ପାରନ୍ତି ନାହିଁ ସେ ଯନ୍ତ୍ର କଥା । ଭାରି ଦାମିକା ଆଉ ଦରକାରୀ ଜିନିଷଟିଏ–ନିଧିବାବୁଙ୍କର ଆଖି ଓ ରୋଗୀର କପାଳ ଏକାଠି ଯୋଡ଼ା ହେଇଛି ସେଇ ଯନ୍ତ୍ରରେ ।

 

ଯନ୍ତ୍ରର ସୌଭାଗ୍ୟରୁ ହେଉ କି ନିଧିବାବୁଙ୍କ କହିବା ଗୁଣରୁ ହେଉ, ଭାରି ଚଞ୍ଚଳ ତାଙ୍କର ନାଁ ଚାରିଆଡ଼େ ଖେଳେଇ ହେଇ ପଡ଼ିଲା । ଦୂର ଦୂରାନ୍ତ ଗାଁରୁ ଦେହ ଭଲ ଥାଉ କି ନ ଥାଉ ଲୋକେ ସେଇ ଯନ୍ତ୍ରକୁ ଦେଖିବାକୁ ଆସିଲେ । ଟୋପାଏ ପାଣି ଥୋଇଦେଇ ଡାକ୍ତରବାବୁ କଳ ମୋଡ଼ି ଦେଖାନ୍ତି, ସେଥିରେ କେମିତି କେତେ ରକମର ପୋକ ସାଲୁବାଲୁ ହେଉଛନ୍ତି । ପୂଯ ରକ୍ତ, ମଳ ମୂତ ରଖିଲେ ସେମିତି ଦିଶିଯିବ, ସବୁ ବୁଝାପଡ଼ିବ ଆଉ ରୋଗ ଭଲ ନ ହେଇ ଯିବ କୁଆଡ଼େ-?

 

ଟୁରିଂ ସିନେମା ଦେଖିଲା ପରି ପୁରୁଷ ସ୍ତ୍ରୀ ଦଳ ଦଳ ହେଇ ଆସନ୍ତି । ଆସିଲେ ଯନ୍ତ୍ର ଦେଖିବାକୁ ଚାରି ପଇସା, ପାଣି ଦେଖିବାକୁ ଚାରିଅଣା, ଝାଡ଼ା ପରିସ୍ରା ଦେଖିବାକୁ ଦି’ଟଙ୍କା ଓ ପୂଯ ରକ୍ତ ଦେଖିବାକୁ ଦଶଟଙ୍କା । ଲାଭ ହେଲା, କିନ୍ତୁ ପୂଯରକ୍ତ ଦେଖିବାକୁ କେହି ରାଜି ହେଲେ ନାହିଁ । କାରଣ ଡାକ୍ତରବାବୁ ଗୋଟାଏ ଡାମ୍ଫଣ କାଢ଼ି କହନ୍ତି–ଦିଅ, ୟା’ରି ଅଗରେ ପୂଯରକ୍ତ ନବାକୁ ହବ ।

 

ରକ୍ତ ଦେବେ ! କେତେ କଷ୍ଟରେ ବିଧାତା ଟୋପେ ରକ୍ତ ଦେଇଛି–ଦେଖା ପଛକେ ନ ହେଲା ନାହିଁ । ଆଉ ପୂଯ କାହିଁ ? ଖୁବ୍ ବେଶି ହେଲେ ଯାଦୁ ନସା, ବଥ, କାଛୁ କି ଖଣ୍ଡିଆ ଘା’ ରୁ ପୂଯ ବାହାରିବ । ନିଜ ପୂଯକୁ ଏତେ ଟଙ୍କା ଦେଇ ଦେଖିବାକୁ କାହାରି ମନ ଡାକେ ନାହିଁ । ଝାଡ଼ା ବି ସେମିତି ଅସୁବିଧା–ସକାଳେ ପୋଖରୀପାଣି ଯାଇଥିଲେ ପୁଣି ସଞ୍ଜକୁ ଅବା ହେଲେ ହବ । ଦିନ ଚାରିଘଡ଼ିରେ ସେ ଚିଜ କାହୁଁ ଆସିବ ? ଖାଲି ମୂତ ମିଳିଲେ ମିଳନ୍ତା । କେଡ଼େ ଲାଜକଥା–ମୂତ ଛୁଇଁଲେ ଛୁଆଁ । ତାକୁ କେମିତି ପରୀକ୍ଷା କରିବ ?

 

ଡାକ୍ତରବାବୁଙ୍କ କଥାରେ କେହି ମଙ୍ଗନ୍ତି ନାହିଁ । ସେମାନେ କହନ୍ତି–ବାବୁ ଦେଖ, ଦେହ ଦୁଃଖ ହେଲେ ସିନା ସେ କାମ ହବ, ଆଉ ଭଲ ମଣିଷଗୁଡ଼ାଙ୍କୁ ତମେ କେମିତି ଏକଥା କହୁଚ ? ସେଥିପାଇଁ ସେମାନେ ଖାଲି ପାଣିକି ଥରକୁ ଥର ଦେଖନ୍ତି, ଆଉ ଚାରି ଚାରି ଅଣା ଡାକ୍ତରବାବୁଙ୍କୁ ଦେଇଥାନ୍ତି ।

 

ଲୋକଙ୍କ ପାଖରେ ଏତେ ପଇସା କାହିଁ ? ତା ଉପରେ ପୁଣି ନଗଦ ପଇସା ଦେବାକୁ ହେବ । ସେମାନଙ୍କର ଦେହ ସହେ ନାହିଁ । ସେଥିପାଇଁ ମାଣ୍ଡିଆ କୁଞ୍ଚେ, ପାଣିକଖାରୁ କି ଲାଉଟାଏ, କଲରା ଛ’ପୁଞ୍ଜା କି ଶାଗ ବାଇଗଣ ପୁଳାଏ, ନ ହେଲେ ଠେକିଏ ଦୁଧ ଧରି ସେମାନେ ଆସନ୍ତି ପାଣି ଦେଖିବାକୁ ।

 

ଡାକ୍ତର ବାବୁ ସେଥିପାଇଁ ମନରେ କୌଣସି ଦୁଃଖ କରନ୍ତି ନାହିଁ । ଧନ ନ ମିଳିଲେ ବି ଦରବ ମିଳୁଛି–ଖାଲି ହାତ ତ ନୁହେଁ । ଡାକ୍ତରବାବୁ ନିଜେ ସିନ୍ଦୁକରେ ମେଞ୍ଚାଏ ସିନ୍ଦୂର ବୋଳିଦେଲେ–ପୂଜା ଚାଲିଲା । ଏହିପରି ଭାବରେ ରୋଗୀ ଚିକିତ୍ସା ଆରମ୍ଭ ହେବା ଆଗରୁ ସେଇ ସିନ୍ଦୁକ ପୂଜା ଆରମ୍ଭ ହେଲା ।

 

ଏଣିକି ଚିକିତ୍ସା ଆରମ୍ଭ ହେବ । ତାଙ୍କର ଚତୁର ଚାକରଟୋକାକୁ କମ୍ପାଉଣ୍ଡର କରିଦେଲେ । ସେ ବି’ କିଛି ତ ଜାଣେ ନାହିଁ । ସେଥିପାଇଁ ରୋଗୀଙ୍କର ମନ ନେବାକୁ ବହୁତ ଗପେ ଆଉ ଡାକ୍ତରଙ୍କୁ ‘ଆଜ୍ଞା’ ‘ଆଜ୍ଞା’ କରୁଥାଏ ।

 

ଦିନ ଗଡ଼ିଲା । ଧୀରେ ଧୀରେ ଡାକ୍ତରଙ୍କ ଘର ସବୁ ଜିନିଷରେ ପୂରି ଉଠିଲା । ରୋଗୀ ସଂଖ୍ୟା ବଢ଼ିଲେ ଓ ଡାକ୍ତରବାବୁଙ୍କ ବିଶ୍ରାମ କମିଲା ।

 

ପନ୍ଦର ବର୍ଷ ପରେ–

 

ଦିନେ ଡାକ୍ତରବାବୁ ମୁହଁ–ସଞ୍ଜବେଳେ ତାଙ୍କର କିରାସିନି ପଟାର ଚୌକିରେ ବସି ପୁରୁଣା ଦିନଗୁଡ଼ାକ ମନେ ପକାଉଥିଲେ ।

 

ଚଇତ ମାସ । ପାଖ ନିମ୍ବଗଛରୁ ନିମ୍ବକୋଳିର ମହୁକା ଗନ୍ଧ ଝିରି ଝିରି ପବନରେ ଭାସିଆସୁଥାଏ । ଏଇ ନିମ୍ବକୋଳି ପରି ସେ ନୁହେଁ ମଧୁର ନୁହେଁ ତିକ୍ତ ହୋଇ ଯାଇଛନ୍ତି । ସେଇ ଅସ୍ପଷ୍ଟ ଆଲୁଅରେ ନିମ୍ବଗଛକୁ ଚାହିଁ ସେ ଭାବୁଥିଲେ–ଏ ସାଲ ଭଲ ବସନ୍ତ ହେଲା ନାହିଁ.... ।

 

ଜୀବନଟା ଜଟିଳିଆ ଧରିଲାଣି । ଜୀବିକା ବି ସେମିତି ହୋଇଛି । ଗାଁ ଲୋକେ ଚତୁର ହେଲେଣି । ଦୁନିଆ କେଡ଼େ ଶୀଘ୍ର ବଦଳି ଯାଉଛି ।

 

ଆଗେ ଲୋକେ କେଡ଼େ ସରଳ ଥିଲେ । ତାଙ୍କୁ ଦେଖି କୋଟିନିଧି ପାଇଲା ପରି ମନେ କରୁଥିଲେ । ଆଉ ସେଦିନ ନାହିଁ । ଏବେ ସେମାନେ ବଡ଼ ସହରକୁ ଯାଇ ଫେରିଆସି ତାଙ୍କୁ ପଚାରନ୍ତି–ସେ ବଡ଼ ଡାକ୍ତର ନା ସାନ, ତାଙ୍କ ହାତ ଭଲ କି ଖରାପ ଇତ୍ୟାଦି କେତେ କଥା । ଆଉକେହି ତାଙ୍କର ଯତ୍ନକୁ ପଚାରେ ନାହିଁ ।

 

ଯେଁଉ ଚାକରଟିକୁ କମ୍ପାଉଣ୍ଡର କରିଥିଲେ ସେ ବି ସେମିତି ଅଛି । କାମ ଜାଣି ଗଲାଣି-। ଘା’ ଧୋଇବାକୁ କହିଲେ ମାଛ ଖୁମ୍ପିଲା ପରି ଧୁଏ, ପଟି ବାନ୍ଧିବାକୁ କହିଲେ ଫାଶୀଦେଲା ପରି ଭିଡ଼େ, ଓଷଦ ଦେବାକୁ କହିଲେ ବହୁତ ଚିଡ଼ି ଉଠେ–ପଇସା କାହିଁ ଯେ ଅଟେ ଜଞ୍ଜାଳ, ଏତେ ନଟପଟ ?

 

ଡାକ୍ତରବାବୁଙ୍କ ପରିବାର ବଢ଼ିଛି ଆଉ ରୋଜଗାର କମିଛି । ତିନିକୋଶ ଠେଇଁ ଜିଲ୍ଲାବୋର୍ଡ଼ ଡାକ୍ତରଖାନା ଖୋଲିଛି । ଗଜାଟୋକା ଆସି ସେଠି ନିଜକୁ ଆଶ୍ଵିନୀକୁମାର ବୋଲି ପରିଚୟ ଦିଅନ୍ତି । ରୋଗୀମାନେ ତେଣେ ଧାଆନ୍ତି–ନିଧିବାବୁଙ୍କ ପାଖରେ କେହି ପଶନ୍ତି ନାହିଁ ।

 

ସେଥିପାଇଁ ଡାକ୍ତରବାବୁ ନୂଆଫନ୍ଦି କାଢ଼ିଲେ । ଡାକ୍ତରବାବୁଙ୍କ ଫନ୍ଦି ନୁହେଁ ଯେ କମ୍ପାଉଣ୍ଡର ଏ କୌଶଳଟି କାଢ଼ିଥିଲା । ରୋଗର ଚିକିତ୍ସା ପାଇଁ ସିନା ଲୋକେ ଜିଲ୍ଲାବୋର୍ଡ଼ ଡାକ୍ତରଖାନାକୁ ମୁହାଁଉଛନ୍ତି, କିନ୍ତୁ ଭଲମଣିଷକୁ ସେ ଡାକ୍ତରଖାନା ନଉ ନାହିଁ ତ ? ଲୋକଗୁଡ଼ାକ ଖାଇବାକୁ ନ ପାଇ ଦୁର୍ବଳିଆ ହୋଇ ପଡ଼ୁଛନ୍ତି–ଏଇଟା କଣ ଗୋଟାଏ ରୋଗ ନୁହେଁ ? ଏ ରୋଗର ଚିକିତ୍ସା କଲେ ରୋଗୀର ଅଭାବ ହେବ ନାହିଁ ।

 

ସତକୁ ସତ ସେଇଆ ହେଲା । କମ୍ପାଉଣ୍ଡର ତାର ଚାକରବୁଦ୍ଧି ଦେଖେଇ ଗାଁକୁ ଗାଁ ଖେଦିଗଲା । ଡାକ୍ତରବାବୁଙ୍କ ସିନ୍ଦୁକ ସପନ ଦେଖେଇଛି ଯେ ସେ ବର୍ଷ ବହୁତ ଲୋକ ବେମାରିରେ ପଡ଼ିବେ । ବେମାରିଆ ହେବେ ବୋଲି ଦୁର୍ବଳିଆ ହେଇ ଗଲେଣି–ପିଚା ପଶିଯାଉଛି, ପେଟ ବାହାରି ପଡ଼ୁଛି–ଏଥର ତାଙ୍କର ପାଳି ପଡ଼ିବ ।

 

ବାପା ଚାହିଁଲେ ପୁଅ ଆଡ଼କୁ, ଭାଇ ଭାଇକୁ, ମା ଝିଅକୁ, ସ୍ଵାମୀ ସ୍ତ୍ରୀକୁ–ସତେ ତ...ପେଟ ବାହାରି ପଡୁଛି...କମ୍ପାଉଣ୍ଡରବାବୁ ଠିକ୍ କହିଥିଲେ । କେତେ ଲୋକ ବି ସପନ ଦେଖିଲେ–କାହାକୁ ବାସୁଳେଇ, କାହାକୁ ଜାଗୁଳେଇ, ବଡ଼ବଡ଼ୁଆ, ବୃନ୍ଦାବତୀ ଆସି ଛାଏନିଦ ବେଳେ କହିଦେଇ ଗଲେ–ହୁସିଆର, ହୁସିଆର ।

 

ଜିଲ୍ଲାବୋର୍ଡ଼ ଡାକ୍ତରଙ୍କୁ ଆଉ ପଚାରେ କିଏ ? ନିଧିବାବୁଙ୍କୁ ନ ଧରିଲେ ନ ଚଳେ । ସିନ୍ଦୁକ ସପନେଇଛି ଯେତେବେଳେ ଓଷଦ ତ କହିଦେଇଥିବ ? ନିଧିବାବୁ ସିନା ପୁରୁଣା ଲୋକ ବୋଲି ଠାକୁରାଣୀ ତାଙ୍କୁ କହିଦେଲେ ।

 

ତହିଁ ଆରଦିନ ଠାରୁ ଲୋକେ ଧାଡ଼ି ଛୁଟିଲେ, କଥା କଣ ନା ପେଟ ବାହାରି ପଡୁଛି, ପିଚା ପଶିଯାଉଛି–ସେମାନଙ୍କର ଚିକିତ୍ସା ଦରକାର । ଡାକ୍ତରବାବୁ ସମସ୍ତଙ୍କୁ ଗୋଟିଏ କଥା ପଚାରିଲେ–ଦୁଧ ପିଉଛ ?

 

ଏକା ଉତ୍ତର–ଗୋରସ କ’ଣ କିଏ ପିଏ ? ପିଲା ସିନା ପିଅନ୍ତି କାହା ଭାଗ୍ୟରେ ଜୁଟୁଛି କେତେବେଳେ ? ତେବେ ସମସ୍ତଙ୍କ ଘରେ ଦୁହାଁଳ ଗାଈ ଅଛି ।

 

ଡାକ୍ତରବାବୁ ଗମ୍ଭୀର ହୋଇ କହିଲେ–କିଛି ଚିନ୍ତା ନାହିଁ । ସେଇ ଦୁଧ ସିଝେଇ ସପ୍ତାହରେ ଗୋଟିଏ ଲେଖାଏଁ ଇନଜେକସନ ଦେଇ ଦେଲେ ଚାରି ଥରରେ ତମ ରଙ୍ଗ ବଦଳିଯିବ-

 

ସେଇଠୁ ଆଉ କିଛି ଅସୁବିଧା ନାହିଁ । ସେରେ, ତିନିପା, ଅଧସେର–ଯେ ଯାହା ପାଇଲା ଠେକିରେ ଆଣି ପହଞ୍ଚେଇଲା । ଡାକ୍ତରବାବୁ ସେ ସବୁଯାକ ଏକାଠି କରି ସିଝେଇ ସରତକ କାଢ଼ି ନିଅନ୍ତି । ବାକି ଦୁଧକୁ କମ୍ପାଉଣ୍ଡର, ମେହେନ୍ତର ବେହେରା–ସମସ୍ତଙ୍କୁ ଦେଇ କରି ସୁଦ୍ଧା ନିଜ ଭାଗକୁ ପାଞ୍ଚ ଛଅ ସେର ବଳେ । ମାଗଣା ଦୁଧ ଖାଇ ଡାକ୍ତରଖାନାର ଚାକର ବେହେରାମାନେ ଦୁଧର ମହିମା ପ୍ରଚାରରେ ଲାଗନ୍ତି, ଆଉ ଡାକ୍ତରବାବୁ ଚାମୁଚେ ଚାମୁଚେ ଦୁଧ ଇନଜେକସନ ଦେଇ ରୋଗୀଠୁ ଗୋଟିଏ ଗୋଟିଏ ଟଙ୍କା ଆଦାୟ କରନ୍ତି ।

 

ଲାଭ ବି ହେଲା, କାମ ଜୋରସୋରରେ ଚାଲିଲା । ଛୁଟିବେଳେ ନିଧିବାବୁଙ୍କ ଡାକ୍ତରଖାନାରେ ଆଲୋଚନା ହୁଏ–ଜିଲ୍ଲାବୋର୍ଡ଼ ଡାକ୍ତରଟା କେଡ଼େ ବୋକାଟାଏ–ଚିକିତ୍ସା କରୁଛି ସତ, କିନ୍ତୁ ତାର ବୁଦ୍ଧି ନାହିଁ ।

 

ଇଞ୍ଜେକସନ ନେଇ ଲୋକେ ଖୁସି ହେଇ ଫେରିଯାନ୍ତି । ଆଉ କାହାରି ଦେହ ଖରାପ ହେବ ନାହିଁ । ଠାକୁରାଣୀ ତାଙ୍କୁ ବଞ୍ଚେଇ ଦେଲେ । ଜିଲ୍ଲାବୋର୍ଡ଼ ଡାକ୍ତର କାନକୁ ସବୁ କଥା ଗଲା । ତାଙ୍କର ପାଖରୁ କେତେଜଣ ଲୋକ ଜାଣିଗଲେ ଯେ ଦୁଧ ଇଞ୍ଜେକସନ କେଇଟା ରୋଗ ପାଇଁ ଠିକ୍ ହେଲେ କଣ ହେବ, ଏତେ ଦୁଧ ଲାଗିବ ନାହିଁ ।

 

ତେଣିକି ଗୋଟେ ନୂଆ କଥା ଘଟିଲା । କମ୍ କମ୍ ଦୁଧ ଆସିଲା । ଲୋକେ ଅଧପାଏ, ଛଟାଙ୍କିଏ ଦୁଧ ଆଣି ପହଞ୍ଚିଲେ । ଡାକ୍ତରବାବୁ କିଛି ନ କହି ଖାଲି ମୁହଁ ଶୁଖେଇ କହନ୍ତି–ଆରେ ବାବୁ, ତମର ତ ଅବିଶ୍ଵାସ ଆସିଲାଣି, ମୁଁ କଣ କରିବି ? ମୁଁ ତ ବହି ପାଠରୁ ଚିକିତ୍ସା କରୁ ନାହିଁ...ଦୈବୀ ହୁକୁମରେ କରୁଥିଲି...ତମେ ଭକ୍ତି ମନରେ ସ୍ୱଚ୍ଛ ମନରେ ଆଣିଲେ ସିନା ହବ ।

 

ତେବେ ବି ଔଷଧ କାଟୁ କରେ ନାହିଁ । ଡାକ୍ତରବାବୁଙ୍କ କଥାରେ ସମସ୍ତଙ୍କର ଭକ୍ତି ଆସେ ନାହିଁ । ଆଗଭଳି ଡେକଚିରେ ଦୁଧ ଆଉଟା ହୁଏ, କିନ୍ତୁ ରୋଗୀଯାକ ରୋଷେଇଘର ଚାରିପଟେ ଚକ୍କର କାଟନ୍ତି–କେତେ ଦୁଧ ଇଞ୍ଜେକସନ୍ ଦିଆହେଇ କେତେ ବଳୁଛି ଦେଖିବାକୁ ।

 

ଆଉ ଲାଭ କଣ ହେବ ? ଯାହା ହେଲା ଦିନକୁ ସେରେ ପାଞ୍ଚ ପା’ ଯାହା ପଡ଼ିଲା ।

 

ସେଇଠୁ ବେହେରା ଗୋଟିଏ ବୁଦ୍ଧି ପାଞ୍ଚିଲା । କହିଲା–ବାବୁ ଏଇ ଗାଁଲୋକେ ବଡ଼ ବଦମାସ । ତାଙ୍କୁ ଲାଣ୍ଡି ନ କଲେ ହେବ ନାହିଁ । ଦେଖନ୍ତୁ, ଆପଣ ତାଙ୍କୁ ବଳୁଆ କରିବାକୁ ଲାଗିଛନ୍ତି, ଆଉ ସେମାନେ ଚୋର ଜଗିଲା ପରି ହେଉଛନ୍ତି ।

 

ତେଣିକି ଡାକ୍ତରଖାନାକୁ ଯେ ଆସେ ଡାକ୍ତରବାବୁ ଗୋଟିଏ ଚିକିତ୍ସା ବରାଦ କରନ୍ତି ଯେ ସବୁର ମୂଳ ହେଲା ମୁଣ୍ଡ–ମୁଣ୍ଡ ଠିକ୍ ଥିଲେ ରୋଗ ଆପଣା ଛାଏଁ ଚାଲିଯିବ । ଯେଉଁ ପ୍ରକାରର ରୋଗ ହେଉନା କାହିଁକି, ମୁଣ୍ଡ ଗରମ ହେବାରୁ ସେ ରୋଗ ଗଢ଼ୁଛି ଆଉ ମୁଣ୍ଡ ଠିକ୍ କରିବାକୁ ହେଲେ ବାଳତକ ଖିଅର କରିବା ଦରକାର ।

 

ତେଣିକି ଯେ ଆସିଲା ତାର ମୁଣ୍ଡ ଲଣ୍ଡା କରିବା ହୁକୁମ ହେଉ ନ ହେଉଣୁ, କମ୍ପାଉଣ୍ଡର ବେହେରା ମିଶି ତାକୁ ଖିଅର କରନ୍ତି । ସେ ବୁଦ୍ଧ–ଭିକ୍ଷୁଙ୍କ ପରି ହେଇ ଡାକ୍ତରଖାନାରୁ ବାହାରେ ।

 

ଗାଁରେ ଲଣ୍ଡାମୁଣ୍ଡିଆ ସଂଖ୍ୟା ବଢ଼ିଲା । ଥରେ ଗୋଟିଏ କନେଷ୍ଟବଳ ମୁଣ୍ଡରେ ଚାଳ ବାଜିଗଲା । ସେ ଡାକ୍ତରଖାନାକୁ ଔଷଧ ପାଇଁ ଆସୁ ନ ଆସୁଣୁ ତାକୁ ଧରି ନିଜେ ଡାକ୍ତରବାବୁ ଲଣ୍ଡାକଲେ–ସରକାରୀ ଲୋକ–ବେହେରା ଚିକିତ୍ସା କରିବା ଠିକ୍ ହେବ ନାହିଁ ।

 

କନେଷ୍ଟବଳ ତ । ସେ କଣ ସହଜରେ ରାଜି ହେଇଥାନ୍ତା ? ଔଷଧ ଦେବେ ବୋଲି ମେଞ୍ଚାଏ ଜାଗା ଖିଅର କରିଦେଲେ । କନେଷ୍ଟବଳ ବଡ଼ ବିବ୍ରତ ହେଇ ପଡ଼ିଲା–ଆରେ ! ଆଚ୍ଛା ମାର୍କଣ୍ଡେଶ୍ଵର ବାରିକ ହାବୁଡ଼ରେ ମୁଁ ପଡ଼ିଲି । ...ମୋ ମୁଣ୍ଡ କିଛି ହେଇ ନ ଥିଲା–ଛୁଟୀ ନେବାପାଇଁ ଟିକିଏ ଚିକିତ୍ସା କରିବାକୁ ଆସି କି ହଇରାଣ ନ ହେଲି !!

 

ସେ ନିଧିବାବୁଙ୍କ ଉପରେ ଭାରି ତେରିମେରି କଲା । ନିଧିବାବୁ ବି ନଛୋଡ଼ବନ୍ଦା । ସେ ତାଙ୍କର ବକ୍ତୃତା ଆରମ୍ଭ କଲେ–ମୁଣ୍ଡ ପୂଯେଇ ଯିବ । ରକ୍ତ ଲାଗି ବାଳ କଟା ହୋଇଯିବ । ସାମାନ୍ୟରେ ଖିଅର ନ କଲେ ନ ଚଳେ । ତେବେ କନେଷ୍ଟବଳ ରାଗିବାରୁ ସେ ସଜାଡ଼ି ଦେବାକୁ ତାଳୁଟା ଅଧା ଗୋଲେଇକରି ଖିଅର କରିଦେଲେ । ଦର୍ପଣରେ ଦେଖି କନେଷ୍ଟବଳ ଡାକ୍ତରଙ୍କୁ ମାରିବାକୁ ତିଆର । ଡାକ୍ତରବାବୁଙ୍କ ଆଡ଼େ ଡାକ୍ତରଖାନାର ସବୁ କର୍ମଚାରୀ ଏକଜୁଟ ହେଇ ଠିଆ ହେଇଛନ୍ତି ।

 

–ହଉ, ଯାହା ହେଲା, ହେଲା । ୟାକୁ କଣ ଠିକ୍ କର । ହତାଶ ହେଇ କନେଷ୍ଟବଳଟି କହିଲା ।

 

–ଏଇଆ ତ ? ମୋ କଥା ଶୁଣ । ମୁଁ ହେଉଛି ଡାକ୍ତର । ତମେ ମୁଣ୍ଡଟା ପୂରା ଲଣ୍ଡା କରିଦିଅ, ଦେଖିବ ତମର ଅନେକ ବେମାରି ଭଲ ହେଇଯିବ ।

 

–ଚୋପା ହବ । ହଉ ଲଣ୍ଡାକର । ଅଧା ତ ନେଲଣି, ଆଉ ଅଧକ ନିଅ ।

 

ଶେଷକୁ ସେଇଆ ହେଲା । ଲଣ୍ଡା କରି ଡାକ୍ତରବାବୁ ନାଲି ଔଷଧ ମେଞ୍ଚେ ମାରି ଦେଇ ପୂରା ମୁଣ୍ଡକୁ ବ୍ୟାଣ୍ଡେଜ କରିଦେଲେ ।

 

କନେଷ୍ଟବଳ ଦେଖିଲା–ଆଉ ବାଟ କିଛି ନାହିଁ । ଠେକା ଭିଡ଼ିଲାପରି ପଟି ବାନ୍ଧି ବାହାରିଲାବେଳେ ଗାଁଯାକ ହୁଲୁସ୍ତୁଲୁ ପଡ଼ିଗଲା ଯେ କନେଷ୍ଟବଳବାବୁଙ୍କୁ ବାଉଁଶରେ ପିଟି ସାରା କରି ଦେଇଛନ୍ତି ।

 

ଏଇ ଖବର ଜିଲ୍ଲାବୋର୍ଡ଼ ଡାକ୍ତରଖାନାରେ ପହଞ୍ଚିଲା । ପୁଲିସ ସାହେବ ବି ଜାଣିଲେ । ଆଉ ଗୋଟିଏ ସିପାହୀ ଆସି ନିଧିବାବୁଙ୍କୁ କୈଫିୟତ ମାଗିଲା–ଦେଖ ଡାକ୍ତର, ତମେ ଜେଲଖାନା ଯିବ ।

 

–କାହିଁକି ?

 

–ତମେ ସେ କନଷ୍ଟେବଳକୁ କାହିଁକି ଲଣ୍ଡା କଲ ?

 

–ତା ମୁଣ୍ଡ ପୂଯେଇଥିଲେ ତମେ ଦାୟୀ ହେଇଥାନ୍ତ ?

 

–ଗୋଟାକଯାକ କାହିଁକି ଲଣ୍ଡା କଲ ?

 

–ତାର ଦେହ ଖରାପ ଥିଲା । ମୁଣ୍ଡ ଲଣ୍ଡାହେଲେ, ଦେହ ଭଲ ହୁଏ ବୋଲି ମୁଁ ଜାଣେ ।

 

–ଆମ ସାହାବ କହିଛନ୍ତି ଯେ ଆଉ ଥରେ ଯଦି କୋଉ ପୁଲିସକୁ ତମେ ଲଣ୍ଡା କର, ତେବେ ତମକୁ ଚାଲାଣ କରାହବ । ଖବରଦାର...ଯଦି କେହି ପୁଲିସ ଏଠିକି ଆସେ ତମେ ତାର ଚିକିତ୍ସା କରିପାରିବ ନାହିଁ ।

 

–ହଉ, ହେଲା । ମୁଁ କହେ ପରା ପୁଲିସକୁ ଛୁଇଁବ ନାହିଁ । ମୁଁ ପଇତା ଛୁଇଁ କହୁଛି, ଆଉ କୋଉ ପୁଲିସକୁ ଏଠି ପୂରେଇବି ନାହିଁ ।

 

ଡାକ୍ତରବାବୁ ବଡ଼ ଅଡ଼ୁଆରେ ପଡ଼ିଲେ । ଯେତେ ନୂଆ ନୂଆ ଔଷଧ ସବୁଥିରେ ଗୋଳମାଳ ହେଉଛି । ଇଞ୍ଜେକସନ୍ ଦେବାକୁ ଟଙ୍କାଏ । ଖିଅର କରିବା ବି ଟଙ୍କାଏ । ଲାଭ ସିନା ହେଉଥିଲା; ତେବେ ଏଇ ପୁଲିସଟାକୁ ଛାଡ଼ି ଦେଇଥିଲେ ହେଇଥାନ୍ତା ।

 

ନିଧିବାବୁ କେଇଦିନ ଆଉ କିଛି ଚିକିତ୍ସା କଲେ ନାହିଁ । ପୁଲିସ ଧମକରେ ଚୁପହେଇ ବସି ରହିଲେ । ରୋଗୀ ଆସିଲେ କହନ୍ତି–ଥାଉ ବାବା, ତମେ ମର ଏଇଟା ପୁଲିସଙ୍କ ଇଚ୍ଛା । ଗରମ ଗୁଡ଼ାକ ଉପରକୁ ଉଠିଲେ ମୁଣ୍ଡବାଳ ଦାବି ଦଉଛି । ବାଳ କାଟିଲେ ପୁଲିସ ରାଗୁଛି । ଯହୁଁ ଯହୁଁ ଗରମ ବଢ଼ୁଛି, ମୁଣ୍ଡବାଳ ସେମିତି ତେଜରେ ପଲବି ଉଠୁଛି...ମୁଁ ଏବେ କରିବି କଣ ?

 

ଲୋକେ ଚିଡ଼ନ୍ତି ପୁଲିସ ଉପରେ–ପିତା ଓଷଦ ନ ଖାଇ ଛୁଞ୍ଚିରେ ଇଞ୍ଜେକସନ୍ ନ ନେଇ ଏଡ଼େ ସହଜରେ ଯେଉଁ ଚିକିତ୍ସା ଡାକ୍ତରବାବୁ ଆରମ୍ଭ କରିଥିଲେ, ସେଥିରେ ପୁଲିସ କାଳ ହେଲାଣି-। ପୁଲିସ ଜିଲ୍ଲାବୋର୍ଡ଼ ଡାକ୍ତରପଟିଆ ହେଇ କାମ କରୁଛି ।

 

ନିଧିବାବୁଙ୍କ ଡାକ୍ତରଖାନା ଦୁଆର ମୁହଁରେ ରୋଗୀମାନେ ମୁଣ୍ଡରେ ହାତ ଦେଇ ବସନ୍ତି, କିନ୍ତୁ ନିଧିବାବୁ ଆଉ ତାଙ୍କୁ ଚିକିତ୍ସା ନ କରି ସମସ୍ତଙ୍କୁ ଜିଲ୍ଲାବୋର୍ଡ଼କୁ ପଠାନ୍ତି–ଯାଅ ଭଲହେଲେ ଖୁସି । ନ ହେଲେ ତମ କପାଳ...ମୁଁ କଣ କରିବି ? ...ମତେ ପୁଲିସ ଜେଲଖାନା ଦବ...ମୁଁ କୋଉ ଥିବି ଯେ ଚିକିତ୍ସା କରିବି ?

 

କିନ୍ତୁ ଜିଲ୍ଲାବୋର୍ଡ଼ ଡାକ୍ତରଖାନା ରୋଗୀମାନଙ୍କୁ ମୋଟେ ପନ୍ଦର ହୁଏ ନାହିଁ । ସେମାନେ ସେଠି ବସି ସେ ଡାକ୍ତରବାବୁଙ୍କୁ ପ୍ରଶଂସା ଶୁଣାନ୍ତି । କିନ୍ତୁ ନିଧିବାବୁଙ୍କର ଅଣୁବୀକ୍ଷଣ ଯନ୍ତ୍ର କାମ ଦେଖାଏ । ସେଇଥିରେ ସେ କୌଣସି ପ୍ରକାର ଚଳିଯାନ୍ତି ।

 

ସେ ଯନ୍ତ୍ରକୁ ଠିକ୍‍ ଭାବରେ ବସେଇ ନ ପାରିଲେ ଅନେକ ପ୍ରକାର ଛାଇ ପଡ଼େ । ଡାକ୍ତରବାବୁ ଯନ୍ତ୍ର ପାଖରେ ଗୋଟିଏ ବହି ଖୋଲି ରଖିଥାନ୍ତି, ଆଉ ପ୍ରତି ମିନିଟରେ ଚିତ୍କାର ଛାଡ଼ନ୍ତି–ହେଇ କମ୍ପାଉଣ୍ଡର, ଦେଖିଲ ଦେଖିଲ, ଏ ଛବି ବହି ସାଙ୍ଗରେ ମିଳୁଛି ନା ?

 

ରୋଗୀ ମନରେ ବିଶ୍ୱାସ ଆଣିବାକୁ, ଆଉ ରୋଗୀ ଦେହରେ କି ପ୍ରକାର କୀଟାଣୁସବୁ ଅଛନ୍ତି ଜଣାଇବାକୁ, ତାଙ୍କୁ ବି ଯନ୍ତ୍ର ଭିତରେ ଦେଖାନ୍ତି । ସେ ଦେଖୁ ନ ଦେଖୁ ପାଟି କରି କହୁଥାନ୍ତି–ହେଇ ଦେଖ ଦେଖ...ଏ ବହି ଚିତ୍ରର ଲାଞ୍ଜ ପରି ଏ ପୋକର ଲାଞ୍ଜ ଅଛି–ସେ କେମିତି ଝଅଟ ଝଅଟ ଟାଣି ନଉଛି ତାର ଲାଞ୍ଜକୁ...ଡେରି କଲେ ଆଉ ଦେଖିପାରିବ ନାହିଁ ।

 

ପରିସ୍ରା ବେଶି ପରୀକ୍ଷା ହୁଏ । ରୋଗୀମାନେ ଗୋଟିଏ ଗୋଟିଏ ଆଟିକାରେ ଝାଡ଼ା ପରିସ୍ରା ଏକାଠି କରି ରଖନ୍ତି । ଆଟିକା ଛୁଇଁବା ଫିସ ଟଙ୍କାଏ । ତେଣୁ ତାଙ୍କୁ ଖୁସି କରିବାକୁ ସେ ପାଟି କରନ୍ତି–ହେଇ ଦେଖ, କେମିତି ମୋତିଆବିନ୍ଦୁ ପରିସ୍ରାରେ ପହଞ୍ଚିଲାଣି–କାହାକୁ ଅବା କହନ୍ତି–କିରେ, କଣ ତୋ ପରିସ୍ରାରେ ଆକାଶର ତାରକା ବାହାରିଲାଣି ? ରାତିରେ ବହୁତ ବେଳ ତୁ ପଦାରେ ବୁଲୁ, ନା ?

 

–ଆଜ୍ଞା, ଯାତରା ଦେଖି ଯାଇଥିଲି ।

 

–ହଁ, ହେଇଥିବ । ତାରାଙ୍କର ଆଲୁଅ ଭାରି ଟାଣ । ସେଇ ମୁଣ୍ଡ ଭିତର ଦେଇ ଦେହରେ ପଶୁଛି । ଏଣେ ମୁଣ୍ଡର ଗରମ ଭିତରୁ ବାହାରକୁ ଯାଇପାରୁ ନାହିଁ । ବେଶି ବେଳ ଦେହ ଭିତରେ ରହିଗଲେ ବିପଦ । ଡାକ୍ତରଖାନା ଦୁଆର ମୁହଁରେ ଆଶଙ୍କା ଫୁଟିଉଠେ ।

 

ଡାକ୍ତରବାବୁଙ୍କର କଥାଗୁଡ଼ାକ ମନେ ରହିଯାଏ । ନାକ ଫୋଡ଼ିଆ ଝାଡ଼ାରେ କୀଟାଣୁ ସାଲୁବାଲୁ ହେଉଥିଲେ....ସେ ପୁଣି ଭିତରେ ଭିତରେ ଅଣ୍ଡା ଦେଲେଣି–ଆଉ କଣ ସେ ବଞ୍ଚିବ ?

 

ସବୁ ବେମାରି ପାଇଁ ଗୋଟିଏ ଚିକିତ୍ସା–ମୁଣ୍ଡବାଳ ଲଣ୍ଡାକର, ଆଉ ଦୁଧ ଇଞ୍ଜେକସନ ନିଅ ।

 

ବଡ଼ ରୋଗୀ ଆସିଲେ ଡାକ୍ତରଖାନା ଦୁଆର ବନ୍ଦ । ନିଧିବାବୁ ତାକୁ କଅଁଳ କଥା କହି ପଠେଇ ଦିଅନ୍ତି ଜିଲ୍ଲାବୋର୍ଡ଼ ଡାକ୍ତରଖାନାକୁ । ତାଙ୍କର ଇଚ୍ଛା ସେ ଭଲ ନ ହେଉ, ଆଉ ସେଇ ଡାକ୍ତର ନିନ୍ଦା ପାଉ । କିନ୍ତୁ କାହାରି ଯଦି ବଥ କି କାଛୁ ହେଇଥାଏ, ସେ ଡାକ୍ତରଖାନାରେ ଖଟିଆ ପାଏ । ଯଦି ସେ ଲୋକ କଥା ନ ଶୁଣେ ତେବେ ଡାକ୍ତରବାବୁ ନିଜେ ଚଉକି ଛାଡ଼ି ହତା ଫାଟକଯାଏ ଯାଇ ତାକୁ ଫେରାଇ ଆଣିବାକୁ ଚେଷ୍ଟା କରନ୍ତି । ପାଖ ବରଗଛ ଆଢ଼ୁଆଳକୁ ନ ଯିବାଯାଏ ସେ ଧୈର୍ଯ୍ୟ ରଖନ୍ତି–ସେଇଠୁ ଡାକ୍ତରଖାନାର ସବୁ ଚାକର ପୁଝାରୀ ତା ପଛେ ପଛେ ଧାଆନ୍ତି ତାକୁ ଫେରାଇ ଆଣିବାକୁ । ସେ ରୋଗୀକୁ ନ ଆଣିବା ଯାଏ କାହାରି ମନରେ ଶାନ୍ତି ନ ଥାଏ ।

 

ରୋଗୀ ସଂଖ୍ୟା ବଢ଼ାଇବାକୁ ସେ କେତେ ନୂଆ ଫନ୍ଦି ବାହାର କରନ୍ତି । କାହାକୁ ସାର୍ଟିଫିକେଟ୍ ଦେବାକୁ ହେଲେ ସେ ଡାକ୍ତରଖାନାରେ ରହିବାକୁ ବାଧ୍ୟ । ଦିନେ ଦି’ଦିନ ଚିକିତ୍ସା ହବ-। ଦିନକୁ ରହିବା ଖର୍ଚ୍ଚ ଚଉଦ ସୁ’କା । ଟଙ୍କା ନଗଦ ଦେଇ ନ ପାରିଲେ ଚାଉଳ, ଡାଲି, ପରିବା, ଦୁଧ, ମାଛ ଯାହା ଦେଇପାର । ଏମିତି କି କେହି ନୁଆଲୋକ ଯଦି ରହିବାକୁ ଘର ନ ପାଇଲା ତେବେ ସେ ଡାକ୍ତରଖାନାରେ ରୋଗୀ ହୋଇ ରହିବାକୁ ବାଧ୍ୟ ।

 

ନୂଆ ଡାକ୍ତରଖାନା କଲାବେଳେ ଯୋଡ଼ିଏ ବଖରାରେ ଛଅଟି ଖଟିଆ ପକାଇଥିଲେ । ସେଇ ଛଅଟି ଖଟିଆ ପୂରା କରିବାକୁ ଡାକ୍ତରବାବୁ ସବୁବେଳେ ତିଆର୍ । ଗାଉଁଲୀ ରୋଗୀଗୁଡ଼ାକ ଖଟିଆରେ ରହିବାକୁ ରାଜି ହୁଅନ୍ତି ନାହିଁ । କିଏ ପାଟିକରେ–ଇଏ କଣ ? ଘର ଭିତରେ ପୁଣି ଗୋଟାଏ ଘର ! ତଳେ ଗୋଡ଼ ନାଗୁ ନାହିଁ, ଉପରେ କନା ବନ୍ଧା ହେଇଛି, ସେ ଅଣନିଶ୍ୱାସୀ ହେଇଯାଏ ।

 

ସବୁବେଳେ ଗୋଳମାଳ ଲାଗିଥାଏ–ରୋଗୀ ଆଣିବା ରୋଗୀ ରଖିବା–ସବୁଥିରେ ଯୁକ୍ତି, ତର୍କ, ଆଲୋଚନା ଚାଲିଥାଏ ।

 

ଦିନେ ସକାଳେ ଖବର ହେଲା, ଆଉ ଜଣେ ନୂଆ ଡାକ୍ତର ଘରୋଇ ଚିକିତ୍ସା କରିବାକୁ ସେଠି ପହଞ୍ଚିଲାଣି ।

 

ନିଧିବାବୁ କହିଲେ–ଆରେ କମ୍ପାଉଣ୍ଡର କଣ ଦେଖୁଛୁ ? କଂସ ଆସିଲାଣି । ଏଠି କ’ଣ ବା ରୋଗୀ ଯେ ଦି’ଟା ଡାକ୍ତର ପୋଷି ହେବେ ?

 

–କଣ କରିବା ? ସେ ଲୋକଟା ଯେତେବେଳେ ଗଣ୍ଠିଲିପତ୍ର ବାନ୍ଧି ଆସିଛି, ସେ କଣ ସହଜରେ ଫେରିବ ?

 

–ହେଇତ ! ଗୋଟାଏ କଣ ଆସୁଛି ଏଣେ । ଦେଖ, ତାର ଛାଇକୁ ଦେଖ... ପ୍ୟାଣ୍ଟ କୋଟ ପିନ୍ଧିଛି, ଚଷମା ଲଗେଇଛି ।

 

–ଓଲଟାଏ । ଏଇଟା ହେଲା ଗାଁ । ଏତେ ପୋଷକପତ୍ର କଣ ଭଲ ? ଖାଲି ଦେହରେ ତ ଆମର ଝାଳ ବହୁଛି ।

 

–ହଁ, ନୂଆ ଡାକ୍ତର କିନା, ସେଥିପାଇଁ ବେଶପଟା ପକେଇ ଆସିଛି, ଆସୁ ।

 

ଖାଲି ଦେହ, ଥନ୍ତଲପେଟ, ଦିଗାଲରେ ପାନ । ଡାକ୍ତରବାବୁ ଚୌକିରେ ଦମ୍ଭିଲା ହୋଇ ବସିଲେ । ନୂଆ ଡାକ୍ତରଟି ଆସି ପଚାରିଲା–ନିଧିବାବୁ କାହାନ୍ତି ?

 

ନିଧିବାବୁ ଆଗ ବେଞ୍ଚ ଖାଲି କରିବାକୁ ଇସାରା କଲେ । କମ୍ପାଉଣ୍ଡର ଠିଆ ହୋଇଗଲା-। ସେଇଠୁ କହିଲେ–ହଁ ମୁଁ । ଶୁଣୁଛି ଆପଣ ଏଠି ଡାକ୍ତରି କରିବାକୁ ଆସିଛନ୍ତି ।

 

–ଆସିଛି ଯେ ଏଠି ବ୍ୟବସାୟ କେମିତି ?

 

–ବ୍ୟବସାୟ ? କଣ କହିବି ସେ କଥା । ପୁଲିସି ସବୁବେଳେ ମୋ ପିଛା ଧରିଛି । ସେ ଚୋର ଧରିଲାପରି ମୋର ପଛେ ପଛେ ରହି ରୋଗୀଙ୍କୁ ପଠାଉଛି ଜିଲ୍ଲାବୋର୍ଡ଼ ଡାକ୍ତରଖାନାକୁ । ସେଥିପାଇଁ ମୁଁ ଆଉ ଚିକିତ୍ସା ନ କରି ଦୈବୀ ଔଷଧ ଆଉ ଦୈବୀ ଚିକିତ୍ସା ଦେଇ ଶାଗ ଭାତ ପାଉଛି-। ତମେ ଆସିଲ ଭଲହେଲା । ବାଣ୍ଟିକରି ଖାଇବା ।

 

–କଣ ! ଆପଣଙ୍କର ଭାରି ସୁନାମ ଶୁଣିଲି....ଗୋଟାଏ ଦି’ଟା ଚୌକି ରଖୁ ନାହାନ୍ତି ?

 

–ଚୌକି ଟେବୁଲରେ ସୁନାମ ହୁଏ ନାହିଁ....ମୁଁ ତ ବସେ ଏ ଚୌକିରେ, ଆଉ ଏଇ ବେଞ୍ଚଖଣ୍ଡକ ଭଦ୍ରଲୋକ କମ୍ପାଉଣ୍ଡର ସମସ୍ତଙ୍କ ପାଇଁ...ୟାରି ଉପରେ ରୋଗୀକୁ ଶୁଆଇ ମୁଁ ଇଞ୍ଜେକସନ୍ ଦିଏ... ଏତିକିକୁ ତ ବ୍ୟବସାୟ ନଅଣ୍ଟ, ଆଉ ଚୌକି କଣ ହବ ?

 

ନୂଆ ଡାକ୍ତରଟି ହସିଲା ।

 

–ଆଚ୍ଛା, ତମେ କଣ ଏକୁଟିଆ ଆସିଛ ? ପିଲାପିଲି ଆଣିଲ ନାହିଁ ?

 

–ବାହା ହୋଇ ନାହିଁ ।

 

–ହେଲା ତେବେ । ଆମେ ପଢ଼ୁ ପଢ଼ୁ ବାହା ହୋଇଥିଲୁ । ଏଠିକି ନିଅଙ୍ଗି ହୋଇ ଆସିଲେ ଗାଁ ବାଲାଏ ଚିଡ଼ିବେ......ଏଠି ସମସ୍ତେ ଘରୁଆ...ଆଉ ତମପରି ଏକୁଟିଆ ବାଆଁରା ହେଲେ...ବାବା, ଏଠି ତମର କିଛି ହବ ନାହିଁ ।

 

–ସତେ ?

 

–ତେବେ ରକ୍ଷା ହୋଇଛି ବାହା ହୋଇନା...ବାହା ହୋଇଥିଲେ ତମ ପିଲାଗୁଡ଼ାକ ଭୋକ ଉପାସରେ ମରି ଯାଇଥାନ୍ତେ । ଏଠି ତ ଟଙ୍କା ମିଳିବ ନାହିଁ–ମିଳିବ ମୁଗ, ବିରି, କୋଳଥ, ଦୁଧ, କଞ୍ଚାକଦଳୀ, ଆଖୁ, ଛେନା...

 

–ଆଉ ? ଟଙ୍କା ?

 

–ଟଙ୍କା ! ମୁଁ ତ ତେବେ ଟଙ୍କା ଖୋଜି ନାହିଁ । ଅନେକ ଉପାୟ କରି ବେଳେ ବେଳେ ଟଙ୍କା ପାଏ, କିନ୍ତୁ ସେତକ ପାଇବାକୁ ଡାକ୍ତରୀ ତ ନୁହେଁ କେଜାଣି କେତେ ନା କେତେ ବୁଦ୍ଧି ଖଟାଇବାକୁ ପଡ଼େ । ତମେ କଣ ପାରିବ ?

 

–ଦେଖିବା । ଆଚ୍ଛା ଏଠି ରହିବା ଜାଗା କୋଉଠି ଅଛି, କହିଲେ ?

 

–ଏଠି ରହିବାର ଗୋଟିଏ ଜାଗା, ସେ ହଉଛି ଏଇ ନିଧିବାବୁଙ୍କ ଡାକ୍ତରଖାନା, କିନ୍ତୁ ଏଠି ରୋଗୀ ନ ହେଲେ ଖଟିଆ ମିଳେ ନାହିଁ । ଦିନକୁ ଖର୍ଚ୍ଚ ଚଉଦ ସୁଉକା–ଔଷଧ, ପଥି, ଚିକିତ୍ସା, ଘରଭଡ଼ା–ସବୁ ମିଶେଇ ।

 

–ମତେ କଣ ରୋଗୀ କରିବେ ?

 

–ଛି–ତେବେ ମୁଁ ଯଦି ତମକୁ ଏଇଠି ରଖେ ତେବେ ନିଜ ଦାନାରେ ଧୂଳି ଦେବି...ଆମେ ଡାକ୍ତର ସତ, କିନ୍ତୁ ବଞ୍ଚିବା ପାଇଁ, ପିଲାପିଲିଙ୍କ ମୁହଁରେ ଆହାର ଦେବାପାଇଁ ହେଲେ ମୁଁ ତମକୁ ଏଠି କେମିତି ରଖେଇବି ?

 

ନୂଆ ଡାକ୍ତରଟି ନିଧିବାବୁଙ୍କ ମୁହଁକୁ ଚାହିଁଲା । ସେଠି ଡାକ୍ତରର ଚିହ୍ନବର୍ଣ୍ଣ ନାହିଁ । ତା ବଦଳରେ ଗୋଟିଏ ନୂଆଲୋକ ଠିଆ ହୋଇଛି । ସେ ଦେଖି ପାରିଲା ନିଧିବାବୁଙ୍କର ସେଇ ପୂରିଲା ମୁହଁ ଭିତରୁ ଆଉ ଗୋଟିଏ ଦୁର୍ବଳ, ବିକଳାଙ୍ଗ ମଣିଷ ଭୟଭୀତ ଚାହାଣିରେ ତାରି ଆଡ଼କୁ ଚାହିଁ ରହିଛି ।

★★★

 

Unknown

ଚୋରଣୀ

 

ଖଇରିଆ ରଙ୍ଗର କୁକୁଡ଼ାଟି ସମସ୍ତଙ୍କର ଶତ୍ରୁ–ପିଲାଙ୍କର ଯେମିତି ବଡ଼ଙ୍କର ସେମିତି । ବଡ଼ ମଣିଷଙ୍କର ରାଗ ତା ଉପରେ, କାରଣ ସେ ଛପି ଛପି ରୋଷେଇ ଘରେ ପଶିଯାଏ, କଟା ପରିବା ଖୁମ୍ପି ନିଏ । ତାକୁ ଦଣ୍ଡେ ନ ଜଗିଲେ ଘର ଲଣ୍ଡଭଣ୍ଡ କରିଦବ ।

 

ପିଲାମାନଙ୍କର ବି ସବୁଠୁ ବେଶି ଆଖି ତା’ରି ଉପରେ । ଭାରି ପାର୍ଖା । ସବୁ ଖାଇବ, ଧରାଦବ ନାହିଁ । ଛୁଇଁବାକୁ ଗଲେ ପଳେଇବ–ଉଡ଼ିବ । ଆଉ ଲୁଚେଇକରି ଅଣ୍ଡା ଦବ । ଚାରିଆଡ଼ ନ ଖୋଜିଲେ ତାଠୁ ଅଣ୍ଡା ମିଳିବା ଭାରି କଷ୍ଟ । ଦେଶୀ କୁକୁଡ଼ା–ଅଣ୍ଡା ଦିଏ ଛୋଟ, ଛୁଆ ବି ହେବେ ଦେଶୀ–କୋଉ କାମକୁ ପାଇବେ ନାହିଁ ।

 

ସେଥିପାଇଁ ତା ନାଁ ପିଲାମାନେ ରଖିଥିଲେ ‘ଚୋରଣୀ’ । ଚୋରଣୀ ଖାତିର କରେ ନାହିଁ–ଯେତେ ନରମ କି କଡ଼ା କରି ଡାକିଲେ ଚୋରଣୀ ସେ ଡାକକୁ ଖାତିର କରେ ନାହିଁ । ଖାଲି ଖାଇବା ଜିନିଷକୁ ନଜର ରଖିଥାଏ–କେମିତି ଚିଲାମାରି ଖାଇଦେଇ ଚାଲିଯିବ ।

 

ଚୋରଣୀ ଭାରି ଦୁଷ୍ଟ, ଭାରି କଳିହୁଡ଼ୀ । ଦିନଯାକ କୋଉ କୁକୁଡ଼ାଙ୍କୁ ଚରେଇ ଦିଏ ନାହିଁ । ବିଦେଶୀ କୁକୁଡ଼ା କୋଉଠୁ ଟିକିଏ କଣ ଖାଇ ବସିଲେ ଚୋରଣୀ ଆସି ଝାମ୍ପ ମାରେ । ଖୁମ୍ପାଖୁମ୍ପି କରି ସେମାନଙ୍କର ପର ଛିଣ୍ଡେଇ ପକାଏ । ଚୋରଣୀକୁ ନ ଜଗିଲେ ଅନ୍ୟ କୁକୁଡ଼ା କିଛି ଖାଇବାକୁ ପାଇବେ ନାହିଁ ।

 

ବିଦେଶୀ କୁକୁଡ଼ାଙ୍କୁ ଚରେଇବାକୁ ହେଲେ ଚୋରଣୀକୁ ଜଗିବା ଛଡ଼ା ଆଉ ବାଟ ନାହିଁ । ତେବେ ତାର ଭଲଗୁଣ ଭିତରେ ଏତିକି ଯେ ସେ ଭଲ ଛୁଆ ଫୁଟାଏ, ଛୁଆଙ୍କୁ ଭଲକରି ପାଳେ–ଚିଲଙ୍କୁ ମୋଟେ ଦେଖେଇ ଦିଏ ନାହିଁ । ସେଥିପାଇଁ ଚୋରଣୀକୁ ସମସ୍ତେ ଆଖି ଆଗରେ ରଖିଥାନ୍ତି–ସେ ଭଲ ଛୁଆ କରିବ ।

 

ବିଦେଶୀ କୁକୁଡ଼ାଗୁଡ଼ାକ ଖାଲି ଦେଖିବାକୁ ସୁନ୍ଦର, ଅଣ୍ଡା ଦିଅନ୍ତି ବଡ଼ ବଡ଼, ହେଲେ ଛୁଆ କଲାବେଳକୁ ପଛ । ତାଙ୍କର ଦରକାର ଗୋଟିଏ ଧାଈ । ସେମାନେ ଅଣ୍ଡା ଦେଇଦେଲେ ତାଙ୍କର କାମ ସରିଲା ।

 

ଚୋରଣୀ ତାଙ୍କର ଅଣ୍ଡା ଫୁଟେଇବ । ବର୍ତ୍ତମାନ ସେ ଅଣ୍ଡା ଦଉଛି । ସଙ୍ଗା ତଳୁ, ତାବଲ ସନ୍ଧିରୁ, ବୁଦା ମୂଳୁ ତାର ଅଣ୍ଡା ଗୁଡ଼ାକ ଖୋଜା ହେଇ ବାହାରେ । ସେ କୁଆଡ଼େ ଗଲେ ପିଲାମାନେ ତା ପିଛା ଧରି ଧାଉଁଥାନ୍ତି, ଆଉ ସେ ଅଣ୍ଡା ଦଉ ନ ଦଉଣୁ ପିଲାଏ ଯାଇ ନେଇ ଆସନ୍ତି ।

 

ଚୋରଣୀ ଅଣ୍ଡା ଦେଇ ସାରିଲେ ଅନ୍ୟମାନଙ୍କର ଅଣ୍ଡାରୁ ଛୁଆ କରିବା କାମରେ ଲାଗିବ ।

 

ଚୋରଣୀ ବସିଛି–ଦି’ହାତ ଲମ୍ବ, ହାତେ ଓସାରର କିରାସିନି ପଟାର ଭଙ୍ଗା ଢାବଲ ଭିତରେ ପେଟେଇ ପଡ଼ି ସେ ବସିଛି । ପେଟତଳେ ଆଠଟି ଅଣ୍ଡା । ତାର ଛାପଛାପିକା ଖଇରିଆ ଡେଣା ଦୁଇଟି ସେ ଅଣ୍ଡାଗୁଡ଼ିକୁ ଲୁଚେଇ ରଖିବାରେ ସବୁବେଳେ ସତର୍କ । ତାର ସେଇ ଦଶମୀ ଚାନ୍ଦପରି ଆଖିପତା ଭିତରୁ କଳା ଡୋଳା ଦିଓଟି ଦୁର୍ବଳତାରେ ନିସ୍ତେଜ । ମାଟିଆ ରଙ୍ଗର ବଙ୍କୁଲି ଥଣ୍ଟଟି ତଳୁ ଚାରି ଆଙ୍ଗୁଳି ଛାଡ଼ି ‘ଆଁ’ କରି ଧକେଇ ହଉଛି, ଆଉ ତାର ଛାତି ଚିରି ତହିଁରୁ ବାହାରୁଛି କେମିତି ଗୋଟାଏ ଦେହ ଉଲୁସା କରୁଣ ‘କଟ୍ କଟ୍’ ଶବ୍ଦ ।

 

ମୁଣ୍ଡ ଉପରେ ଖରା । ଅଶ୍ୱସ୍ତି ଲାଗେ–ଏମିତି କାହିଁକି ହଉଛି ? ଶୋଷରେ ଛାତି ଫାଟିଗଲା ପରି ଏମିତି ଧକେଇ ହଉଛି କାହିଁକି ସେ ? ଚାଖଣ୍ଡେ ଛଡ଼ାରେ ଗୋଟିଏ ସଢ଼େଇରେ କିଛି ଧାନ ଓ ଚାଉଳ । ଆଉ ତା’ରି ପାଖରେ ଥଣ୍ଟଆଡ଼କୁ ଆଉ ଗୋଟିଏ ସଢ଼େଇରେ ପାଣି । ପାଣିତକ ବୋଧହୁଏ ସେ ଥଣ୍ଟବଜେଇ ଢାଳି ଦେଇଛି । ଭୋଟକା ଗନ୍ଧରେ ଦି’ହାତ ଲମ୍ବର ଜାଗା ଖଣ୍ଡିକ କୁକୁଡ଼ା ମଇଳା ଓ ଛୋଟ ଛୋଟ ପରରେ ଖତଗଦାଠାରୁ ମଧ୍ୟ ଆହୁରି ହୀନ ହେଇ ଉଠିଛି । କିନ୍ତୁ ଚୋରଣୀର ସେ ଆଡ଼କୁ ନଜର ନାହିଁ–ତପସ୍ୟା କଲାପରି ସେଇ ଏକ ଜାଗାରେ ବସିରହି ଥଣ୍ଟ ମେଲେଇ ସେ ସେମିତି କାହାରି ଉଦ୍ଦେଶ୍ୟରେ ପ୍ରାର୍ଥନା କରି ଚାଲିଛି... ।

 

ଚୋରଣୀ ଭଜନ କରୁଛି...କାହା ପାଇଁ ? ତାକୁ ଟୋପେ ପାଣି ଦେବାକୁ ନା ତାର ପେଟତଳେ ଥିବା ଅଣ୍ଡାମାନଙ୍କପାଇଁ ? ...କିନ୍ତୁ ସେ ତ ତାର ଅଣ୍ଡା ନୁହେଁ... ତହିଁରୁ ଯେଉଁ ଛୁଆ ଫୁଟିବେ ସେମାନଙ୍କର ମା’ତ ଏ ଚୋରଣୀ ନୁହଁ ! ଖଣ୍ଡେ ଦୂରରେ ଯେଉଁ ଧୋବଲା ପେଣ୍ଠୀ ବୁଲୁଛି–ତା’ରି ଅଣ୍ଡାରୁ ଚାରିଟା ଏ ଚୋରଣୀକୁ ଫୁଟେଇବା ପାଇଁ ଦିଆହୋଇଛି । ଆଉ ଚାରିଟା ବିଦେଶୀ କୁକୁଡ଼ାର ଅଣ୍ଡା କୁକୁଡ଼ା–ଫାର୍ମରୁ କିଣାହୋଇ ଆସିଛି । ସେଇ ଆଠଟି ଅଣ୍ଡା ଚୋରଣୀକୁ ଦିଆ ଯାଇଛି । ହୁଏତ ଚୋରଣୀ ସେମାନଙ୍କର ସୁସ୍ଥ ଆବିର୍ଭାବ ପାଇଁ ପ୍ରାର୍ଥନା କରୁଛି, ଭଗବାନ ଓ ମଣିଷ–ଉଭୟଙ୍କ ନିକଟରେ । ସେ ଜାଣି ନାହିଁ ଯେ ତା’ରି ତେରଟି ଅଣ୍ଡାକୁ ପିଲାଏ ଖାଇଦେଇ ତାକୁ ଭଣ୍ଡେଇବାକୁ ଆଠଟି ବାହାରର ଅଣ୍ଡା ପେଟତଳେ ଥୋଇ ଦେଇଛନ୍ତି । ଛୁଆ କରାଇବା ପାଇଁ ।

 

ଚାରିବର୍ଷର ପୁଅ ନଟ ହାତରେ ଖଣ୍ଡେ କାଠି ଧରି ଢାବଲ ପାଖରେ ଆସି ଛିଡ଼ା ହେଲା-। ଦି’ ପହର ବେଳ । ଯେ ଯୁଆଡ଼େ କାମରେ ଯାଇଛନ୍ତି ଓ ସାନ ପୁଅକୁ ବାର ବାର କରି ଶୋଇବାର ତାଗିଦା ଦେଇ ମା ତାର ଉପନ୍ୟାସ ପଢ଼ାରେ ମଜ୍ଜି ଯାଇଛି । ତାରି ଭିତରେ କୋଉ ଛଟକରେ ନଟ ଉଠି ଚାଲି ଯାଇଛି, ସେ ଜାଣି ପାରି ନାହିଁ ।

 

ନଟ ଲଇଁ ପଡ଼ି ଆଣ୍ଠୁ ଉପରେ ହାତ ଭରା ଦେଇ ଚୋରଣୀର ପେଟତଳକୁ ଚାହିଁଲା–ଅଣ୍ଡାର ଦେଖା ନାହିଁ । ଆଖିରେ ଆଖି ମିଶିଲା–ଚୋରଣୀ ରଡ଼ି ଛାଡ଼ିଲା ‘କଁଅ...’ । ତା ରଡ଼ିରେ ଡରି ନ ଯାଇ, କାଠି ସାହାଯ୍ୟରେ ନଟ ଗୋଟାଏ ପଟ ଡେଣା ଟେକିବାକୁ ଯିବାବେଳେ ରାଗରେ କେଶର ଫୁଲେଇ ସେଇହାତରେ ଗୋଟାଏ ଜବର ଖୁମ୍ପା ବସେଇ ଦେଲା ଚୋରଣୀ । ଭୟରେ ଚମକିପଡ଼ି, ରଡ଼ିଟାଏ ଛାଡ଼ି ନଟ ଲେଉଟି ପଡ଼ିଲା ପଛକୁ । ହାତ–ପିଠିକୁ ଚାହିଁ ଦେଖିଲା ଗୋଟାଏ ଜାଗାରୁ ମଳି–ଚମ ଛାଡ଼ି ଯାଇଛି । ଖୁବ୍ କଷ୍ଟ ହେଲା ପରି କୁନ୍ଥେଇ କରି ଗୋଟାଏ ନିଶ୍ଵାସ ଛାଡ଼ି ଛଳ ଛଳ ଆଖିରେ ସେ ଫେରିଗଲା ମା’ ପାଖକୁ । ଗଲାବେଳେ ରାଗରେ ଥରେ ଚୋରଣୀକୁ ଚାହିଁଲା–ଭାଇହେରିକା ଇସ୍କୁଲରୁ ଫେରିଲେ ସେ ତାକୁ ଦେଖିନବ । ଏକୋଇଶ ଦିନ ହେଲାଣି । ଛୁଆ କରି ନାହିଁ...ଖାଲି ବସିଛି ।

 

ମା ପାଖରେ ନିଜ ହାତର ଖଣ୍ଡିଆକୁ ଦେଖାଇ ନଟ ଓଲଟି ଗାଳିଖାଇ ଶୋଇବାକୁ ଗଲା । ଆଉ ଶୋଇ ଶୋଇ ସପନ ଦେଖିଲା ଚୋରଣୀ ଅଣ୍ଡାରୁ ଛୁଆ ଫୁଟିଛି... ।

 

ବଡ଼ଭାଇ ଦେବ ଓ ମାଧ ସ୍କୁଲରୁ ଫେରି ବହିପତ୍ର ଫୋପାଡ଼ି ଦେଇ ପ୍ରଥମେ ଧାଇଁଗଲେ ଚୋରଣୀ ପାଖକୁ–ଛୁଆ ଫୁଟିଲେଣି କି ନାହିଁ ଦେଖିବେ । ନଟ ବି ସେମାନଙ୍କ ପଛରେ ସମାନ ଖୋଜରେ ଚାଲିବାକୁ ଚେଷ୍ଟାକରି ପାଟି କରୁଥାଏ–ଭାଇ ଭାଇ,ମୁଁ ଆଜି ସପନ ଦେଖିଛି ଚୋରଣୀ ଅଣ୍ଡାରୁ ଛୁଆ ଫୁଟିଛି... ।

 

ଦେବ ତଳୁ ଖଣ୍ଡେ କାଠି ଗୋଟେଇ ନେଇ ଚୋରଣୀର ଡେଣା ଟେକି ଦେଖିବାକୁ ଚେଷ୍ଟା କଲା । ଚୋରଣୀ ତାର ମାଂସପେଶୀର ସବୁତକ ବଳ ଏକାଠି ଠୁଳ କରି ଥରକୁ ଥର କାଠିକୁ ଖସେଇ ପକାଉଥାଏ ଓ ମଝିରେ ମଝିରେ ସେଇ କାଠିକୁ ଗୋଟାଏ ଗୋଟାଏ ଖୁମ୍ପା ମାରୁଥାଏ । ଦେବ ସାଥିରେ ତା କାଖ ଭିତରେ ମୁହଁ ଗଳେଇ ସାନ ଦିହେଁ ବି ଦେଖିନେଲେ ଯେ ଛୁଆ ଫୁଟି ନାହାନ୍ତି । ଅଣ୍ଡାଗୁଡ଼ାକୁ ବାହାରକୁ ଆଣି ଦେବ ଦେଖିବାକୁ ଗଲାବେଳେ ସେ ପୁଣି ତାକୁ ଥଣ୍ଟରେ ଘୋଷାରି ନେଇ ପେଟ ତଳେ ଲୁଚେଇ ଦେଉଥାଏ ଓ ସେମାନେ ଥିବାଯାଏ ରାଗରେ ‘କଁଅଁ କଁଅଁ’ ଗର୍ଜନ ଛାଡ଼ିଥାଏ ।

 

ଦେବ ଧାନ ସଢ଼େଇକୁ ଚାହିଁଲା–ଯଥେଷ୍ଟ ଧାନ ଅଛି । କାଠି ଖଣ୍ଡକରେ ପାଣି ସଢ଼େଇକୁ ଟାଣି ଆଣି ପାଣି ପୁରେଇ ପୁଣି ଆସ୍ତେ ଆସ୍ତେ ଥଣ୍ଟ ପାଖକୁ ପେଲିଦେଲା । ଖାଲି ହାତରେ କଲେ ଚୋରଣୀ ଖୁମ୍ପି ପକେଇବ । ଏତକ ସରିଲା ପରେ ଦେବ ଆସି ଠିଆ ହେଲା କାନ୍ଥ ପାଖରେ–ପଛରେ ଅନ୍ୟ ଦି’ଜଣ । କାନ୍ଥ ଦେହରେ ଧଳା ଖଡ଼ିରେ ଅଣ୍ଡା ବସିବାର ତାରିଖ ଲେଖା ହେଇଛି । ସେଇ ଲେଖାକୁ ଚାହିଁ ଦେବ ପ୍ରଥମେ ଟିକିଏ ଚିନ୍ତାକଲା, ପରେ ଅନ୍ୟ ଦିହିଙ୍କି ଶୁଣେଇ ଶୁଣେଇ ବଡ଼ପାଟିରେ କହିଲା–ଆଜିକି ତ ଏକୋଇଶ ଦିନ ହେଲା...କାହିଁକି ଛୁଆ ଫୁଟିଲେ ନାହିଁ କେଜାଣି ? ଏକୋଇଶ ଦିନରେ ତ ଛୁଆ ଫୁଟିବେ ବୋଲି ବାପା କହିଥିଲେ...ନୁହଁରେ ମାଧ ?

 

–ହଁ । ...ଆଛା ଭାଇ, ତମେ ଠିକ କରି ଦେଖିଚଟି ଛୁଆ ହେଇ ନାହାନ୍ତି ?

 

–ନାଇଁ ମ, ଛୁଆ ହେଲେ ପାଟି କରନ୍ତେ ନାହିଁ ?

 

–ଭାଇ ଭାଇ, ମୁଁ ଆଜି ସପନ ଦେଖିଚି ଚୋରଣୀ ଅଣ୍ଡାରୁ ଛୁଆ ଫୁଟିଛି–ନଟ ହାତ ହଲେଇ ହଲେଇ କହିଲା ।

 

ଦେବ ପୁଣି କଣ ଚିନ୍ତାକରି ଟିକିଏ ବେଳ ଚୁପ୍ ରହି ପଚାରିଲା–

 

ସପନ ଦେଖିଛୁ ? କଣ ଦେଖିଲୁ ?

 

–ମୁଁ ସପନ ଦେଖିଲି ଚୋରଣୀ ଅଣ୍ଡାରୁ ଛୁଆ ଫୁଟିଚି...ଚାରିଆଡ଼ଯାକ ଛୁଆମାନେ ଚାଲୁଛନ୍ତି......ଭାଇ ଆଜି ନିଶ୍ଚେ ଫୁଟିଯିବେ...ନୁହଁ ?

 

ଦେବ କିଛି ଜବାବ ଦେବା ଆଗରୁ ମାଧ ବାହାରି ପଡ଼ି କହିଲା–ମୁଁ ସପନ ଦେଖିଥିଲି ଛୁଆ କାଲିକି ଫୁଟିବେ...ଦେଖିବ ମୋରି କଥା ଠିକ୍ ହେବ...ଆଉ ଟିକିଏ ବେଳ ପରେ ତ ରାତି ହୋଇଯିବ, ୟାରି ଭିତରେ କଣ ଛୁଆ ଫୁଟି ପାରିବେ ?

 

କଥା ସେତିକିରେ ବନ୍ଦ ରହିଲା । ମା ଡାକିଲାଣି ଖାଇବାକୁ । ଆଗପଛ ହେଇ ତିନିହେଁଯାକ ଖାଇବାକୁ ଚାଲିଗଲେ ।

 

ପାହାନ୍ତିଆରୁ ଉଠି ପିଲାମାନେ ଧାଇଁଲେ ଛୁଆ ଦେଖିବାକୁ । ଚୋରଣୀ ସେମିତି ଚୁପକରି ବସିଛି । ଛୁଆଙ୍କର ସୋରଶବ୍ଦ ନାହିଁ । ପିଲାମାନଙ୍କ ମୁହଁ ଶୁଖିଗଲା–ଆଉ କଣ ଛୁଆ ଫୁଟିବେ ନାହିଁ ? ବାପା ଘରେ ନାହାନ୍ତି–ତିନିଦିନ ହେଲା କଣ କାମରେ ବାହାରକୁ ଯାଇଛନ୍ତି । ପିଲାମାନେ ମା ପାଖରେ ଯାଇ ଫେରାଦ ହେଲେ–ଅଣ୍ଡାଗୁଡ଼ାକ ଖରାପ...ବାଇଶ ଦିନ ହେଲାଣି ଛୁଆ ଫୁଟି ନାହାନ୍ତି ।

 

–ଫୁଟିବେ ଫୁଟିବେ...ତମେ ସବୁ ଏମିତି ଛାନିଆ ହଉଛ କାହିଁକି ? ଠିକ୍ ଉଷୁମ ପାଇ ନାହାନ୍ତି ବୋଧହୁଏ, ସେଥିପାଇଁ ଡେରି ହେଉଛି ।

 

–ହଃ...ଠିକ୍ ଉଷୁମ ପାଇ ନାହାନ୍ତି...ଦିନ ରାତି ପେଟ ତଳେ ଜାକି କରି ବସିଚି–କହି ଦେବ ଚାଲିଗଲା । ତା ପଛେ ପଛେ ମାଧ ଓ ନଟ ବି ଚାଲିଗଲେ ।

 

ସେ ଦିନ ରବିବାର–ବାଇଶ ଦିନ ହେଲା ।

 

ଦୁଇଜଣ କୁଣିଆଙ୍କୁ ନିମନ୍ତ୍ରଣ କରାଯାଇଛି–ମା କାମରେ ବ୍ୟସ୍ତ । ଏତିକିବେଳେ ହାତରେ ଦୁଇ ଫାଳ ଅଣ୍ଡା ଭିତରେ ମଲା ଛୁଆଟାଏ ଧରି ପିଲାମାନେ ପହଞ୍ଚିଲେ ।

 

–ମା’ ମା’ ଦେଖ, ୟାର ପେଟ କେମିତି ଅଧା ତିଆରି ହେଇଛି... ଇସ୍ କି ବଢ଼ିଆ ଛୁଆଟାଏ ହେଇଥାନ୍ତାରେ...ଦେବ କହିଲା ।

 

–ଆହା, ମାରି ପକେଇଲ ? ତମକୁ କିଏ କହୁଥିଲା ତାକୁ ଫଟେଇବାକୁ ?

 

–ଆମେ ଫଟେଇନୁ ମ...ସିଏ ଆପେ ଗଡ଼ି ପଡ଼ିଲା ତଳକୁ ।

 

–ମୁଁ କହୁଛି ତାଙ୍କର ବେଳ ହେଇ ନାହିଁ, ବେଳ ହେଲେ ସେମାନେ ଆପେ ବାହାରିବେ...ଅଲକ୍ଷଣା ଛୁଆଗୁଡ଼ାକ...ଯୋଉଥିରେ ହାତ ଦେଉଛନ୍ତି, ତାକୁ ଜୀବନରେ ମାରି ଛାଡ଼ି ଦେଉଛନ୍ତି ।

 

ମା ଠାରୁ ଗାଳି ଖାଇ ପିଲାମାନେ ମଲା ଛୁଆକୁ ଧରି ଫେରିଗଲେ । ଥରକୁ ଥର ତିନିହେଁଯାକ ଛୁଆ ଦେହରେ ଟିପ ଛୁଆଁଇ କହୁଥାନ୍ତି–ଇସ୍, କି ନରମ !

 

ସେଇଦିନ ଖରାବେଳେ ନଟ ଚାରିଆଡ଼େ ଖବର ପ୍ରଚାର କରିଦେଲା–ଛୁଆ ହେଲେଣି, ଛୁଆ ହେଲେଣି... ଦଉଡ଼ି ଆସ ।

 

ଦେବ ଓ ମାଧ ଗୁଡ଼ି ନଟେଇରେ ସୂତା ଗୁଡ଼ାଉଥିଲେ । ନଟେଇକୁ ଫୋପାଡ଼ି ଦେଇ, ଖୁସିରେ ଗୋଟାଏ କୁହାଟ ଛାଡ଼ି ଧାଇଁଗଲେ ଚୋରାଣୀ ପାଖକୁ ।

 

ପଦାକୁ ଛୁଆ ଦିଶୁ ନାହାନ୍ତି, କିନ୍ତୁ ସେମାନଙ୍କର କଅଁଳିଆ ‘ଚୁଇଚାଇ’ ‘ଚୁଇଚାଇ’ ଶବ୍ଦ ଜଣେଇ ଦଉଛି ଯେ ସେମାନେ ଆସିଗଲେଣି । ପିଲାମାନଙ୍କ ଭିତରେ ଉତ୍ତେଜନା–ଏତେଗୁଡ଼ାଏ ପାଟି ଶୁଭୁଛି...କେତେଟା ଛୁଆ ଫୁଟିଛନ୍ତି ?

 

କାଠିରେ ଟେକି ଦେଖାଗଲା, ଦିଓଟି ଛୁଆ ବାହାରିଛନ୍ତି–ଫିକା ହଳଦିଆ ରଙ୍ଗର ଗୋଲଗାଲ ତୁଳାର ଚଢ଼େଇ । ଛୋଟ ଛୋଟ ଗୋଲ ଗୋଲ କଳା କଳା ଆଖିରେ ଜୁଳୁଜୁଳୁ କରି ଚାହିଁ ରହିଛନ୍ତି । ଅଣ୍ଡାର ଖୋଳପାତକ ଦେବ ବାହାରକୁ ଗଡ଼େଇଦେଲା । ଅନ୍ୟ ପାଞ୍ଚଟି ଅଣ୍ଡାରୁ ଗୋଟିଏ ଫୁଟି ଆସୁଛି–ଛୁଆର ଥଣ୍ଟ ପାଖରୁ ଖୋଳି ଭାଙ୍ଗି ଆସିଲାଣି । ଭିତରୁ ଛୁଆଟା ବାହାରି ଆସିବାକୁ ଛଟପଟ ହେଉଛି–ସେଥିପାଇଁ ଖୋଳିର ସେଇ ଜାଗାଟା ଧକ ଧକ ହେଇ ଉଠୁଛି ପଡ଼ୁଛି-। ଦେବ ଅନ୍ୟ ଦିହିଙ୍କି ଚାହିଁ ପଚାରିଲା ।

 

–ଛୁଆଟା ଆସି ପାରୁ ନାହିଁ...କାଢ଼ି ଦବା ?

 

–ହଁ ହଁ କାଢ଼ିଦିଅ । ଏକା ସାଙ୍ଗରେ ମାଧ ଓ ନଟ ପାଟି କରି ଉଠିଲେ ।

 

ଅଣ୍ଡାଟା ହାତରେ ଧରି ଦେବ ଆସ୍ତେ ଆସ୍ତେ ଖୋଳି ଛଡ଼େଇ ଛୁଆକୁ ବାହାର କଲା । ଖୋଳି ଭିତରଟା ସଫା–ଖାଲି ନାଲି ଶିରାର ତିନି ଚାରିଟା ଗାର ଆଉ ଟୋପାଏ ପାଣି ବଳିଛି ଯାହା । ସାଙ୍ଗେ ସାଙ୍ଗେ ଅଣ୍ଡାରୁ ବାହାରି ଥିବାରୁ ଦେହରେ ନାଳ ଲାଗି ଛୁଆଟା ମଢ଼ିଆ ଦିଶୁଥିଲା । ଦେବ ତାକୁ ତା ମା ପାଖକୁ ଛାଡ଼ିଦେଲା । ଏଥରକ କିନ୍ତୁ ଚୋରଣୀ ହାତ ଖୁମ୍ପିବାକୁ ଥଣ୍ଟ ବଢ଼େଇଲା ନାହିଁ ।

 

ଆଉ ରହିଲା ଚାରୋଟି ଅଣ୍ଡା । ପିଲାମାନଙ୍କ ଭିତରେ ପରାମର୍ଶ ଚାଲିଲା–କଣ କରାଯିବ ? ଆରଗୁଡ଼ାକ ତ ୟାରି ପରି ଦୁର୍ବଳିଆ ହେଇଥିବେ...ଆପେ ଆପେ ଫୁଟେଇ ଆସି ପାରିବେ ନାହିଁ...ତେଣୁ କଣ କରାଯିବ ?

 

ମତ ହେଲା ଯେ ସବୁଗୁଡ଼ାକ ଟିକିଏ ଟିକିଏ ଫୁଟେଇ ଦେବା ଦରକାର । ଦେବ ଗୋଟିଏ ଅଣ୍ଡା ଆଣିଲା । ଆସ୍ତେ ଆସ୍ତେ ଗୋଟାଏ ଜାଗା ଫଟେଇଲା । ତା ପରେ ଲୋଭ ସମ୍ଭାଳି ହେଲା ନାହିଁ–ଗୋଟାଏ କଣ୍ଟା ଆଣି ଖୋଳପାତଳ ଚମଡ଼ାକୁ ଟିକିଏ ଉଖାରି ଦେଇ ଚାହିଁଲା–ଛୁଆ ଦିଶୁଛି କି ନାହିଁ ।

ଛୁଆ ନା ଫୁଆ ! କାଞ୍ଜିଆ ଅଣ୍ଡାଟାଏ । ଗନ୍ଧରେ ନାକ ଭାଙ୍ଗି ପଡ଼ିଲା । ଅଣ୍ଡାଟାକୁ ଧରି ପୁଣି ସମସ୍ତେ ଧାଇଁଲେ ମା ପାଖକୁ–ମା ଦେଖ, କେମିତି କାଞ୍ଜିଆ ହେଇ ଯାଇଛି...ଏଥିରୁ କଣ ଛୁଆ ଫୁଟିଥାନ୍ତେ ?

–ଓଃ, କାହିଁକି ସେଥିରେ ଲାଗିଛ ଭଲା ? ତମେଇ ତ ତାକୁ କାଞ୍ଜିଆ କଲ ।

–ଆମେ ? ଆମେ କାଞ୍ଜିଆ କରିଛୁ ? ପିଲାମାନେ କଳି କରିବାକୁ ବାହାରି ପଡ଼ିଲେ ।

–କରି ନା ? ଦିନ ରାତି ଯେତେବେଳେ ଦେଖ କୁକୁଡ଼ା ପେଟତଳୁ ଅଣ୍ଡାକୁ ଆଣି କାନ ପାଖରେ ହଲେଇ ଦେଖୁଛ ଛୁଆ ହେଲେଣି କି ନାହିଁ...ଭିତରଟା ଚହଲିଗଲେ କଞ୍ଜିଆ ହେଇଯିବ ନାହିଁ ? ଇସ୍, କି ଗନ୍ଧ ! ....ଯା’ ବାହାରେ ଫୋପାଡ଼ି ଦିଅ ।

ପିଲାମାନେ ଆପଣା ଆପଣା ଭିତରେ ମୁହଁ ଚାହାଁଚୁହିଁ ହେଇ ଫେରିଗଲେ–ସତେ ତ....ଆର ତିନିଟା ଅଣ୍ଡା ତେବେ କାଞ୍ଜିଆ ହେଇ ଯାଇଥିବ.... ଆହା ଚୁ ଚୁ....ମିଛଟାରେ ନଷ୍ଟ ହେଇଗଲାରେ ।

ଚିନ୍ତିତ ମନରେ ଆଉ ଗୋଟିଏ ଅଣ୍ଡା ଧରି ଦେବ ଠୋକ୍‍କର ଦେଲା । ଡେଣା ପାଖରେ ପ୍ରଥମେ କଣା ହେଲା ସମସ୍ତଙ୍କ ମନରେ ଉତ୍କଣ୍ଠା–କାଞ୍ଜିଆ ହେଇଯାଇ ନାହିଁ ତ ? ନା ନା, ଛୁଆ ହେଇଛି, କିନ୍ତୁ ଛୁଆଟା ମଲାଙ୍କ ପରି ପଡ଼ି ରହିଛି । ବୋଧ ହୁଏ ତାର ବାହାରିବାର ସମୟ ହେଇ ନ ଥିଲା । ତଥାପି ତାକୁ କୁକୁଡ଼ା ପେଟ ତଳେ ଛଡ଼ା ଗଲା ।

ଶେଷ ଛୁଆର ଅବସ୍ଥା ଦେଖି ବାକି ଦୁଇଟା ଅଣ୍ଡା ବର୍ତ୍ତି ଗଲେ । ସେମାନଙ୍କୁ ପୁଣି ମା ପେଟ ତଳକୁ ଫେରାଇ ଦିଆଗଲା ।

ବର୍ତ୍ତମାନ ଚିନ୍ତା–ଛୁଆମାନଙ୍କୁ କଣ ଖାଇବାକୁ ଦିଆଯିବ ? ଭୋକରେ ବିଚରା ଢବଲ ଭିତରେ ପାଟିକରି ବୁଲୁଛନ୍ତି.... ।

ସେମାନେ ଭୁଲିଗଲେ ଯେ ବାପା ଗଲାବେଳେ କହି ଯାଇଥିଲେ ଛୁଆମାନଙ୍କୁ ପ୍ରଥମ ଦିନ ଉପାସ ରଖାଯିବା କଥା । ଦୟାରେ ସମସ୍ତଙ୍କର ହୃଦୟ ଉଛୁଳୁଛି–ଏଡ଼େ ଛୋଟ ଛୋଟ ଛୁଆଗୁଡ଼ାକ କଣ ଉପାସ ରହିବେ ? ଆହା ! ଖାଇବା ଜିନିଷ କେତେ ଖୋଜି ହଉଛନ୍ତିରେ-

ତିନି ଭାଇଯାକ ଧାଇଁଗଲେ । ମୁଠାଏ ଚାଉଳକୁ ଗୁଣ୍ଡକରି ନେଇ ଆସି ଛୋଟ ଛୋଟ ଗିନାରେ ରଖିଦେଲେ–ଏଡ଼େ ଛୋଟ ଛୁଆ....ସଢ଼େଇ ଭିତରକୁ ଉଠି ପାରିବେ ନାହିଁ । ସେମିତି ଦୁଆତ ଠିପିମାନଙ୍କରେ ସେମାନଙ୍କ ପାଇଁ ପାଣି ମଧ୍ୟ ଆସିଲା ।

ଛୁଆମାନେ ଥରକୁ ଥର ପଦାକୁ ଆସି ଗୋଟାଏ ଅଧେ ଖୁଦ ଖାଇ ପୁଣି ମା ପେଟ ତଳେ ପଶି ଯାଉଥାନ୍ତି । ମା’ ର ପେଟଟା ତଳେ ଲାଗିକରି ରହିଥାଏ, କିନ୍ତୁ ତା’ରି ଭିତରେ ରାସ୍ତା ପଡ଼ିଲା ପରି ସେମାନେ ଅକ୍ଲେଶରେ ପଶି ଯାଉଥାନ୍ତି ପୁଣି ବାହାରି ଆସୁଥାନ୍ତି ।

 

ତିନୋଟି ଛୁଆ ଏମିତି ଲୁଚୁକାଳି ଖେଳ ଖେଳିବାରେ ଲାଗିଥାନ୍ତି । କେବଳ ଗୋଟିକର ଦେଖା ଦର୍ଶନ ନ ଥାଏ । ଚୋରଣୀର ଡେଣାଟେକି ଦେଖାଗଲା ସେ ଛୁଆଟା ଧକେଇ ହଉଛି, ଚାଲିବାକୁ ତାର ବଳ ପାଉ ନାହିଁ ।

 

–ଥାଉ ଥାଉ ଉଷୁମ ପାଇ କାଲିକି ବଳୁଆ ହେଇଯିବ ।

 

କିଏ କହିଲା ବୋଲି ପିଲାମାନେ ଚମକି ପଡ଼ି ଚାହିଁ ଦେଖିଲେ ପଛଆଡ଼େ ମା ଠିଆ ହେଇଛି । କୁକୁଡ଼ାଙ୍କୁ ଦେଖୁ ଦେଖୁ ମା ପୁଣି ପଚାରିଲା ।

 

–କେତେବେଳେ ଛୁଆ ଫୁଟିଲେ ?

 

–ଏଇ, ଏଇକ୍ଷଣି ତ ।

 

–ନା ନା......ଛୁଆଗୁଡ଼ାକ ଆପେ ଆସି ଖାଉଛନ୍ତି... ନିଶ୍ଚେଁ ସାତ ଆଠ ଘଣ୍ଟା ହେଇ ଗଲାଣି... ତମେ ଦେଖି ପାରି ନ ଥିଲ... ହଇରେ, ସେମାନଙ୍କୁ ପରା କଣ ଦେଢ଼ଦିନ ଉପାସ ରଖିବା କଥା ବୋଲି କହି ଯାଇଥିଲେ... ତାଙ୍କୁ ଖୁଦ ଦେଲ କାହିଁକି ?

 

ପିଲାମାନଙ୍କର ମନେ ପଡ଼ିଗଲା । କଣ ଆଉ କରିବେ ? ଛୁଆ ତ ଖୁଦ ଖାଇଲେଣି । ମା’କୁ ବୁଝେଇବାକୁ ଯାଇ ଦେବ ବାହାରି ପଡ଼ି କହିଲା–ନାଇଁ ମ...ଯାହାକୁ ଭୋକ କରୁ ନଥିବ, ସେମାନେ ସିନା ଖାଇବେ ନାହିଁ...ଏମାନଙ୍କୁ ତ ଭୋକ କରୁଥିଲା ।

 

–ତମ ଜାଳାରେ ସେମାନେ ଜୀବନ ନେଇ ବଞ୍ଚି ରହିଲେ ବହୁତ ହେଲା । କହିଦେଇ ମା ଚାଲିଗଲା କାମରେ ।

 

ପିଲାମାନଙ୍କ ଭିତରେ ଆଲୋଚନା ଚାଲିଲା–ଗୋଟିଏ ବଳୁଆ ଛୁଆ, ଯେ ସବୁଠୁ ବେଶି ଖୁଦ ଖାଉଛି... ସେଇ ଗୋଟାକ ଖାଲି ଗଞ୍ଜା ହବ, ବାକିଗୁଡ଼ାକ ମାଈ ।

 

ସଞ୍ଜହୋଇ ଆସୁଛି । ଛୁଆଗୁଡ଼ାକ ମା’ ପେଟତଳେ ଲୁଚି ଗଲେଣି । ଢାବଲ ମୁହଁରେ ଦୁଆର ଦେଇ, ସେଇ ବିଷୟ ଆଲୋଚନା କରୁ କରୁ ପିଲାମାନେ ଫେରିଗଲେ ।

 

ପରଦିନ ବଡ଼ି ଅନ୍ଧାରରୁ ପିଲାମାନେ ଆସି ଦେଖିଲେ ଯେ ଗୋଟିଏ ଛୁଆ ମରି ପଡ଼ିଛି-। ଅନ୍ୟ ଛୁଆ ତିନୋଟି ‘ଚୁଇଚାଇ’ ଶବ୍ଦ କରି ଢାବଲ ଭିତରେ ବୁଲୁଛନ୍ତି, ଆଉ ଚୋରଣୀ ବଳକା ଅଣ୍ଡା ଦି’ଟାକୁ ଗୋଡ଼ରେ ଆଡ଼େଇ ଦେଇ ବାହାରି ଆସିବାକୁ ଛଟପଟ ହେଉଛି ।

 

ବାଇଶ ଦିନ ଧରି ନଖାଇ ନପିଇ, ସେ ଯେଉଁମାନଙ୍କ ପାଇଁ ଗୋଟିଏ ଜାଗାରେ ବସି ରହିଥିଲା, ସେମାନେ ତ ପଦାକୁ ଆସିଲେଣି । ଆଉ ସେ ବା କାହିଁକି ତୁଚ୍ଛାଟାରେ ବସି ରହିବ ? ଯେ ଆଗେଇ ଆସିଛି ତାକୁ ଆଗେଇ ନେବା କଥା–ଯେ ପଛରେ ପଡ଼ିଲା ପଡ଼ିଥାଉ ।

 

ପକ୍କା ଅଗଣାରେ ଗୋଟିଏ ଝାମ୍ପ ଭିତରେ ଛୁଆମାନଙ୍କୁ ମା ସହିତ ଛାଡ଼ି ଦିଆଗଲା । ତା’ରି ଭିତରେ ଚାଉଳ ଓ ପାଣି ଦିଆଗଲା । ଚୋରଣୀ ଗୋଡ଼ ବଜେଇ ପାଣିକୁ ଢାଳିଦେଲା । ଚାଉଳ ସଢ଼େଇକୁ ଗୋଡ଼ରେ ଟାଣି ଆଣି ତଳେ ଅଜାଡ଼ି ଦେଲା । ତାକୁ ଶାନ୍ତି ଲାଗୁ ନ ଥାଏ । ସେ ଖୋଜୁଥାଏ ମାଟି ଜାଗା–ଯୋଉଠି ନଖରେ ଖୋଳି ସେ ପୋକଯୋକ ପାଇ ପାରିବ । ସେଥିପାଇଁ ପକ୍କା ଦୁଆରକୁ ସେ ଥରକୁ ଥର ନଖରେ ରାମ୍ପିବିଦାରି ଚାଉଳକୁ ଚାରିଆଡ଼େ ଛିଟ୍‍କେଇ ଦଉଥାଏ ଓ ଚାରିଆଡ଼େ ଘୂରି ଘୂରି ଦେଖୁଥାଏ କୋଉଠି ଟିକିଏ ଫାଙ୍କା ମିଳିଲେ ବାହାରି ଚାଲିଯିବ ।

 

ସମସ୍ତଙ୍କର ଇଚ୍ଛା ଛୁଆମାନଙ୍କୁ ହାତରେ ଧରିବେ । ଝାମ୍ପର ଗୋଟିଏ ପଟ ତଳୁ ଦିଆଙ୍ଗୁଳି ଟେକିଦେଲେ ଗୋଟିଏ ଛୁଆ ବାହାରୁ ଚାଲିଆସେ । ସେତେବେଳେ ତାକୁ ଧରି ଆଦର କରିବାକୁ ସମସ୍ତେ ଲାଗିପଡ଼ନ୍ତି । କିଏ ହାତର ଗୋଟିଏ ଆଙ୍ଗୁଠିରେ ତାକୁ ଠିଆ କରାଏ ତ କିଏ ଗୋଟିଏ ଟିପିରେ ଠିଆ କରାଏ ।

 

ଖରା ମାଡ଼ି ମାଡ଼ି ଆସିଲା, ଆଉ ଝାମ୍ପ ଘୁଞ୍ଚି ଘୁଞ୍ଚି ଗଲା ଛାଇକୁ । ସମସ୍ତଙ୍କର ଆଖି ସତର୍କ–କାଉ, ଚିଲ, କୁକୁର ବିଲେଇଙ୍କୁ ଜଗି ରହିଛନ୍ତି ।

 

ଆଗେ ଚୋରଣୀକୁ ଧରିବାକୁ ହେଲେ କେତେ ଫନ୍ଦି ଦରକାର ପଡ଼ୁଥିଲା, କିନ୍ତୁ ଏଇକ୍ଷଣି ସେ ସମସ୍ତଙ୍କ ହାତ ମୁଠାରେ । ଛୁଆମାନଙ୍କୁ ଧରି ତମେ ଯୋଉଠି ବସ, ଚୋରଣୀ ମନକୁ ମନ ଯାଇ ସେଠି ପହଞ୍ଚିବ ।

 

ପ୍ରଥମ ଦିନ କଟିଗଲା । ଦ୍ୱିତୀୟ ଦିନ ଅନୁମତି ମିଳିଲା ଯେ ଘଣ୍ଟାଏ ଖଣ୍ଡେ ଚିଲମାନଙ୍କୁ ଜଗିରହି କୁକୁଡ଼ାଙ୍କୁ ବାହାରେ ଛାଡ଼ି ଦିଆଯିବ । ପଦାରେ ନ ଚରିଲେ କେହି ଭଲ ବଢ଼ିବେ ନାହିଁ କି ଚତୁର ହେବେ ନାହିଁ । ପିଲାମାନେ ପଢ଼ା ଛାଡ଼ିଦେଇ ଲମ୍ବା ଲମ୍ବା ନଗି ଧରି ଜଗି ରହିଲେ–କାଉ କି ଚିଲ ଆସିଲେ ସେଇ ନଗିରେ ଏମିତି ବାଗରେ କେଞ୍ଚିଦେବେ ଯେ ସେ ଜୀବନଯାକ ମନେ ରଖିଥିବ । ଆଉ କେବେହେଲେ ଆସିବ ନାହିଁ ।

 

ଚୋରଣୀ ଆଗେ ଆଗେ ଚାଲିଥାଏ–ଛୁଆମାନେ ତା’ ଗୋଡ଼ ଚାରିକଡ଼େ ଛନ୍ଦି ହୋଇ ଚାଲିଥାନ୍ତି । କୋଉଠି ମାଟିକୁ ଗୋଡ଼ରେ ଖୋଳି ପକେଇ ପିଲାମାନଙ୍କୁ ଡାକ ଛାଡ଼େ ପୋକଟାଏ କି ମଞ୍ଜିଟାଏ ଖାଇଯିବାକୁ କିନ୍ତୁ ଯେତେଯାହା କଲେ ବି ତାର ଆଖି ସବୁବେଳେ ସତର୍କ ଥାଏ । ମୁଣ୍ଡ ଉପରେ କାଉଟାଏ ଉଡ଼ିଗଲେ କି ଉଚ୍ଚ ଆକାଶରେ ଚିଲ ଚକ୍କର ଖାଇଲେ ଚୋରଣୀ ‘କ୍ୟାଁଉ’ ବୋଲି ଗୋଟାଏ ରଡ଼ି ଛାଡ଼ି ଛୁଆମାନଙ୍କୁ ବିପଦର ସଙ୍କେତ ଦିଏ ଓ ଛୁଆମାନେ ସାଙ୍ଗେ ସାଙ୍ଗେ ତା ଡେଣାତଳେ ପଶିଯାନ୍ତି । ଏମିତି ଭାବରେ ଘଣ୍ଟାଏ କାଳ ଚରିବା ପରେ ସେମାନଙ୍କୁ ପୁଣି ଝାମ୍ପି ତଳେ ପୂରେଇ ଦିଆଗଲା ।

 

ଦିନକୁ ଦିନ ଛୁଆମାନେ ମା’ଠାରୁ ଦୁରରେ ଚରିବାକୁ ଶିଖିଲେ । ବିପଦର ଚିହ୍ନ ଦେଖିଲେ ଚୋରଣୀ ରଡ଼ିଟାଏ ଛାଡ଼େ ଓ ଛୁଆ ତିନିଟା ଯିଏ ଯୋଉଠି ପାରନ୍ତି, ଗହଳିଆ ଜାଗା ଦେଖି ମିନିଟିକ ପାଇଁ ଛପି ଯାଆନ୍ତି ।

 

ତିନିଦିନ ଯାଇ ଚାରିଦିନ ପଶିଲା । ନଟ ଆଉ ସମ୍ଭାଳି ପାରିଲା ନାହିଁ । ଖରାବେଳେ ମା ଶୋଇଥିବା ସମୟରେ ଝାମ୍ପି ଖୋଲିଦେଇ ନଗି ଧରି ବସିଲା ।

 

ନଟର ପ୍ରଧାନ କାମ ହେଉଛି କୁକୁଡ଼ାଙ୍କ ପଛରେ ଲାଗିବା । କୁକୁଡ଼ା ଝାମ୍ପି ତଳେ ରହିଲେ ତାକୁ ଦେଖିବାକୁ ଭଲ ଲାଗେ ନାହିଁ । ପଦାକୁ ନ ବାହାରିଲେ ଆଉ ମଜା ରହିଲା କଣ ? ସେଥିପାଇଁ ସେ ଝାମ୍ପି ଖୋଲି ଦେଇଥିଲା ।

 

ହାତରେ ନଗି–ଚିଲ କଣ ଆସିବ ? ଆସିଲେ ସେ ତା ପେଟ ଫୁଟେଇଦବ । ଉପରକୁ ଚାହିଁ ଦେଖିଲା–ଆକାଶରେ କୋଉଠି ହେଲେ ଚିଲ ନାହିଁନ୍ତି । ଭାଇମାନେ ସ୍କୁଲକୁ ଯାଇଛନ୍ତି । କୁକୁଡ଼ା ସାଙ୍ଗରେ ଖେଳିବାରେ କେହି ବାଦ କରି ପାରିବେ ନାହିଁ । ନଟ ଭାରି ଖୁସି ହୋଇ ଛୁଆଗୁଡ଼ାଙ୍କୁ ଚାହୁଁଥାଏ । ଉଲ୍ ତିଆରି ବଲପରି କେଡ଼େ ସୁନ୍ଦର ମାଟିଆ, ହଳଦିଆ ହୋଇଛନ୍ତି.....ପୁଣି କେଡ଼େ ନରମ ! ଚୋରଣୀ କେତେ ଜଗିବ ? ସେ ଗୋଟାଏଆଡ଼େ ଚାହିଁଲେ ନଟ ଯାଇ ଆଉ ଗୋଟାଏ ଆଡ଼େ ଆଉଁଷି ଦିଏ ଚାରିଆଡ଼େ ଚାଉଳ ବୁଣି ଦେଇଥାଏ–ଚୋରଣୀ ଚରୁ ।

 

ଯେତେ ଦେଲେ ବି ଚୋରଣୀ ଖାଇଦିଏ । ନଟ ପୁଣି ଧାଏଁ ଚାଉଳ ଆଣିବାକୁ । ହାତରେ ଦି’ଦିଟା ଆଣେ–ବଡ଼ ମଜା । ଚୋରଣୀ ଗୋଟିଏ ଜାଗାରେ ନ ଚରି, ଏଠିସେଠି ଚାରିଆଡ଼େ ଚରୁଛି । ଘାସ ଭିତରେ ଚାଉଳ ବୁଣିଲେ ସେ ଦେଖିପାରିବ ନାହିଁ ବୋଲି ନଟ ଚାଉଳକୁ ମେଲା ଦୁଆରେ ବୁଣିଦିଏ ।

 

ଆଜି କେଡ଼େ ମଜା ! ଭାଇମାନେ ଆସିଲେ ନଟ ତାଙ୍କୁ କିଛି କହିବ ନାହିଁ–ସେ ଏକା ଏକା ଖେଳିବ କୁକୁଡ଼ାଙ୍କ ସାଙ୍ଗରେ । ପୁଣି ସନ୍ଧ୍ୟା ବେଳକୁ ବନ୍ଦକରି ରଖିଦେବ ।

 

ଆକାଶରେ ଗୋଟାଏ ବି ଚିଲ ନାହିଁ । ନଟ ଥୋଡ଼ାଏ ବେଳ ଖେଳି ଝାମ୍ପି ତଳେ ରଖିଦେଲା । ଭାଇମାନେ ସ୍କୁଲରୁ ଆସିଲାବେଳକୁ ନଟ ପିଣ୍ଡାରେ ବସି ଝାମ୍ପିକୁ ଚାହିଁଥାଏ ।

 

ଦେବ ଓ ମାଧ ବହି ଥୋଇ ଦେଇ ଆଗ ଧଇଁଲେ ଝାମ୍ପି ଖୋଲିବାକୁ । ନଟ ପାଟିକଲା–ଚିଲ ନେଇଯିବେ । କୁକୁଡ଼ାଙ୍କୁ ଖୋଲିଲେ ସେ ଆଉ ଚିଲ ଜଗିବ ନାହିଁ ।

 

–ଟିକିଏ ବୁଲିଲେ ନାହିଁ ? ଆମେ ଇସ୍କୁଲ ଗଲାବେଳଠୁ ସେଗୁଡ଼ାକ ସେଇଠି ପଡ଼ିଛନ୍ତି-। ଦେବ କହିଲା ।

 

–କ’ଣ ହେଲା ସେଠୁ ? ଛୋଟ ଛୁଆଗୁଡ଼ାକ ମରିଯିବେ, ଚିଲ ନେଇଯିବ । ନଟ ପ୍ରତିବାଦ କଲା ।

 

ଦେବ ବାହାରିଲା ଝାମ୍ପି ଖୋଲିବାକୁ । ନଟ ପାଟିକଲା । ଦେବ ତାକୁ ଗୋଟାଏ ମୁଥ ପକେଇଲା । ନଟ ଭେଁ କରି କାନ୍ଦି ଉଠିଲା ।

 

ମାଡ଼ଗୋଳ ହେଲା । ନଟ ପାଟିକଲା–ମା ଦେଖ, ଭାଇ କୁକୁଡ଼ାଙ୍କୁ ଖୋଲୁଛି ।

 

–ଖୋଲୁ...ସେମାନେ ଟିକେ ବୁଲିବେ ନାହିଁ ?

 

–ମା ଚିଲ ଉଡ଼ୁଛି । କାନ୍ଦି କାନ୍ଦି ନଟ କହିଲା ।

 

–କାହିଁ ଚାଲ ?

 

–ହେଇ ସେଇଠି ।

 

ମିଛୁଆ । କହି ଝାମ୍ପି ଖୋଲି ସମସ୍ତେ ଛୁଆଙ୍କୁ ପଦାରେ ଛାଡ଼ି ପଛେ ପଛେ ଧାଇଁଲେ । ନଟ ମୁହଁ ଶୁଖେଇ ପିଣ୍ଡାରେ ସେମିତି ବସି ରହିଲା । ସମସ୍ତେ ଖେଳିଲେ ସେ ଖେଳିବ ନାହିଁ ।

 

ତହିଁ ଆରଦିନ ନଟ ସେମିତି ଖରାବେଳେ ଛୁଆମାନଙ୍କୁ ଲୁଚି ଲୁଚି ଖେଳେଇଲା । ତା ପରଦିନ ପୁଣି ଖେଳେଇଲା । ସବୁଦିନେ ଭାଇମାନେ ଆସିଲେ କୁକୁଡ଼ା ଝାମ୍ପି ଖୋଲିବା ପାଇଁ କଳି ଲାଗେ । ନଟ ମନାକରେ ଖୋଲିବାକୁ, ଆଉ ସେମାନେ ଜିଦ୍ କରି ଖୋଲନ୍ତି ।

 

ଆଗରେ ରବିବାର ଆସୁଛି । ଦେବ ଓ ମାଧ ଆଗରୁ କଥା ହୋଇଥାନ୍ତି ଯେ ସେଦିନ ଗୋଟାକଯାକ ସେମାନେ କୁକୁଡ଼ାଙ୍କୁ ଖେଳେଇବେ । କେଡ଼େ କଉତୁକିଆ ହୋଇଛନ୍ତି...ପକ୍ଷୀରେ ରଙ୍ଗ ଦେଲାପରି ଚିତ୍ରବିଚିତ୍ର ହୋଇଛି......ଆଖିଗୁଡ଼ାକ କଳା ନାଇଲା ପରି ଦିଶୁଛି... ପୁଣି ଥଣ୍ଟ କେଡ଼େ ସୁନ୍ଦର ହଳଦିଆ–ମନପୂରେଇ ସେମାନେ ଖେଳିବେ ।

 

ସେଥିପାଇଁ ଶନିବାର ଦିନ ନଟ କୁକୁଡ଼ାଙ୍କୁ ମନଇଚ୍ଛା ଖେଳେଇବ ବୋଲି ଝାମ୍ପି ଖୋଲିଦେଲା । ରବିବାର ଦିନ ଭାଇହେରିକା କେହି ତାକୁ ଖେଳିବାକୁ ଛାଡ଼ିବେ ନାହିଁ । କୁକୁଡ଼ାଙ୍କପାଇଁ ଚାଉଳ ଆଣିବାକୁ ଗଲାବେଳେ ଉପରେ ଗୋଟିଏ ଚିଲ ଉଡ଼ୁଥିଲା । ନଟ ଦେଖି ନାହିଁ । ଚାଉଳ ବୁଣିଲା ପରେ ଚୋରଣୀ ଚାଉଳ ଖୁମ୍ପି ଖାଇବାକୁ ଗଲାବେଳେ ହଠାତ୍ ରଡ଼ିଟାଏ ଛାଡ଼ିଲା ।

 

ନଟ ଚାହିଁଲାବେଳକୁ ଚିଲଟାଏ ଗୋଟାଏ ଛୁଆ ଝାମ୍ପିନେଲା । ନଟ ଯାଇ ସେଠି ଅଜାଡ଼ି ହୋଇ ପଡ଼ିଲା–ସେତେବେଳକୁ ଚିଲ ଉଡ଼ିଗଲାଣି ।

 

ଅନ୍ୟ ଛୁଆ ଦିଓଟି ମା ପେଟତଳେ ପଶିଛନ୍ତି । ନଟ ମନରେ ଭାବିଲା–ଚିଲ ନେଇଯାଇଥାନ୍ତା–ନେଇପାରି ନାହିଁ । ଚୋରଣୀ ଭାରି ବୁଦ୍ଧିଆ ।

 

ଟିକକ ପରେ ଯୋଡ଼ିଏ ଛୁଆ ବାହାରିଲେ ନଟ ବ୍ୟସ୍ତ ହେଇ ଆର ଛୁଆଟିକୁ ଖୋଜିଲା-। ଭାବିଲା–ସେ ବୋଧହୁଏ ଡରରେ ବୁଦା ଭିତରେ, ଫୁଲଗଛ ତଳେ କି ନଳା ଭିତରେ ପଶିଥିବ-

 

ଚାରିଆଡ଼ ଖୋଜିଲା–ଛୁଆ ମିଳିଲା ନାହିଁ । ପୁଣି ଚୋରଣୀ ପାଟିକଲା । ନଟ ଦେଖିଲା ଚିଲ ଆସି ଝାମ୍ପିବାକୁ ହେଉଥିଲା–ଉଡ଼ି ଯାଇଛି ।

 

–ନେଇ ଯାଇଥିବ ତ....ଆହା....କଣ କରିବି....ଭାଇ ଆସିଲେ ମାରିବ । ଭାରି ଦୁଃଖରେ ନଟ ଝାମ୍ପି ବନ୍ଦକରି ଘରକୁ ଆସି ଶୋଇପଡ଼ିଲା । ନିଦ ହେଉ ନ ଥାଏ, କଣ କଲେ ସେ ମାଡ଼ ନ ଖାଇବ–ସେଇ କଥା ଶୋଇ ଶୋଇ ଭାବୁଥାଏ ।

 

–କିରେ ନଟ.... ଉଠ୍ ?

 

ନଟ ମୁହଁମାଡ଼ି ଶୋଇଥାଏ ।

 

–କିରେ ଉଠୁନୁ ? ଆଜି କଣ ଏତେବେଳଯାଏ ଶୋଇଛୁ ?

 

ତଥାପି ନଟର ନିଦ ଭାଙ୍ଗିଲା ନାହିଁ । ଡାକି ଡାକି ଶେଷରେ ମା ଚାଲିଗଲା ।

 

ବାହାରେ ଦେବର ପାଟି–ଦେଖିଲୁ ମାଧ, ଆଜି ନଟ ନାହିଁ । ଶୋଇ ପଡ଼ିଛି.....ପ୍ରତିଦିନ ଗୋଳମାଳ କରିବ....ଚାଲ ଆମର ଟିକିଏ କୁକୁଡ଼ାଙ୍କୁ ଖୋଲିବା ।

 

ଝାମ୍ପି ଟେକିଲେ ।–କିରେ, ଆଉ ଗୋଟାଏ ଛୁଆ କୁଆଡ଼େ ଗଲା ? ଦିହେଁ ମିଶି ଗଣିଲେ ଦି’ଟା ହେଉଛି–ଆଉ ଗୋଟାଏ କାହିଁ ? ଚାରିଆଡ଼ ଖୋଜିଲେ, ହଜିଲାଣି.....ଇଏ ନଟର କାମ ।

 

ଦେବ ପାଟି କଲା–ଦେଖିଲା ମା, ଗୋଟାଏ ଛୁଆ ନାହିଁ ।

 

–ନାହିଁ ? ଝାମ୍ପିତ କୁଆଡ଼େ ଯିବ ?

 

ନଟ ଘର ଭିତରୁ ଦେଖୁଥାଏ ।

 

–ତା’ହେଲେ ନଟ ଚିଲକୁ ଦେଇଛି.....ଅଲକ୍ଷଣା ଯାଇ ଶୋଇଛି ।

 

ନଟ ନା ପଡ଼ିବାରୁ ନଟ ମୁହଁମାଡ଼ି ପୁଣି ଶୋଇଲାଣି ।

 

ଦେବ ପଚାରିଲା–ଖରାବେଳେ କଣ ନଟ ଫିଟେଇଥିଲା ?

 

–କେଜାଣି, ମୁଁ ତ ଶୋଇଥିଲି.....ଫିଟେଇଥିବ ।

 

–ହଁ ତ । ହେଇ ଦେଖ ଭାଇ ଏଠି ନଗି ଥୁଆ ହେଇଚି.... ଚାଉଳ ପଡ଼ିଛି–ଇଏ ନଟର କାମ ।

 

–ଦେଖେଁ ? ସତରେ ନଟ ଚିଲକୁ ଦେଇଛି...... ନିଶ୍ଚେ ଖରାବେଳେ ଖୋଲିଥିଲା ।

 

–ଏ ନଟ ! ଉଠ୍ ଉଠ୍... ଆଣେ, ଛୁଆ କୁଆଡ଼େ ଗଲା । ଦେବ ଯାଇ ନଟକୁ ଘୋଷାରିଲା ।

 

ନଟ ପାଟି କଲା–ସେ ଶୋଇବ ।

 

–ଶୋଇବୁ ? ଖଚ୍ଚଡ଼୍... ଛୁଆ କୁଆଡ଼େ ଗଲା ?

 

–ଚୋରଣୀ ଖାଇଥିବ...ସେତ ସବୁ ଖାଇଯାଏ ନୁଚେଇ କରି ।

 

ହଇରେ ମିଛୁଆ ତୋ ଛାତି ଦେଖେଁ କହି ଦେବ ନଟର ଦୁକ୍ ଦୁକି ଉପରେ ହାତ ରଖିଲା । ତାପରେ କହିଲା–ମାଧ ଦେଖିଲୁ ତା ଛାତି କେମିତି ଦୁଲୁକୁଛି ।

 

ହଁ ମ, ସେଇ ତ ଚିଲକୁ ଦେଇଛି... ଦେଖୁନା କେମିତି ଛେପ ଢୋକୁଛି କହି ଛାତି ଦେଖିବାକୁ ମାଧ ହାତ ଆଣୁ ଆଣୁ ନଟ ପଛକୁ ଘୁଞ୍ଚିଗଲା–ସେ ଛାତି ଦେଖେଇବ ନାହିଁ ।

 

ଦେବ ରାଗରେ ଧାଇଁଯାଇ ତାକୁ ଦି’ଟା ବିଧା କସି ଦେଲା । ନଟ ଖୁବ୍ ବଡ଼ ପାଟିରେ କାନ୍ଦି ଉଠିଲା । ଦେବ ମାଧକୁ କହିଲା–ଦେଖ୍ ମାଧ, ନଟ କେମିତି ଛଟାଗାଳି କାନ୍ଦୁଛି ।

 

ମା’ବି ଆସି ପଚାରିଲା–କିରେ ନଟ, ଛୁଆ କାହିଁ ?

 

ନଟ ରାହାଧରି କାନ୍ଦି କହିଲା–ଭାଇ ମାରୁଛି... ଚୋରଣୀ ଖାଇଥିବ ।

 

ମାଧ ଆଉ ରହି ପାରିଲା ନାହିଁ । ନଟକୁ ଗୋଟାଏ ଘୁଷି ମାରିଲା–ଦୁଷ୍ଟ ପିଲା... ଫାର୍ମ ଛୁଆରୁ ଗୋଟାଏ ଚିଲକୁ ଦେଲୁ ?

 

–ତମେ ଦେଖିଚ ?

 

–ଚାଉଳ କିଏ ବୁଣିଲା ?

 

–ଚୋରଣୀ । ସେ ତ ସବୁ ଜିନିଷ ଆଣି ଖାଏ ।

 

ନଟ ପୁଣି ମାଡ଼ ଖାଇଲା । ଏଥର ସେ ରାଗି ଉଠି ବଡ଼ ପାଟିରେ କହିଲା–ମତେ ମାରୁଛ କାହିଁକି ? ମୁଁ ତ ଶୋଇଥିଲି ।

 

–ଚିଲ କେମିତି ନେଲା ?

 

–ଝାମ୍ପି ଟେକିଥିବ.....ମୁଁ କେମିତି ଜାଣିବି ?

 

ପାଟି କାନ୍ଦ ଏକାକାର ହେଇ ଚାଲିଥାଏ । ଶେଷରେ ବିରକ୍ତ ହେଇ ମା ଦେବାକୁ କହିଲା–‘ତମରି ଦୋଷରୁ ଏତକ ହେଇଛି, ତାକୁ ମାଇଲେ କଣ ହବ ? ସବୁବେଳେ ନଗି ଅଗରେ ମାଉଁସ ଖଣ୍ଡେ ଖଣ୍ଡେ ବାନ୍ଧି ଯୋଉ ଚିଲକୁ ନିମନ୍ତ୍ରଣ କର, ତାଙ୍କର ମୁହଁ ଲାଗି ଯାଇଥିଲା–ସେ ଛାଡ଼ିବେ କାହିଁକି ? ଠିକ୍ ହେଇଛି, ଚିଲ ନେଇଛି ।’ କହି ନଟର ହାତ ଧରି ମା ନେଇଗଲା ।

 

ଦେବ ଓ ମାଧ ମନରେ ଭାବିଲେ–ସେମାନେ ସିନା ଚିଲକୁ କେଞ୍ଚିବେ ବୋଲି ନଗି ଅଗରେ ଖଣ୍ଡେ ଖଣ୍ଡେ ମାଉଁସ ବାନ୍ଧନ୍ତି, କିନ୍ତୁ ନଟ ଯେ ଜୀଅନ୍ତା ଛୁଆଟାଏ ଚିଲକୁ ଦେଇଦେଲା । ଆହା ଚୋରଣୀ କେତେ କାନ୍ଦିବ... ।

 

ଏମାନଙ୍କର ପାଟି ଗୋଳ ଆଡ଼କୁ ଚୋରଣୀର ନଜର ନାହିଁ । ସେ ତାର ଛୁଆ ଦୁଇଟିଙ୍କୁ ଧରି ଝାମ୍ପି ତଳୁ ବାହାରି ଆସିବାକୁ ଘିରି ଘିରି ହୋଇ ବୁଲୁଥାଏ । ସେ ଚିଲ କଥା ପାସୋରୀ ଦେଇଛି । କେତୋଟି ଛୁଆ ଥିଲେ ସେତକ ଭୁଲିଯାଇଛି । କଣ ହେଲା ସେ ଜାଣେ ନାହିଁ ।

★★★

 

ଅଚଳନ୍ତି

 

ହାଣ୍ଡି–ବିକାଳି ଶାରିଆ–ସେ ବି ଗୋଟିଏ ଦରକାରୀ ଲୋକ । ବୁଢ଼ୀ ହେଇଗଲାଣି । ଦି’କୋଡ଼ିରୁ ବେଶି ବୟସ ହେବ । ଶାଶୁ ଶଶୁର ଗଲେଣି, ଯାଆ ନଣନ୍ଦ ନାହାନ୍ତି–ଘରକୁ ଏକା ।

 

‘କୁମ୍ଭାର ଘର ବୋହୂ’ ଝାଟିକି ନ ଗଲେ ମାଟିକୁ ଯାଉ ।’ ଶାରିଆ ଝାଟିକି ଯାଏ, ମାଟିକି ଯାଏ, ଆଉ ତାର ବିଡ଼ାନାସି ଗାଁରୁ କଟକ ସହରକୁ ଆସେ ହାଣ୍ଡି ବୋଝ ନେଇ ।

 

ଘରେ ତାର ଗେରସ୍ତ ସପନା–ସେ ତା କପାଳରେ ବୁଢ଼ୀବେଳେ ସିନ୍ଦୂର ରଖିଛି, ଗୋଟିଏ ଝିଅ ଆଉ ଗୋଟିଏ ପୁଅ–ଏତିକି ତାର ସଂସାର ।

 

ଝିଅକୁ କୋଡ଼ିଏ ବର୍ଷ ହେଲାଣି । ବାହା ହେଇଥିଲା । ଶଶୁର ଆଉ ନଉ ନାହିଁ । ସେ ବନ୍ଧା ହେଇଛି ବେକରେ, ତିନି ବର୍ଷ ହେଲାଣି । ପେଟରୁ କାଢ଼ିଥିଲା–ବେକରେ ବାନ୍ଧିଛି । ତା ତଳେ ତିନୋଟି ପିଲାଙ୍କୁ ଖାଇ ଗୋଟିଏ ପୁଅ ବଞ୍ଚିଛି ସେଇଟି ହୁଣ୍ଡା–ବୟସ ଚଉଦ । ଚଉଦ ବର୍ଷ ହେଲାଣି, ସପନା ଆଉ ଗୋଟିଏ ନୂଆ ନାଁ ଦେଇଛି ଶାରିଆକୁ–ହୁଣ୍ଡାମା ।

 

ଗେରସ୍ତ ଭାରିଜା ଦିହେଁ ସହରକୁ ଆସନ୍ତି । ପିଲା ଦିହେଁ ଘରେ ରହନ୍ତି ।

 

ଭୁଆଷୁଣୀ ଝିଅ ସହରକୁ ଆସେ ନାହିଁ । ବେଳେ ବେଳେ ପୁଅଟି ଆସେ । ବୁଢ଼ା ବୁଢ଼ୀଙ୍କର ସେଇ ହେଉଛି ଆଖି । ହେଲା ଏବେ ସେ ହୁଣ୍ଡା, ଓଲା, ମୁଣ୍ଡ–ପାଗଳା–ସେଇ ତ ମୁହଁରେ ନିଆଁ ଦବ ।

 

ହୁଣ୍ଡା ଭାରି ଗେହ୍ଲା ହେଇଥିଲା–କିଛି କାମ ଜାଣେ ନାହିଁ । ଏବେ ବି ସପନା ଓ ଶାରିଆ ପୁଅକୁ ଭାରି ଦେଖିପାରନ୍ତି, କିନ୍ତୁ ହୁଣ୍ଡା ଭାବେ ଯେ ସେ ଭାରି ଚତୁର । ଶାରିଆ ଚାହିଁରହେ ପୁଅ ମୁହଁକୁ–ଛାତି ତାର ଫୁଲି ଉଠେ ।

 

କେହି କେହି ଗରାଖ ପଚାରନ୍ତି–କିଲୋ ହୁଣ୍ଡାମା, ତୋ ପୁଅ କଣ ସତରେ ହୁଣ୍ଡା ?

 

–‘ନାଇଁମ...ସେମିତି ହେଇଚି–ଠିକ୍ ତା ବାପ ପରି... ଆମେ ତ ଘର କରିଛୁ, ସଂସାର ଚଳଉଛୁ... ତେବେ ସେ ଭାରି ନିରିମାୟା...କାହାକୁ ମୁହଁ ଖୋଲି ପଇସାପାଇଁ ଦରଦାମ କରି ପାରେ ନାହିଁ...ଲୋକେ ତାକୁ ଠକି ଦିଅନ୍ତି ସିନା, ସେ ହୁଣ୍ଡା ନୁହେଁ ।’ ହୁଣ୍ଡା ପାଖରେ ଠିଆ ହେଇ ଦାନ୍ତ ଦେଖାଏ ।

 

ସପନା ଡେଙ୍ଗା ସରସର । ଶାରିଆ ଭାରି ଗେଡ଼ି । ତେବେ ଶାରିଆ ଯେତେ ହାଣ୍ଡି ମୁଣ୍ଡେଇ ପାରେ ସପନା ସେତେ ପାରେ ନାହିଁ । ହାଣ୍ଡିବୋଝ ନେଲାବେଳେ ଦିହେଁ ସମାନ ଦିଶନ୍ତି । ପିଲାଏ ଚାହିଁ ରହନ୍ତି–ଗୋଟିଏ ରାକ୍ଷସ ଆଉ ଗୋଟିଏ ବାମନ–ସମାନ ଉଞ୍ଚା ହୋଇଛନ୍ତି ହାଣ୍ଡିବୋଝ ବୋହିଲାବେଳେ ।

 

କଟକ ସହରରେ ସପନା ବାରବାର କରି ତାଗିଦ କରୁଥାଏ–ଦେଖ୍ ଲୋ ହୁଣ୍ଡୀ, ଆଗରେ ଶଗଡ଼ ଆସୁଚି–ବାଜିବ ମୁଣ୍ଡରେ....ହେଇ ହୁଣ୍ଡାମା, ପଛରୁ ମଟର ଆସିଲା ଲୋ, ଘରକୁ ଆ.....

 

–କାହିଁକି ବର୍ ବର୍ ହଉଚୁ ରେ ? ପାଖରେ ଗଛଟା ତତେ ଦୁଶୁ ନାଇଁ ?

 

–ତତେ ଦିଶୁଚିଟି ? ହସି ସପନା କହେ ।

 

–ତତେ ଏକା ଦୁଶୁଚି.....ତୋ ଆଖିଟା ପରା ଜାଲୁ ଜାଲୁଆ !

 

–ନାଇଁ ଲୋ ହୁଣ୍ଡୀ, ତୁ ତ ନକାମରିଚ ଗଛକୁ ଆଙ୍କୁଡ଼ି ବଢ଼େଇବୁ... ତଲେଇପରି ହାଣ୍ଡି ବୋହୁଚୁ....ଧକ୍କା ବଜେଇ ବେପାର ବୁଡ଼େଇବୁ ।

 

–ହଉ ହଉ ଥା ।

 

ଗରାଖ ଡାକିଲେ ଦିହେଁ ଆସନ୍ତା । ସପନା ଚୁପକରି ଛିଡ଼ା ହୁଏ । ଶାରିଆ ଦରଦାମ ବଢ଼ାଏ । ଦୁଇ ପକ୍ଷ ଭିତରେ ଦରଦାମ ନ ପଟିଲେ ଗରାଖ ଫେରିଯିବାକୁ ବସେ । ହଠାତ୍ ଶାରିଆ କଥାରେ ବାଧା ଦେଇ ସପନା କହେ–ହଉ ନିଅ ବାବୁ, ତମରି କଥା ରହିଲା, ଗରାଖ ହାତକୁ ସପନା ହାଣ୍ଡିଟା ବଢ଼େଇ ଦିଏ ।

 

ଦାନ୍ତ ଦେଖେଇ ଶାରିଆ ଖତେଇ ହୁଏ–ନିଅ ବାବୁ ! ସତେ ଯେମିତି ସବୁ ଗଢ଼ି ପକେଇଥେଲା !! ...ରଇଜଳା, ପଟରେ ଓଦାକନା ପକେଇ ଉପାସ କଲେ ବଳେ ବୁଝିବ ଯେ ।

 

ସପନା ଉପରେ ଖୁସି ହେଇ ଗରାଖ ହାଣ୍ଡି ନେଇଯାଏ ।

 

ଥରେ ଥରେ ସପନା ଏକୁଟିଆ ହାଣ୍ଡି ବିକି ଆସେ । ନାଗୁଆ ଘର–ମାନଙ୍କରେ ହାଣ୍ଡି ଥୋଇଦେଇ ଯାଏ । ଦାମ ପଚାରିଲେ କହେ–‘ବୁଢ଼ୀ ଜାଣେ....ସେ ଆସିଲେ ତାକୁ ପଚାରିବ’ । ତଥାପି ତା କଥା ନ ଶୁଣି ଜିଗର କରି ଦାମ ଧରେଇ ଦେଲେ କହେ–‘ନାଇଁଲୋ ବୋପା....ଆସିଲାବେଳେ ବୁଢ଼ୀ ବାରବାର କରି କହିଚି ଯେ ମୁଁ କାହାରିଠୁ ଦାମ୍ ନେବି ନାଇଁ....ସେ କାଲିଆଡ଼ୁକୁ ଆସିଲେ ନିଜେ ଦରଦାମ କରିବ ।’ ଆଉ ଯଦି କୌଣସି ଥର ଆପେ ଦରକରି ଦାମ୍ ନେଇଯାଏ, ତେବେ ତା ପରଦିନ ପୁଣି ଶାରିଆର ଦେଖାମିଳେ ।

 

ଥରେ ସପନା ଗାଁ ଛାଡ଼ି ପନ୍ଦରଦିନ ପାଇଁ କୁଆଡ଼ିକି ଯାଇଥିଲା । ଶାରିଆ ଝୁଣ୍ଟି ପଡ଼ିବାରୁ ତା ଡାହାଣ ଗୋଡ଼ର କାଣି ଆଙ୍ଗୁଠି ନଖଟା ଉଠିଗଲା । ଏଣେ ହାଣ୍ଡି ନ ବିକିଲେ ନ ଚଳେ । ସେଇ ଖଣ୍ଡିଆ ଗୋଡ଼ରେ ରୋଜ ଦି’ତିନି କୋଶ ବାଟ ଚାଲିବାରୁ, ଧୂଳି ମଇଳା ଲାଗି ଘା’ ପାଚିଲା । ଶାରିଆ ଆଉ ଗୋଡ଼ ଉଠେଇ ପାରିଲା ନାହିଁ ।

 

ସପନା ଫେରି ନାହିଁ । ଶାରିଆର ଗୋଡ଼ ଉଠେଇ ହଉ ନାହିଁ । ଘର ଅଚଳ । ତେଣୁ ବାଧ୍ୟ ହୋଇ ପୁଅ ହାତରେ କେଇଟା ହାଣ୍ଡି ଦେଇ ନାଗୁଆ ବାଗୁଆଙ୍କ କତିକି ପଠେଇଲା । ପୁଅ ଆସିଲାବେଳେ ତାର କାନେ କାନେ କହିଥାଏ–ନାଗୁଆ ଲୋକ ଯାହା କହିବେ, ତୁ କହିବୁ ‘ପୋଷେଇବ ନାଇଁ’ ।

 

ପୁଅ ଆସି ଗୋଟାଏ ନାଗୁଆ ଘରେ ହାଣ୍ଡି ରଖିବାକୁ ଜୋର କଲା–ବୋଉ କହିଚି, ନିଶ୍ଚେ ନବାକୁ ହେବ ।

 

ସମସ୍ତେ ହୁଣ୍ଡାକୁ ଚିହ୍ନନ୍ତି । ତାର ବୁଦ୍ଧି କଳିଛନ୍ତି । ପଚାରିଲେ–ଭାଉ କଣ ?

–ତୁ ଆଗ କହୁନୁ ? ଦାନ୍ତ ଦେଖେଇ ହୁଣ୍ଡା କହିଲା ।

ଦିଅଣିକିଆ ହାଣ୍ଡିଟାଏ ହାତରେ ଧରି ବାବୁଆଣୀ ପଚାରିଲେ–ଛ’ ପଇସାରେ ଦବୁ ?

ଟିକିଏ ଭାବି ହୁଣ୍ଡା ମୁଣ୍ଡ ହଲେଇ କହିଲା–ନାଇଁ ପୋଷାଇବ ନାଇଁ... ଚାରି ପଇସା ଦେଲେ ଦେବି ।

ତାକୁ ଯେତେ ନାହିଁ କଲେ ବି ସେ ଶୁଣିଲା ନାହିଁ । ବୋଉ କହିଛି ବୋଲି ହାଣ୍ଡି ମାଠିଆ ଆଣି ଜବରଦସ୍ତ ଥୋଇଲା, ଆଉ ବୋଉ କହିଥିବା ଅନୁସାରେ ପଇସା ବାକି ନ ରଖି, କମ ଦାମରେ ମୂଲ କରି ପଇସା ନେଇ ଚାଲିଗଲା । ଗଲାବେଳେ ହଠାତ ତାର ନଜର ପଡ଼ିଲା ବାବୁଙ୍କ ଉପରେ–ଜୋତା ପିନ୍ଧିଛନ୍ତି । ହୁଣ୍ଡା ନିଜର ଡାହାଣ ଗୋଡ଼କୁ ଦେଖେଇ ପଟେ ଜୋତା ମାଗିଲା ।

–କିରେ, ପଟେ ଜୋତା କଣ କରିବୁ ?

–ଆର ଗୋଡ଼ର ଟା ଅଛି...ପଟେ ହେଲେ ହବ । ହୁଣ୍ଡା ଦାନ୍ତ ଦେଖେଇ ଛିଡ଼ାହୋଇ ରହିଲା ।

ପୁଅ ଫେରିଲା । ଶାରିଆ ରାଗିଲା ବୁଢ଼ା ଉପରେ ତାର ଚିରଦିନର ଅଭିଯୋଗ–ବୁଢ଼ାଟା ହାଉଳା ଥିବାରୁ ପିଲାମାନେ ହାଉଳା ହେଉଛନ୍ତି । ଶାରିଆ ନ ଥିଲେ ସମସ୍ତେ ଉପାସରେ ମରନ୍ତେ । ତଥାପି ଦେହ ଭଲ ନ ହେଲେ ସେଇ ଠକ ଗରାଖକୁ ଧରି ପଇସା ଆଦାୟ କରି ହେବ ନାହିଁ । ପୁଅଠୁ ଖାଲି ଠିକଣାଟା ବୁଝି ରଖିଲା ।

କେଇଦିନ ପରେ ବୁଢ଼ାବୁଢ଼ୀ ଓ ପୁଅ ଆସି ପହଞ୍ଚିଲେ ପଇସା ଆଦାୟ କରିବାକୁ ।

ପ୍ରଥମେ ଗୌରଚନ୍ଦ୍ରିକା ଆରମ୍ଭ କଲା ଶାରିଆ । କେମିତି ବୁଢ଼ାବୁଢ଼ୀ ଦିହେଁ ଏକାବେଳକେ ବାଧିକିରେ ପଡ଼ିବାରୁ ପୁଅ ବେଉସା ଉଜାଡ଼ କରିଛି । ଏଣେ ଘରେ ଆସି ହଣ୍ଟାଳୁଛି ଯେ ସେ କେଡ଼େ ଚତୁର ।

ଝୁଅ କଥା କଅଣ କହିବି ମା ? ତା’ରି କଥା ଭାବି ଭାବି ମୋ ଦେହରେ କଣ୍ଟା ରହିଲାଣି-। ଖୁଣ୍ଟା ଦବାକୁ କେହି ନ ଥିଲେ ବୋଲି ଦେଖି ଝୁଅକୁ ବର ବାଛିଥିଲି । ଘରକୁ ଶଶୁର ଏକା ବାହାରର ଲୋକ । ତେବେ ବି ଶଶୁରକୁ ଭାତ ପରଶିବାବେଳେ କି ପାନ ଖଣ୍ଡେ ଦେଲାବେଳେ ସେଥିରୁ ଅରୁଆ ବାଳ ବାହାରେ । ମରଦ ଲୋକ–ଅସନା ନ ବାରନ୍ତା କେମିତି ? ପୁଣି କହିଲେ ଯେ ଉକୁଣୀ ଝାଡ଼ୁଛି ଭାତରେ ।

ତାଙ୍କ ସାଇରେ ପୁଅ ହେଇଛି ମାମଲତକାର । କାମକୁ ଗଲେ ସିନା ଘର ଚଳନ୍ତା ? ଶଶୁର ତ ବୁଢ଼ା ଇଏ ତ ହେଲା ଭୁଆସୁଣୀ । ପୁଅକୁ ତିଅଣ ସୁଆଦିଆ ନ ଲାଗିଲେ ମୋ ଝିଅର ଦୋଷ । ତେଲ ମସଲା ଝୁଅ ତ ଆଣନ୍ତା ନାହିଁ । ଯୋଗେଇଦେଲେ, ହଁ ମୁଁ ମାନନ୍ତି କାଇଲି ଝୁଅ ପାଇଁ । ପୁଅ ସିନା କୁର୍ତ୍ତା ପିନ୍ଧି, ପଦାରେ ବୁଲି ପାଞ୍ଚ କଥା ଶିଖିଲା । ଝୁଅଆଗେ ମନକୁ ପାଉଥିଲା । ଏବେ କୁଆଡ଼େ ଝୁଅର ଦୋଷ ବାହାରୁଛି । ସେଥିରେ ପୁଣି ଠାକୁରାଣୀ ଛଂଚା ରଖିଦେଇଗଲେ–ସତେ ଯେମିତି ଝିଅମୋର ଠାକୁରାଣୀଙ୍କି ଡାକି ଆଣିଥିଲା ! ତା ପରେ ପରେ ତ ଦେହ ଭଲ ରହୁ ନାହିଁ...ତମେ କଣ ଜାଣ ନାହିଁ, ଠାକୁରାଣୀ ହେଲାପରେ ଲୋକ କେଇ ଦିନ ଭୋଗେ...

ଏଇ ଝୁଲଣକୁ ଲଗେଇ ତିନି ସାଲ ହୋଇ ଗଲାଣି । ଝୁଅକୁ ଆଣିଥିଲି ବଇଦ କରିବି ବୋଲି । ଶଶୁର ଜିଦି ଧରିଲା ଯେ ତା ପୁଅ କଥାରେ କି ଆଉ ସେ ବୋହୂକୁ ଆଣିବା ନାହିଁ....ବୁଢ଼ାକୁ କେତେଥର ପଠେଇଲି...ଜାଣିଲ ମା, ଆମ ବୁଢ଼ାଠୁ ଚତୁର ସେମାନେ ।

 

ଏ ଦିନେ ମତେ ସିନା ତର ମିଳନ୍ତା...କପାଳକୁ ନିନ୍ଦୁଛି । ମୋ ପୁଅତ ଏମିତି–ଝୁଅକୁ କେଇଦିନ ରଖି ଚଳେଇବି ? ଆଉ କୋଉଠି ଉଠେଇ ଦେଲେ ହୁଅନ୍ତା ଯେ, ତେବେ ମତେ କେମିତି ଅଡ଼ୁଆ ଲାଗେ । ଆମେ ବୁଢ଼ାବୁଢ଼ୀ ଦିହେଁ ଦି ତିନି କୋଡ଼ି ପାରକଲୁ–କାହାକୁ ମାଗି ନାହୁଁ–ଏତେ ରୁଷା ଘୋଷା ଜାଣି ନାହୁଁ...ଅନ୍ୟାୟ ନ ଥିଲେ ଛାଡ଼ ବାଡ଼ କଣ ?

 

ସବୁ ମୋ କପାଳ । ଦି’ ଦି’ଜଣ ବାଧିକିରେ ପଡ଼ିଲୁ....ମୋ ଗୋଡ଼ ଥରୁଛି......ବୁଢ଼ା ଆଖିକି ଜାଲୁଜାଲୁଆ ଦିଶୁଛି....ଆମେ ଆସିଛୁ, ଆଗତୁରା କିଛି ହାଣ୍ଡି ମାଠିଆ ଦେଇଯାଆନ୍ତୁ ।

 

ଓ ! ଶାରିଆର ନୂଆ ଫିକର ।

 

–ଚାରି ମାସକୁ ହାଣ୍ଡି ଅଛି ଲୋ.....ଆଉ ରଖିବାକୁ ବି ଜାଗା ନାହିଁ ।

 

–ହଁ ମା, ମୁଁ କଣ ଏଡ଼େ ହୁଣ୍ଡୀ ? ଏତେ ସିନ୍ଦୂକ ଆଲମାରୀ, ଏତେ ଫରାକତ ଜାଗା.....ମନା କରୁଛ, କଣ ନା ଶାରିଆ ଚଞ୍ଚଳ ହାଣ୍ଡି ବିକିଦବ.......ଖୋଲନ୍ତ କି ଗୋଟାଏ ଆଲମାରୀ ?

 

ହସି ବାବୁଆଣୀ ଲୁଗା ଆଲମାରୀ ଖୋଲିଲେ । ଚମକି ଆସିଲା ପରି ଶାରିଆ କହିଲା–ହେଇଟି ହେଇଟି...ଏତେ ଜାଗା ବଳିଛି...ଆମ ଘରେ ଏତେ ଥାନ ଥିଲେ–

 

ଶାରିଆର ହାଣ୍ଡିପଲମ–ବାବୁଆଣୀଙ୍କର ପୋଷାକ ।

 

ହଉ ମା, ଶାରିଆ ପାଇଁ ଏମିତି ଦୟା ରଖିଥିବ । ତମ ଶାରିଆଟି ବଡ଼ ଦୁଃଖି......ଦେଖୁଚ ତ ବୁଢ଼ା କଥା, ଚିହ୍ନିଲ ତ ପୁଅକୁ......ଝୁଅ କଥା ତ ଜାଣିଲ । ଶାରିଆ ନ ଥିଲେ କଅଣ ହୁଅନ୍ତା ? –କଂସା ଖଡ଼ୁ ନାଇଥିବା ହାତଟି ତାର କୋତରା କାନିକୁ ଉଠେଇ ଆଣେ ତାର ମଇଳା ମୁହଁର ବୁଢ଼ା ଆଖି ଉପରକୁ । ଓଦା ଆଖି ସେ କୋଚଟ ଲୁଗାରେ ଛପିଯିବାକୁ ଯେମିତି ମନାକରେ–ଶାରିଆର ଦୁଃଖ ସେତିକିରେ ସରିବ ନାହିଁ ।

 

ବାବୁଆଣୀ ବି କହନ୍ତି–ନାଇଁ ଲୋ ଶାରିଆ, ତୁ ନ ଥିଲେ ଆମେ ବି ଚଳି ପାରନ୍ତୁ ନାହିଁ...ଦେଖୁନ୍ତୁ, ପାଞ୍ଚସାଲ ହେଲାଣି ତୋ ଛଡ଼ା ଆଉ କାହାରି ହାଣ୍ଡିକୁ ଆମେ କଣ ଚିହ୍ନୁ ? ଶାରିଆର ଆଖି ପୁଣି ଯେପରି ହସିବାକୁ ଚେଷ୍ଟାକରେ–ସେ ଅଚଳନ୍ତି ନୁହେଁ ।

★★★

 

ପିତଳ

 

ବାବୁଘରର ଚାକରାଣୀ ଚାନ୍ଦ–ସେ ଘରଟା ବାବୁଙ୍କର କି ଚାନ୍ଦର ଠିକ୍ ବୁଝା ପଡ଼େ ନାହିଁ-। ତିନିହାତ ଉଚ୍ଚାର କେମ୍ପିଟିଏ–ସେ କଥା ସେ ବୁଝିପାରେ ନାହିଁ । ମୁଣ୍ଡ ବାଳକୁ ଟାଣିଟୁଣି ଗୋଟିଏ ଖୋସା ପକାଏ–ସେଇଟା ବି କେମ୍ପା । ଆଖି ଦୁଇଟା ଲାଲ ଆଉ କୋରଡ଼ିଆ–ଭିତରର ଡୋଳା ଦିଓଟି ଚିଲା ଚିଲା । ନାକପୁଡ଼ା ଦୁଇଟା ସବୁବେଳେ ହାଇ ମାରିଲା ପରି ଫୁଲିଥାଏ–ଓଟ ନାକ ପରି ଭିତରେ ଦିଶେ । ହାତ କି ଗୋଡ଼ର ଦଶଆଙ୍ଗୁଠିରେ ଗୋଟିଏ ବି ଭଲ ନଖ ନାହିଁ–ଗୋଟି ଗୋଟି କରି ସବୁ ମରିଯାଇଛି । ଦେହର ରଙ୍ଗ ଖଇରିଆ ଫିକା । ବିଧାତା ଖାଲି ଯେ ରୂପ କାଢ଼ି ନେଇଥିଲା, ତା’ ନୁହେଁ, ତା ସାଥିରେ ବୁଦ୍ଧିତକ ବି କାଢ଼ି ନେଇଛି ।

ତା’ ବାପ ମା ତା ନା କାହିଁକି ଚାନ୍ଦ ରଖିଥିଲେ, ସେ ଖବର କେହି ଦେଇ ପାରିବେ ନାହିଁ-। ଯୋଉଦିନୁ ସେ ବାବୁଘରକୁ ଆସିଲା ସେଇଦିନୁ ତା ନାଁ ହେଉଛି ଚାନ୍ଦ ।

ଚାନ୍ଦର ବୁଦ୍ଧି ଥିଲା, ନ ହେଲେ ସେ ତ କହନ୍ତା ନାହିଁ ଯେ ତା ବର ଫେରିବ । ସେ ବାହା ହୋଇଥିଲା । ସାତମଙ୍ଗଳା ନ ଯାଉଣୁ ତା ବର କୁଆଡ଼େ ଏକା ଜିଦ୍ ଧରି ବସିଲା ଯେ ସେ ଚାଲିଯିବ ରେଙ୍ଗାଣି । ସେ ଦିନ କୁଆଡ଼େ ଚାନ୍ଦ କାନିରେ ଗଣ୍ଠି ପକାଇଥିଲା–ଯିବୁନା କେମିତି ଯିବୁ ଦେଖିବି । ଏ କଥା ଚାନ୍ଦ କହିଥିଲା କି ତାର ବାବୁଘର ଲୋକ ଫାନ୍ଦିଥିଲେ ସେ କଥା ବି ଜଣା ନାହିଁ-

ବାପ–ଛେଉଣ୍ଡ ଝିଅ ଚାନ୍ଦ । ଧାନକୁଟି ମା ତାକୁ ମଣିଷ କରିଥିଲା । ସେଇ ତାକୁ ବାହା କରେଇଥିଲା । ବର ଚାଲିଗଲା । କେଇଦିନ ପରେ ଚାନ୍ଦର ଗୁଣ ଶାଶୁ ଆଖିରେ ଗଲା ନାହିଁ । ରାନ୍ଧୁ ରାନ୍ଧୁ ଖାଇଯାଏ, ବାଟୁ ବାଟୁ ଗୋଳୁ ଗୋଳୁ ଖାଇଯାଏ । ପୁଅ ଚାଲିଗଲା ଏଣେ ବୋହୂ ଓଲେଇ–ଶାଶୁ ମାଡ଼ ଦିଏ । ଥରେ ଚାନ୍ଦ କୁଆଡ଼େ ରାଗିଯାଇ ଶାଶୁକୁ ଖଡ଼ୁମୂସା ପକେଇ ଥିଲା । ସେଇଥିରେ ଶାଶୁ ରାଗିଯାଇ ସାଇ ପଡ଼ିଶାଙ୍କୁ ଉଠା ପକା କରି କାଠଫାଳିଆରେ ଚାନ୍ଦକୁ ସେକି ଏରୁଣ୍ଡି ବନ୍ଧ ଡିଆଁଇ ଦେଇଥିଲା । ସେଇଦିନ ଏକକାନିକିଆ ହେଇ ଚାନ୍ଦ ପଳେଇ ଆସିଥିଲା ତାର ମା ପାଖକୁ । ଆଉ ଫେରି ନାହିଁ-

ଚାନ୍ଦ ଏ କଥା କେବେ କହିଥିଲା ଜଣା ନାହିଁ । କିନ୍ତୁ ଚାନ୍ଦ କହିଥିଲା ବୋଲି ବାବୁଘରେ ସମସ୍ତେ କହନ୍ତି । ମା ଝିଅ ଆସିଥିଲେ ପୁରୀ । ସେଇଠି ମା ତାର ଝାଡ଼ା ବାନ୍ତିରେ ଚାଲିଗଲା । ମା’ର ମୁର୍ଦ୍ଦାର ପାଖରେ ବସି ଚାନ୍ଦ କାନ୍ଦୁଥିଲା । ଯିଏ ସେ ବାଟରେ ଯାଏ, ଚାନ୍ଦ ଖନେଇ ଖନେଇ ତାକୁ କହେ–ବାବୁ... ମରିଗଲା ।

ଯତୀନ୍ଦ୍ରବାବୁଙ୍କ ମା ଖବର ପାଇଥିଲେ । ତାଙ୍କ ଘରୁ ବେଶି ଦୂର ନୂହେଁ । ଚାନ୍ଦର ମା’କୁ ଧରାଧରି କରି ପୁରୀ ସହରର ଗୋଟିଏ ଅତିଥି ସତ୍କାର ସମିତିକୁ ପଇସା ଦେଇ ତାର ମା’ କୁ ପୋଡ଼େଇ ଥିଲେ । ଚାନ୍ଦ ସେଇଦିନୁ ତାଙ୍କ ଘରେ ରହି ଯାଇଥିଲା ।

ସେଇ ଦିନୁ ସେ ନିଆଶ୍ରୀ ହେଲା କି ନିଆଶ୍ରୀ ଅବସ୍ଥା କଟିଗଲା ତା’ବି ଠିକ୍ କହି ହେବ ନାହିଁ । ଚାନ୍ଦ ପଇସା ନବ ନାହିଁ–ଖାଲି ପେଟକୁ ଖାଇବ, ଦେହକୁ ପିନ୍ଧିବ । ଦୁଇ କୁଳରେ ତାର କେହି ନାହାନ୍ତି । ଓଳେଇ ପଣ ଅଛି, କିନ୍ତୁ ଆଉ କିଛି ଅବଗୁଣ ନାହିଁ । ଚାନ୍ଦ ସେ ଘରର ଜଣେ ମଣିଷ ହେଇଗଲା । ଘରେ ଗତର ଖଟେ । ଦିନଯାକର ଯେତେକ କାମ–ସବୁ ଉଠାଏ । ପିମ୍ପୁଡ଼ିପରି କାମରେ ଲାଗିଥାଏ, ଆଉ କୁମ୍ଭକର୍ଣ୍ଣ ପରି ଶୁଏ । ପୁଣି ବଳଦ ପରି ମାଡ଼ଖାଏ, ଆଉ ରହିଥାଏ । ତା’ର ଜୀବନଟା ସେ ସେଇ ବାବୁଙ୍କ ଘରେ କଟେଇ ଦେଇଛି ।

ଯତିନ୍ଦ୍ରବାବୁ ଯେତେବେଳେ ପିଲା, ଚାନ୍ଦ ସେବେଠୁ ଘରକୁ ଆସିଲାଣି । ଯତୀନ୍ଦ୍ରବାବୁ ଓ ତାଙ୍କର ଭାଇଭଉଣୀମାନଙ୍କୁ କାଖେଇ କୁଣ୍ଡେଇ ମଣିଷ କରିଛି । ନାଁ ଧରି ଡାକୁଥିଲା । ବାବୁ ବଡ଼ ଚାକିରୀ ପାଇବାରୁ ବହୁତ ଗାଳି ଧମକ ଦେଇ ଚାନ୍ଦ ପାଟିରେ ତାଙ୍କୁ ବାବୁ ବୋଲି ଅଭ୍ୟାସ କରେଇ ନେଲେ । ସେଇଦିନୁ ଚାନ୍ଦ ତାଙ୍କୁ ତୁ ତା ରେ ରା କଲେ ବି ‘ବାବୁ’ ବୋଲି ଡାକେ ।

 

ବାବୁ ଯେତେବେଳେ ବାହାହେଇ କଟକ ଆସିଲେ, ସାଙ୍ଗରେ ଘରର ଗାଈ ଗୋରୁ ଆଣି ପାରିଲେ ନାହିଁ–ଆଣିଥିଲେ ଚାନ୍ଦକୁ । ଚାନ୍ଦ ବୁଢ଼ୀ ହେଇ ଗଲାଣି ବୋଲି କାମକୁ ପାରୁ ନାହିଁ । ଖାଲି ଭଲ ମନ୍ଦରେ ଟିକିଏ ସାହା ହବ–ମଣିଷଟାଏ ତ । ପେଟକୁ ଖାଇ ସେମିତି ପଡ଼ିଥିବ ।

 

ବୁଢ଼ୀ ହେଲେ ବି ଚାନ୍ଦ ସେମିତି କାମିକା ଥିଲା । ପାଣି କାଢ଼ିବାକୁ କହିଲେ ଦିନମାନଧରି ପାଣି କାଢ଼ୁଥାଏ । ହଣ୍ଡା, କୁଣ୍ଡ, ବାଲ୍‍ତି, କଂସା, ଗିନା, ଗିଲାସ–ସବୁଥିରେ ପାଣି ଟୁଳୁଟୁଳୁ କରିଦିଏ, ଆଉ ସେଥିପାଇଁ ଗାଳି ବି ଖାଏ, କିନ୍ତୁ ଚାନ୍ଦ ମନେରଖି ପାରେ ନାହିଁ । ରୋଜ ରୋଜ ସେଇ କଥାରେ ଗାଳିଖାଏ, ପୁଣି ଦିନେ ଦିନେ ମାଡ଼ ବି ହୁଏ ।

 

ବାବୁଙ୍କର କୁକୁର ବୁଲା । ବୁଲା ଆଉ ଚାନ୍ଦ–ଦୁହେଁ ଦିହିଙ୍କର ଶତ୍ରୁ । ଚାନ୍ଦକୁ ଦେଖିଲେହିଁ ବୁଲା ଗଁ ଗଁ ହୁଏ । ଚାନ୍ଦ ଅଇଁଠା ଆଣି ବୁଲା ପାଖରେ ଛିଡ଼ା ହେଇ ବାବୁଘରଆଡ଼କୁ ପିଠି କରି ବେଳେ ବେଳେ ଖାଇଦିଏ । ବୁଲା ସହି ପାରେ ନାହିଁ–ପାଟି କରେ । ଚାନ୍ଦ ଧରା ପଡ଼ିଯିବ ବୋଲି ଚିଡ଼ିଉଠେ କୁକୁର ଉପରେ–ଏମିତି ମଲେ ସବୁ ଖାଇଦେବି ଜାଣିଥା ।

 

–କିଲୋ ଚାନ୍ଦ, କୁକୁର ଖାଉଛି ନା ତୁ ଖାଉଛୁ ? ଭିତରୁ ପାଟି ଶୁଭେ ।

 

–ନାଇଁଲୋ ବୋହୂ, ଆଖି ଛୁଉଁଚି...ବୁଲା ଖାଇବ ବୋଲି ଝାମ୍ପୁଛି ।

 

–ଏଁ ! ତେବେ ଏତେ ପାଟି କାହିଁକି କରୁଛି ?

 

–ସେମିତି ତୁଚ୍ଛାଟାରେ–କହି ଚାନ୍ଦ ସେଇଠି ଅଇଁଠା କୁଢ଼େଇ ଦିଏ । ବୁଲାର ବେକ ପାଏ ନାହିଁ । ସେ ଆଉରି ପାଟି କରି ଆଗ ଗୋଡ଼ରେ ମାଟିକୁ ଆମ୍ପୁଡ଼େ ଖାଇବା ଜିନିଷ ପାଖକୁ ଆଣିବ ବୋଲି ।

 

ବୁଲାକୁ ତୁ’ ତା’ କରି ବାବୁ ଆସିଲେ ବି ଚାନ୍ଦ କହେ–ବାବୁ ଦେଖୁନୁ, ତୋ କୁକୁର କେମିତି ହଉଚି ।

 

–ହଇଲୋ ଚାନ୍ଦ, ତତେ ମନା କରିଥିଲି ପରା ବାବୁଙ୍କୁ ତୁ’ ତା’ କରିବୁ ନାହିଁ ?

 

–ବାବୁକୁ ଆଉ କଅଣ କହିବି ?

 

ରାଗରେ ବାବୁଆଣୀ ଧାଇଁ ଆସିଲେ ପାଖକୁ । ବାବୁ ବାଧା ଦେଲେ–ସେ ବୁଝିପାରୁ ନାହିଁ...ଓଲି ମଣିଷ । ତାପରେ ବାବୁ ଚାନ୍ଦକୁ ବୁଝାଇକରି କହିଲେ–ବୁଝିଲୁ ଚାନ୍ଦ, ତତେ ମୁଁ ଗୋଲ ରୂପା ପଇସା ଦେବି । ତୁ ମତେ ଆପଣ ବୋଲି କହିବୁ ।

 

–ଦବୁ ? ନିଚେ ଦବୁ ? କାଇଁ ଦେ ?

 

–ଡାକିଲୁ ଆପଣ ବୋଲି ?

 

–ଦଉନୁ ? ଚାନ୍ଦ ହାତ ପତେଇ ଥାଏ ।

 

–ଡାକ୍ ଆପଣ ।

 

–ଆପଣ । ଦେ–

 

ଚାନ୍ଦ ଗୋଟିଏ ଆଠଣି ପାଇ ସବୁବେଳେ କୁକୁରଠାରୁ ଆରମ୍ଭ କରି ସମସ୍ତଙ୍କୁ ‘ଆପଣ’ ‘ଆପଣ’ କଲା ।

 

ତହିଁ ଆରଦିନ, ଛୁଟୀ ଥିଲା । ବାବୁଆଣୀ ଶୋଇ ପଡ଼ିଥିଲେ । ଚାନ୍ଦ ଆଠଣି ପାଇବ ବୋଲି ତାଙ୍କ ପାଦରେ ହାତମାରି ଅଧା କହି ଅଧା ଢୋକି ଖନେଇ ଖନେଇ କହୁଥାଏ–ଏ ଆପଣ-! ଏ ଆପଣ !! ଉଠ୍......

 

ଗୋଡ଼ ସଲସଲ ହୋଇ ନିଦ ଭାଙ୍ଗିଲାବେଳକୁ ବାବୁଆଣୀଙ୍କୁ ଶୁଭିଲା ‘ସାପ’ ।

 

ସେ ଧଡ଼ପଡ଼ ହେଇ ଉଠିଲାବେଳକୁ ଚାନ୍ଦ ଆପଣ, ଆପଣ ହଉଛି, ଆଉ କହୁଛି ‘ଦେ’ ।

 

–ଏଇ ଚାନ୍ଦ ! ତୋ ମୁଣ୍ଡ ଦି’ଫାଳ କରିଦେବି... କାଇଁକି ସେମିତି ଗୋଟାଏ ଆପଣ ଆପଣ ହଉଛୁ ଲୋ ! ଓଃ, ଟିକେ ଶୋଇଦବ ନାଇଁ ।

 

–ଏତେ ବେଳ ହେଲାନି... ଉଠିବ ନାଇଁ ?

 

–ନାଇଁ ମୁଁ ଶୋଇବି ।

 

–ମତେ ଦେ... ଗୋଲ ପଇସା ଦେ... ଦଉନୁ ?

 

ଗୋଟାଏ ଗୋଇଠା ଖାଇ ଚାନ୍ଦ ସେଠୁ ପଳେଇଲା । ତା’ପରେ ବାବୁଙ୍କ ଚପରାଶିଠୁ ଆରମ୍ଭ କରି କୁକୁର ଯାଏ ସମସ୍ତଙ୍କୁ କହିଲା ବୋହୁ ପଇସା ଦଉ ନାଇଁ, ମାରୁଚି ।

 

ବାବୁଆଣୀ କୁଆଡ଼େ ଗଲେ ଚାନ୍ଦ ବି ସାଥିରେ ଯିବାକୁ ବାହାରେ, ନ ନେଲେ ବସି କାନ୍ଦେ, ଆଉ ନେଲେ ନାନା ଗୋଳମାଳ ଆରମ୍ଭ କରେ । ଦିନେ ବାବୁଆଣୀ ଗୋଟିଏ ନାରୀ ସଭାକୁ ଚାନ୍ଦକୁ ନେଇଯାଇ ନିଜର ଗୋଡ଼ ପାଖରେ ବସେଇଥିଲେ । ସମସ୍ତେ ଉଠିଲେ, ଚାନ୍ଦ ନାହିଁ-। ଏଣେ ଗୋଟିଏ ସ୍ତ୍ରୀ ଲୋକ ବଡ଼ ବ୍ୟସ୍ତ ହୋଇ ଗୋଡ଼ ଝାଡ଼ୁଛି । ଚାନ୍ଦ ତା ଗୋଡ଼କୁ ଭିଡ଼ୁଛି, ଆଉ ଚବର ଚବର ହେଉଛି–ତୁ ଚାଲ୍ ଆମ ବୋହୂକୁ ଦେଖିବୁ ।

 

ବାବୁଆଣୀ ଯାଇ ଚାନ୍ଦର ଚୁଟୀକୁ ଭିଡ଼ିଲେ ।

 

–ତମ ଚାକରାଣୀ ? କାହାକୁ ଦେଖିବାକୁ ଡାକୁଛି ?

 

–କଅଣ ଆଉ କହିବି ? ସାଥିରେ ନ ଆଣିଲେ ମଲି, ଆଉ ଆଣିଲେ ମତେ ସେ ଏମିତି ଦହଗଞ୍ଜ କଲା । ମତେ ଦେଖିବାକୁ ତମକୁ ଡାକୁଛି ପରା !

 

–ଓ ଏମିତି କଥା ! ତେବେ ସେ କେମିତି ଚଉକି ଭିତରେ ଗଳି କରି ଆସିଲା ? ମୁଁ ପ୍ରଥମେ ଡରିଗଲି କୁକୁର ପଶିଛି ବୋଲି ।

 

–ଓଃ, ଛାଡ଼ ତା କଥା... ଘରେ ରଖିଲେ ସବୁ ଖାଇଦେଇ ବସିଯିବ, ଏଣେ ବାହାରକୁ ଆଣିଲେ କେତେ ହୁନ୍ଦର କାଢ଼ିବ ।

 

–ସେ କଣ ତମକୁ ବୋହୂ ବୋଲି ଡାକେ ?

 

–କ’ଣ କରିବି ? ଶାଶୁ ରଖିଥିଲେ । ମୁଁ ଧରି ବୁଲୁଛି । ସେ ବି ମୋର ଶାଶୁ ହେଇଛି... କଣ କମି ହଇରାଣ ?

 

–ହେଇ ଲୋ ଚାନ୍ଦ, ତୁ ପୁଣି ମତେ ବୋହୂ ବୋଲି ଡାକିଲୁ ? କହି ତାକୁ ଗୋଡ଼ରେ ଗୋଇଠାଏ ଦେଲେ । ଚାନ୍ଦ ହାଉଁ ହାଉଁ କଲା ।

 

–ଥାଉ ଥାଉ । ଏଠି ପୁଣି ଯାତରା ବସିବ... ତମ ଚାନ୍ଦକୁ ନେଇ ସମସ୍ତେ ସର୍କସ କରିବେ... ନେଇଯାଅ ।

 

–କଅଣ ଆଉ କହିବି... ଥରେ ଜଣେ ନୂଆ ଚପରାଶି ଆସି ଦୁଆରେ ଡାକିଲା । ଆମ ଚାନ୍ଦ ନେଳି କସ୍ତା ପିନ୍ଧି, ମୁଣ୍ଡରେ ଖୋଷା ପକେଇ ଦୁଆରେ ବସିଥିଲା । ନୂଆ ଲୋକକୁ ପଚାରିଲା କାହାକୁ ଡାକୁଚୁ ?

 

ସେ କହିଲା–ବାବୁ ଅଛନ୍ତି ?

 

ସେଠୁ ଏ ସା’ନ୍ତାଣୀ ଜବାବ ଦେଲେ–ବାବୁ ? ହଁ ବୋହୂ ପାଖରେ ଖାଉଚି ।

 

ଚପରାଶୀଟି ଭାବିଲା ଇଏ ମୋ ଶାଶୁ । ତାକୁ ଗୋଟିଏ ମୁଣ୍ଡିଆ ମାରିଲା । ସେତେବେଳେ ବାବୁ ଆସି ପହଞ୍ଚି ଚିଡ଼ିକରି କହିଲେ ‘କିହୋ ନଟବର କଣ ? ତାକୁ ମୁଣ୍ଡିଆ କାହିଁକି ମାରୁଛ ?’

 

–ନାହିଁ ଆଜ୍ଞା, ମା’ଙ୍କୁ ପଚାରୁଥିଲି, ଆପଣଙ୍କ ଭେଟ କରିବାକୁ ।

 

ଏତିକିବେଳେ ଭିତରୁ ଡାକ ପଡ଼ିବାରୁ ଚାନ୍ଦ ନସର ପସର ହେଇ ଧାଇଁଲା । ବାବୁ ଖାଇଛନ୍ତି–ଅଇଁଠା ନେଇ ସେ କୁକୁରକୁ ଦବ । ଆମ ବାବୁ ଚିଡ଼ିଯାଇ ଚପରାଶିକୁ ପଚାରିଲେ, “ସେ ଚାକରାଣୀ କଣ କହୁଥିଲା ? ଭଲକରି ସେ କଥା କହିପାରେ ନାହିଁ ।”

 

ଚପରାଶିକୁ ବିଦା କରିଦେଇ ବାବୁ ପାଟି କରି କରି ଆସିଲେ–ହେଇ ଶୁଣ ତମ ଚାନ୍ଦ କଥା । ତମ ଶାଶୁ ହେଇ ନଟବରଠୁ ଆଜି ଗୋଟେ ମୁଣ୍ଡିଆ ଅସୁଲ କରିଛି ।

 

ମୁଁ ପାଟି କରି ତାକୁ ଡାକିଲି, ସେ ଆସି ଭଲେଇ ହେଇ କହିଲା–କ’ନ୍ ?

 

–କିଲୋ, ତତେ ସେ ଲୋକ କାହିଁକି ମୁଣ୍ଡିଆ ମାରୁଥିଲା ?

 

–କଉଚି ? ବିଛ’ଡ଼ ।

 

‘ବିଛଡ଼’ ହେଲା ଚାନ୍ଦର ‘ମିଛକଥା’ । ଦେଲି ଗୋଟାଏ ଖୁନ୍ଦା । କରିବି କଣ ? ସେଇଦିନୁ ତାକୁ କହିଛି ମତେ ବୋହୂ ବୋଲି ଡାକିବ ନାହିଁ । ତେବେ ବି କଣ ସେ ଛାଡ଼େ ? ଯେତେ ମାଡ଼ ଗାଳି ଦେଲେ ବି ସେ ମଝିରେ ମଝିରେ ମତେ ଏମିତି ହଇରାଣ କରୁଛି ।

 

ଚାନ୍ଦକୁ ନେଇ ସେଦିନ ବହୁତ କଥା ବାବୁଆଣୀ ଶୁଣେଇଲେ–ଚୋରଣୀ ନୁହେଁ, ପଇସା ପତ୍ର ଚୋରି କରେ ନାହିଁ, କିନ୍ତୁ ଖାଇବା ଜିନିଷ ପାଇଲେ ସେ ଛାଡ଼େ ନାହିଁ–ଲୁଚେଇ ଖାଇଦିଏ, ବୁଢ଼ୀ ପେଟ ତ...ହଜମ କରି ପାରେ ନାହିଁ...ଏଣେ ଧାଉଁଥାଏ ପାଇଖାନା ।

 

ଯେଉଁ ଟାଉକିପଣ ପାଇଁ ସେ ଶାଶୁଘରୁ ତଡ଼ା ଖାଇଲା, ସେ ଟାଉକି ପଣ ତାର ରହିଯାଇଛି...... ଆସୁନ ଦେଖିବ, ମୋ ଜାଲିଦିଆ ଆଲମାରୀରେ ଯେତେ ଥାକ, ସେତେ କଣା । ଚାନ୍ଦ ହାତ ଗଳେଇ ଖାଇବ ବୋଲି ସେସବୁ କରିଛି । ମାଡ଼ ଦେଲେ କାନ୍ଦି ପଳଉଛି । କିଏ କାଳେ ଭୁଲେଇ ନେଇଯିବ, ସେଇ ଡରରେ ମୁଁ ଆଉ ମାଡ଼ ଦଉ ନାହିଁ, ଶେଷକୁ ତାଲା ଆଣି ଘରେ ପକେଇଲି କିନ୍ତୁ କଲେ କଣ ହବ ? ସେ ମୋ ଗୋଡ଼କୁ ଜଗିଥାଏ । ଟିକିଏ ସୁବିଧା ପାଇଲେ ଚଲେଇ ଦିଏ ।

 

ଘରକୁ ଆସି ବାବୁଆଣି ତାଗିଦ କଲେ–ମନେ ରଖି ଥା ଚାନ୍ଦ, ଆଉ ଦିନେ ଯଦି ତୁ କାହା ଗୋଡ଼ ଧରି ଟାଣିବୁ, ସେଇଦିନ ତୋ ହାତ ଭାଙ୍ଗିଦେବି ।

 

ଚାନ୍ଦ ଆଖି ଛୁଇଁ କହିଲା–‘ବିଛଡ଼’–ମିଛକଥା ।

 

ବାବୁଙ୍କ ପିଲାକୁ ଖେଳେଇଲା ବେଳେ ଚାନ୍ଦ ଯେଉଁ କଥାମାନ କହେ ସେଥିରେ ପିଲା ବି ଚୁପ ହୁଏ । ପବନକୁ କହେ ପନ, ସୁନ୍ଦରକୁ କହେ ଦୁସୁନ । ସେ ଗୀତ ବୋଲେ–ଦୁକୁଲେ ପକାରେ ଦୁସୁନ ପନ । ପୁଅକୁ କୁଆଡ଼େ ଲୁଚେଇ କରି କହୁଛି ଯେ ଏଡ଼େ ସୁନ୍ଦର ପବନ ଦଉଛି କାନ୍ଦନା ।

 

ଆଲୁରୀ ହେଲେ ବି ଏକାବେଳକେ ହୁଣ୍ଡୀ ନୁହେଁ । ତାର ବୁଦ୍ଧି ବି ହରେକ ରକମର । ଘର ଜଗେଇ ଦେଇଗଲେ, ସେ ଦାଣ୍ଡ ଦୁଆର ମେଲା କରିଦେଇ ଗୋଡ଼ ଲମ୍ବାଇ ବସେ । କେହି ଲୋକ ଆସିଲେ ସେଇଠୁ ଥାଇ କହେ–ଯା ପଳା ପଳା.....ବାବୁ ନାଇଁ, ବୋହୁ ନାଇଁ ।

 

ସେ ଲୋକ ଆଉ କିଛି ପଚାରିଲେ ଚାନ୍ଦ ସେଇ ଗୋଟିଏ ଜବାବ ଦିଏ ।

 

ଦିନେ ବାବୁଆଣୀ ବୁଲି ଯାଇଥିବା ବେଳେ ତାର ହଠାତ୍ ମନେ ପଡ଼ିଗଲା ସେ ଶାଗ ଭାଜି ପଖାଳ ଖାଇବ । ବାବୁଙ୍କର ବେଲ୍‍ଟ ଆଉ ବାବୁଆଣୀଙ୍କର ମୁଣ୍ଡ ବନ୍ଧା ଫିତା ଆଣି ଦାଣ୍ଡ ଦୁଆର ଶିକୁଳିରେ ଭଲକରି ଗୁଡ଼େଇ ଦେଇ, ସେ ବାଡ଼ିରୁ ପୁଳାଏ ଅନାବନା ଶାଗ ଛିଣ୍ଡେଇ ଆଣି ଚୁଲୀ ଲଗେଇଲା । ଶାଗ ଭାଜି ସାରିଲେ ହାଣ୍ଡିରୁ ପଖାଳ ଆଣି ଖାଇବ....... I

 

ଏତିକି ବେଳେ ଚପରାଶି ନଟବର ଆସି କବାଟ ବାଡ଼େଇଲା । ସୋର ଶବ୍ଦ ନାହିଁ । ରୋଷେଇ ଘରୁ ଧୂଆଁ ଉଠୁଛି । କାହାରି ପାଟି ଶୁଭୁନାହିଁ–କବାଟ ଭିତରୁ ବନ୍ଦ । ନଟବର ପାଟି କଲା ଚାନ୍ଦ ! ଚାନ୍ଦ !

 

ଚୁଲୀରେ ପାଣି ଲୋଟାଟା ଅଜାଡ଼ି ଦେଇ ଚାନ୍ଦ ଧାଇଁ ଆସି କବାଟ ସେ ପାଖେ କହିଲା–ଯା ପଳା, ବାବୁ ନାଇଁ ।

 

–ଖୋଲ୍‍ବେ...କବାଟ ବନ୍ଦକରି କଣ କରୁଛୁ ?

 

–ବିଛଡ଼ ।

 

–ହଉ ବିଛଡ଼ ଥାଉ...ଖୋଲ୍ ।

 

ଚାନ୍ଦ କବାଟ ଖୋଲାରେ ଲାଗିଲା । ବେଲ୍‍ଟ ସାଙ୍ଗରେ ଫିତା କେମିତି ମୋଡ଼ିମାଡ଼ି ହୋଇ ଯାଇଛି–ଫିଟୁ ନାହିଁ । ନଟବର ଏପାଖରୁ ଠେଲୁଚି, ସେ ସେପାଖରୁ ଟାଣୁଛି ।

 

–କଅଣ କରୁଛୁ କିଲୋ ?

 

–ଇଠା’ଟା ମେଲୁଚି ।

 

–ଖୋଲ୍......... ।

 

ପୁଣି ଚାନ୍ଦ ଟଣାଟଣି କଲା । କେତେବେଳକେ ଶିଙ୍କୁଳି ଫିଟିଗଲା । ନଟବର କବାଟକୁ ଠେଲି ପଶିଲାବେଳେ ଦେଖିଲା, ବାବୁଙ୍କ ବେଲ୍‍ଟ ଦେହରେ ମା’ଙ୍କ ମୁଣ୍ଡଫିତା ଅଧା ଛିଣ୍ଡି ଲାଗିଛି ।

 

–ଇଏ କଣ ?

 

–ବୋହୁ ନଗେଇଚି ।

 

–କଣ କରୁଥିଲୁ– ?

 

–ବୁଲା ମାଗୁଥିଲା ।

 

–ବୁଲା ! ବୁଲା କଣ ମାଗୁଥିଲା ?

 

–ଶାଗ ।

 

–ହଇଲୋ ଓଲି, ତୁ ଶାଗ ଭାଜୁଥିଲୁ ? କହି ନଟବର ରୋଷେଇ ଘରେ ପଶିଲା ବେଳକୁ ଚୁଲୀ ଓଦା, ଆଉ ଦରସିଝା ଶାଗ ପୁଳାଏ କଡ଼ରେ ଥୁଆ ହେଇଛି ।

 

–କିଲୋ ଏ ଶାଗକୁ ଖାଇଥାନ୍ତୁ ?

 

–ବୁଲା ମାଗିଲା ।

 

–କଣ କହୁଚୁ ବୁଲା ମାଗିଲା ?

 

–ହଁ ତାକୁ ପଚାରୁନୁ... ମୁଁ ଆଖି ଛୁଉଁଚି, ତୋ ଧିଅ ଛୁଉଁଚି, ସେ ମାଗିଲା ।

 

–ରହ, ଆଜି ମା’ଙ୍କୁ କହୁଚି ।

 

ଚାନ୍ଦ ପୁଳାଏ ଶାଗ ଆଣି ବୁଲା ଉପରକୁ ଫୋପାଡ଼ି ଦେଇ କହିଲା–ନେ ଖା, ହଗ୍ ଆଉ ମର୍ ।

 

–ଆଲୋ ଶାଗ ଖାଇଲେ ସେ ମରିବ... ତାକୁ ଶାଗଗୁଡ଼ାଏ କାହିଁକି ଦଉଛୁ ?

 

–ମାଗୁଥିଲା । ତୋ ଧିଅ ଛୁଉଁଚି ।

 

ବାବୁ ଆସି ପହଞ୍ଚିଲା ବେଳକୁ ବୁଲା ପାଖରେ ପୁଳାଏ ଶାଗ ପଡ଼ିଛି । ସେ ପଚାରିଲେ ନଟବରକୁ–କିହୋ ନଟବର ତମେ କଣ କୁକୁରକୁ ଶାଗ ଖୁଆଇଲଣି ।

 

ମୁଣ୍ତ କୁଣ୍ଡେଇ ନଟବର କହିଲା–କଣ କହିବି ଆଜ୍ଞା... ଆସିଲାବେଳକୁ ଚାନ୍ଦ ଶାଗ ଖରଡ଼ୁଛି... ଆପଣଙ୍କ ବେଲ୍‍ଟକୁ ଦାଣ୍ଡ ଶିଙ୍କୁଳିରେ ବାନ୍ଧି ଦେଇଛି, କେହି ଖୋଲି ପାରିବେ ନାହିଁ ବୋଲି... ପଚାରିଲାରୁ କହୁଚି ବୁଲା ମାଗିଲା । ଆଖି ଛୁଉଁଚି, ମୋ ଦେହ ଛୁଉଁଚି ।

 

–କିଲୋ ଚାନ୍ଦ ଇଏ କଣ ? ତୁ ବୁଲାକୁ କାହିଁକି ଏଗୁଡ଼ାକ ଦଉଛୁ ଭଲା କହିଲୁ ?

 

ଚାନ୍ଦ ଖଣ୍ଡେ ବାଉଁଶ ଫୋପାଡ଼ି ବୁଲା ଉପରକୁ ଫିଙ୍ଗିଲା–କଉନୁ ? ବାବୁ ପଚାରୁଚି...

 

ବୁଲା ମାଡ଼ ଖାଇ କେଁ କେଁ ହେଲା ।

 

–ଏ ଚାନ୍ଦ ! ସେ କଣ ହଉଛି ? ମୋ ବେଲ୍‍ଟ ଏମିତି କଣ କଲୁ ?

 

–ବୋହୂ କରିଚି ।

 

–ହଉ ବସିଥା... ଆଜି ତୋ କପାଳରେ ଅଛି ।

 

ବାବୁ ହସି ବେଲ୍‍ଟ ଠିକ କରୁ କରୁ ଚାନ୍ଦ ଯାଇ ଆଉ ଜଣକ ଘରେ ଲୁଚିଲାଣି । ବାବୁଆଣୀ ଆସିଲା ପରେ ଚାନ୍ଦକୁ ଖୋଜା ପଡ଼ିଲା । ଚାନ୍ଦ ଆଉ ନାହିଁ । ସେ ଯାଇ ଆଉ ଜଣକ ଘରେ ଚାକିରୀ କରିବ ବୋଲି ଲୁଚିଥାଏ ।

 

ଚାନ୍ଦ ପଳେଇଲା ବୋଲି ବାବୁଆଣୀ ଚିଡ଼ିଲେ ବାବୁଙ୍କ ଉପରେ । ଘର ଘର ଖୋଜି ନଟବର ଶେଷରେ ତାକୁ ଜଣକ ଘରୁ ପାଇଲା । ସେମାନେ କହିଲେ–କାଲିଠୁ ପରା ବସିଛି... କିଛି କହୁ ନାହଁ... ଆମେ ଆଉ କଣ କରିଥାନ୍ତୁ ?

 

ଚାନ୍ଦ ପଳଉଥିଲା, ଧରାହେଇ ଆସିଲା । କେହି କିଛି କହିଲେ ନାହିଁ । ବାବୁ କହିଲେ–କିଲୋ ଚାନ୍ଦ, ତୋ ପାଇଁ ପରା ଗହଣା ଆସୁଛି ।

 

ବାବୁଙ୍କ କଥା ଶୁଣି ଚାନ୍ଦ ଖୁସି ହେଇଗଲା–ଗହଣାରେ ତାର ଭାରି ଶରଧା । ସାଙ୍ଗେ ସାଙ୍ଗେ ଗୁଣ୍ଡୁଚିମୂଷା ପରି ଦୁଇ ହାତକୁ ଯୋଡ଼ି ଛାତିରେ ଲଗେଇ ନମସ୍କାର କରି କହିଲା–କାଇଁ ଗହଣା ଦେ ? ଇ’ସବୁ ଇ’ସବୁ ଭାଙ୍ଗିଗଲାଣି ।

 

–କାଲି ଆଣିବି । ଆଛା ତୁ କୁଆଡେ଼ ଯାଇଥିଲୁ ?

 

–ବିଛଡ଼ ।

 

–ହଉ ହଉ, ତୁ ଏଠି ରହ....ହେଇ ଦେଖ୍, ତୋ ବର ପରା ଚିଠି ଦେଇଛି ଆସିବ ବୋଲି-

 

ଚାନ୍ଦ ବି ଭାରି ଖୁସି ହେଇଗଲା । ତା ବର ଆସିବା କଥା ଶୁଣିଲେ ସେ ସବୁବେଳେ ଖୁସି ହୁଏ । ସେଇଥିପାଇଁ କିଛି ଗୋଳମାଳ ହେଲେ ଚାନ୍ଦକୁ ଗହଣା କଥା, ନ ହେଲେ ତା ବର କଥା କହି ସମସ୍ତେ ଭୁଲେଇ ରଖନ୍ତି ।

 

ଚାନ୍ଦ ଆଉ ମାଡ଼ ଗାଳି ଖାଇଲା ନାହିଁ । ସେ ପୁଣି ତାର ପାଣି–କଢ଼ାରେ ଲାଗିଲା ।

 

ଚାନ୍ଦର ମନ ଖୁସି–ଗହଣା ଆସିବ, ତା ବର ଆସିବ । ସେ ଗୋଟାଏ ଜାଗାରେ ବସି ବିଡ଼୍ ବିଡ଼୍ ହେଉଛି ।

 

–ଏ ଚାନ୍ଦ, କଣ କରୁଛୁ ?

 

କାଗଜକୁ ଚାହିଁ ଚାନ୍ଦ କହିଲା–ଆଇବ କଇଚି....ଇ’ଠାକୁ ଆଣିବ, ଇ’ଠାକୁ ଆଣିବ କହି ନିଜର ହାତ କାନ ନାକକୁ ଦେଖେଇଲା । ତାର ଗହଣା ଆସିବ ।

 

–କିଏ କିଲୋ ? ତୋ ବର ଚିଠି ଦେଇଛି ?

 

–‘ହି’ ଠି କଇଚି’ କହି ଚାନ୍ଦ ଆଖି ଆଗରେ କାଗଜକୁ ଧରିଲା ।

 

ଚାନ୍ଦର ଭାରି ଆଶା, ଅଇଁଠା ଆଉ ଛିଣ୍ଡା ଗେଞ୍ଜି ଉପରେ । ସେ ଗେଞ୍ଜି ଖଣ୍ଡେ ପାଇଲେ ଉପର ତଳ ନ ମାନି ଦେହରେ ପିନ୍ଧି ପକାଏ । ହାତ ଭିତରେ ବେକ ଭର୍ତ୍ତି କରେ, ଗେଞ୍ଜି ଫାଟିଗଲେ ଗାଆଁଠେଇ କରି ପିନ୍ଧେ । ହାତକଟା ଗେଞ୍ଜିର ବେକ ହାତ ସମାନ । ଚାନ୍ଦ ଘର ଭିତରେ ଜୋକର୍ ପରି ବୁଲୁଥାଏ ।

 

ଚାନ୍ଦ ବେଶି ଖାଏ, ଏଣେ ହଜମ କରି ପାରେ ନାହିଁ–ରାତିରେ ପାଇଖାନାକୁ ଧାଏଁ, ସେଥିପାଇଁ ବହୁତ ଗାଳି ବି ଖାଏ । ଆଉ ଗାଳି ଖାଇଲାବେଳେ କିଛି ନ ବୁଝିଲାପରି ସେ ଚାହିଁରହେ ମୁହଁକୁ ।

 

ସବୁଠୁ ବେଶି ଗୋଳମାଳ ହୁଏ ଘରେ ଜିନିଷ ହଜିଲେ । ଚାନ୍ଦ ଯୋଉଠି ଯାହା ପାଏ ସବୁ ନେଇ ତା ଲୁଗା ଭିତରେ ରଖେ ପଞ୍ଚଗୁଣା, ଅମୃତାଞ୍ଜନ, ଚାମୁଚ, ବେଟାରୀ, ଚିରୁଣି, ତାଟିଆ ଏମିତି ସବୁ ରକମର ଜିନିଷ ।

 

କିଛି ହଜିଲେ ପାଟି ହୁଏ–ଏ ଚାନ୍ଦ ! କୁଆଡ଼େ ଗଲା ଏଇଟା ?

 

ଚାନ୍ଦ ସାଙ୍ଗେ ସାଙ୍ଗେ କହେ–ଆଖି ଛୁଉଁଚି ଲୋ, ବିଛ’ ଡ଼ ।

 

–ଏ ବି’ ଛଡ଼ ! ସବୁବେଳେ ସେମିତି ହ’ ନା ...ସବୁ ଜିନିଷ ନଉଛୁ କାହିଁକି ?

 

–ରଖି ଦେଇଚି ।

 

ଏଥିପାଇଁ ସବୁବେଳେ ତା ଲୁଗା ତଲାସ ହଉଥାଏ । ତେବେ ବି ଚାନ୍ଦ ସବୁ ଜିନିଷ ନେଇ ସେଠି ରଖେ । ଗାଳି ଖାଇଲେ ଭୁଲି ଯାଏ, ଆଉ ବାବୁଙ୍କ ପୁଅକୁ ନେଇ ତାର ଗୀତ ବୋଲୁଥାଏ–ଦୁକୁଲେ ପକାରେ ଦୁସୁନ ପନ... ।

 

–ଏ ଚାନ୍ଦ ! ସେମିତି ହ’ନା ।

 

ଚାନ୍ଦ ଚାହେଁ ବୋକାଙ୍କ ପରି । ସମସ୍ତେ ହସି ଉଠନ୍ତି । ସମସ୍ତିଙ୍କ ସାଥିରେ ସେ ବି ତାଳିମାରି ହସେ ।

 

–କିଲୋ, ହସୁଛୁ କାହିଁକି ?

 

–ବାବୁ ନୁଚେଇ ଖାଉଚି, ବୁଲା ଖାଉଚି–ମୁଁ ଖାଉ ନାହିଁ ।

 

–କିଲୋ ଆମେ ନୁଚେଇ ଖାଉଚୁ ?

 

–ବିଛ’ଡ଼ ।

 

–ବିଛ’ଡ଼ କଣ କହୁଛ ? କହ ମିଛ ।

 

–ବିଛ ।

 

ପୁଣି ସମସ୍ତେ ହସନ୍ତି–କିଏ ଏଇଟାର ନାଁ ଚାନ୍ଦ ଦେଇଥିଲା କେଜାଣି ?

 

ଚାନ୍ଦ ଚାହେଁ ବାବୁଙ୍କ ମୁହଁକୁ । ବାବୁ ଚାହାନ୍ତି ବାବୁଆଣୀଙ୍କ ମୁହଁକୁ । ଠାରି କରି କହନ୍ତି–ଦେଖ ହୁସିଆର, ସେ ରୁଷିକରି ପଳଉଛି... ହୁସିଆରରେ ଥିବା କୁଆଡ଼େ ରହି ଯିବଟି !

★★★

 

ଅଡ଼ୁଆ ସୂତା

 

ସବୁ ଜୀବିକାରେ ସାର ହେଲା ଚାକିରୀ । ବଡ଼ ନ ହୋଇ ପାରିଲେ ଛୋଟ ହେବ–ସେ ହବ ଘରୋଇ ଚାକର । ସମସ୍ତଙ୍କର ଟିକିଏ ବିଶ୍ରାମ ଲୋଡ଼ା । ସେଥିପାଇଁ ବାବୁଘରେ ଚାକର ଦରକାର ।

 

ଆରାମ ପାଇଁ କୋଠାଘର । କୋଠାଘର ସାଙ୍ଗରେ ଚାକର ଠିକ୍ ପାଦ ମିଳେଇ ଚାଲେ-। ବାବୁଘରେ ବାବୁ ରହନ୍ତି, ବାବୁଙ୍କର ଚପରାଶି ରହେ । ଘରୋଇ ଚାକର ସରକାରୀ ଚାକର ହେଇଯାଏ–ସେଇଟା ତାର ପଦୋନ୍ନତି ।

 

ମଦନ ବାବୁଘରେ ଚାକିରୀ କରି, ପାଟି ହାତ ଓଲିଆ କରି ବି ସବୁବେଳେ ଖିଟ୍ ଖିଟ୍ ହେଉଥିଲା, କାରଣ ତାର ପଦବି ହେଉ ନାହିଁ । କପାଳ ତାର ସଳଖ–ଗୋଟାଏ ଚାକିରୀ ମିଳିଗଲା-। ଏଥର ଛୁଟି ।

 

ପୁରୁଣା ଖାଉଁନ୍ଦ ଘରଟି ଭଲ । ବେଶି କାମ କରିବାକୁ ପଡ଼େ ନାହିଁ । ଖାଇବା ପିଇବାର ସୁବିଧା ଅଛି । ରହିବା ପାଇଁ ପକ୍କାଘର ବଖୁରିଏ ଅଛି । ଚୋରୀ କରିବାର ସାମାନ୍ୟ ସୁବିଧା ଅଛି । ଆଉ ସବୁଠାରୁ ଭଲ କଥା ଅଛି ଯେ ଚାକରକୁ ଶାସନ ନାହିଁ । ଘରୋଇ ଚାକିରୀରେ ମନକୁ ପାଇଲା ପରି ଭଲ ଜାଗାଟିଏ ।

 

ଚପରାଶି ପୋଷାକ ପିନ୍ଧିବାକୁ ବାହାରିଲା ବେଳେ ମଦନର ଆଖି ଆଗରେ ନାଚୁଥିଲା ତାର ଛୋଟିଆ ଭାଇ ପଦନ । ଆସି ସତର ଅଠର ବର୍ଷ ହେଲା । ଚାଷକୁ ପାରିଲା ନାହିଁ କି ପାଠ ପଢ଼ାକୁ ହେଲା ନାହିଁ । ସହରରେ ରହିବାକୁ ପଦନର ଭାରି ଇଚ୍ଛା । ସୁବିଧା ପାଇଥିଲେ ରହିଥାନ୍ତା । ସେଥିପାଇଁ କେତେ ଘରେ ମଦନ ଆଖି ବୁଲେଇଛି । ଭଲ ଜାଗାଟିଏ ନ ହେଲେ ତାର ସେଇ ଓଲା ଭାଇଟିକୁ ରଖିବାର ସୁବିଧା ହେବ ନାହିଁ । ପଦନ ପାଇଁ ଏଇ ଘରଟି ଭାରି ଭଲ ହୁଅନ୍ତା ।

 

‘ମଦନ ତମେ ତ ଯାଉଛ, ଆମକୁ ହେଲେ ଗୋଟିଏ ଲୋକ ଦିଅ ?’ ଅଣ୍ଡାରୁ ଭେଣ୍ଡାଯାଏ–ସମସ୍ତଙ୍କ ଆଖିରେ ସେଇ ଗୋଟିଏ ଅନୁରୋଧ ।

 

–ମୋ ଭାଇଟିକୁ ଦିଅନ୍ତି...ଭାରି ଭଲ...ହେଲେ ସହର ବଜାରକୁ ଚାହିଁ ସିଆଣିଆ ନୁହେଁ-

 

–ଆରେ ତେବେ ତ ଭାରି ଭଲ କଥା... ଆମର ଚତୁର ଚାକର ଦରକାର ନାହିଁ...ହାତ ଉଠା ନକରିବା ଲୋକ ହେଲେ ଆମ କାମକୁ ଚଳିବ ।

 

–ସେଇଟା ଭାରି କାମିକା...ତାର ଖରାପ ବୁଦ୍ଧି ନାହିଁ...ଦୋଷ ଭିତରେ ଏତିକି ଯେ ରାସ୍ତା ହାଟକୁ ପାରିବ ନାହିଁ ।

 

–ସବୁ ଶିଖିଯିବ । ଲୋକେ କୋଉଠୁ ଆସି କୋଉଠି କେତେ କଣ ନ କରୁଛନ୍ତି ? ବୁଝିଲ, ତାକୁ ଯାଇ ନେଇଆସ ।

 

–କଣ ସେ ପାଇବ ?

 

–ଆଗେ ଆଣ... କାମ ଦେଖିଲା ପରେ ଦରମା କଥା ବୁଝାଯିବ ।

 

–ବାର ଚଉଦ ଟଙ୍କା ନ ହେଲେ ତାକୁ ପୋଷେଇବ ନାହିଁ ।

 

ନୂଆ ଲୋକ ଏତେ କିଏ ଦବ ? ଆମେ ଦଶଟଙ୍କା ଦବା–ଖାଲି ତମରି ଭାଇ ବୋଲି ।

 

–ଦଶଟଙ୍କା ! ସେ କଣ ରାଜି ହବ ସେଥିରେ ? ମଦନ ମୁହଁ ବଙ୍କେଇ କହିଲା ।

 

–ହଉ ଆଉ ଟଙ୍କାଏ ମସାଏ ହାତରେ ରହିଲା ।

 

ମଦନ ଗଲା ଭାଇକୁ ଆଣିବାକୁ । ତାକୁ କେତେ ଉପଦେଶ ଦେଲା–ତୁ ହୁଣ୍ଡାମି ଦେଖେଇବୁ ନାହିଁ, ଟକଳା ହବୁ ନାଇଁ–ରହି ସମ୍ଭାଳି ସବୁ କରିବୁ ।

 

ପଦନ ଭାଇର କଥାକୁ ପିଇଗଲା–ସେ ଏମିତି ଚତୁର ହବ ଯେ ଭାଇକୁ ଏକା ଥରକେ କାବ୍‍ବା କରିଦବ ।

 

ଦିନେ ସନ୍ଧ୍ୟାରେ ଯୋଡ଼ି ବଳଦ ପରି ମଦନ ଆଉ ପଦନ ଆସି ପହଞ୍ଚିଲେ–ଜଣେ ଯିବ ଆଉ ଜଣେ ରହିବ ।

 

ଚାରିଆଡ଼କୁ ଥରେ ଚାହିଁଦେଇ ପଦନ ନିଜର ବୁଦ୍ଧି ଦେଖେଇ ପ୍ରଥମେ କହିଲା–ଏଠି କଣ କୁକୁଡ଼ାଗୁଡ଼ାଏ ? ଏମାନେ କଣ ଏଇଠି ଚରିବାକୁ ପଦାରୁ ଆସନ୍ତି ?

 

ପିଲାଏ ହସି କହିଲେ–ଆମରି କୁକୁଡ଼ା ପରା ।

 

–ଏଠି କାହିଁକି ବୁଲୁଛନ୍ତି ? ରାସ୍ତାକୁ ଯାଉ ନାହାନ୍ତି ।

 

–ଚୋରୀ ହୋଇଯିବ ।

 

–କୁକୁଡ଼ା କିଏ ଚୋରୀ କରିବ ?

 

ସମସ୍ତେ ହସିଲେ । ମଦନ କହିଲା ପଦନକୁ–ବୁଝିଲୁରେ ଏଗୁଡ଼ାକ ଭାରି ଭଲ କୁକୁଡ଼ା...ଖାଲି ଗୋଟିଏ ରୋଷେଇ ଘର ଭିତରେ ପଶେ...ସେଇ ଯୋଉ କୋଦାଟା ସେଠି ବୁଲୁଚି, ସେଇ ଗୋଟିକ ଦୃଷ୍ଟ...ବାକି ଗୁଡ଼ାକ ପିଣ୍ଡାକୁ ଉଠନ୍ତି ନାହିଁ ।

 

–ତାଙ୍କର କଣ ପର ନାହିଁ ନା କାଟି ଦେଇଛ ?

 

ପୁଣି ସମସ୍ତେ ହସିଲେ । ମଦନ ଲାଜରା ହେଇ କହିଲା–ଏଇଟା ମଫସଲିଆଟାଏ । ୟାକୁ ଚଳେଇ ନେଲେ ଚଳିବ...ଏମିତି ତ ବଣୁଆଙ୍କ ପରି ହଉଚି ।

 

ପଦନ ଚାହିଁଲା ଭାଇ ମୁହଁକୁ । ଭାବିଲା କହିଦବ–ଯୋଉ ଚତୁର କଥାଗୁଡ଼ାକ କହୁଚି ନା ! ବାଟଯାକ ଶିଖେଇ ଶିଖେଇ ଆଣିଥିଲା । ମଦନ ଭାବିଲା ଭାଇ କଣ ଗୋଟାଏ କଥା କହିବାକୁ ଭାବୁଛି । ପଚାରିଲା–କ’ଣରେ ପଦ ?

 

–ହଁ ହଁ, ମତେ ଶିଖେଇବା ଦରକାର ନାହିଁ । ମୁଁ କଥା କହି ଜାଣେ ।

–ଜାଣିବୁ ନାହିଁ କାହିଁକି ? ତୁ ବି ତ ଗୋଟାଏ ମଣିଷ ପିଲା–ବାବୁଆଣୀ କହିଲେ ।

ପଦନ ମୁକରିର ହୋଇଗଲା । ପ୍ରଥମ ଦିନ ଚୁଲୀ ଲଗାଇଲା ବେଳକୁ ଭାରି ଅସୁବିଧା-। କାଠକୁ କେଞ୍ଚି ଚୁଲୀର ହାଣ୍ଡିକୁ ଭାଙ୍ଗିଲା ।

–କିଓ ପଦନ, କଣ ହେଉଛି ?

–ଏଇଟା କି ଚୁଲୀ ? କାଠ ତ ସବୁ ରହିଲା ପଦାରେ । ଆଉ ନିଆଁ ହବ ନା ରୋଷେଇ ହବ !

–ତମେ ରାନ୍ଧି ଜାଣ ?

–ହଁ ।

–କୋଉଠି ରାନ୍ଧିଛ ?

ରନ୍ଧାରେ କଣ ଅଛି ଯେ ଆମେ ଜାଣିବା ନାହିଁ ? ପାଣି ଢାଳି ନିଆଁ ଜାଳିଲେ ରନ୍ଧା ସଇଲା ।

–ହଉ ହଉ ରାନ୍ଧ ଦେଖିବା ।

–ମୁଁ ଖାଲି ଭାତ ଡାଲି କରି ପାରିବି ।

–ହଉ ସେତିକି କର ।

ମଦନ ତା ଭାଇକୁ ଚୁପ ଚୁପ କରି ଅନେକ କାମ ଶିଖେଇଲା । ଭାଇକି ଭାରି ଅଡ଼ୁଆ ଲାଗୁଥାଏ–ଏମିତି ତଳୁଟାରେ ଏତେବେଳ ବସି ରହିବାକୁ ।

–କି ପଦନ କେମିତି ରାନ୍ଧୁଛ ?

–କଣ ରାନ୍ଧିବି ? ରାନ୍ଧିବା ମାଇପଙ୍କ କାମ ।

–କିଓ ତମେ କୁଆଡ଼େ ଟିକିଏ ଓଲମା ବୋଲି ଭାଇ କହୁଥିଲା ।

–ନାଇଁ ମା, ଆମ ଗାଁରେ ସମସ୍ତେ ତାକୁ ଓଲା କରନ୍ତି ଯେ ସେଥିପାଇଁ ସେ ମୋରି ସାଙ୍ଗରେ ଖାଲି ନାଗିଥାଏ ।

ପଦନ ରାନ୍ଧିଥିଲା । ପାଣି ଦେଇ ନିଆଁ ଜାଳିଥିବାରୁ ସବୁ ଜିନିଷ ସିଝିବା କଥା–ସିଝିଥିଲା । ଡାଲି ଖଦଡ଼ିଆ, ଭାତ ପାଣିଚିଆ–ଜାଉଆ ।

–କିରେ ପଦ, ତୁ ରାନ୍ଧି ଜାଣୁନୁ ? ୟାକୁ କଣ କିଏ ଖାଇବେ ? ଭାଇ ପଚାରିଲା ।

–ନ ଖାନ୍ତୁ...ଭୋକ କଲେ ଯିବେ କୁଆଡ଼େ ?

–ଆରେ ବାବୁମାନେ ଚିଡ଼ିବେ ।

–କାଇଁକି ? ମୁଁ କଣ ଆଉ ତାଙ୍କ ପାଟିରେ ସୁଆଦ ନଗେଇ ଦେବି ?

–ଆବେ ସେମିତି କହିଲେ ଏ କାଠ ଫାଳିଆ ତୋ ପିଠିରେ ଭାଙ୍ଗିବି ଜାଣିଥା ।

–ଦେଖ୍ ଭାଇ ଖବରଦାର୍‍...ଇଏ ପରଘର...ମୋ’ଠି ଟିପ ଛୁଆଁଇଲେ ମନେ ରଖିଥା ମୁଁ ଯିବି ।

–ଯାହା କହୁଛି ସେମିତି କର ।

–ଦେଖ୍ ଭାଇ, ମୋ ସାଙ୍ଗରେ ଲାଗ୍‍ନା କହୁଛି...ତତେ କଣ ବାବୁଘର କହିଛନ୍ତି ମୋ ସାଙ୍ଗରେ ଖୁପୁରେଇ ହବାକୁ ?

ଦିହିଙ୍କ ଭିତରେ ଠେଲା ପେଲା ଲାଗିଲା । ବାବୁଆଣୀ ଆସି କହିଲେ–କଣ କି ମଦନ-? ଦି’ଭାଇଙ୍କ ଭିତରେ କଣ ଏତେ ଠେଲାଠେଲି ଲାଗିଛି ?

ପଦନକୁ ଖେଞ୍ଚିଦେଇ ଗଣ ଗଣ ହେଇ ମଦନ କହିଲା–ଦେଖୁଥା ଏଥର । ତାପରେ ଖଣ୍ଡିକାଶ ମାରି ବାବୁଆଣିଙ୍କି କହିଲା–ନାଇଁ, କିଛି କଥା ନାହିଁ...ଏଇ ଗାଁରୁ ଚାଲି ଚାଲି ଆସି ହାଲିଆ ହେଇଥିଲା ଯେ ରୋଷେଇରେ ମନ ଲଗେଇ ପାରୁନାହିଁ ।

–ହଁ ହାଲିଆ ହେଇଚି ! କେତେ ଏମିତି ବାଟ କି ? ତୁ ସିନା ଅଳସୁଆଟାଏ ।

–କିରେ ପଦନ, ଭାଇକୁ ତୁ ତା କରୁଛୁ ?

–ଯିଏ ଯୋଉଥିକି ଯୋଗ୍ୟ ।

–କିରେ ପଦିଆ, ତତେ କଣ ମଣିଷ ଦିଶୁନାହାନ୍ତି କି ? ଏମିତି କଣ କଥା କହୁଚୁ । ସେ ପରା ଠିଆ ହେଇଚନ୍ତି ।

ପଦନ ଦବିଗଲା । ଗାଣୁ ଗାଣୁ ହେଇ ଭାଇକି କହିଲା–ସେମିତି ଲାଗିଲେ ତୁ ଦି’ଟା ଚାକିରୀ କର ।

–ଥାଉ ମଦନ ଥାଉ । ଯାହା ସେ କରୁଚି କରୁଥାଉ । ରୋଷେଇ ଖରାପ ହେଲେ ବଳେ ଆମ ବାବୁମାନେ ରାନ୍ଧି ଶିଖିବେ ଯେ ।

ଗର୍ବରେ ପଦନ ଚାହିଁଲା ଭାଇ ମୁହଁକୁ କଣ–କହୁଥିଲି ? ଏ କାମ ମୋର ନୁହେଁ ।

–ଆଉ କାହାର ? ବାବୁଆଣୀ ପଚାରିଲେ ।

ମଦନର ଆଖି ଦେଖି ପଦନ ଚୁପ୍‍ ହେଇଗଲା ।

ସେଦିନ ଖାଇଲାବେଳେ ସମସ୍ତଙ୍କର ଗୋଟିଏ କଥା–ମଦନ ଗଲାବେଳେ ଗୋଟିଏ ବଣୁଆକୁ ଆଣି ପହଞ୍ଚେଇ ଦେଇଛି । ଏଇଟା ହବିଷ ବି ରାନ୍ଧି ପାରିବ ନାହିଁ...ଓଃ, ମଣିଷ କେମିତି ଖାଇବ ?

 

ମଦନ ଠିଆ ହୋଇ କଣ କହିବ ଭାବୁଥାଏ । ବାବୁମାନେ ପଚାରିଲେ–କିଓ ମଦନ, ଇଏ କଣ ଏକଦମ ନୂଆ ?

 

–ଆଜ୍ଞା । ତେବେ ଭଲ ଚାକରଟିଏ ହବ...ଭୁଲ୍ ଠିକ୍ ଚଳେଇ ନେବେ ।

 

–ୟାକୁ ମଣିଷ କେମିତି କରି ଖାଇବ ? ତମେ ଟିକେ ଦେଖିଲ ନାହିଁ ?

 

–ମୁଁ ତାକୁ ଶିଖେଇ ଦେବି–ସେ ଶିଖିଯିବ... ମୋଟା ରୋଟା ରାନ୍ଧି ପାରିବ ।

 

ସେଦିନ ରାତିରେ ପଦନ ପଳେଇବ ବୋଲି ଥରକୁ ଥର ପ୍ରତିଜ୍ଞା କରୁଥାଏ, ଆଉ ମଦନ ତାକୁ ଫୁସୁଲଉ ଥାଏ–ଆରେ ଓଲା, ଦେଖିବୁ ଦି’ ଚାରିଟା ଦିନରେ ତୋ ସାଙ୍ଗରେ କେହି ଠିଆ ହେଇ ପାରିବେ ନାହିଁ...ବାବୁଘର ତତେ ଆଦରିଯିବେ...ଜଳଖିଆ, ଚା, ପାନ ଆଉ କେତେ ରକମର ଖିଆ ଖାଇବୁ...ସେମାନେ ନିଆଁପାଖରେ...ନ ହେଲେ ଶହ ଶହ ଟଙ୍କାର ମୁଣ୍ଡ କଣ ତତେ ଆଣି ପୋଷନ୍ତେ ?

 

ସକାଳ ହେଲା । ପଦନକୁ ଘରଦୁଆର ସବୁ ନୂଆ ଲାଗୁଥାଏ–ଏମିତି କଣ ? ସକାଳୁ ଚଢ଼େଇ ଦି’ ଚାରି ପୁଞ୍ଜା ଦୁଶୁନାହାନ୍ତି...ଖରା ପଡ଼ିଥିଲା...ସୂର୍ଯ୍ୟ ଦୁଶୁ ନାହାନ୍ତି...ଯୁଆଡ଼େ ଚାହିଁଲେ ଖାଲି କୋଠା ଆଉ କୋଠା ।

 

ରାତିରେ ମଦନ ତାକୁ କେତେ କଥା ଶିଖେଇ ଦେଇଥିଲା–ଖୁବ୍ ସାବଧାନରେ ଚଳିବୁ...ଏ ସହରର ବାବୁମାନେ ପାଇଖାନା ବସିବାରୁ ଆମ ଯୁ କଳନ୍ତି...ଏମିତି ସୁତୁରା କରି ଝାଡ଼ା ଫେରିବ ଯେ ପାଇଖାନା ଉପର ଯେମିତି ମୋଟେ ଅସନା ହବ ନାହିଁ...ତୁ ଅଜଗିଳା କରି ଖାଉଛୁ କି ନାହିଁ, ସେମାନେ ନ ଦେଖି ପାଇଖାନାରୁ ବୁଝିଯିବେ...ସେମାନେ ଭାରି ବୁଦ୍ଧିଆ...ଲୁଚେଇ ଖାଇଲେ ବି ଜାଣିଯିବେ ।

 

ସମସ୍ତେ ଉଠିଲେ । ଆଗଦିନ ରୋଷେଇ ପୁରା ବିଗାଡ଼ି ଦେଇଥିବାରୁ ପଦନ ଟିକିଏ ଲାଜରା ହେଉଥାଏ । ସକାଳୁ ଗାଧୋଇ ପଡ଼ି ଚୁଲି ଲିପି ପକେଇଲା । ଭଲ ଲିପା ନ ହେଉ ପଛେ ଓଦା ଓଦା ହେଇଥାଏ ।

 

ସେ ଦିନ ଆଉ ପଦନର ଭୁଲ ହେଇ ନାହିଁ । ବଣୁଆଣୀ ଆସି ରନ୍ଧା ଶିଖେଇଦେଲେ । ପଦନ ଭାରି ଆଗ୍ରହରେ ଶିଖୁଥାଏ ।

 

ସେଇ ପଦନ ପୁରୁଣା ଚାକର ହେଇଗଲାଣି । ଏବେ ତାକୁ ଗାଁ ଆଉ ଭଲ ଲାଗେ ନାହିଁ-। ସେ ସହରରେ ରହିବାକୁ ଭଲପାଏ–କେତେ ସାଙ୍ଗ ମେଳା । ସେମାନଙ୍କୁ ସଙ୍ଖୁଳିବରେ ତାର ଅଧା ସମୟ ବିତିଯାଏ ।

 

ସେ ଆସିଲାବେଳେ ଯେଉଁ ବାବୁମାନେ ପିଲା ଥିଲେ, ସେମାନେ ବି ବଡ଼ ହେଇଗଲେଣି । ପଦନ ଆଗତୁରା ଟଙ୍କା ମାଗେ, ଆଊ ପାଏ । ତା ଉପରେ ବାବୁଘରର ବିଶ୍ୱାସ ଅଛି, ଆଉ ସେ ବି ବାବୁଘରର ଦାଇତ୍ଵ ନେଇଛି ।

 

ମଦନ ସାନ ଭାଇକୁ ଖୁସାମତ କରି ରଖିଥାଏ । ସେ ନିଜେ ବାଜେ ଖରଚରେ ତାର ଦରମା ଗଣ୍ଡାକ ଉଡ଼େଇ ଦେଇ ଧୋଇ, ମରୁଡ଼ି, ଖଜଣା, ଭାର ବେଭାର, ଭଲମନ୍ଦକୁ ପଦନକୁ ଦୁହୁଁଥାଏ । ପଦନ ବି ଖୁସି–ସେ ଆଉ ଓଲା ନୁହଁ । ଭାଇ ପରି ସେ ବି ଜଣେ । ଭାଇ କେବେ କେମିତି ଆସେ, କିନ୍ତୁ ଆଉ ଭିତରକୁ ଆସେ ନାହିଁ । ଯେତେବେଳେ ସେ ସରକାରୀ ଚାକିରୀ–ତେଣୁ ହାକିମ ।

 

ପଦନ ଛୋଟବାବୁଙ୍କ ମଛାରେ ନିଜକୁ ଗଢ଼ି ନେଇଛି–କିଛି ନ ହେଲେ ଅବେଳ–ଖିଆ ଆଉ ବୁଲାରେ ।

 

ଯେତେବେଳେ ଦେଖ କବାଟ ଫିଟୁଛି ନଇଲେ ବନ୍ଦ ହେଉଛି । ହୁଏ ତ ଛୋଟ ବାବୁ ପଶୁଛନ୍ତି ନ ହେଲେ ପଦନ ବାହାରୁଛି । ବାବୁଙ୍କର କାମ ହେଲା ବୁଲିବା–ପ୍ୟାଣ୍ଟ ପିନ୍ଧି, କେତେବେଳେ ସାଇକଲ, କେତେବେଳେ ବାଡ଼ି, କେତେବେଳେ ରିକ୍‍ସା–ଏମିତି ଦିନଯାକ ସେ ଖାଲି କାମରେ ବାହାରୁଥାନ୍ତି । ଛୋଟ ପିଲା କେହି ପଚାରିଦେଲେ ତାକୁ ବୁଝାନ୍ତି–ଗଲାବେଳେ ପଚାରିବ ନାହିଁ ।

 

–କାଇଁକି ?

 

–ସେମିତି ପଚାରିଲେ ଭଲ ପିଲା ହୁଅନ୍ତି ନାହିଁ ।

 

ପଦନ ମୁରୁକି ମୁରୁକି ହସେ । ଟିକକ ପରେ ସେ ବି ବାହାରିବ । ତିନିଥର ଚଟୁ ମାରି ଭାତହାଣ୍ଡି ଦେଖି ସାରିଲାଣି–ଏ ପାଣିପଶା ଚାଉଳ ବଡ଼ ଦହଗଞ୍ଜ କଲାଣି....ୟାର ଜାଳାରେ ମଣିଷ କୁଆଡ଼େ ଯାଇଆସି ପାରିଲା ନାହିଁ ।

 

କୋଉ ଛଟକରେ, କୋଉ ବାଟରେ ଟିକିଏ ଯିବ ବୋଲି ସେ ଖାଲି ଓର ଉଣ୍ଡି ବୁଲୁଥାଏ-। ଏବେ ଯାଇ ନପାରିଲେ ପଛକୁ ପାଟି ହବ–ଓଃ, ଏ ପଦନ କୁଆଡ଼େ ଯାଇଛି କେଜାଣି ? ...ଦି’ଟା ଭାତ ଖାଇବାକୁ ଆସି ନିଜେ ଅଇଁଠା ହବ...ନିଜେ ବାଢ଼ି ଖାଇଲେ ସେ ଖାଇବାରେ କି ସୁଖ ଅଛି ? ଯୋଉ ଅପୂର୍ବ ରନ୍ଧା ! ସେଥିରେ ପୁଣି ବାବୁଙ୍କର ବୁଲା ଚାଲିଛି...’ ଆଉ ସମ୍ଭାଳି ନ ପାରି ପଦନ ଛପି ଛପି ଚାଲିଲା ।

 

–କିଓ ପଦନ, କୁଆଡ଼େ ଯାଉଛ ?

 

–ପାଣି ପାଇଁ ।

 

–ଦେଖ, ଭାତ ଯାଉ ହେଲେ ପୁଣି ଦେଖିବ ।

 

–ଥାଉ, କେହି ପାଣି ନ ପିଅନ୍ତୁ, ମୋର କଣ ଗଲା ?

 

ପଦନ ଚୁପହୋଇ ବସି ରହେ । ସବୁବେଳେ ଏଇ ଘରେ ଖାଲି ଦୋଷ ଖୋଜି ବୁଲୁଛନ୍ତି-

 

କୁଆଡ଼େ ପଳଉଛି ? ଚୁଲୀ ଲିଭିଲାଣି–ପଦନ ନାହିଁ । ଖାଲି କୁକୁଡ଼ା ପଶି ଆସିବ ବୋଲି କବାଟ ବନ୍ଦ । ଚୁଲିରେ ହାଣ୍ଡି ବସିଛି । ମସଲା ବଟା ହୋଇନାହିଁ । ସ୍କୁଲବେଳେ ହେଲେ ସମସ୍ତେ ପାଟି କରିବେ ।

 

–କିଓ ପଦନ, କୁଆଡ଼େ ଯାଇଥିଲ ?

 

–ବାବୁଙ୍କ ପାଇଁ ଆଣିବାକୁ ।

 

–ବାବୁଙ୍କର କଣ ଏତେ ଦରକାର ହେଉଛି କେଜାଣି ?

 

–ତାଙ୍କର ଲୋକ ଆସିଥିଲେ ।

 

–ହଉ ଗଲ ତ ଗଲ, କୋଉ କୋଶେ ପାଏ ଯାଇଥିଲ ?

 

–ଦୋକାନରେ ଭିଡ଼ ଥିଲା ।

 

–ସେଥିପାଇଁ ଏତେବେଳେ ହୋଇଗଲା ?

 

–ଅଇଚ୍ଛା ତ ଯାଇଥିଲି ।

 

–ଅଇଚ୍ଛା ଯାଇଥିଲ ! ଚୁଲୀ ଲିଭିଲା କେମିତି ?

 

–କଠା ସେଗୁଡ଼ାକ କଣ କେହି ଜାଳେ ? ଜାଳୁ ଜାଳୁ ତ ଲିଭି ଯାଉଛି ।

 

–ଏ ପଦନ, ରିକ୍‍ସା ଖଣ୍ଡେ ଡାକ । ସେଣୁ ଛୋଟ ବାବୁ ଡାକି କହିଲେ ।

 

–ହେଇ ପୁଣି ହୁକୁମ ଆସିଲାଣି...ଦେଖ ପଦନ, କାମ ନ ସରିଲେ ଆଉ ରିକ୍‍ସା ଫିକ୍‍ସା ପାଇଁ କେହି ଯାଇ ପାରିବ ନାହିଁ ।

 

–କଣ ପଦନ, ତୁମକୁ ଶୁଭୁ ନାହିଁ ?

 

–କଣ କରିବି ? ବାବୁ ଚିଡ଼ୁଚନ୍ତି ।

 

–ବାବୁ କେତେ ପଇସା ଦେଉଛନ୍ତି ?

 

–ପଇସା ? ଦିଅନ୍ତି ନାହିଁ ତ... ।

 

–ଆଉ ? ଆମେ ମୁଠା ମୁଠା ଟଙ୍କା ଦବୁ ଆମ କାମ ପଡ଼ି ରହିଛି... ଆଉ ତମେ ବାବୁଙ୍କ ହୁକୁମ ଅନୁସାରେ କାମ କରିବାକୁ ଧାଉଁଛ ।

 

–ବାବୁ କହିଛନ୍ତି ଚପରାଶି କରିଦେବେ ।

 

–ଚପରାଶି ! ଥାଉ ଥାଉ...ରୋଷେଇ କାମକୁ ପାରୁ ନାହିଁ, ଏଣେ ବାବୁ ଚପରାଶି କରି ଦଉଛନ୍ତି !

 

–ପଦନ ରିକ୍‍ସା ଡାକ, ମୋର ଭାରି ଜରୁରୀ କାମ ଅଛି । ପଦନ ବାବୁଆଣୀଙ୍କ ମୁହଁକୁ ଚାହିଁ ଗୋଟିଏ ଗୋଟିଏ ଚାଲିଲା । ପଛରୁ ବାବୁ ପାଟି କରି କହିଲେ–ମଜଭୁତିଆ ରିକ୍‍ସାବାଲା ଦେଖି ଆଣିବ ।

 

କାମରୁ ଫେରିଆସି ବାବୁ ଡାକିଲେ–ପଦନ ଶୁଣିଗଲ । ପଦନ ଆସି ଠିଆ ହେଲା ।

 

–ତମକୁ ଗୋଟିଏ ମଜଭୁତିଆ ରିକ୍ସା ମିଳିଲା ନାହିଁ ? ସେ ରିକ୍ସାବାଲାର ନିଶ ଥିଲା । ସେ ପୁଣି ପାଚିଲା ନିଶ ...ମତେ ବାଟରେ ଯାହା ହୀନସ୍ତା କରିଚି ! ଡେରିରେ ପହଁଞ୍ଚିଲା ଆଉ ବେଶି ପଇସା ନେଲା ।

 

–ଠିକ୍ ହୋଇଛି....କାମରୁ ଉଠେଇ ‘ପଦନ’ ‘ପଦନ’ ହବୁ ...ତାକୁ ରିକ୍‍ସା ଚିହ୍ନି ଆସେ-? ସେ ପରା ଚପରାଶି ହଉଥିଲା ?

 

–ଚପରାଶି ! ଓଲୁଟାଏ... ରିକ୍‍ସା ଚିହ୍ନି ପାରୁ ନାହିଁ ... ଇଏ ପୁଣି ଚପରାଶି ହବ !

 

ପଦନ ଉପରେ ଗାଳି ଚାଲିଥାଏ । ସେ ଲୁଚିକରି ହୁଁ ହାଁ କରୁଥାଏ ଯେ ସେ ଓଲୁ ନୁହଁ ।

 

–ସତରେ କେଡ଼େ ବୋକାଟାଏ ହେଇଚି ମ...ରିକ୍‍ସା ବି ଆଜିଯାଏ ଚିହ୍ନି ପାରୁନାହିଁ....ମଜଭୁତିଆ ରିକ୍‍ସାବାଲା କହିଲେ ବଡ଼–ନିଶୁଆ ମଢ଼ିଆ ଲୋକଟାଏ ଧରି ଆସିବ, ଭଲ ରିକ୍‍ସା କହିଲେ ନାଲି ନେଳି କାଗଜ ଫୁଲରେ ସଜା ହୋଇଥିବା ଠାକୁରଙ୍କ ବିମାନ ଗୋଟିଏ ଆଣି ଫେରିବ...ଉଃ...କି ବୋକା...

 

–ହଁ ସେ ବୋକା ! କେତେ ବୁଦ୍ଧି ଖଟଉଛି...ପଅର ଦିନ ସେ ଆଠଟା ରସଗୋଲା ଆଣିବାକୁ ଯାଇଥିଲା । ଆଣିଲା ଛଅଟା ଅଣିକିଆ ଆଉ ଦିଟା ଦିଅଣିକିଆ, ଆସି କହିଲା ସେ ଦୋକାନି କହିଛି ଛୋଟଗୁଡ଼ାକ ଫୁଲିଲା ନାହିଁ ।

 

–ସତେ ? ଆଉ ତେବେ ବୋକା କଣ ?

 

–ଆମେ ବୋକା ନା, ସେ କାହିଁକି ବୋକା ହବାକୁ ଯିବ ?

 

ପଦନ ମଜାରେ ଥାଏ । ତାକୁ ଚା ଆଣିବାକୁ କହିଲେ ଟ୍ରେ’ରେ ସେମିତି କଳା ଚା ନେଇ ପହଞ୍ଚେ । ଦୁଧ ଦେଇ ନ ଥିଲେ ମାଗିବାକୁ ସେ ମନେ ରଖିପାରେ ନାହିଁ । ଟ୍ରେ’କୁ ବେକଯାଏ ଟେକି ଲୋକଙ୍କ ମୁଣ୍ଡସିଧାରେ ଛିଡ଼ାହୁଏ ।

 

–କିଓ, ଦୁଧ ନାହିଁକି ଘରେ ? ଖାଲି ଚା ଆଣିଛ ଯେ– ?

 

–ଦେଇ ନାହାନ୍ତି ।

 

–ମାଗିଲ ନାହିଁ ?

 

–ମୁଁ କହିଲି ଦୁଧ ଖାଇବେ ନାହିଁ କି କଣ ।

 

–‘ଥାଉ ଥାଉ...ଦୁଧ ସରି ଯାଇଥିବ...ସେମିତି ଚା ଖାଇ ଦେବା’ । ଆସିଥିବା ଲୋକ କହନ୍ତି ।

 

–‘ଆରେ, ଏ ଗୋଟାଏ କଣ କଥା ? କାହିଁକି ଚା ସେମିତି ଖାଇବ ?’ ବାବୁ ନିଜେ ଘରକୁ ଧାଆଁନ୍ତି ।

 

ଧମକାଇଲା ପରି ବାବୁଆଣୀ ପଚାରନ୍ତି–ପଦନ, ତମର କଡ଼ାକର ବି ବୃଦ୍ଧି ହେଲା ନାହିଁ-? ଖାଲି ଚା ଗୁଡ଼ାକ କେମିତି ନେଇଗଲ ? ସେମାନେ କଣ ଭାବିଥିବେ !

 

–ମୁଁ ଆଉ ଦେଖିଚି ? ମୁଁ ଭାବିଲି ଦେଇଥିବ, ଦୁଧ ତଳେ ଅଛି ।

 

–ଆଚ୍ଛା ଓଲଟ ରାମ ।

 

ଓଲା କି ଓଲଟରାମ ଯାହା ହେଲେ ବି ଖାଲି ରହିଯିବା ଯୋଗୁଁ ସମସ୍ତଙ୍କ ତୁଣ୍ଡରେ ‘ପଦନ’ । ଯାହାର ଯୋଉ କାମ ମନେ ପଡ଼େ, ସେ ପଦନକୁ ଖୋଜେ । ଖାଇବା ପାଇଁ, ଘରୁ ଉଇ ଝାଡ଼ିବା ପାଇଁ, ସଜନାଗଛରୁ ସଅଁବାଳୁଆ ମାରିବାପାଇଁ, କୁକୁରକୁ ଗାଧେଇ ଦେବାପାଇଁ–ଯେତେ ପ୍ରକାରର କାମ ବାହାରେ, ସବୁଥିରେ ପଦନ ଖୋଜାହୁଏ ।

 

ପଦନ ଭାବି ଭାବି ସବୁ କାମ କରେ–ଉଇ କାଲି ଝାଡ଼ିବ–ଗାଧୋଇବା ଆଗରୁ । ସଅଁବାଳୁଆ ଆଜି ମାରିବ ନାହିଁ, କାରଣ ଆଜି ସୋମବାର । ଖାଇସାରିଲା ପରେ ଉପରଓଳିକୁ କୁକୁରକୁ ଗାଧୋଇଦବ । କିନ୍ତୁ ସେ ମନେ ମନେ ସବୁ କାମ କରିବାକୁ ତିଆରି ହୁଏ–ଛୋଟବାବୁ କହିଛନ୍ତି ସେ ଚପରାଶି ହବ ।

 

ବେଳେବେଳେ ମନେ ପଡ଼ିଗଲେ ପଦନ ଆସି ଟିକିଏ ଦୂରରେ ଠିଆ ହୁଏ ।

 

–କଣ ପଦନ ?

 

ପଦନ ଟିକିଏ ଘୁଞ୍ଚିଆସି ଏକାଗ୍ର ଦୃଷ୍ଟିରେ ଚାହେଁ ।

 

–କଣ କହୁନ ? ଠିଆ ହେଲ କାହିଁକି ?

 

–ସେଇ କଥା । ଗଳା ସଫାକରି ପଦନ କହେ ।

 

–ଓ ! ଚପରାଶି ? ଖାଲି ହେଇ ନାହିଁ ।

 

ପଦନ ପୁଣି ଚାହିଁରହେ । ଭାବେ ପଚାରିଦେବ–କେବେ ଖାଲି ହବ ? ଏଣେ ପଦନକୁ ଘର ଭିତରେ ଡାକ ପଡ଼େ । ଆଉ କାହାର କଣ କାମ ବାହାରିଲାଣି, ପଦନ ଚଞ୍ଚଳ ହେଇ ଉଠେ ।

 

–ହଉ ପଦନ, ତମେ ଯାଅ...ଚାକିରୀ ଖୋଲିଲେ ମୁଁ କହିବି ।

 

ଫେରିଗଲାବେଳେ ପଦନ ଭାବେ ସେ ଓଲା ବୋଲି ବାବୁ ତାକୁ ଚପରାଶି କରିବେ ନାହିଁ । କେତେଲୋକ ତା’ରି ସାଙ୍ଗରେ ଚାକିରୀ କରି ଚପରାଶି ହେଇଗଲେଣି । ଗାଁରେ ସମସ୍ତେ କହନ୍ତି–କିରେ ପଦିଆ, ତୁ କଣ ଦିହକଯାକ ଏମିତି ରାନ୍ଧି ରାନ୍ଧି କଟେଇ ଦବୁ ? ସେତେବେଳେ ପଦନ ସେମାନଙ୍କୁ ଜବାବ ଦିଏ–ନାଇଁ, ଚାକିରୀ ଖାଲି ହେଲେ ମୁଁ ଚପରାଶି ହେବି ।

 

ଘର ଭିତରୁ ଭାଉଜ ହସି ଥଟାକରେ–କଅଣ ଖାଲି ହବମ ? ପ୍ରତିଦିନ ଶହ ଶହ ଲୋକ ଚପରାଶି ହଉଛନ୍ତି, ଆଉ ଖାଲି କଣ ହେବ ତମ ପାଇଁ ?

 

–ବାବୁ କହିଛନ୍ତି କରିଦେବେ ।

 

ଭାଉଜ ପୁଣି ଥଟାକରି କହେ–ହଁ ହବ, କଣ ପଠେଇ ଥା ।

 

ବାବୁଙ୍କ କଥାଶୁଣି ପଦନର ଗାଁ କଥା ମନେ ପଡ଼ିଯାଏ । ମନରେ ଟିକିଏ ଦୁଃଖ ଆସେ–ଜୀବନଟା ବୃଥା ହେଇଗଲା ।

 

ରୋଷେଇରେ ଆଉ ମନ ନ ଦେଇ ପଦନ ଯାଇ ଦାଣ୍ଡରେ ବୁଲେ । ଦୋକାନ ପିଣ୍ଡାରେ ବସିରହେ । ଦୋକାନି ପଚାରିଲେ କହେମନ ଭଲ ନାହିଁ ।

 

ସେ ଘରକୁ ଯିବ । କିଏ ବସି ତାର ନିତି ରାନ୍ଧିବ ?

 

ପଦନର ଘର କଥା ମନେ ପଡ଼ିଲେ ତାକୁ କେହି ଅଟକାଇ ପାରିବେ ନାହିଁ । କହିବ ତ ଉଠିବ । କେହି ମନା କଲେ ମୁହେଁ ମୁହେଁ କହିଦବ–କଣ ଗରୀବ ବୋଲି ମୋର ଘର ସଂସାର ନାହିଁ ?

 

–କି ଘର ? ବଡ଼ଭାଇ ଘର କରିଛି–ତମର କି ଘର ?

 

ପଦନ ଟିକିଏ ଭାବେ । ଭାଉଜର ହସ ହସ ମୁହଁ, ଥଟ୍ଟା ତାମସା ମନେ ପଡ଼ିଗଲେ ସେ ଭାବେ ସେଇଟା ବି ତା’ର ଘର ।

 

–କଣ ନ ଗଲେ ହବ ନାହିଁ ?

 

–ନାଇଁ, ଚିଠି ଆସିଚି–ମୁଁ ଯିବି ।

 

–ବାସ୍, ଠିକ୍ ବେଳରେ ଚିଠି ଆସିବ–ଦୋଳରେ ରଙ୍ଗ ଖେଳିବାକୁ, ରଜରେ ବାଗୁଡ଼ି ଖେଳିବାକୁ, ଧାନ ବେଉଷଣ ଆଉ ଧାନ କଟା ବେଳକୁ, ଭାଉଜକୁ ନେଇ ଧବଳେଶ୍ୱରୀ ଯାତ୍ରା ଦେଖେଇବାକୁ, ଘର ଛପର କରିବାକୁ–କେତେବେଳେ ତମର ଚିଠି ନ ଆସୁଛି ? ସବୁ ଚିଠିରେ ତ ଥାଏ ‘ପଦନ ଆସ, ପଦନ ଆସ ।’

 

–ମୁଁ କଣ ଯାଏ ?

 

–କିଓ, ବର୍ଷକୁ ଚାରିମାସ ଗଲ, ଆଉ କେତେ ଯାଆନ୍ତ ? ତମ ଭାଇ କେଇଦିନ ଆସୁଛି ପଚାରିଲ ?

 

–ତାକୁ ଛୁଟି ମିଳେ ନାହିଁ ।

 

–ଆଉ ତମକୁ ଛୁଟି ମିଳୁଛି !

 

ଗାଉଁ ଗାଉଁ ହେଇ ପଦନ କହେ–ଦରମା ତ କାଟୁଛ ।

 

–କଣ ତେବେ ଯିବ ?

 

–ହଁ ।

 

ପଦନ ଘରକୁ ଚାଲେ ।

 

ମଦନ ଘରଜୋଇଁଆ ହେଇ ଯାଇଛି–ଚାରିଖଣ୍ଡ ଗା ଛାଡ଼ି ଶଶୁର ଘର । ଶଶୁର ଘରେ କାମକୁ ଲୋକ ମିଳନ୍ତି ନାହିଁ । ଶଶୁର ଭଲ ଚଳେ । ମଦନକୁ ଘରଜୋଇଁଆ କରି ନେଇଛି । ବିଲ ବାଡ଼ି କାମ କରିବାକୁ ପଦନ ନ ହେଲେ ନ ଚଳେ । ମୂଲିଆମାନେ ଖାଲି ଠକି ପଇସା ନେଇ ଯାଉଛନ୍ତି–ସେଥିପାଇଁ ପଦନ ଦରକାର ।

ଶଶୁର ଚିଠି ଦିଏ–ପଦନ ନ ଥିଲେ ତାକୁ ଚାରିଆଡ଼ ଅନ୍ଧାର ଦିଶୁଛି, ପଦନ ଆସିଲେ ସେ ତାକୁ ତାର କୋଳପୋଛା ଝିଅ ସାଥିରେ ବାହା କରିଦେବ ।

 

ମଦନ ଆସି କହେ ପଦନକୁ, ଭାଉଜ ଚିଠି ଦିଏ ଦିଅର ପାଖକୁ–ସେଇ ଏକା ଖବର–ପଦନ ନ ହେଲେ ଚଳିବ ନାହିଁ, ବସିଲା ଠା’ କରୁ ଉଠି ନ ଆସିଲେ ଚଳିବ ନାହିଁ...ସମସ୍ତେ ଚାତକ ପରି ଚାହିଁ ରହିଛନ୍ତି ।

 

ପଦନ ଭାରି ଖୁସି ହୁଏ–ସେ ନ ହେଲେ ଚଳିବ ନାହିଁ । ବାବୁଘର ଚଳି ପାରୁନାହାନ୍ତି, ଭାଇ ଭାଉଜ, ଭାଇ–ଶଶୁର କେହି ଚଳିପାରୁ ନାହାନ୍ତି । ବାବୁଘରେ ଥଟ୍ଟା କରି କହନ୍ତି–ପଦନ, ତମ ଗାଁରେ କେଇଟା ଚାତକ ଅଛନ୍ତି ଯେ ସମସ୍ତେ ଚାତକ ପରି ଚାହିଁ ରହିଛନ୍ତି ? ଆମେ ତ ଗୋଟାଏ ଚାତକ ଦେଖିଲୁ ନାହିଁ ।

 

ପଦନ କିଛି କହେ ନାହିଁ, କିନ୍ତୁ ତା ଚିଠି ସମସ୍ତେ ପଢ଼ି ଦେଉଥିବାରୁ ମନେ ମନେ ସେମାନଙ୍କ ଉପରେ ଭାରି ଚିଡ଼େ ।

 

ପିଲାବେଳୁ ପଦନ ବାପ ଛେଉଣ୍ଡ । ଜନ୍ମ ହେବା ପରେ ପରେ ମା ମରିଯାଇଥିଲା । ସେଥିପାଇଁ ବଡ଼ ଭାଇ ମଦନକୁ ସେ ଭାରି ମାନେ–ଠିକ୍ ବାପ ପରି । ଗାଁରେ ସମସ୍ତେ କହନ୍ତି, ଆଉ ମଦନ ବି ନିଜେ କହେ ଯେ ପଦନ ପରି ଭାଇ କଳିଯୁଗରେ ହେବେ ନାହିଁ ।

 

ମଦନ ଛୋଟ ଭାଇକୁ ଏମିତି ଟେକା ଟେକି କରି ତା ପାଖରେ ଥିବା ଟଙ୍କାତକ ଖସେଇ ନେଇଯାଏ । ଟଙ୍କା ଦେଇ ପଦନ ବି ଖୁସି–ସେ କଳିଯୁଗର ଭାଇ ନୁହେଁ ।

 

ପଦନ ଘରକୁ ଯିବ । କେହି ଛାଡ଼ିବାକୁ ନାରାଜ । ସମସ୍ତଙ୍କର ସେନ୍ଦେହ–ପଦନ ଏଥର ଗଲେ ଆଉ ଫେରି ନ ପାରେ ।

 

–କିଓ ପଦନ, ନ ଗଲେ କଣ ଚଳିବ ନାହିଁ ?

 

–ଅସୁବିଧା ପଡ଼ିଚି । କହି ପଦନ ତଳକୁ ମୁହଁ ପୋତେ ।

 

–ଆଚ୍ଛା କଥା ! ତମ ଭାଇର ଶଶୁର ଘର ବାଡ଼ିରେ ପାଣି ମଡ଼େଇବ ବୋଲି ଆମେ ଛୁଟି ଦବୁ ?

 

–ତାକୁ ଛୁଟି ମିଳୁ ନାହିଁ ।

 

–ତମ ମୁଣ୍ଡ କାହିଁକି ବଥଉଛି ?

 

ଚାକର ନାଲୁ ଗୁମ୍‍ମାରି ବସିଥାଏ । ପଦନ ଚାଲିଗଲେ ଅଧିକା କାମ ତା ଉପରେ ବି ପଡ଼ିବ । ସେ କହେ–ଜାଣିନ କି ? ସେ ପରା ତା ଭାଇର ଶାଳିକୁ ବାହାହବ ବୋଲି ଶଶୁର କହିଚି...ସେ ଝୁଅ ସାତ୍ କିଲାସରେ ପଢ଼ିଲାଣି । ମଦନର ସ୍ତ୍ରୀ ଅକ୍ଷର ଚିହ୍ନିଛି ଆଉ ତା ସାନ ଭଉଣୀ ସାତ କ୍ଲାସରେ ପଢ଼ି ପଦନକୁ ବାହାହବ ! ସେ ବୁଢ଼ା ଭାରି ଚଲାଖ ।

 

–ନାଇଁ ପଦନ, ତମେ ଯାଅନା ।

 

ପଦନ ଚୁପ ହେଇ ଛିଡ଼ା ହୁଏ । ଚାକିରୀରେ ଇସ୍ତଫା ଦେବାକୁ ଠିକ୍ କରେ । ତା ପରେ ଯେତେଦିନ ଯାଏ ଛୁଟି ମଞ୍ଜୁର ନ ହେଇଛି ସେ କାହାର ସାଙ୍ଗରେ କଥା ଭାଷା କରେ ନାହିଁ । ଶେଷରେ ପୁଣି ଛୁଟି ମଞ୍ଜୁର ହେଇଯାଏ ।

 

ସବୁଥର ଚାରିଦିନ କହି ପଦନ କୋଡ଼ିଏ ବାଇସି ଦିନ ରହିଯାଏ । ଫେରି ଆସି କହେ–ଜର ହେଲା । ଜର ହେବ ନାହିଁ ? ଭିଡ଼ ଖଟଣି । ଗାଧୁଆ ପାଧୁଆର ଠିକଣା ନାହିଁ । ସମସ୍ତେ ରାଗନ୍ତି, ପୁଣି ଚୁପ ହୋଇଯାନ୍ତି–ହଉ ଆସିଲାଣି ତ ।

 

ଖାଲି କଣ ସେତିକିରେ ସରିଲା ? ଏ ଛୁଟି ଛଡ଼ା ପଦନର ଆହୁରି ଅନ୍ୟ ଛୁଟି ବି ଅଛି । ତା’ର ବି ଦେହ ଖରାପ ହୁଏ ।

 

ଦେହ ଟିକିଏ କସ୍‍ମସ୍ ଲାଗିଲେ ପଦନ ଦିନେ ଖାଡ଼ା ଉପାସ ରହିଯାଏ । ଯେତେ ଯାଚିଲେ ଖାଏ ନାହିଁ । ତହିଁଆର ଦିନ ସକାଳୁ ନଅଙ୍କିଆ ପରି ଦିଶେ–କଣ ନା ପଦନକୁ ଜର ହେଇଛି–ଛୁଟି ।

 

ଖାଇଲେ ଦେହରେ ବଳ ଚାଲି ଆସିବ ବୋଲି ପଦନ ହୁସିଆର ହେଇ କମ ଖାଏ । ଆଉ ସକାଳୁ ସଞ୍ଜଯାଏ ପଦାରେ ଆଡ୍ଡ଼ା ମାରୁଥାଏ । ରାତି ଘଡ଼ିକୁ ଟଳି ଟଳି ଫେରେ–ହଅ, ରାନ୍ଧୁନାଇଁ ଯେମିତି, ଖାଉନାଇଁ ସେମିତି–ଆଉ ଡରି କଣ ?

 

–କି ପଦନ, ଏଥର ଜର କେଇଦିନ ହବ ?

 

କାନ୍ଦ କାନ୍ଦ ହେଇ ପଦନ କହେ–ମୁଣ୍ଡ ବୁଲଉଚି, ଦେହ ଥରୁଚି ।

 

–ହବ ନାହିଁ ? ଏମିତି ଖାଡ଼ା ଉପାସ ରହିଲେ ସବୁ ହବ । ଏବେ ଦି’ଟା ଭାତ ଖାଅ ?

 

–ନାଇଁ, ମୁଁ ହୋଟେଲରୁ ସେଉ ଭଜା ଆଉ ଚା ଖାଇ ଆସିଛି ।

 

–ଆରେ, ଏ ଜରରେ ତମେ ଯାଇ ସେଉ ଖାଉଛ ? ଜର ଛାଡ଼ିବ ?

 

–ଭାଇ କହିଥିଲା ।

 

–ଆଚ୍ଛା ଭାଇ ! ସେଇ ମଦନ ତମକୁ ବିଗାଡ଼ିବ.ତମକୁ ତ ଦୁହିଁବାରେ ଲାଗିଛି, ଆଉ ଏଣେ ଆମକୁ ଯେତେ ପ୍ରକାରର ହିନସ୍ତା କରିବାର କଥା କରୁଛି ।

 

ସକାଳ ହୁଏ । ମଦନ ଆସି ବାରି ଦୁଆର ପାଖରେ ଉଣ୍ଡେ । ଠାରଠୁର କରି କବାଟରେ ହାତ ମାରେ । ପଦନ ଧାଏଁ ।

 

–କିଓ ପଦନ, ତମକୁ ପରା ଜର ? କୁଆଡ଼େ ଯାଉଛ ?

 

–ଜର ଛାଡ଼ି ଗଲାଣି ।

 

–ଭାଇ, ସେମାନେ ମତେ କହୁଛନ୍ତି ଖାଇବା ପାଇଁ ।

 

–ତୁ କହୁନୁ, ତୋ ଦେହ ଭଲ ନାହିଁ ବୋଲି ?

 

–କହିଚି...ସେମାନେ ବଳଉଛନ୍ତି ଚୁଡ଼ାଭଜା ଖାଇବାକୁ ।

 

–ତେବେ ଗଣ୍ଡାଏ ଖା...ହେଇ ମତେ ପାଞ୍ଚଟା ଟଙ୍କା ଦେଲୁ...ପୋରୁହାଁ ଅଷ୍ଟମୀକୁ ଲୁଗା ପଠେଇବି ।

 

–ଏତେ ଟଙ୍କା ହବ ନାହିଁ ।

 

–ସଇତାନଟାଏ ଦିହ ଖରାପ ବେଳେ ବି ମିଛ କହୁଛି ।

 

–ନାହିଁ ପରା କହିଲି ।

 

–ବଜାର ହାଟରୁ କିଛି ପାଉନୁ ?

 

–ସେମାନେ ଜଗୁଛନ୍ତି ।

 

–ଓଲାଟାଏ...ଯାହା ତ କମେଇଲୁ, ସେଥିରେ ପୁଣି ଚୋର ହେଇ ବସିଛୁ...ହଉ ଦେଖ୍ କଣ ଅଛି ।

 

ପଦନ ଘରକୁ ପଶେ ।–ଏ ପଦନ, ଲେମ୍ବୁଦେଇ ଦି’ଟା ଚୁଡ଼ାଭଜା ଖାଅ ? ...ଶର୍ଦ୍ଦି ହେଇଛି ? ଅଦା ଲୁଣରେ ଖାଉନ ?

 

‘ହଉ’ କହିଦେଇ ପଦନ ତାର କନ୍ଦି ବିକନ୍ଦି ଖୋଜେ ଟଙ୍କା ପାଇଁ ।

 

ହାତରେ ଟଙ୍କା ଦେଖି ମଦନ ଖୁସି ହୋଇଯାଏ । ଗେଲ୍‍ହା କରି ପଚାରେ–ତତେ କଅଣ କହୁଥିଲେ କି ?

 

–କହୁଚନ୍ତି ଚୁଡ଼ାଭଜା ଲୁଣ ଅଦା ଦେଇ ଖାଇବି ନା ଲେମ୍ବୁ ଦେଇ ଖାଇବି ?

 

–ଯେମିତି ତୋର ଇଚ୍ଛା...ଚିନି ଲେମ୍ବୁ ଦେଇ ଖା ।

 

ପଦନ ଦେହ ବେଶି ଖରାପ ହେଲା । ଦାମିକା ଔଷଧ ଖାଇବାକୁ ଡାକ୍ତର କହିଛନ୍ତି–ପଦନର ରକ୍ତରେ ବଳ ନାହିଁ ।

 

–ପଦନ, ତେର ଟଙ୍କା ଦିଅ, ଔଷଧ କିଣା ହେବ । ଆମେ ସାତ ଟଙ୍କା ଦବୁ ।

 

ପଦନ ତାର ଶଶୁର ପାଖକୁ, ଭାଇ ପାଖକୁ ଚିଠି ଲେଖିଲା । ଶଶୁର ଦି’ଟଙ୍କା ମନିଅର୍ଡ଼ର କରି ଲେଖିଲା ଯେ ସେ ଗାଁକୁ ଚାଲି ଆସୁ–ସେଇଠି ଶଶୁର ବଇଦ ଦେଖେଇବ । ଭାଇ ଲେଖିଲା ବାବୁ ଘରେ ଜୁଲୁମ କର–ସେଇ ଖର୍ଚ୍ଚ ଦେବେ ।

 

ପଦନ ବାହାରେ ଚିଠି ପଢ଼ି ଫେରି ଆସିଲା ।

 

–କଣ ପଦନ, ଟଙ୍କା କଥା କଣ ହେଲା ? ଔଷଧ ପଥି କରିବ ନା ଭାଇ ଭାଉଜଙ୍କୁ ପରାମର୍ଶ କରିବ ?

 

–କାଇଁକି ? ମୁଁ ତ ଏଇଠି କାମ କରି କରି ମୋ ଦିହ ଖରାପ ହେଲା...ତମେ ଖର୍ଚ୍ଚ ଦବନାଇଁ କାଇଁକି ?

 

–ହଁ, ଆମେ ଦବା ଯେ, ତମ ଟଙ୍କାସବୁ କୁଆଡ଼େ ଯାଉଛି ?

 

–କେଇଟା ଟଙ୍କା ଦଉଛ ଯେ ସବୁବେଳେ ଟଙ୍କା କଥା ପଚାରୁଛ ?

 

–ଆରେ ଭାଇ ତ ଟଙ୍କା ନେଲା, କଣ ସେ କେତେ ପଠେଇଲା, ଶଶୁର କେତେ ପଠେଇଲା କହୁନ ?

 

ସେମାନଙ୍କର ଇଜ୍ଜତ ରଖିବାକୁ ପଦନ କହିଲା–ଶଶୁର ଅର୍ଡ଼ର ପଠେଇଚି, ଆଉ ଭାଇ କହିଚି ବଇଦ ଚିକିତ୍ସା କରିବାକୁ ।

 

ପଦନକୁ ପୁଣି ଡକରା ଆସେ ଭାଇ ପାଖରୁ–ସକାଳେ ସିନ୍ଦୁରା ଫାଟିଲାବେଳେ ନ ହେଲେ ମୁହଁ ସଞ୍ଜବେଳେ ।

 

–ଓଲଟାଏ...ଏଠି ତ ଦୁଧ, ଘିଅ, ଚିନି–ସବୁ ତୋ ହାତ ବାଟେ ଛାଣି ହଉଛି...ଆଉ ଗାଁରେ କଣ ପାଇବୁ ?

 

–ସେମାନେ କହୁଚନ୍ତି ଟଙ୍କା ଦବାକୁ ।

 

–କହୁଛନ୍ତି ? ତେବେ ତୁ ନାଗୁଆ କରି ଅଧପାଏ ଦୁଧ କିଣ୍ । ଆଉ ତତେ କେହି ଚୋର କରିବେ ନାହିଁ । ପ୍ରତିଦିନ ଅଧସେର ତିନିପା ଦୁଧ ଖାଇଲେ ଦିହ ଭଲ ହେଇଯିବ ।

 

–ଏ ପଦନ, ଗାଈ ଏ ବେଳା କେତେ ଦୁଧ ଦେଇଛି କି ? କଣ କମ୍ ଜଣା ପଡ଼ୁଛି ।

 

–ମୁଁ ମାପି ନାଇଁ...ବାଛୁରୀ ପିଇଥିବ ।

 

–କଣ, ବାଛୁରୀ ପିଉଛି ! ଆଉ ଦୁଧ ଏମିତି ପାଣିଚିଆ ଲାଗୁଛି କାହିଁକି ?

 

ଯେତେବେଳେ ଦେଖ ପଦନ ତା’ରି ଅଧପା’କ ଦୁଧ ବସି ପିଉଛି । ବେଶି ପିଇଦେଲେ ପାଣି ମିଶେଇ ଦିଏ । ବାବୁଘର ଆସି ନିଜେ ଦେଖା ଚାହାଁ କଲେ ପଦନ ଭାରି ରାଗେ–ସେ ଚାକିରୀ ଛାଡ଼ିଦବ ।

 

ମାଛ ମାଂସରେ ମଧ୍ୟ ସେଇ ଅବସ୍ଥା ସବୁବେଳେ ତରକାରୀ ନିଅଣ୍ଟ ।

 

ଭାଇ ଭାଉଜଙ୍କର ଟଙ୍କାର ତାଗିଦା କେବେ କମେ ନାହିଁ । ପଦନ ନିଜ ଚିକିତ୍ସା ପାଇଁ ଟଙ୍କାଟିଏ ବି କାଢ଼େ ନାହିଁ । ଏଣେ ମନିଅର୍ଡ଼ର ପଠାଏ ଘରକୁ । ଚାଉଳ ବସ୍ତା କମିଯାଏ କଣ ନା ମୂଷା ଖାଉଛନ୍ତି । ଚିନି ଅଣ୍ଟେ ନାହିଁ କାରଣ ବାବୁମାନେ ବହୁତ ଚା ଖାଉଛନ୍ତି ।

 

–ପଦନ, ତମର ଖାଲି ଦେହ ଖରାପ ହେଲା ନାହିଁ ଯେ ତମର ଅଭ୍ୟାସ ବି ଖରାପ ହେଲାଣି । ଏତେ ଜିନିଷ କମୁଛି କାହିଁକି ?

 

–ତାଲା ଦେଉନ ? ମୁଁ ସେ ସବୁ ଜିନିଷ ଛୁଏଁ ନାଇଁ...ଆମେ ଚାକିରୀ କଲୁ ବୋଲି କଣ ଚୋର ?

 

–ଏତେ ଟଙ୍କା କେମିତି ପଠା ହଉଛି ?

 

ଭାଇ ବୁଝେଇଲା–ବୋକାଟାଏ...ଠିକଣା ଦବାକୁ ତତେ ଆଉ କେହି ଲୋକ ମିଳିଲେ ନାହିଁ ? ...ନିଜେ ନିଜେ ଚୋର ହବ ଆଉ ସମସ୍ତଙ୍କୁ ଚୋର କରିବ ।

 

ପଦନ ହୁସିଆର ହେଇ ଥାଏ । ଖରାଦିନେ ଧମକାଏ–ଚାକିରୀ ଛାଡ଼ିଦବ । ଆଉ ଶୀତଦିନେ ତାକୁ ଧମକାଇଲେ ସେ କିଛି କହେ ନାହିଁ । ସେ ଜାଣେ, ଏଡ଼େ ଥଣ୍ଡାରେ ଚୁଲୀ ମୁଣ୍ଡରେ ବସିବାକୁ କିଏ କାହିଁକି ମନା କରିବ ?

 

ମଦନର ଦେହ ଖରାପ ହେଲା । ଡାକ୍ତର କହୁଛି ସଙ୍ଗିନ କାଶ । ଶଶୁର କହୁଛି ଭଲ ହେଇଯିବ ।

 

ଚିଠି ପରେ ଚିଠି–ଆରେ ପଦ, ମୁଁ ଆଉ ବଞ୍ଚିବି ନାହିଁ...ଟିକିଏ ଭଲ ଖାଇବାକୁ ଇଚ୍ଛା ହଉଛି ।

 

ପଦନ ରାଗେ ଭାଇର ଶଶୁର ଉପରେ–ସବୁ ନେଇ ଭାଇକୁ ତାର କେମିତି ପଚାରୁ ନାହିଁ ?

 

ପଦନ ଗାଁରେ ପହଞ୍ଚି ଦେଖିଲା ଭାଇକୁ ସେଠି ତିନିଦିନର ବାସି ପଖାଳ ଖାଇବାକୁ ଦିଆଯାଉଛି । ମନରେ ତାର ଦୁଃଖ ହେଲା । ଭାଇଠୁ ପଚାରି ବୁଝିଲା ଯେ ତାର ମାଛ ଖାଇବାକୁ ମନ ହେଉଛି ।

 

ପଦନ ବୁଢ଼ା ଉପରେ ଭାରି ଚିଡ଼ିଲା । ଭାଉଜକୁ ବି କିଛି କହିଲା ନାହିଁ । ଖିଅ ପକେଇ ଚୂନା ମାଛ ଧରିବାକୁ ଗଲା । ମାଛ ଧରିଲାବେଳେ ଭାବୁଥାଏ–ଏ ବୁଢ଼ା କୁଆଡ଼େ ଜମି ଦବ...ଭାଇଟା ଭାରି ନିର୍ବୁଧିଆ ।

 

ପ୍ରତିଦିନ ସେ ଖିଅ ପକେଇ ଦିଗଣ୍ଡା ମାଛ ଆଣେ । ଭାଇ ପଥି କରେ ଆଉ ପଦନକୁ ବହୁତ ପ୍ରଶଂସା କରେ । ଭାଉଜ କହେ–ଚିକିତ୍ସା ପାଇଁ ଦୁଇଶ ଟଙ୍କା ନ ହେଲେ ହବ ନାହିଁ...ବାବୁ ଘରକୁ ମାଗ ।

 

–ସେ କଣ ଦେବେ ?

 

–ଦେଖୁଛ ତ ୟାଙ୍କ ଅବସ୍ଥା...ତମ ଛଡ଼ା ଆମର ଆଉ କିଏ ଅଛି ?

 

ପଦନ ଚାହେଁ ଭାଉଜ ମୁହଁକୁ, ଆଉ ଭାଇ ମୁହଁକୁ । ମନ ଭିତରେ କିଏ ଯେମିତି କହିଦିଏ–ଭାଇ ଆଉ ବଞ୍ଚିବ ନାହିଁ ।

 

ଭାଉଜର ଛଳ ଛଳ ଆଖି ଦେଖି ପଦନ ସାନ୍ତ୍ଵନା ଦିଏ–ମୁଁ ଅଛି ପରା...ସେମିତି କାହିଁକି ହଉଛ ?

 

ଏଣେ ଯାଇ ବୁଢ଼ା ସାଙ୍ଗରେ କଳି ଲଗାଏ–ଏତେ ଟଙ୍କା ନେଇ ଭାଇକି ଏମିତି ଖାଇବାକୁ ନ ଦେଇ ମାରୁଛ ?

 

ବୁଢ଼ା ସାଙ୍ଗେ ସାଙ୍ଗେ ଜବାବ ଦିଏ–ଆଉ ସେ କଥା କହ ନା ପଦନ...ତାକୁ ଭଲ କରିବାପାଇଁ ମୋର ଯାହା ଥିଲା–ସବୁ ମୁଁ ବିନର୍ବୟ କଲି...କିଛି ନଗଦ ଟଙ୍କା ମିଳନ୍ତା କି ଗୋଟାଏ ଭଲ ଡାକ୍ତର ଆଣନ୍ତି...ଧାନ କଟା ନ ହବା ଯାଏ ନଗଦ ଟଙ୍କା ହାତ ଚଢ଼ୁନାଇଁ ।

 

ପଦନ କଣ କରିବ ବୁଝି ପାରେ ନାହିଁ । ଭାଇ ଦେହ ଏମିତି ଖରାପ..ବାବୁ ଘରକୁ ନ ଗଲେ ଟଙ୍କା ମିଳିବ ନାହିଁ...

 

–‘କିଓ ପଦନ, ଏଥର ଯେ ଭାରି ଚଞ୍ଚଳ ଫେରି ଆସିଲ’ । ପଦନ ମୁଣ୍ଡିଆ ମାରିଲାବେଳେ ସମସ୍ତେ ତାକୁ ପଚାରିଲେ ।

 

କାନ୍ଦ କାନ୍ଦ ହେଇ ପଦନ କହିଲା–ମୋ ଭାଇ ଆଉ ବଞ୍ଚିବ ନାଇଁ...ସେ ବୁଢ଼ାଟା ତାକୁ ଶୁଖେଇ ମାରୁଛି...କାଶ ବେମାରିରେ ବାସି ପଖାଳ ଚିକିତ୍ସା କରୁଚି...କିଛି ଟଙ୍କା ହେଲେ ବଇଦ ଡାକ୍ତର କରନ୍ତି ।

 

–ଏଇ ପବନ, ସବୁବେଳେ ସେମିତି ଟଙ୍କା, ଟଙ୍କା ହୁଅ ନାହିଁ...ତମ ଦେହ ଖରାପ ହେଇଥିଲା–କେଇ ଟଙ୍କା କାଢ଼ିଥିଲ ? ସେମାନେ କେଇ ଟଙ୍କା ଦେଇଥିଲେ ?

 

–ମୁଁ ପୁଣି ଶୁଝି ଦିଅନ୍ତି । ପଦନ ବିକଳ ହେଇ କହିଲା ।

 

–ଏଇକ୍ଷଣି ଟଙ୍କା କାହିଁ ? ପହିଲା ପରେ ଦେଖିବା ।

 

ଟଙ୍କାକୁ ଆଶାକରି ପଦନ ଭାରି ଫୁର୍ତ୍ତିରେ କାମ କରୁଥାଏ ।

 

ବେରିଙ୍ଗ ଚିଠି ଆସିଲା–ପଦନର ସବୁ ଚିଠି ବେରିଂ ଥାଏ । କାରଣ ଦୁଇଟା–ପଦନ ନିଶ୍ଚେ ପାଇବ, ଆଉ ଶଶୁର ପାଖରେ ପଇସା ନାହିଁ । କିନ୍ତୁ ଏ ଚିଠି ଅଲଗା–ମଦନ ମରି ଯାଇଛି...ଭାଉଜ ମୂର୍ଚ୍ଛା ହେଇ ଯାଇଛି..ମଦନ ମଲାବେଳେ ପଦନକୁ ଖୋଜୁଥିଲା ।

 

ପଦନ ଭୋ ଭୋ ହେଇ କାନ୍ଦିଲା । ଆଉ ଖାଇଲା ନାହିଁ । ଟଙ୍କା ନ ମିଳିଲେ ସେ ଶ୍ରାଦ୍ଧ କରି ପାରିବ ନାହିଁ ।

ଶହେ ଟଙ୍କା ନେଇ ପଦନ ଗଲା–ସାବଧାନରେ ଥିବ ପଦନ...ସେ ବୁଢ଼ାକୁ ଦେଖେଇବ ନାହିଁ...ଦେଖେଇଲେ ସେ ସବୁ ଖାଇଦବ ।

ପଦନ ଫେରି ଆସିଲା ।

–କେତେ ଖର୍ଚ୍ଚ କଲ ? ଶ୍ରାଦ୍ଧରେ ବୁଢ଼ା କଣ କଲା ?

–ମହାଜନଠୁ ପରା କରଜ କଲି ଆଉରି ଚାଳିଶ ଟଙ୍କା ।

–କଣ ! ଶହେ ଟଙ୍କା ପରା ନେଇଥିଲ ? କେତେ ଏମିତି ଲାଗିଲା କି ?

–ଅଣ୍ଟିଲା ନାହିଁ...ବୁଢ଼ା ପରା କହିଲା–ତା ପାଖରେ ଗୋଟାଏ ବି ପଇସା ନାହିଁ–ଶ୍ରାଦ୍ଧ ପଛକେ ବନ୍ଦ ଥାଉ ।

–ଦେଖିଲ ତ ? ସଂସାରର ଭାବ ବୁଝିଲ ? ଭାଇ ଧାଇଁ ଯାଇଥିଲା ଜମି ଲୋଭରେ–ପାଇଲ ? ଆଉ ତମେ ନିଜେ ରୋଜଗାର କରି ଶଶୁର ଘରେ ରଖିଲ–କାମରେ ଲାଗିଲା ?

–ସବୁ ମୋ କପାଳର ଦୋଷ ।

ମନ ଦୁଃଖରେ ସେ ପୁଣି ତା ନିଜ କାମରେ ଲାଗିଲା ।

–ପଦନ ଚିଠି ନିଅ । ପୁଣି କଣ ଚିଠି ଆସିଲାଣି... ତମ ଭାଇର ଶାଳି ଆଠ କ୍ଲାସକୁ ଉଠିଲାଣି... ତାର ବହି ଦରକାର । ତମେ ଏଥିରେ ଆଉ କାହିଁକି ଲାଗିଛ ?

ପଦନ ଚିଠି ନେଇ ଲୁଚେଇ ରଖିଲା । ପତି ଖୁସି ହେଲା ଭାଉଜ ଚିଠି ଲେଖିଛି ।

–ମନେ ମନେରଖିଥା ପଦନ, ତମର ଏତକ ବି ପନିକି ଯିବ । ଯାହା ଲୁଗା କମିଜ୍, ଘୋଡ଼ୀହେଲା ଏଠୁ ନେଇ, ସବୁ ସେଇ ଶଶୁର ଘରେ ରଖି ଯୋଉ କାନ୍ତାରିଆକୁ ସେଇ କାନ୍ତାରିଆ ହେଇ ବୁଲୁଛି । ଏବେ ମଦନ ତ ଚାଲିଗଲା ତମକୁ ଜଗେଇ ଦେଇ ଯାଇଛି । ହୁସିଆର୍, ତାଙ୍କୁ କିଛି ଦିଅନା ।

ପଦନ ଶୁଣେ, କିନ୍ତୁ କଥାଗୁଡ଼ାକ ତାର ମନକୁ ପାଏ ନାହିଁ । ଭଲ ସିନା ଚାଲିଗଲା, ଭାଉଜ ତ ଅଛି ସେ କଣ ପଦନକୁ ବାହା ହବ ନାହିଁ ?

ପ୍ରତି ହପ୍ତାରେ ପଦନ ପାଖକୁ ଚିଠି ଆସେ–ଏଇଟା ଦରକାର ସେଇଟା ଦରକାର । ଚିଠି ପାଇଲେ ପଦନ ଖୁସି ହୋଇଯାଏ । ବରଦା ଅନୁସାରେ ଜିନିଷ ପଠାଏ । ପଠେଇ ସରିଲା ପରେ ଭାରି ଆତଙ୍କରେ ରହେ–ସବୁଦିନେ କାହିଁକି ଚିଠି ଅସୁ ନାହିଁ ? ଜିନିଷ ପାଇଲେ କି ନାହିଁ ?

ତା’ର ଗାଁ ଲୋକେ ଯିଏ ଯୋଉଠି ଥାନ୍ତି; ଭାଉଜ କଥା, ଭାଉଜର ବାପ କଥା ବୁଝିବାକୁ ସେ ସମସ୍ତଙ୍କ ପାଖକୁ ଧାଏଁ । ଲୋକମାନେ ବି ଖବର ଦିଅନ୍ତି ଅତି ଖରାପ ବୁଢ଼ାଟା....ଝିଅର ଇଛା ବିରୁଦ୍ଧରେ ତାକୁ ବାହା କରିଦେବ ବୋଲି ବର ଖୋଜୁଛି ।

–ଖୋଜୁଛି ? ଭାରି ସାହସ ତ ! ମୁଁ ଦଶ ବର୍ଷର ରୋଜଗାର ଦି ଦଶ ତାଙ୍କ ନହେଲେ ବି ନିକୁଛରେ ହଜାରେ ତାଙ୍କ ତ ତାକୁ ଖୁଆଇଚି...ସେ ଆଗ ମୋ ଟଙ୍କା ଫେରଉ ତା ପରେ ଯାଇ ଯୋଉ କଥା...ଚିଠି ଖଣ୍ଡେ ଦେଲାବେଳକୁ ପଇସା ନାହିଁ ବୋଲି ବେରିଂ କରୁଚି, ଆଉ ଏଣେ ଏତେ ହୁନ୍ଦର ।

 

ପଦନ ଘରଯାକ ସମସ୍ତଙ୍କୁ ପଚାରି ବୁଲୁଥାଏ–ବାହାଘର ତିଥି କେବେ ସବୁ ପଡ଼ୁଛି । ଶୀତ, ଖରା–ସବୁ ତିଥି ମନେ ରଖେ ।

 

ବାହାମାସ ଆସିଲେ ପଦନ ପଳାଏ ଘରକୁ । ଯେତେ ଦରମା କାଟ, ଗାଳିମନ୍ଦ ହେଲେ ବି ତାକୁ ଦବେଇ ହୁଏ ନାହିଁ ।

 

କ’ଣ ମିଳିବ ଚାକିରୀରୁ ? ଏଣେ ତାର ଭେଳା ବୁଡ଼ିବା ଉପରେ । ପିଠାପଣା, ପୁଣ୍ୟପର୍ବ ସାଙ୍ଗରେ ବାହାତିଥି ପଡ଼େ । ପଦନ ଗାଁରେ ।

 

–ପଦନ, ତମକୁ ରଖି ଆଉ ଲାଭ କ’ଣ ? ସବୁବେଳେ ତ ଗାଁକୁ ଗଲ । ନା ବାହା ହଉଛ ନିଜେ, ନା ଭାଉଜକୁ ବାହା କରୁଛ...ଲାଭ ଭିତରେ ଖାଲି ଆମେ ଛୁଟି ଦଉଛୁ ।

 

–ଅଇଛା କ’ଣ ଆଉ ଯାଉଚି ? ପୁଣି ଯାଇ ଆର ବର୍ଷକୁ ।

 

–କ’ଣ ଏମିତି ଫି ବାହାତିଥିରେ ଜଗିବାକୁ ଯାଉଥିବା ?

 

ପଦନ ଲାଜରା ହୋଇ କହେ–ବୁଝିବାକୁ ଯାଇଥିଲି...ଗାଁରେ ଦଳେ ଲୋକ ମୋ ପଟେ ଅଛନ୍ତି ।

 

–ହଉ ଭଲ ହେଲା...ଚାରିଦିନକୁ କହି ଅଠର ଦିନ ରହିଲ….ଏଥର କ’ଣ ହେଲା ? ତମ କାମ ଛିଣ୍ଡିଲା ?

 

–ଆଉ ଟିକିଏ ଅଡ଼ୁଆ ରହିଗଲା ।

 

–ଏମିତି ତ ଅଡ଼ୁଆ ବଢ଼ି ବଢ଼ି ଥରେ ପୁନେଇଁକି ପୁଣି ଜଟା ହୋଇଥିବ, ଆଉ ତମେ ଛୁଟିବ ଗାଁକୁ ଅଡ଼ୁଆ ସଜାଡ଼ିବାକୁ ।

 

ପଦନ ତୁନି ପଡ଼େ । ଭାଇ କହୁଥିଲା ସେ ଓଲା । ଏବେ ବୁଢ଼ା ତାକୁ ଓଲା କରିବାକୁ ଲାଗିଛି ।

 

Image